ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସମ୍ପ୍ରସାରଣ ଆଇନ (ପେସା)
ବିଜୟ କୁମାର ଜେନା
Panchaayat Extension to Scheduled Area (PESA), ଯାହାର ଓଡ଼ିଆ ପ୍ରତିଶବ୍ଦ ହେଉଛି ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସମ୍ପ୍ରସାରଣ ଆଇନ ବା ପେସା। ଏହି ଆଇନ ୧୯୯୬ମସିହା ଡିସେମ୍ବର ମାସ ୨୪ ତାରିଖ ଠାରୁ ସାରା ଭାରତ ବର୍ଷରେ କାର୍ଯ୍ୟକାରୀ ହେଉଛି। ଏହି ଆଇନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ୨୨ଡିସେମ୍ବର ୧୯୯୭ ମସିହାରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନରେ ଆବଶ୍ୟକୀୟ ସଂଶୋଧନ ଆଣିଲେ। ସମଗ୍ର ଭାରତ ବର୍ଷରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯେଉଁଠି ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ରାଜ ସମ୍ପ୍ରସାରଣ ଆଇନ ଅନୁଯାୟୀ ପଞ୍ଚାୟତ ଅନୁଷ୍ଠାନ ଗୁଡ଼ିକୁ କେତେକ ବିଶେଷ କ୍ଷମତା ପ୍ରଦାନ କରାଯାଇଛି।
ପ୍ରଶ୍ନ ହେଉଛି ଓଡିଶାରେ କେଉଁ ଅଞ୍ଚଳ ଗୁଡିକ ପେସା ଆଇନ ଅନ୍ତର୍ଭୁକ୍ତ? ଉତ୍ତରରେ କୁହା ଯାଇ ପାରିବ ଯେ ଓଡ଼ିଶାରେ ଅନୁସୂଚିତ ଅଞ୍ଚଳ କହିଲେ ସମ୍ପୂର୍ଣ ଭାବରେ ୬ ଗୋଟି ଜିଲ୍ଲା ଓ ଆଂଶିକ ଭାବରେ ୭ ଗୋଟି ଜିଲ୍ଲା ଅନ୍ତର୍ଗତ। ଏହି ସବୁ ଅଞ୍ଚଳ ଗୁଡିକ ରେ ପେସା ଆଇନ କାର୍ଯ୍ୟକାରୀ ହେଉ ଅଛି। ଏହି ଅନୁସୂଚିତ ଅଞ୍ଚଳ ୬୯,୬୧୪ ବର୍ଗ କି, ମି, ବା ୪୪, ୭ପ୍ରତିଶତ ଅଟେ। ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ଆମ ରାଜ୍ୟ ଓଡ଼ିଶାରେ ୬୨ଟି ଆଦିବାସୀ ଗୋଷ୍ଠୀ ଅଛନ୍ତି। ସେମାନେ ୧୩ ଟି ଜିଲ୍ଲା,୧୧୯ ଟି ବ୍ଲକ ଓ ୧୯୨୫, ଟି ଗ୍ରାମପଞ୍ଚାୟତ ରେ ବାସ କରନ୍ତି। ମୟୂରଭଞ୍ଜ, ସୁନ୍ଦରଗଡ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଇତ୍ୟାଦି ଜିଲ୍ଲା ଗୁଡ଼ିକ ହେଉଛନ୍ତି ସମ୍ପୂର୍ଣ ଆଦିବାସୀ ଜିଲ୍ଲା। ଆଂଶିକ ଆଦିବାସୀ ଜିଲ୍ଲା ମଧ୍ୟରେ ବାଲେଶ୍ଵର, କେନ୍ଦୁଝର, ସମ୍ବଲପୁର, କନ୍ଧମାଳ, ଗଞ୍ଜାମ, ଗଜପତି ଓ କଳାହାଣ୍ଡି ଅନ୍ତର୍ଭୁକ୍ତ ଅଟନ୍ତି।
ପେସା ଆଇନ ଅନୁଯାୟୀ ଅନୁସୂଚିତ ଅଞ୍ଚଳ ରେ ପଂଚାୟତରାଜ ଅନୁଷ୍ଠାନ ଗୁଡ଼ିକରେ ଥିବା ମୋଟ ଆସନର ଅତି କମରେ ୫୦ ପ୍ରତିଶତ ଆଦିବାସୀ ମାନଙ୍କ ପାଇଁ ଉଦ୍ଦିଷ୍ଟ। ପୁନଶ୍ଚ ତ୍ରିସ୍ତରୀୟ ପଞ୍ଚାୟତି ରାଜରେ ଥିବା ସମସ୍ତ ମୁଖ୍ୟ ପଦବୀ ଯଥା, ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି ମଧ୍ୟ ଅନୁସୂଚିତ ଜାତିର ପ୍ରତିନିଧିଙ୍କ ପାଇଁ ସଂରକ୍ଷିତ ରହିଛି।
ପେସା ଆଇନ ଅନୁଯାୟୀ ଗ୍ରାମସଭା ର ନିମ୍ନ ଲିଖିତ କ୍ଷମତା ରହିଛି।
* ପ୍ରତ୍ୟେକ ଗ୍ରାମସଭା, ନିଜ ସାମାଜିକ ପରମ୍ପରା, ସଂସ୍କୃତି,ସାମୁହିକ ସମ୍ପଦ ଓ ବିବାଦ ସମାଧାନ ପାଇଁ ପାରମ୍ପରିକ ନୀତି ନିୟମ ଓ ପ୍ରଥା ଅନୁସାରେ କାର୍ଯ୍ୟ କରିବା ପାଇଁ ସକ୍ଷମ ହେବ। ମାନବିକ ଅଧିକାର ଓ ସମ୍ବିଧାନ ର ମୌଳିକ ନୀତି ସହିତ ସାମଞ୍ଜସ୍ୟ ରକ୍ଷା କରି ଯଥାଯଥ ଭାବେ ଆଇନକୁ ବଳ ପୂର୍ବକ କିମ୍ବା ଶାନ୍ତିର ବାତାବରଣ ମଧ୍ୟରେ ସମାଧାନ କରିବ।
* ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ଗ୍ରାମ ପଞ୍ଚାୟତ ଦ୍ଵାରା ପ୍ରସ୍ତୁତ ଯୋଜନା, ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ଗ୍ରାମସଭା ଅନୁମୋଦିତ କରିବ।
*ଦାରିଦ୍ର୍ୟ ଦୂରୀକରଣ ଯୋଜନା ଗୁଡିକ ପାଇଁ ହିତାଧିକାରୀ ଚିହ୍ନଟ।
ଉପରୋକ୍ତ କାର୍ଯ୍ୟର ବିନିଯୋଗ ପ୍ରମାଣପତ୍ର ଗ୍ରାମ ପଞ୍ଚାୟତ ଗ୍ରାମସଭା ରୁ ହାସଲ କରିବ।
* ଗ୍ରାମ ପଞ୍ଚାୟତ ଦ୍ଵାରା କର, ଭଡ଼ା କିମ୍ବା ଫି ଆଦି ସ୍ଥିର କରିବା ପୂର୍ବରୁ ଏହାକୁ ବିଚାର କରିବ ବା ଏହାର ବୃଦ୍ଧି କରଣ କରିପାରିବ।
ଗୋଷ୍ଠୀ ସେବା କାର୍ଯ୍ୟ ଆୟୋଜନ କରିବା ଏବଂ କୃଷି ଉତ୍ପାଦନ ଯୋଜନା କାର୍ଯ୍ୟକାରୀ କରିବା।
* ଗ୍ରାମ ସଭାରେ ନିଷ୍ପତ୍ତି କରିବା ପାଇଁ ଗ୍ରାମ ପଞ୍ଚାୟତ ଯାହା ପ୍ରେରଣ କରିବ ,ତାକୁ ଗ୍ରାମସଭା ବିଚାର କରିବ।
ଗ୍ରାମସଭା ଆବଶ୍ୟକ କରୁଥିବା କୌଣସି ତଥ୍ୟ ଗ୍ରାମ ପଞ୍ଚାୟତ ପାଖରୁ ମଗାଇ ପାରିବ।
ଏହି ପେସା ଆଇନ ଅନୁସାରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କୁ ଅନେକ କ୍ଷମତା ପ୍ରଦାନ କରାଯାଇଛି।
ଗ୍ରାମ ପଞ୍ଚାୟତର କ୍ଷମତା
ଲଘୁ ବନ ଜାତ ଦ୍ରବ୍ୟ ଉପରେ ମାଲିକାନା ରହିବ।
ଜମି ହସ୍ତାନ୍ତରୀ କରଣ ବନ୍ଦ କରି ହେବ।
ବେଆଇନ ଭାବରେ ଆଦିବାସୀ ଜମି ହରାଇଥିଲେ ଫେରସ୍ତ ଆଣିବା ପାଇଁ ପଦକ୍ଷେପ ନେବେ।
ଆଦିବାସୀଙ୍କୁ ଋଣ ଦେବା ନେବାରେ ନିୟନ୍ତ୍ରଣ ଜାହିର କରିବ।
ଗ୍ରାମ ହାଟ ପରିଚାଳନା କରିବେ।
ଗ୍ରାମ ସଭା ଚାହିଁଲେ ପାରମ୍ପରିକ ରୀତିରେ ଗ୍ରାମ୍ୟ କଳହ ସମାଧାନ କରି ପାରିବ।। ସେଥିରେ ଭାରତୀୟ ପିଙ୍ଗଳ କୋର୍ଡ ଅନୁସାରେ ଗ୍ରାମ କଳେହରେ ହସ୍ତକ୍ଷପ ପାଇଁ ସେହି ଗ୍ରାମ ବାସିନ୍ଦାଙ୍କ ଅପେକ୍ଷା ପୋଲିସ କୁ ଅଧିକ କ୍ଷମତା ଦିଆ ଯାଇଛି।
ପଞ୍ଚାୟତ ସମିତି ର କ୍ଷମତା
ସାମାଜିକ କ୍ଷେତ୍ରରେ କାମ କରୁଥିବା ସମସ୍ତ ସଂସ୍ଥା ଓ ଏହାର କର୍ମକର୍ତ୍ତାଙ୍କ ଉପରେ ସମିତିର ନିୟନ୍ତ୍ରଣ ରହିବ। ଆବଶ୍ୟକ ହେଲେ ଗ୍ରାମ ସଭା ସହିତ ପରାମର୍ଶ କରାଯିବ।
ଜିଲ୍ଲା ପରିଷଦ ର କ୍ଷମତା
ଲଘୁ ଧାତବ ପଦାର୍ଥ ର ଉତ୍ତୋଳନ କରିବା, ଖଣି ଖୋଳିବା ପାଇଁ ଲିଜ୍ ଲାଇସେନ୍ସ ଦେବା ଓ ଲଘୁ ଧାତବ ପଦାର୍ଥ ନିଲାମ ଦେବା ପୂର୍ବରୁ ଜିଲ୍ଲା ପରିଷଦ ଅନୁମତି ଆବଶ୍ୟକ।
କୌଣସି ଯୋଜନାରେ ବିକାଶ ମୂଳକ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପୂର୍ବରୁ ଜିଲ୍ଲା ପରିଷଦ ର ଅନୁମତି ଆବଶ୍ୟକ।
କ୍ଷୁଦ୍ର ଜଳ ଭଣ୍ଡାର ଓ ଜଳ ଉତ୍ସ ଗୁଡ଼ିକ ପାଇଁ ଯୋଜନା ଓ ପରିଚାଳନା ପରିଷଦ କରିବ।
ପେସା ଆଇନ ମଧ୍ୟ ଲଘୁ ବନଜାତ ଦ୍ରବ୍ୟ ଗୁଡ଼ିକୁ ନିୟନ୍ତ୍ରଣ ଜାହିର କରେ। କାରଣ ଜଙ୍ଗଲ ଘେରା ଅଞ୍ଚଳରେ ଅଧିକାଂଶ ଆଦିବାସୀ ମାନେ ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ଓ ଗୁଜୁରାଣ ନିର୍ବାହ କରନ୍ତି। ସେମାନଙ୍କ ର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନ ଜଙ୍ଗଲ ଆଧାରରେ ଗଢି ଉଠିଛି। ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ସେମାନେ ଛଅ ମାସରୁ ଉର୍ଦ୍ଧ୍ବ ସମୟ ଭଲରେ ଚଳି ଯାଆନ୍ତି। ଅର୍ଥାତ୍ ସେମାନଙ୍କର ଆୟର ୫୦/୬୦ ପ୍ରତିଶତ ଭାଗ ଲଘୁ ବନଜାତ ଦ୍ରବ୍ୟ ରୁ ହିଁ ମିଳିଥାଏ।
ଆମ ଓଡ଼ିଶା ସରକାର ୬୯ଟି ଦ୍ରବ୍ୟ ଉପରେ ପଞ୍ଚାୟତର ନିୟନ୍ତ୍ରଣ ରହିଛି ଏବଂ ଏଥିରେ ପେସା ଆଇନ ବଳବତ୍ତର ରହିବ। ଏହି ଲଘୁ ବନଜାତ ଦ୍ରବ୍ୟ ମଧ୍ୟରେ ତେନ୍ତୁଳି, ତେନ୍ତୁଳି ମଞ୍ଜି, କୋଚିଲା ମଞ୍ଜି, ଅଁଳା, ନିର୍ମଳା ବା କତକ, ସବାଇଘାସ, ସିମୂଳି ତୁଳା, ପୁତ୍ରଣି, ପଳାସ ମଞ୍ଜି, ମହୁଲ ଫୁଲ, ବାଢ଼ୁନ, ଫୁଲ ଝାଡ଼ୁ, ଘାସ ଝାଡ଼ୁ, ହରିଡା, ବାହାଡା, ଇତ୍ୟାଦି ଲଘୂ ବନ ଜାତ ଦ୍ରବ୍ୟ ଭାବେ ପରିଗଣିତ।
ମୋଟାମୋଟି ଭାବେ କହିବାକୁ ଗଲେ ପେସା ଆଇନ ଠିକ୍ଆ ଢଙ୍ଗରେ ଲାଗୁ କରାଗଲେ ଆଦିବାସୀ ମାନଙ୍କୁ ଏହା ବହୁମାତ୍ରାରେ କ୍ଷମତାପନ୍ନ କରିପାରିବା ସହ ସେମାନଙ୍କର ବହୁବିଧ ଉନ୍ନତିରେ ସହାୟକ ହୋଇପାରନ୍ତା ।
ଅବସର ପ୍ରାପ୍ତ ପ୍ରାଧ୍ୟାପକ,
ଶାମୁକା ସାହି ରଣପୁର ନୟାଗଡ଼