ବେଲା କଟ୍

Share it

ନିତିଆ ଆଜି ନୂଆ ରଙ୍ଗ ରେ ଚୁଟି କାଟିଛି । ବୁଲି ବୁଲି ଗାଁ ସାରା ଦେଖେଇ ହଉଛି । ଓଃ !! କି ଖୁସି ତାର, ହସ ରେ ତାର ଝଡି ପଡ଼ିଥିବା ଆଗ କ୍ଷୀର ଦାନ୍ତ ଦୁଇଟିର ଅନୁପସ୍ଥିତି ତାର ହସକୁ ଆହୁରି ଆକର୍ଷଣୀୟ କରି ଦଉଥାଏ । ସାଇକେଲ ଟାକୁ ଉଡାଜାହାଜ ଆଉ ନିଜକୁ ପାଇଲଟ୍ ମନେ କରି ଉଡ଼େଇ ଚାଲିଛି ତା ଧଡ ଧଡ଼ିଆ ହର୍କୁଲେସ ସାଇକେଲ । ତାର ନୂଆ ରଙ୍ଗର ଏ ହେୟାର ଷ୍ଟାଇଲ ଦେଖି ସମସ୍ତେ ତାକୁ ଏମିତି ଆଁ କରି ଅନେଇ ଥାଆନ୍ତି ।

ଜଣେ ବଡ଼ ଭାଇ ପଚାରିଲେ, ” ଆରେ ନିତିଆ କୋଉଠି ଚୁଟି କାଟିଲୁ କିରେ ? କୋଉ ଷ୍ଟାଇଲ ଏଇଟା ? ”

“ବେଲା କଟ୍”, ” ବେଲା କଟ୍ ” ଉତ୍ତର ରଖିଲା ନିତିଆ ।

ନାଆଁ ଟା ଶୁଣି ହସିଲା ପିଲା ଟି, ” ବେଲା କଟ୍ ! ଆରେ ଏଇଟା କୋଉ ଷ୍ଟାଇଲ କିରେ ? କାଇଁ ଶୁଣିନି ତ ? ”

ନିତିଆ କହିଲା , ” ଆରେ ଏଇଟା ନୂଆ କଟ ; ମୁଁ ଟିକେ ବୁଲି ଆଉଚି, ପରେ କହିବି । ”

ଏବେ ବେଲୁ ଜେଜେର ବେଲା କଟ୍ ତାଙ୍କ ଗାଁ ରେ ପୁରା ଫେମସ୍।
ଆଛା ଏ ବେଲୁ ଜେଜେ କିଏ କି ଏମିତି ?

କହୁଚି କହୁଚି ନିତିଆର ଜେଜ ଆମ ଗାଁ ର ପୁରୁଣା ହେୟାର ଷ୍ଟାଇଲିଷ୍ଟ୍ । ଆଗରୁ ତ ଗାଁ ଲୋକ ଚୁଟି କାଟିବା ପାଇଁ ପାର୍ଲର କି ସେଲୁନ୍ ଯାଉନଥିଲେ ନା, ଏଇ ବେଲୁ ଜେଜେ ପାଖରେ ସମସ୍ତଙ୍କ ଭିଡ । ହେଲେ ସମୟର ଗତି ସହିତ ବେଲୁ ଜେଜେର ଅସ୍ତିତ୍ବ ମଧ୍ୟ ଲୋପ ପାଇବାକୁ ବସିଲାଣି । ଲୋକ ମାନେ ଆଜି କାଲି ମର୍ଡନ୍ ହୋଇଗଲେଣି, କଇଞ୍ଚୀ ଆଉ ଖୁର ଧାର କମି ଆସିଲାଣି । କେମିତି ବା ନ କମନ୍ତା ଯେ ? ବ୍ୟବହାର ତ ହେଉନି ଯଦି ହୁଏ କ୍ବଚିତ୍ ।
ଏବେ କଇଞ୍ଚୀ ଆଉ ଖୁର ର ସ୍ଥାନ ନେଇଛି ଟ୍ରିମର୍ ; ଅଳ୍ପ ସମୟରେ କେତେ ଡିଜାଇନର ହେୟାର ଷ୍ଟାଇଲ୍ କରି ଦଉଛି । ପୁଣି ନୂଆ ସେଲୁନରେ ସେ ଟୋକା ଟା କେବେ ଚୁଟିରେ ନିଆଁ ଲଗେଇଦେଉଛି ତ କେବେ ଜେଲ୍ । ନୂଆ ନୂଆ ନାଆଁ ବି ଦେଇଛି କେତେ କୋଉ କଟ୍, ଭି କଟ୍, ୟୁ କଟ୍, ଆର୍ମି କଟ୍, ଜିରୋ କଟ … ଏମିତି କେତେ କୋଉ କଟ୍ ।

ଆଉ ଏ ବେଲା କଟ୍ ର ଆରମ୍ଭ ବେଲୁ ଜେଜେ ତା ନିଜ ନାତି ଠାରୁ ଆରମ୍ଭ କରିଥିଲା । ବୁଢ଼ା ହେଇ ଆସୁଥିବାରୁ କାଳେ କୋଉଠି ଟିକେ ଏପଟ ସେପଟ ହେଇଯିବ ସେଥି ପାଇଁ ନାତିଆକୁ କହିଲେ ଗଲୁରେ ଛୋଟ ବେଲାଟା ଆଣିକି ଆସିବୁ । ନାତି ପଚାରିଲା ଜେଜ ,” ବେଲା କଣ କରିବୁ ?

ଭୋକ ହେଲାଣି କି ତୋତେ ? ଆଉ ଖାଲି ବେଲା କଣ କରିବୁ ଯେ ?

ତା ଜେଜେ କହିଲେ, ” ଆରେ ତୁ ଆଗ ଆଣେ ଯାଇ ଘରୁ ମୁଁ କହୁଛି ।”

ଏବେ ନାତି ଆଣିକି ଆସିଲା ସୁନ୍ଦର୍ ଗୋଲ୍ ମୋଟଲ ସୁଢ଼ଳ କଂସା ବେଲାଟି ଠିକ୍ ଯେମିତି ଗାଆଁ ମୁଣ୍ଡ ମନ୍ଦିର ପେଟୁ ନନାର ଗୋରା ତକ ତକ ପେଟ । ଏ ବେଲା ଯୋଉଟା କି ଜେଜର ଫେଭୋରାଇଟ୍ ।

ତା ସହ ଏବେ ଚୁଟି କାଟିବା ପାଇଁ ନିତି ବ୍ୟବହାର କରୁଥିବା ସେଇ କନା ତିଆରି ମାଟିଆ ବ୍ୟାଗ୍ ଟି ପାଖରେ ଆଣି ରଖି ଦେଇଛି ।
କଇଁଚୀ, ଖୁର ଧରି ବେଲୁ ଜେଜେ ପୁରା ରେଡ୍ଡୀ । ଜେଜେ ଏବେ ଫର୍ମ ରେ ।

ନାତିଆକୁ କହିଲେ ତୁ ଭଲରେ ବେଲାକୁ ମୁଣ୍ଡରେ ଚାପି ଧରି ବସେ । ଏବେ ବୁଢ଼ା କଣ କଲା ନା ବେଲା ବାହାରେ ବଳକା ଥିବା ଚୁଟି ସବୁ ଖୁର ମାରି ଉଡ଼େଇ ଦେଲା, ବେଲା ଭିତରେ ରହିଲା ଚୁଟି ଯାହା । ବେଲା ଯୋଗୁ ସାଇଜ ବି ହେଇଗଲା । ଏଣେ ନାତିଆ କୁ ବେଲା ବାହାର କରିବାକୁ କହିଲା ଆଉ ଅଳ୍ପ କରି କଇଞ୍ଚୀରେ କାଟି ଦେଲା । ଶେଷରେ ବେଲା କଟ୍ ରେଡ୍ଡୀ।

ବୁଢ଼ା ଟା ଚାଲିଯିବାର ଅନେକ ଦିନ ହେଇ ଗଲାଣି ହେଲେ ତା ନାଁ ରେ ବେଲା କଟ୍ ଆଜି ବି ଅନେକଙ୍କର ପସନ୍ଦର ହେୟାର ଷ୍ଟାଇଲ୍ ହେଇ ରହିଯାଇଛି ।

🌼🍀🌼🍀🌼🍀🌼🍀🌼🍀🌼🍀🌼🍀🌼

ପ୍ରଜ୍ଞା ପରମିତା


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights