ବ୍ୟାସ ମହାଭାରତ, ବନ ପର୍ବରୁ ଏହି ଉପାଖ୍ୟାନ । ପାଣ୍ଡବ ମାନଙ୍କ ବନବାସ କାଳରେ ଦିନେ ଲୋମଶ ୠଷି ପହଞ୍ଚି ସେମାନଙ୍କୁ ଘେନି ହିମାଳୟର ଅରଣ୍ୟ ଭୂମିରେ ନାନା ତୀର୍ଥସ୍ଥାନ ତଥା ମୁନିଋଷିଙ୍କ ଆଶ୍ରମ ଦେଖାଇବାକୁ ବାହାରିଲେ । ସେମାନଙ୍କୁ ସେ ବିଭିନ୍ନ ତୀର୍ଥସ୍ଥାନ ତା’ର ଇତିହାସ ଓ ମାହାତ୍ମ୍ୟ ବର୍ଣ୍ଣନାକରି ଚାଲି ଥାନ୍ତି । ତାଙ୍କ ଯାତ୍ରା ପଥରେ ପଡ଼ିଲା ଗୋଟିଏ ସୁନ୍ଦର ଆଶ୍ରମ । ମହର୍ଷି ସେହି ଆଶ୍ରମଟିକୁ ଦେଖାଇ କହିଲେ,ଏହା ହେଉଛି ରାମାୟଣ ମହା କାବ୍ୟରେ ବର୍ଣ୍ଣିତ ପ୍ରସିଦ୍ଧ ୠଷି ବିଭାଣ୍ଡକଙ୍କ ଆଶ୍ରମ ।
ବିଭାଣ୍ଡକ ୠଷିଙ୍କ ବିଷୟରେ ଏକ ସୁନ୍ଦର କାହାଣୀ ଅଛି । ମୁଁ ସେହି କଥା କହୁଛି ମନଦେଇ ଶୁଣ ।
ଲୋମଶ ମୁନି କଥା ଆରମ୍ଭ କଲେ । ବିଭାଣ୍ଡକ ଋଷି ତପୋବଳରେ ବ୍ରହ୍ମାଙ୍କ ପରି ତେଜସ୍ଵୀ ଥିଲେ । ତାଙ୍କ ପୁତ୍ର ଥିଲେ, ଋଷ୍ୟଶୃଙ୍ଗ ।ମହର୍ଷି ପୁତ୍ର ଋଷ୍ୟଶୃଙ୍ଗକୁ ଏପରି କଠୋର ଶୃଙ୍ଖଳା ଭିତରେ ରଖି ଥିଲେ ଯେ ସେ ପିତାଙ୍କ ଛଡ଼ା ଅନ୍ୟ କୌଣସି ସ୍ତ୍ରୀ ବା ପୁରୁଷର ମୁଖ ଦେଖିନଥିଲେ । ତାଙ୍କ ମାତା ଥିଲେ ଏକ ମୃଗୀ ରୂପରେ ଜଣେ ଅଭିଶପ୍ତା ଦେବକନ୍ୟା । ପୁତ୍ର ଋଷ୍ୟ ଶୃଙ୍ଗଙ୍କ ପ୍ରସବ ପରେ, ସେ ଦେହତ୍ୟାଗ କରି ଶାପ ମୁକ୍ତ ହୋଇଥିଲେ ।
ମୁନିଙ୍କ ଆଶ୍ରମରେ ଋଷ୍ୟଶୃଙ୍ଗ କଠୋର ବ୍ରହ୍ମଚର୍ଯ୍ୟ ସାଧନା କରୁଥିଲେ ।
ସେହି ସମୟରେ ଅଙ୍ଗଦେଶରେ ରାଜା ରୋମପାଦ ରାଜତ୍ଵ କରୁ ଥିଲେ । ଥରେ ଅନାବୃଷ୍ଟି ହୋଇ ତାଙ୍କ ରାଜ୍ୟରେ ଘୋର ଅକାଳ ପଡ଼ିଲା । ପ୍ରଜାମାନଙ୍କର ଦୁର୍ଗତି ଦେଖି, ରାଜା ରାଜ୍ୟରେ କିପରି ବୃଷ୍ଟି ହେବ ସେଥି ପାଇଁ ବ୍ରାହ୍ମଣ ମାନଙ୍କ ପରାମର୍ଶ ଲୋଡ଼ିଲେ । ବ୍ରାହ୍ମଣମାନେ କହିଲେ, ଅରଣ୍ୟ ନିବାସୀ ବିଭାଣ୍ଡକ ୠଷିଙ୍କ ପୁତ୍ର ଋଷ୍ୟଶୃଙ୍ଗଙ୍କୁ ଯଦି ଅଙ୍ଗରାଜ୍ୟକୁ ଅଣା ଯାଇପାରେ ତେବେ ଏହା ସମ୍ଭବ ହେବ । ସେ ତପ ବଳରେ ବୃଷ୍ଟି କରାଇବାର ଶକ୍ତି ହାସଲ କରିଛନ୍ତି ।
ରାଜା ବିଜ୍ଞ ମନ୍ତ୍ରୀ ମାନଙ୍କୁ ଡାକି ପରାମର୍ଶ କରିବାରୁ ସେମାନେ କହିଲେ, ଜନ୍ମରୁ ନାରୀମୁଖ ଦର୍ଶନ କରି ନଥିବା ଋଷ୍ୟଶୃଙ୍ଗ ମୁନିଙ୍କୁ କେବଳ ନାରୀ ମାନଙ୍କ ଦ୍ଵାରା ଛଳ ପ୍ରୟୋଗ କରି ଆଣିହେବ ।
ରାଜା ରାଜ୍ୟରେ ଥିବା ସୁନ୍ଦରୀ ବାରାଙ୍ଗନା ମାନଙ୍କୁ ଋଷ୍ୟଶୃଙ୍ଗଙ୍କୁ ଆଣିବା ଦାୟୀତ୍ୱ ଦେଲେ । ଗୋଟିଏ ପଟେ ଋଷିଙ୍କ ଅଭିଶାପ ଓ ଅନ୍ୟପଟେ ରାଜଦଣ୍ଡର ଭୟକୁ ଆଖି ଆଗରେ ରଖି, ସମସ୍ତ ଗଣିକା ମାନେ ଦ୍ଵନ୍ଦ୍ୱରେ ପଡ଼ି କୌଣସି ଉପାୟ ସ୍ଥିର କରି ପାରିଲେ ନାହିଁ । ଶେଷକୁ ସେମାନଂକୁ ଜରତା ନାମକ ଜଣେ ବୃଦ୍ଧାବେଶ୍ୟା ଏହା କରି ପାରିବେ ବୋଲି ଆଶ୍ଵାସନା ଦେଲେ ।
ବୃଦ୍ଧାଙ୍କ ନିର୍ଦ୍ଦେଶରେ ଏକ ସୁଦୃଶ୍ୟ ନୌକା ପ୍ରସ୍ତୁତ ହେଲା । ସେହି ନୌକାଟିକୁ ସୁନ୍ଦର ଫୁଲଗଛ ଓ ଲତାମାନଙ୍କ ଦ୍ଵାରା ସଜାଇ ଦିଆଗଲା । ତହିଁରେ ନାନା ସୁମିଷ୍ଟ ଖାଦ୍ୟ ଭର୍ତ୍ତିକରି ଗଣିକା ମାନେ ଯାଇ ବିଭାଣ୍ଡକଙ୍କ ଆଶ୍ରମ ନିକଟରେ ପହଁଚିଲେ ।
ଦିନେ ବିଭାଣ୍ଡକ ଆଶ୍ରମରେ ନଥାନ୍ତି । ଅତି ସୁନ୍ଦରୀ ଗଣିକା ଜଣେ ଏହି ସମୟରେ ଆଶ୍ରମରେ ପ୍ରବେଶ କରି ୠଷ୍ୟଶୃଙ୍ଗଙ୍କୁ ଅଭିବାଦନ କଲେ । ୠଷ୍ୟଶୃଙ୍ଗ ଆଗରୁ ଏପରି ସୁନ୍ଦର ମନୁଷ୍ୟ ରୂପ କେବେ ଦେଖି ନଥିଲେ । ନାରୀପ୍ରତି ପୁରୁଷର ସ୍ଵାଭାବିକ ଦୁର୍ବଳତା ତାଙ୍କୁ ଆକର୍ଷିତ କଲା । ସେ ମନେ କଲେ ଆଶ୍ରମକୁ ବୋଧହୁଏ କିଏ ଜଣେ ନୂଆ ବ୍ରହ୍ମଚାରୀ ଆସିଛନ୍ତି ।
ସେ ଗଣିକାଙ୍କୁ କହିଲେ, ” ଆପଣ ଜଣେ ତେଜସ୍ଵୀ ବ୍ରହ୍ମଚାରୀ ପରି ଦେଖା ଯାଉଛନ୍ତି । ଆପଣ ଆମର ଆତିଥ୍ୟ ଗ୍ରହଣ କରି ଆମକୁ କୃତାର୍ଥ କରନ୍ତୁ” ।
ସୁଚତୁରୀ ଗଣିକା କହିଲେ, ଆମର ନିୟମ ଆମେ ଅନ୍ୟ କାହାର ଆତିଥ୍ୟ ଗ୍ରହଣ କରୁ ନାହିଁ । ଆମେ ଫଳମୂଳ ଦେଇ ଓ ଅନ୍ୟକୁ ଆଲିଙ୍ଗନକରି ସ୍ବାଗତ କରୁ । ଏପରି କହି ଗଣିକା ତାଙ୍କୁ ଆଲିଙ୍ଗନ କଲେ ଏବଂ ସଙ୍ଗରେ ଆଣିଥିବା ସୁମିଷ୍ଟ ଫଳ ଓ ପାନୀୟ ଭୋଜନ ପାଇଁ ଦେଲେ । ଗଣିକାଙ୍କ ଆଲିଙ୍ଗନରେ ୠଷି କୁମାରଙ୍କ ଦେହରେ ଖେଳିଗଲା, ଏକ ଅପୂର୍ବ ଶିହରଣ । ସେ ପୂର୍ବରୁ କେବେ ଚାଖିନଥିବା ସୁମିଷ୍ଟ ଦ୍ରବ୍ୟମାନ ଖାଇ ପରମ ତୃପ୍ତି ଲାଭକଲେ ।
ପୁନଶ୍ଚ ଗଣିକାଜଣକ ତାଙ୍କ ଗଳାରେ ସୁବାସିତ ପୁଷ୍ପମାଳ ଲମ୍ବାଇ ଦେଇ ତୀକ୍ଷ୍ଣକଟାକ୍ଷ ପାତରେ ତାଙ୍କ ମନକୁ ମୋହିନେଲେ । ବିଭାଣ୍ଡକ କାଳେ ଆଶ୍ରମକୁ ଫେରି ଆସିବେ ମନେ କରି, ଗଣିକା ଜଣକ, “ଅଗ୍ନିହୋତ୍ର ସମୟ ଗଡ଼ି ଯାଉଛି, ଆମେ ଆଉ ଦିନେ ଆସିବୁ ” କହି ସେଠାରୁ ପ୍ରସ୍ଥାନ କଲେ ।
ୠଷି ବିଭାଣ୍ଡକ ଆଶ୍ରମକୁ ଫେରି ଆସି ପୁତ୍ରର ହାବ ଭାବ ଦେଖି, ପଚାରିଲେ, ଆଶ୍ରମର କୌଣସି କାମ ହୋଇ ନାହିଁ, ସମୀଧ ସଂଗ୍ରହ ହୋଇ ନାହିଁ । ତୁମେ ଏପରି ବିଚଳିତ ଦେଖା ଯାଉଛ କାହିଁକି !!
ମୁନୀଙ୍କ କଥା ଶୁଣି, ୠଷ୍ୟଶୃଙ୍ଗ କହିଲେ, ଅଳ୍ପ କ୍ଷଣ ଆଗରୁ ଏଠାକୁ ଜଣେ ଅପୂର୍ବ ବ୍ରହ୍ମଚାରୀ ଆସି ଥିଲେ । ସେ ମୋତେ ନାନା ସୁମିଷ୍ଟଦ୍ରବ୍ଯ ଖୁଆଇ ଆଲିଙ୍ଗନ କରି ଅଭିବାଦନ କଲେ । ସେବେଠାରୁ କେଜାଣି କାହିଁକି ମୁଁ ଖୁବ୍ ବିଚଳିତ ହୋଇ ପଡ଼ିଛି ।
ୠଷି ବିଭାଣ୍ଡକଙ୍କୁ ଘଟଣା ବୁଝିବାକୁ ଆଉ ବାକି ରହିଲା ନାହିଁ । ପୁତ୍ରକୁ ସେ ସତର୍କ କରାଇ ଦେଇ କହିଲେ, ତୁମେ ଯାହାକୁ ବ୍ରହ୍ମଚାରୀ ବୋଲି ଭାବୁଛ, ସେ ଗୋଟାଏ ରାକ୍ଷସ । ରାକ୍ଷସଙ୍କ କାର୍ଯ୍ଯ ମୁନି ଋଷିମାନଙ୍କ ତପଶ୍ଚର୍ଯ୍ୟାରେ ବିଘ୍ନ ଘଟାଇବା । ଏଣୁ ତୁମେ ସାବଧାନ ହୁଅ ।
ଆଉ ଦିନେ ଋଷି ବିଭାଣ୍ଡକ ଫଳମୂଳ ସଂଗ୍ରହପାଇଁ ବାହାରକୁ ଯାଇଥାନ୍ତି ପୁଣି ସେହି ବାରାଙ୍ଗନା ଆସି ଋଷ୍ୟଶୃଙ୍ଗଙ୍କୁ ଆଲିଙ୍ଗନ କଲା । ସେ ତାଙ୍କୁ ଦେଖିବା ମାତ୍ରେ ପିତାଙ୍କ ସବୁ ଉପଦେଶ ଭୁଲିଯାଇ କହିଲେ ଚାଲ, ପିତା ଆସିବା ପୂର୍ବରୁ ତୁମ ଆଶ୍ରମକୁ ବହାରି ଯିବା । ଆଉ କାଳବିଳମ୍ୱ ନକରି ଗଣିକା ଜଣକ ତା ଅନ୍ୟ ସହଚରୀ ମାନଙ୍କ ସହ ଋଷ୍ୟଶୃଙ୍ଗଙ୍କୁ ଆଶ୍ରମ ରୂପୀ ନୌକାରେ ବସାଇ ନେଇ ଚାଲିଲେ । ବିଭିନ୍ନ ଆମୋଦ ପ୍ରମୋଦ ମଧ୍ୟରେ, ଋଷ୍ୟଶୃଙ୍ଗ ଆଉ କିଛି ଜାଣି ପାରିଲେ ନାହିଁ ।
ସେ ଯାଇ ଅଙ୍ଗ ରାଜ୍ୟରେ ପାଦଦେବା କ୍ଷଣି ମୂଷଳ ଧାରାରେ ବର୍ଷା ହୋଇ, ସବୁ ନଦୀ ନାଳ ପୁଷ୍କରିଣୀ ପୁର୍ଣ୍ଣ ହୋଇ ଗଲା । ରାଜା ରୋମପାଦଙ୍କ ଆନନ୍ଦର ସୀମା ରହିଲାନାହିଁ । ରାଜା ଋଷ୍ୟଶୃଙ୍ଗଙ୍କୁ ପାଛୋଟି ନେଇ ରାଜଧାନୀ ଚମ୍ପାନଗରୀରେ ଏକ ରମଣୀୟ ପ୍ରସାଦରେ ରଖାଇଲେ ଓ ତାଙ୍କ ସହ ନିଜର କନ୍ୟା ଶାନ୍ତାଙ୍କୁ ଵିଵାହ କରାଇଦେଲେ । ରାଜାଙ୍କ ଜାମାତା ଭାବେ ଋଷ୍ୟଶୃଙ୍ଗ ଅଙ୍ଗରାଜଧାନୀ ଚମ୍ପା ନଗରରେ ଆନନ୍ଦରେ ବାସ କରିବାକୁ ଲାଗିଲେ ।
ଏପଟେ ଆଶ୍ରମରେ ପୁତ୍ରକୁ ନପାଇ ୠଷି ବିଭାଣ୍ଡକ ଜାଣି ପାରିଲେ ସେ ବୃଷ୍ଟିହୀନ ରାଜ୍ୟ ଅଙ୍ଗଦେଶକୁ ଅପହୃତ ହୋଇଛନ୍ତି । ପ୍ରଚଣ୍ଡ କ୍ରୋଧରେ ସେ ଯାଇ ଚମ୍ପାନଗରରେ ପହଁଚିଲେ । ନଗରରେ ଚଣ୍ଡକୋପ ୠଷି ପ୍ରବେଶକରିବା କ୍ଷଣି ସେଠାର ବହୁ ସଂଖ୍ୟକ ଗୋରୁଙ୍କ ସହ ତାଙ୍କୁ ଗୋପାଳ ମାନେ ସ୍ବାଗତ କରି କହିଲେ, ଏସବୁ ଗୋଧନ ଋଷ୍ୟଶୃଙ୍ଗଙ୍କର । ଆମେ ମାନେ ତାଙ୍କର ଭୃତ୍ୟ । ଋଷିଙ୍କ କୋପକୁ ଅନୁମାନ କରି, ତାଙ୍କୁ ଶାନ୍ତ କରିବା ପାଇଁ ଏସବୁ ଅୟୋଜନ ରାଜା ରୋମପାଦ କରି ଥିଲେ । ଏଥିରେ ବିଭାଣ୍ଡକ ଶାନ୍ତ ହେଲେ ଏବଂ ରାଜପ୍ରାସାଦରେ ପ୍ରଵେଶ କରି ପୁତ୍ର ଓ ପୁତ୍ରବଧୂଙ୍କୁ ଆଶୀର୍ବାଦ କଲେ ।
ଉପାଖ୍ୟାନ ଶେଷକରି, ୠଷି ଲୋମଶ ଯୁଧିଷ୍ଠିରଙ୍କୁ କହିଲେ, ଅରୁନ୍ଧତୀ ଯେପରି ବଶିଷ୍ଠଙ୍କ ସେବା କରୁ ଥଲେ,ଲୋପାମୁଦ୍ରା ଯେପରି ଅଗସ୍ତ୍ୟଙ୍କ, ଦମୟନ୍ତୀ ଯେପରି ନଳ ରାଜାଙ୍କର ଆଉ ଦ୍ରୌପଦୀ ଯେପରି ତୁମର ସେବା କରୁଛନ୍ତି, ସେହି ପରି ଋଷ୍ୟଶୃଙ୍ଗଙ୍କ ପ୍ରିତି ପୂର୍ବକ ସେବା ଶାନ୍ତା କରୁଥିଲେ । ଲୋମଶଙ୍କ ନିର୍ଦ୍ଦେଶରେ ପାଣ୍ତବମାନେ ସେଠାରେ ଥିବା ପବିତ୍ର ସରୋବରରେ ସ୍ନାନ କରି ଆଗକୁ ଚାଲିଲେ ।
ସମାଜଠାରୁ ଦୂରରେ ରହି, କୌଣସି ସାଧନା ସିଦ୍ଧ ହୁଏନାହିଁ । ଋଷ୍ୟଶୃଙ୍ଗଙ୍କ ଉପାଖ୍ୟାନରୁ ଏହି ଶିକ୍ଷା ମିଳିଥାଏ । ମହାଭାରତର ଏହି କାହାଣୀକୁ ଲକ୍ଷ୍ୟ କରି ଅତିବଡ଼ି ଜଗନ୍ନାଥ ଦାସ କହିଲେ :-
ସୁଗୀତ ବାଦ୍ୟ ନୃତ୍ୟ ରଙ୍ଗେ ।
ଅରଣ୍ୟେ ବେଶ୍ୟାଗଣ ସଙ୍ଗେ ।।
ଚିତ୍ତେ ତାହାଙ୍କ ଭାବ ଘେନି ।
କାନନେ ଋଷ୍ୟଶୃଙ୍ଗ ମୁନି ।।
ବନ୍ଦୀ ହୋଇଲେ କାମପାଶେ ।
ଶ୍ରବଣ ଇନ୍ଦ୍ରିୟ ଲାଳସେ ।।
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971