ସାଧୁ ମେହେର
( 01.01.1940 – 02.02.2024 )
ସାଧୁ ମେହେର
ବାସ ଏତିକି ହିଁ ଗୋଟିଏ ସ୍ୱୟଂ ସମ୍ପୂର୍ଣ୍ଣ କାହାଣୀ।
ବୌଦ୍ଧ ଓ ସୋନପୁର ସୀମା ହୋଇ କିଛିଦୂର ବହି ଯାଇଥିବା ତେଳନଦୀ କୂଳରେ ଗୁଡଭେଲି ପଦର। ଜଣେ ଏହି ଗାଁରୁ ଯାଇ ସ୍ୱପ୍ନର ନଗରୀ ମୁମ୍ବାଇରେ ସମାନ୍ତର ସିନେମାରେ ରାଷ୍ଟ୍ରୀୟ ସମ୍ମାନ ପାଇବା ନିଶ୍ଚିତ ସଂଘର୍ଷର ଏକ ରୋମାଞ୍ଚକର କାହାଣୀ ଥିବ। ଥରେ ନୁହେଁ ଅନେକ ଥର ରାଷ୍ଟ୍ରୀୟ ସମ୍ମାନ। ସମ୍ବଲପୁରୀ କଥାଚିତ୍ର ଭୁଖା ପାଇଁ ଅନ୍ତଃରାଷ୍ଟ୍ରୀୟ ସମ୍ମାନ।
ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ପୁରସ୍କାର ପାଇଥିବା କେମରାମେନ ଗୋପାଳ ପ୍ରଧାନ, ଚଳଚ୍ଚିତ୍ର ନିର୍ମାତା NSD ପ୍ରଧାପକ ରାମଚନ୍ଦ୍ର ସାହୁ, ସୁପରିଚିତ କଳାକାର ଡ ଦିଲ୍ଲୀପ ଦୀପ ଗୋଟିଏ ଚଳଚ୍ଚିତ୍ରର ଏଡିଟିଂ କାମ କରୁଥାଉ ଭୂବନେଶ୍ଵର ଦୂରଦର୍ଶନ କେନ୍ଦ୍ରରେ। ପାଖ ସେକ୍ସନରେ ନିଜ କାମ କରୁଥାନ୍ତି ସାଧୁ ମେହେର। ଗୋପାଳ ଦା’ ଏବଂ ସାଧୁ ମେହେର ସାର ସମ୍ପର୍କରେ କକା-ପୁତରା। ସ୍ୱତଃ ମୋ ସହ ସମ୍ପର୍କ ଯୋଡି ହୋଇଗଲା।
ମାସାଧିକ କାମ ଚାଲିଲା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ। ଏ ଭିତରେ ସାଧୁ ସାର ମୁମ୍ବାଇ ଯାଇ ଫେରି ଆସିଲେ। ଅନେକ ସମୟ ମିଳିଯାଏ ଆମକୁ ଦୂରଦର୍ଶନ ପରିସରରେ। ମୁଁ ସାକ୍ଷାତକାର ପାଇଁ ପ୍ରସ୍ତାବ ଦେଲି ଓ ସମୟ ମାଗିଲି। ସେ ତୁରନ୍ତ ପ୍ରସ୍ତାବକୁ ସ୍ଵୀକାର କରି କହିଲେ ଅନ୍ୟ ସମୟ ନୁହେଁ ଏ ଷ୍ଟୁଡିଓରେ ସମୟ ବାହାରକରି ସାକ୍ଷାତକାର ନେଇଯିବ। ସେମିତି ହିଁ ହେଲା।
ସାକ୍ଷାତକାର ଆରମ୍ଭ ହେଲା କେବେ ଷ୍ଟୁଡିଓ ଭିତରେ, କେବେ ବାହାରେ। ପାଞ୍ଚ ଛଅଦିନର କଥାବାର୍ତ୍ତା। ଗୋଟିଏ ଧାରାବାହିକ ଯେମିତି। ଅନେକ ଆକ୍ରୋଶ ଅଭିମାନ। ଓଡ଼ିଶାରେ ତାଙ୍କୁ ଅପଦସ୍ତ କରାଯିବା କଥା, ଏପରିକି ସରକାରୀ ସଂସ୍ଥା ଫିଲ୍ମ ବ୍ୟବସାୟ ବି କରନ୍ତି। ଏଇଥି ପାଇଁ ଯେ ଚଳଚ୍ଚିତ୍ରଟି ସୁପର ଡୁପର ହିଟ ହୁଏ। ଏପଟେ ସାଧୁ ମେହେରଙ୍କ ଗୋଡଟଣା କାମ ଓଡ଼ିଶାରେ ଚାଲୁଥିଲା ବେଳେ ସେପଟେ ରାଷ୍ଟ୍ରୀୟ ସମ୍ମାନ ପାଇଁ ତାଙ୍କ ନାମ ଘୋଷଣା ହୁଏ। ଏପରି ଅନେକ କାହାଣୀ ରେକର୍ଡ କରେ।
ଏ କାହାଣୀରୁ କୀୟଦଂଶ ନେଇ ସେ ସମୟରେ ଭୁବନେଶ୍ୱରରୁ ପ୍ରକାଶିତ ଓ ବନ୍ଧୁ ବିଘ୍ନେଶ୍ୱର ସାହୁଙ୍କ ଦ୍ୱାରା ସମ୍ପାଦିତ ଗୋଟିଏ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ବଉଳ ଏକ ସାକ୍ଷାତକାର ପ୍ରକାଶ କଲେ। ସାରଙ୍କ ସହ ସାକ୍ଷାତକାରକୁ ଏକ ପୁସ୍ତକ ଆକାରରେ ଛାପିବାର ଚେଷ୍ଟା କଲୁ।
ଠିକ ଏତିକିବେଳେ ଗୋପାଳ ଦା’ଙ୍କ ନିକଟରୁ ଖବର ପାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଦୁଇଜଣ ପ୍ରଧ୍ୟାପକ ଆସିଲେ । ସେମାନେ କୁଆଡ଼େ ସାଧୁ ମେହେରଙ୍କ ଜୀବନୀ ସଂକଳନ କରୁଥିଲେ । ସାକ୍ଷାତକାରଟି ଯେହେତୁ ଅନେକ ଅଭିଜ୍ଞତା ଓ ଅନୁଭବର ସମାହାର ଥିଲା ତେଣୁ ଗୋଟିଏ ପୂର୍ଣ୍ଣାଙ୍ଗ ଜୀବନୀ ସାହିତ୍ୟ ହେବ।
ଗୋପାଳ ଦା’ ଓ ମୁଁ ସହମତ ଓ ଖୁସି ହେଲୁ। ତଥାପିବି ମୁଁ କହିଲି ସମ୍ବଲପୁର ୟୁନିଭରସିଟି ଉପରେ ମୋର ସାମାନ୍ୟ ବି ଆସ୍ଥା ନାହିଁ, ଗୋପାଳ ଦା’ କହୁଛନ୍ତି ବୋଲି ମୁଁ ବିଶ୍ୱାସ କରୁଛି ଯେ ବିଶ୍ୱବିଦ୍ୟାଳୟ ତାର କାମ କରିବ। ମୋ ପାଇଁ ବ୍ୟକ୍ତିଗତ ଆକ୍ରୋଶ ବାହାରେ ଖୁସି ଏହା ଥିଲା ଯେ ପରିଶ୍ରମର ଭଲ ଫଳ ମିଳିବ।
୨୦୦୫ ମସିହାରୁ ଆଜି ପର୍ଯ୍ୟନ୍ତ କିଛି ନାହିଁ। ପ୍ରସଙ୍ଗ ସରିଗଲା, ସମ୍ବଲପୁର ବିଶ୍ଵବିଦ୍ୟାଳୟ ତାର ଚିରାଚରିତ କାମ କଲା। ବିଶ୍ଵବିଦ୍ୟାଳୟର ଦୁଇଜଣ କର୍ମଚାରୀ ଆଜି ପର୍ଯ୍ୟନ୍ତ ଉତ୍ତର ଦେଇ ପାରିଲେ ନାହିଁ ଯେ ସାଧୁ ମେହେରଙ୍କ ଜୀବନୀ ପୁସ୍ତକ କେବେ ବାହାରିବ ଓ ସେଥିରେ ସାକ୍ଷାତକାର ସ୍ଥାନ ପାଇବ।
ଗୋପାଳ ଦା’ କହିଲେ ଏତେ ପରିଶ୍ରମ କରିଛ, ନିଜେ କାମ କରିଦିଅ। ଟାଇମଲାଇନ ଉପରେ ଆଲୋଚନା ପରେ ମୁଁ ମୋ ପତ୍ରିକା ମୋକ୍ତା ପାଇଁ ଚେଷ୍ଟା କଲି ହେଲେ ଆଉ ଦ୍ୱିତୀୟ ସୁଯୋଗ ଆସିଲା ନାହିଁ। ଗୁଡଭେଲିପଦରରେ ତାଙ୍କ ସ୍ୱାସ୍ଥ୍ୟ ଠିକ ନଥିଲା ଓ ମୁମ୍ବାଇରେ ସମୟ ନଥିଲା।
କଥା ଲିଭିଯିବ ନାହିଁ, ମତେ ହିଁ ପରିଶ୍ରମ କରିବାକୁ ପଡିବ।
ମୋର ଶ୍ରଦ୍ଧାଞ୍ଜଳୀ ନିଅନ୍ତୁ ଅଦମନୀୟ ପୁରୁଷ ପଦ୍ମଶ୍ରୀ ଡ ସାଧୁ ମେହେର
Mob : 7749954327
ସାଧୁ ମେହେର
ବାସ ଏତିକି ହିଁ ଗୋଟିଏ ସ୍ୱୟଂ ସମ୍ପୂର୍ଣ୍ଣ କାହାଣୀ ।
ବିନମ୍ର ଶ୍ରଦ୍ଧାଞ୍ଜଳୀ
– ଲକ୍ଷ୍ମୀଧର ନାୟକ