ରକ୍ଷଣଶୀଳ ବ୍ରାହ୍ମଣ ମାନେ ଯାଇ ଦର୍ପଣୀର ରାଜା ଗୁଲଜାର ହୁସେନଙ୍କୁ ଅଭିଯୋଗ କଲେ, “ହାଡ଼ିଆ କମାରଟା କି ଧର୍ମପ୍ରଚାର କରୁଛି ଯେ, ସବୁ ଜାତି ଧର୍ମ ବୁଡ଼ାଇ ହିନ୍ଦୁଧର୍ମକୁ କଳୁଷିତ କରି ପକାଇଲାଣି” ।
ଉତ୍କଳ ମାଟିରେ ଯେଉଁ କେତେଜଣ ସାଧୁମହାତ୍ମା ଜନ୍ମ ହୋଇ ଆମ ଏ ମାଟିକୁ ଧନ୍ୟ କରି ଯାଇଛନ୍ତି ସେମାନଙ୍କ ମଧ୍ୟରେ ମହାପୁରୁଷ ସନ୍ଥ ହାଡ଼ି ଦାସ ଅନ୍ୟତମ । ସେ ମହାପୁରୁଷ ଶ୍ରୀଅଚ୍ୟୁତାନନ୍ଦ, ଶ୍ରୀ ଯଶୋବନ୍ତ ଓ ଶିଶୁ ଅନନ୍ତଙ୍କ ସହ ଜଣେ ଭବିଷ୍ୟ ଦ୍ରଷ୍ଟା ଏବଂ ମାଳିକାର ରଚୟିତା ଭାବେ ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କ ଦିବ୍ୟଦୃଷ୍ଟି ବଳରେ ଲିପିବଦ୍ଧ ଭବିଷ୍ୟ ମାଳିକାର ବହୁ ଭବିଷ୍ୟ ବାଣୀ ସତ୍ୟ ପ୍ରମାଣିତ ହୋଇ ସାରିଛି । ତାଙ୍କୁ ଫ୍ରାନ୍ସର ଭବିଷ୍ୟଦ୍ରଷ୍ଟା ନଷ୍ଟ୍ରେଡାମସଙ୍କ ସହ ତୁଳନା କରା ଯାଇଥାଏ ।
ମହାପୁରୁଷ ହାଡ଼ିଦାସ ପୁଣ୍ୟଧାମ ଛତିଆ ବଟର ପ୍ରତିଷ୍ଠାତା । ଥରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଦେଖିନପାରି ଅତ୍ୟନ୍ତ ଦୁଃଖୀ ହୋଇ ଲେଖିଥିଲେ :-
ଦେଖାଯାଉ ଭଲା ହଟିଆ ନାଗର
କେତେ ଲଗାଇଛୁ ହଟ ।
ନିଶ୍ଚୟ କରିବି ଛତିଆ ଗ୍ରାମରେ
ତୋହରି କଳପ ବଟ ।।
ଏହି କଥାକୁ, ସେ ଅକ୍ଷରେ ଅକ୍ଷରେ ପ୍ରମାଣ କରି ଯାଇଛନ୍ତି । ମହାପୁରୁଷଙ୍କର ଜନ୍ମ ୧୭୭୨ ମସିହା ଛତିଆ ନିକଟ ଚମ୍ପାପୁର ଗ୍ରାମରେ ମକରସଂକ୍ରାନ୍ତି ତିଥିରେ । ପିତାଙ୍କ ନାମ ଥିଲା ଚେମେଇ ଓଝା ଓ ମାତାଙ୍କ ନାମ, ଦେବକୀ ଦେବୀ । ଜାତିରେ ହାଡ଼ି ଦାସ ଥିଲେ କମାର ।
ନିଜ ଜାତି ପରିଚୟ ଦେଇ ସେ ଲେଖିଛନ୍ତି :-
କାଳ କାଳକୁ ଏ କଥା ରୁହାଇବି,
ଦେଖିବେ ସଂସାର ଜନେ ।
ହାଡ଼ିଆ କମାର ଅଣ୍ଟା କି ଭାଜିବ,
ଶ୍ରୀହରି ବୋଲି ବଦନେ ।।
ବାଲ୍ୟ ଅବସ୍ଥାରୁ ସେ ନିଜ ପିତା ମାତାଙ୍କୁ ହରାଇ ଥିଲେ । ହାଡ଼ିଦାସଙ୍କ ବାଲ୍ୟକାଳ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ କଟିଥିଲା । ତାଙ୍କ ଜନ୍ମପୂର୍ବରୁ ତାଙ୍କ ପିତା ମାତା ସବୁ ସନ୍ତାନମାନଙ୍କୁ ହରାଇ ଥିଲେ, ଏଣୁ ଏ ପିଲାଟିର ନାମ ରଖିଥିଲେ ହାଡ଼ିଆ ବା ହାଡ଼ି ।
ତାଙ୍କର ଗୁରୁ ଥିଲେ ଶ୍ରୀକ୍ଷେତ୍ରରେ ବାସ କରୁଥିବା ଜଣେ ପଶ୍ଚିମଭାରତୀୟ ସନ୍ଥ ଶ୍ରୀମସ୍ତରାମଦାସ । ତାଙ୍କ ସହ ସମ୍ପର୍କରେ ଆସି ଏବଂ ଦୀକ୍ଷିତ ହୋଇ ହାଡ଼ିଦାସଙ୍କ ଠାରେ ଭଗବତ ଚେତନାର ସ୍ଫୁରଣ ହୋଇଥିଲା ଓ ସେ ଗ୍ରାମ ଛାଡ଼ି ଆସି ଛତିଆରେ କଳାଗିରି ଆଶ୍ରମ କରି ରହିଥିଲେ । ତାଙ୍କ ଅଧ୍ୟାତ୍ମ ଦର୍ଶନକୁ ତାଙ୍କର ଶିଷ୍ୟ ମାନେ ତାଳପତ୍ର, ପିତ୍ତଳ, ଓ ତମ୍ବାପତ୍ରରେ ଲିପିବଦ୍ଧକରି ରଖୁଥିଲେ ।
ଶିଷ୍ୟ ମାନଙ୍କ ମଧ୍ୟରେ ପ୍ରମୁଖଥିଲେ ଛତିଆର ନୀଳାଦ୍ରୀ ନନ୍ଦ, ପାଇକପଡ଼ାର ଦୁର୍ଯ୍ୟୋଧନ ମଲ୍ଲିକ, ଅଡମ୍ବରୁ ଗ୍ରାମର ମନ୍ଦରଧର ଦାସ ।
ସମାଜରେ ସେ ବିଭିନ୍ନ ନିନ୍ଦା, ଲାଂଛନା ସତ୍ତ୍ୱେ ଯାଜୁଲ୍ୟମାନ ମଣି ସଦୃଶ ଅଧ୍ୟାତ୍ମ ଜଗତରେ ଉଭାହୋଇଥିଲେ । ତାଙ୍କୁ ସନ୍ଥ ମହାପୁରୁଷ ଶ୍ରୀଅଚ୍ୟୁତାନନ୍ଦଙ୍କ ଦ୍ୱାଦଶ ଅବତାର ଭାବେ ଅଭିହିତ କରାଯାଏ ।
ଚମ୍ପାପୁର ଗ୍ରାମରେ କିଛି କାଳ କଟାଇ ହାଡ଼ିଦାସ ଛତିଆ ବଟରେ ଆସି ଅବସ୍ଥାନ କରିଥିଲେ ଏବଂ ଭଗବତ ସାଧନ ଚିନ୍ତନରେ ଲାଗି ରହିଲେ l ଏହିଠାରେ ତାଙ୍କର ଅଲୈାକିକ ପ୍ରତିଭାର ପରିପ୍ରକାଶ ଘଟିଥିଲା ।
ଲୋକ କଥା ଅନୁସାରେ ଛତିଆ ବଟ ମୂଳରେ ବସି ମହାପୁରୁଷ ସନ୍ଥହାଡ଼ିଦାସ ଭବିଷ୍ୟ ମାଳିକାର ରଚନା କରିଥିଲେ । ସେହି ବଟବୃକ୍ଷର ନାମରୁ ଏ କ୍ଷେତ୍ର ଛତିଆବଟ ନାମରେ ପରିଚିତ । କେତେ କେତେ ଗୁପ୍ତ ରହସ୍ୟ ମାନ ଏ ପୀଠରେ ରହିଛି, ଏହାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଇ ଥାଏ । କୁହାଯାଏ, କଳିଯୁଗର ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏହିଠାରୁ କଳ୍କୀଅବତାରରେ ପ୍ରକଟ ହୋଇ ଦୁଷ୍ଟଙ୍କ ସଂହାର କରିବେ । ଛତିଆ ବଟରେ ଜଗତର ନାଥ ଶ୍ରୀଜଗନ୍ନାଥ କଳ୍କୀ ରୂପରେ ପୂଜା ପାଉଛନ୍ତି ।
ଛତିଆ ପିଠରେ ବଡ଼ଭାଇ ଶ୍ରୀବଳଭଦ୍ର ଅବସ୍ଥାନ କରୁଛନ୍ତି ଶ୍ରୀହାଡ଼ିଦାସଙ୍କ ସମାଧି ଉପରେ । ତାଙ୍କ ପଛକୁ ଶ୍ରୀଜଗନ୍ନାଥ, ହାଡ଼ିଦାସଙ୍କ ପୁଅ ସାଧୁବର ଦାସଙ୍କ ସମାଧିଉପରେ, ଭଉଣୀ ସୁଭଦ୍ରା ରହିଛନ୍ତି ତାଙ୍କ ପୁଅ ଶ୍ରୀରଘୁବର ଦାସଙ୍କ ସମାଧି ଉପରେ । ଏହି ତିନି ମୂର୍ତ୍ତିଙ୍କୁ ସିଧା ସଳଖ ଦେଖି ହୁଏ ନାହିଁ । ସେମାନଙ୍କର ପ୍ରତିଛବି କେବଳ ଦେଖିହୁଏ ଲଗା ଯାଇଥିବା ଦର୍ପଣରେ ।
ଛତିଆ ପିଠରେ ଗୋଟିଏ ବ୍ୟତିକ୍ରମ ହେଉଛି, ଶ୍ରୀକ୍ଷେତ୍ର ଭଳି ଏଠି ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଓ ଶେଷକୁ ଶ୍ରୀଜଗନ୍ନାଥ ନାହାଁନ୍ତି । ଏଠାରେ ପ୍ରଥମେ ଜଗନ୍ନାଥ ତା’ ପରେ ବଳଭଦ୍ର ଓ ଶେଷରେ ରହିଛନ୍ତି ଦେବୀ ସୁଭଦ୍ରା ।
ହାଡ଼ି ଦାସଙ୍କ ନାତି, ରଘୁବର ଦାସଙ୍କର କୌଣସି ପୁତ୍ର ସନ୍ତାନ ନ ଥିଲେ । ତାଙ୍କର କନ୍ୟାଟିଏ ଥିଲା କନକ । ମନ୍ଦିର ପ୍ରବେଶ ପଥରେ ପଡ଼େ ତାଙ୍କରି ସମାଧି । ସେହି ସମାଧି ଉପରେ ତିଆରି ହୋଇଛି କନକଦୁର୍ଗା ମନ୍ଦିର ।
ହାଡ଼ିଦାସ ୨୧ବର୍ଷବୟସରେ ବିବାହ କରିଥିଲେ । କିନ୍ତୁ ଅଷ୍ଟମଙ୍ଗୁଳା ଦିନ ତାଙ୍କ ପତ୍ନୀଙ୍କର ଦେହାନ୍ତ ଘଟିବାରୁ ତିରିଶ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିଥିଲେ ଶ୍ରୀମତୀ ପଦ୍ମାବତୀଙ୍କୁ । ମାତ୍ର ତାଙ୍କର ଅକାଳ ବିୟୋଗ ଯୋଗୁଁ ତାହା କ୍ଷଣସ୍ଥାୟୀ ଥିଲା ।
ସନ୍ଥ ହାଡ଼ିଦାସ ଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ । ସେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ମିଳାମିଶା କରୁଥିଲେ ।
ତତ୍କାଳୀନ ସମାଜ ହାଡ଼ିଦାସଙ୍କ ଏପରି ମିଳାମିଶାକୁ ଆଦୌ ପସନ୍ଦ କରୁ ନଥିଲେ । ସେ ସମୟରେ ରାଜତନ୍ତ୍ର ଶାସନ ଚାଲିଥାଏ । ଦର୍ପଣି ରାଜାଙ୍କ ଶାସନାଧୀନ ଥାଏ ଛତିଆ ।
ରକ୍ଷଣଶୀଳ ବ୍ରାହ୍ମଣ ମାନେ ଯାଇ ଦର୍ପଣୀର ରାଜା ଗୁଲଜାର ହୁସେନଙ୍କୁ ଅଭିଯୋଗ କଲେ, “ହାଡ଼ିଆ କମାରଟା କି ଧର୍ମପ୍ରଚାର କରୁଛି ଯେ, ସବୁ ଜାତି ଧର୍ମ ବୁଡ଼ାଇ ହିନ୍ଦୁଧର୍ମକୁ କଳୁଷିତ କରି ପକାଇଲାଣି” ।
ରାଜା ହାଡ଼ି ଦାସଙ୍କୁ ଡକାଇ ବ୍ରାହ୍ମଣ ମାନଙ୍କ ଅଭିଯୋଗ ବିଷୟ ପଚାରିଲାରୁ ଦାସେ କହିଲେ, “ମଣିମା ! ଆପଣ ଜାଣନ୍ତି, ଆମ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଭୋଗକୁ ମହାପ୍ରସାଦ ଭାବରେ, ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତେ ଜାତି, ବର୍ଣ୍ଣ ନିର୍ବିଶେଷରେ ସେବା କରନ୍ତି । ମୁଁ ସେହି ଜଗତର ନାଥ ଜଗନ୍ନାଥଙ୍କୁ ପ୍ରଣାମ କରି ମୋର ଗୁରୁ ଭାଇ ମାନଙ୍କ ସହ ଏକାଠି ବସି, ମହାପ୍ରସାଦ ସେବନ କରୁଛି । ଏଥିରେ ଭୁଲ କେଉଁଠି ରହିଲା” ।
ଏହା ଶୁଣି ଉଚ୍ଚ ବର୍ଗର ଲୋକେ ଓ ବ୍ରାହ୍ମଣ ମାନେ ସ୍ୱର ଉତ୍ତୋଳନ କଲେ, ” ଖାଲି କହି ଦେଲେ କଥାଟା ସତ ବୋଲି ପ୍ରମାଣିତ ହୋଇଯିବ ନାହିଁ । ଆପଣ ସବୁବେଳେ ମହାପ୍ରସାଦ ସେବନ କରୁଛନ୍ତି ତାହା ପ୍ରମାଣ କରନ୍ତୁ” ।
ହାଡ଼ି ଦାସେ ନିର୍ବିକାର ଚିତ୍ତରେ ଉତ୍ତର ଦେଲେ, “ହଁ ମଣିମା, ଆପଣଙ୍କ ସମ୍ମୁଖରେ ମୁଁ ପ୍ରମାଣ ଦେବାକୁ ପ୍ରସ୍ତୁତ ” ।
ହାଡ଼ି ଦାସ କଂସା, ପିତ୍ତଳ ବା ରସ ବାସନ ବ୍ୟବହାର କରୁ ନଥିଲେ, ସେ ବ୍ୟବହାର କରୁଥିଲେ କାଠ ତିଆରି ବାସନ । ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣପୂର୍ବକ କାଠ ବାସନଟିଏ ତାଙ୍କ ଝୁଲାମୁଣିରୁ ବାହାରକରି ତଳେ ରଖିଦେଲେ ।
ବାସନଟିକୁ ଶୂନ୍ୟକୁ ଉଠାଇ ଟେକି ଧରି କହିଲେ, “ହେ ମହାପ୍ରଭୁ ! ହେ ଭକ୍ତ ରକ୍ଷଣ, ହେ ଶରଣସୋଦର, ତୋ ବିନୁ ଅନ୍ୟଗତି ନାହିଁ ” ।
ତତ୍କ୍ଷଣାତ୍ ତାଙ୍କ ଶୁନ୍ୟ ବାସନଟି ମହା ପ୍ରସାଦରେ ପୂର୍ଣ୍ଣ ହୋଇଗଲା । ହାଡ଼ି ଦାସଙ୍କ ଅପୂର୍ବ ମହାତ୍ମ୍ୟ ଦେଖି, ରାଜା ଗୁଲଜାର ହୋସେନ୍ ଅତ୍ୟନ୍ତ ମୁଗ୍ଧ ହେଲେ ଏବଂ ଛତିଆ ହୁଡ଼ି ଉପର ବରଗଛ ତଳ ସାତଗୁଣ୍ଠ ନିଷ୍କର ଜମି ସ୍ୱତ୍ୱ ଭାବେ ହାଡ଼ି ଦାସଙ୍କୁ ପ୍ରଦାନ କଲେ । ସେହି ସ୍ଥାନ ଛତିଆବଟ ନାମରେ ବିଖ୍ୟାତ ହୋଇଛି ।
ମହାପୁରୁଷ ହାଡ଼ିଦାସ ଆମ ଉତ୍କଳଭୁମିର ଜଣେ ପ୍ରାତଃ ସ୍ମରଣୀୟ ସନ୍ଥ । ଉତ୍କଳ ବାଣୀ ଭଣ୍ଡାରକୁ ସେ ବହୁ ଆଧ୍ୟାତ୍ମିକ ସାହିତ୍ୟରେ ପୁଷ୍ଟ କରି ଯାଇ ଅଛନ୍ତି ।
ତାଙ୍କ ପ୍ରମୁଖ ରଚନା ଗୁଡ଼ିକ ହେଲା :-
ଶୂନ୍ୟ କଳ୍ପ ଗୀତା, ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ଶ୍ରୀକ୍ଷେତ୍ର ଗୌରବ ବର୍ଣ୍ଣିତ ଭାବନାବର ଶଙ୍ଖନାଭି, ହନୁମନ୍ତ ଗୀତା, ଲକ୍ଷ୍ମୀଧର ବିଳାସ, କାଳଜ୍ଞାନ, ଅନନ୍ତଗୁପ୍ତ ଟୀକା, କ୍ଷେତ୍ର ମାହାତ୍ମ୍ୟ, ଶଙ୍ଖନାଭି ଭୈରବ ସ୍ତୁତି ନୀଳମାଧବଗୀତା, ନିଶ୍ଚଳଜ୍ଞାନ ଗୀତା, ସ୍ୱରଶାସ୍ତ୍ର, ଅନନ୍ତ ଗୋଇ, ଛନ୍ଦ ଚଉତିଶା, କେତକୀ ଫୁଲ ଚଉତିଶା,ଜାମୁଡାଳି ଗୀତ ଇତ୍ୟାଦି ।
!!! ଜୟ ମହାପୁରୁଷ ଶ୍ରୀହାଡ଼ିଦାସ !!!
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971
*** **** ****
(ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।
https://play.google.com/store/apps/details?id=com.esulekha.magazine)