ବନ୍ଧୁ ଦିଏ ବଳ

Share it

ବନ୍ଧୁ ଦିଏ ବଳ

ହାତୀ ଭାବିଲା ଏଇ ସମୟରେ
ପିମ୍ପୁଡିକୁ ବି ଫୁଟାଣି ମାରିବାର ଥିଲା ?
ଏ ଗପଟି କି ଶିକ୍ଷା ଦିଏ ? ଆପଣମାନେ କହିବା ହୁଅନ୍ତୁ

କିଛି ଦିନ ତଳ କଥା । ଶ୍ରାବଣ ମାସ । ଧୂ ଧୂ ହେଇ ବର୍ଷା ହେଉଥାଏ । ଜଙ୍ଗଲ ଶସ୍ୟ ଶ୍ୟାମଳରେ ପରିପୂର୍ଣ୍ଣ ଦେଖା ଯାଉଥାଏ । ହେଲେ ଲାଗ ଲାଗ ବର୍ଷା ହେବା ଯୋଗ, ପଶୁ ପକ୍ଷୀ ଙ୍କ ପାଇଁ ବାହାରକୁ ଯିବା କଷ୍ଟ କର ହେଇଯାଇଥିଲା । ସେଥି ପାଇଁ ସଭିଏଁ ନିଜ ନିଜ ଘରେ ରହିଥାନ୍ତି ।

ବାଘ ମାମୁଁ ନିଜ ଗୁମ୍ଫା ରେ, ବିଲୁଆ ଆଉ କୋକିଶିଆଳି ଗାତରେ, ମାଙ୍କଡ ଆମ୍ବ ଗଛ ଆଢୁଆଳରେ, ଚଢ଼େଇ ନିଜ ବସାରେ, ପିମ୍ପୁଡି ତା ମଳା ରେ ।
ପାଞ୍ଚ ଦିନ ହେଲା ବର୍ଷା ଛାଡିବାର ନାଁ ନେଉନି। ଘରେ ରହି ରହି ସବୁ ପଶୁ ବିରକ୍ତ ମଧ୍ୟ ହେଇ ଯାଇଥିଲେ । ତହିଁ ଆର ଦିନ ଆକାଶ ଟିକେ ଫର୍ଚ୍ଚା ଦିଶିଲା। ଦୂର ଆକାଶ ରେ ସୂରୁଜ ଉଙ୍କି ମାରୁ ଥାଏ ।

ପାଗ ଭଲ ହେବା ଦେଖି, ହାତୀ କହିଲା, ଯାଏ ଟିକେ ଘେରାଏ ବୁଲି ଆସେ । ଘରେ ବସି ବସି ଅଣ୍ଟା ପିଠି ସବୁ ବିନ୍ଧିବାକୁ ଲାଗିଲାଣି । ଏତିକି କହି ହାତୀ ପାହୁଲ ପକେଇ ଘରୁ ପାଦ କାଢ଼ିଲା । କିଛି ବାଟ ଯାଇଚି କି ନାହିଁ, ଦେଖିଲା ଗୋଟେ ଜାଗାରେ କାଦୁଅ । ହାତୀର ଭାରି ମନ ହେଲା କାଦୁଅ ପାଣିରେ ପଶି ଖେଳିବାକୁ । ସେଇଆ ଭାବି ହାତୀ ପାଦ ଦେଇଛି କି ନାହିଁ, କାଦୁଅ ରେ ହାତୀ ପାଦ ଫସ କିନା ଖସି ଗଲା । ଆରେ ଆରେ କହୁ କହୁ ହାତୀ ଦୁମ କିନା କଚି ହେଇ ପଡ଼ିଲା। ହାତୀ ବିଚରା ବଡ଼ ଜୋରରେ ଇଲୋ ବାପା ଲୋ, ଇଲୋ ମା ଲୋ କରୁଥାଏ ।

ସେତିକି ବେଳେ ସେଇ ବାଟ ଦେଇ ଯାଉଥିବା ବିଲୁଆ ଧାଇଁ ଆସିଲା ଦେଖିବାକୁ କଣ ହେଲା । କାଦୁଅରେ ହାତୀ କୁ ଦେଖି, ବିଲୁଆ କହିଲା, “ଆରେ ହାତୀ ଭାଇ, ତମେ ? ଆରେ କଣ ହେଲା ? ଏ କାଦୁଅ ଭିତରେ କେମିତି ପଡ଼ି ଗଲ ?”

ହାତୀ କହିଲା “ପଚାରେନାରେ ବିଲୁଆ, ବର୍ଷା ଛାଡିବା ଦେଖି, ଟିକେ ବାହାରେ ଘେରାଏ ବୁଲି ଆସିବି ଭାବିଲି ହେଲେ ଏଠି ଏମିତି କାଦୁଅ ଥିବ ବୋଲି କିଏ ଜାଣି ଥିଲା । ଗୋଡ଼ ଖସି ପଡ଼ିଗଲି” । ହାତୀ ଆଉ ଲାଜରେ କହୁ ନଥାଏ କି ସେ କାଦୁଅ ପାଣି ଦେଖି ଖେଳିବାକୁ ଯାଇଥିଲା ।

ବିଲୁଆ କହିଲା, “ଆହା ବଡ କଷ୍ଟ ହଉଥିବ ନା ହାତୀ ଭାଇ” । ହାତୀ କହିଲା “ହଁ ରେ ବଡ କଷ୍ଟ, ତା ଧିଅକୁ ଏଠୁ ଉଠିବା ଆହୁରି କଷ୍ଟ । ହଉ ଆସିଛୁ ଯଦି, ଦେଲୁ ଦେଲୁ ହାତ ଟା ଟିକେ, ମୁଁ ଟିକେ ବାହାରି ଯାଏ ଏଠୁ “।

ବିଲୁଆ ମନେ ମନେ ଭାବିଲା ହାତୀର ଯୋଉ ବିଶାଳକାୟ ଶରୀର, ଆକୁ ଯଦି ମୁଁ ଉଠାଏ ତେବେ ଇଏ ଉଠିବ କି ନାହିଁ ତ ମୁଁ ଜାଣିନି ହେଲେ ମୋ ପ୍ରାଣ ବାୟୁ ନିଶ୍ଚିତ ଉଡ଼ି ଯାଇଥିବ ।

ହାତୀ ହାତ ବଢ଼େଇ ଚାହିଁ ରହି ଥାଏ ବିଲୁଆ ପାଇଁ । ବିଲୁଆ କହିଲା “କଣ କହିବି ହାତୀ ଭାଇ, ମୁଁ ତୁମକୁ ଟାଣି ଦେଇ ଥାନ୍ତି ଯେ ହେଲେ ମୋ ଅଣ୍ଟାର ଅବସ୍ଥା ଭାରି ଖରାପ । ଶୁଣ ତମେ ଜମା ବ୍ୟସ୍ତ ହେବନି ମୁଁ ଯାଉଛି ଆଗରେ ଯାହାକୁ ଦେଖିବି ତମକୁ ଏଠୁ ଉଦ୍ଧାର କରିବାକୁ ଡାକିକି ଆଣିବି “।

ଏତିକି କହି ବିଲୁଆ ଚମ୍ପଟ ମାରି ଚାଲି ଗଲା ।
ହାତୀ ସେମିତି ପଡିକି ରହି ଥାଏ କାଦୁଅ ରେ । ଏପଟ ସେପଟ ଅନାଉ ଥାଏ କାଳେ କିଏ ତା ସାହାଯ୍ୟ ପାଇଁ ଆସିବ ।

କିଛି ସମୟ ପରେ ସେଇ ବାଟ ଦେଇ ଗୋଟିଏ ଗଧ ଗଲା । ହାତୀ ବଡ଼ ଜୋରରେ ଡାକ ଛାଡିଲା “ଗଧ ଭାଇ ଟିକେ ଶୁଣ” । ଗଧ ଏପଟ ସେପଟ ହେଇ ଦେଖିଲା । ହାତୀ ଡାକ ଛାଡୁଥାଏ “ଏଇ ଏଇଠି ଅନାଅ, ଏଇ କାଦୁଅ ରେ” ।

ଗଧ ପାଦ ଚାପି ଚାପି ଆସିଲା । ଗଧ ପଚାରିଲା “ଆରେ ଆରେ ହାତୀ ଭାଇ, ଏଠି କେମିତି ପଡିଗଲ ?” ହାତୀ କହିଲା “କଣ ଆଉ କହିବି ଗଧ ଭାଇ ଏଇ କାଦୁଅ ଗୁଡା କୋଉଠୁ ଥିଲା କେଜାଣି, ମୁ ତ ମୋର ରାସ୍ତାରେ ଯାଉଥିଲି, ଗୋଡ଼ ଟା ଫସ କିନା ଖସି ଗଲା । ଆଉ ଦୁମ କିନା ପଡିଲି ଏଠି “।

ଗଧ ଶୁଣିକି କହିଲା “ଆହା ବଡ଼ ଜୋର ରେ ପଡିଗଲ ନା ? ବଡ କଷ୍ଟ ହଉଥିବ, ନାହିଁ ?” ହାତୀ କହିଲା “ହଁ ଭାଇ । ଯାହା ହଉ ତମେ ଆସିଗଲ ଏବେ ମୁଁ ଏଠୁ ବାହାରି ଯିବି । ଦେଲ ଦେଲ ତମ ହାତ ବଢ଼େଇଲ ମୁଁ ଏଇ କାଦୁଅରୁ ମୁକୁଳେ” ।

ଗଧ କହିଲା “ହାତୀ ଭାଇ ତମେ କଣ ବାଇଆ ନା କଣ । ତମକୁ ବାହାର କଲେ ମୁ ଆଉ ଥିବି ତ ? ତମକୁ ଟାଣୁ ଟାଣୁ ପରା ମୁ ସେଇ କାଦୁଅରେ ପଡି ଯାଇଥିବି । ନାଇରେ ଭାଇ ଥାଉ, ମୁ ଦେଖେ ଆଉ ଯଦି କିଏ ଦେଖା ହେଲା ତାକୁ ପଠେଇ ଦେବି । ମୁ ଯାଉଛି”, କହି ଗଧ ଚାଲି ଗଲା ତା ବାଟରେ ।

ହାତୀ ବିଚରା ସେମିତି କାଦୁଅ ରେ ପଡିକି ରହି ଥାଏ ।
ଏମିତି କିଛି ସମୟ ଗଲା ପରେ ସାପ ସର ସର ହେଇ ସେଇ ବାଟ ଦେଇ ଗଲା । ହାତୀ ସାପ କୁ ଦେଖି ପୁଣି ଡ଼ାକ ଛାଡିଲା “ସାପ କକା, ଟିକେ ଶୁଣ ଏଠିକି” ।

ସାପ ଆସିଲା ଆଉ ହାତୀର ଅବସ୍ଥା ଦେଖି ବଡ଼ ଦୟାରେ ପଚାରିଲା “ ଆରେ ହାତୀ, ଏଇ କାଦୁଅରେ କେମିତି ପଡ଼ିଗଲୁ ?” ହାତୀ ସବୁ କଥା କହିଲା । ସାପ ସବୁ ଶୁଣିଲା । ହାତୀ କହିଲା “ହେଲେ ଏବେ ତମେ ଆସିଲଣି ମୋର ଆଉ କି ଚିନ୍ତା । ମୁଁ ଜାଣିଚି ତମେ ମୋତେ ନିଶ୍ଚୟ ଏଠୁ ଉଦ୍ଧାର କରିବ” ।

ସାପ କହିଲା “ଆରେ ହାତୀ ତୋତେ କଣ ମୋ ବୁଢ଼ା ଶରୀର ଦେଖା ଯାଉନି, ମୁଁ ବା ତୋତେ କେମିତି ବାହାର କରିବି ଏ କାଦୁଅ ରୁ ” ।

ହାତୀ ହାତ ଯୋଡ଼ି ନେହୁରା ହେଲା “ସାପ କକା, ତୁମ ଶରୀର ତ ଲମ୍ବା, ମୋ ଶୁଣ୍ଢରେ ଗୋଟେ ପାଖ ଧରିଲେ ମୁ ବାହାରି ଆସନ୍ତି । ଟିକେ ସାହାଯ୍ୟ କର “। ସାପ କିନ୍ତୁ ନାରାଜ । “ହଉ ତୁ ବ୍ୟସ୍ତ ହଅନା, ମୁଁ ଦେଖେ ଯଦି କିଏ ମିଳିଲା ମୁଁ ତାକୁ ପଠେଇବି, ସଙ୍ଗେ ସଙ୍ଗେ ତୋତେ ଏଠୁ ବାହାର କରିବା ପାଇଁ “ କହି ସାପ ଚାଲିଗଲା ନିଜ ବାଟରେ ।

ହାତୀ ସେମିତି ଅନେଇକି ରହି ଥାଏ ତା ଗଲା ବାଟକୁ ।
ୟା ଭିତରେ ବେଶ୍ କିଛି ସମୟ ବିତି ଯାଇ ଥାଏ । ହାତୀ ସେମିତି କାଦୁଅରେ ଅସହାୟ ହେଇ ପଡ଼ି ରହିଥାଏ । ମନେ ମନେ ଭାବୁ ଥାଏ କି ଯେ ଦୁର୍ବୁଦ୍ଧି ଘୋଟିଲା ମୋତେ, କାହିଁକି ଯେ ଏଇ କାଦୁଅ ପଚରାରେ ପଶିଲି । ଆଖି ଛଳ ଛଳ ହେଉଥାଏ । ଏତେ ବଡ଼ ଶରୀର, ଉଠି ବି ପାରୁ ନଥାଏ ନିଜେ । ବିଲୁଆ, ଗଧ, ସାପ ସମସ୍ତେ କହିକି ଗଲେ କାହାକୁ ପଠେଇବେ, କେହି ଆସିଲେନି କି କାହାକୁ ତା ସାହାଯ୍ୟ ପାଇଁ ପଠେଇଲେନି । କଣ କରିବ ସେ, କେମିତି ବାହାରିବ ଏଠୁ । ଭାବୁ ଭାବୁ ହାତୀ ଜୋର ଜୋର ରେ କାନ୍ଦିବାକୁ ଲାଗିଲା ।

ହାତୀର କାନ୍ଦ ଶୁଣି, ପାଖରେ ଥିବା ବର ଗଛ ତଳ ପିମ୍ପୁଡି ମଳାରୁ ପିମ୍ପୁଡିଟିଏ ବାହାରି ଆସିଲା । ହାତୀକୁ ପଚାରିଲା, “କଣ ହେଲା ହାତୀ ଭାଇ, କାଇଁ କାନ୍ଦୁଚ ?” । ହାତୀ ସବୁ କଥା କହିଲା ।

ପିମ୍ପୁଡି ସବୁ ଶୁଣିକି କହିଲା, “ହାତୀ ଭାଇ ବ୍ୟସ୍ତ ହୁଅନା , ମୁଁ ଅଛି ପରା ! ତମକୁ ମୁଁ ବାହାର କରି ଆଣିବି ସେ କାଦୁଅ ରୁ” ।

ହାତୀ ତା କଥା ଶୁଣି ମନେ ମନେ ଭାବିଲା ଇଏ ପିମ୍ପୁଡି ଟା କେମିତି ମୋତେ ବଞ୍ଚେଇବ । ହେଲେ ଏତେ ସମୟ ପରେ କାହା ପାଟିରୁ ତାକୁ ରକ୍ଷା କରିବା କଥା ଶୁଣି ତା ମନରେ ଟିକେ ଦମ୍ଭ ଆସିଲା । ହେଲେ ପର ମୁହୂର୍ତ୍ତରେ ଭାବିଲା ଇଏବା ମୋତେ କେମିତି ବଞ୍ଚେଇବ ।

ସେତିକି ବେଳେ ପିମ୍ପୁଡି କହି ଉଠିଲା “କଣ ଭାବୁଛ ହାତୀ ଭାଇ, ଏଇଆ ନା କି ମୁଁ ତୁମକୁ କେମିତି ବଞ୍ଚେଇବି ଏଠୁ” ।

ହାତୀ ତାକୁ ବିକଳ ହେଇ ଚାହିଁ ରହି ଥାଏ । ପିମ୍ପୁଡି ସେତିକି କହି ତା ମଳାକୁ ଫେରି ଗଲା ।

ହାତୀ ଭାବିଲା ଏଇ ସମୟରେ ପିମ୍ପୁଡି କୁ ବି ଫୁଟାଣି ମାରିବାର ଥିଲା । ସେତିକି ବେଳେ ହାତୀ ଦେଖିଲା ଶହ ଶହ ପିମ୍ପୁଡି ଦଳ ଦଳ ହେଇ ଆସି ପାଖରେ ଥିବା ଗଛ ଲତା ଭିତରେ ପଶି କଣ ସବୁ ଖୋଜୁଛନ୍ତି ।

ତାର କିଛି ସମୟରେ ହାତୀ ଦେଖେ ତ ପ୍ରତି ଟି ପିମ୍ପୁଡି ଦଳ ସରୁ ସରୁ କାଠି କୁଟା ଯାହା ପାଇଛନ୍ତି ଆଣି ଛିଡା ହେଇଛନ୍ତି ।

ପୁଣି କିଛି ସମୟ ପରେ ଦେଖିଲା ସବୁ ଦଳ ଏଥର ଏକା ସାଙ୍ଗରେ ମିଶିକି ଛିଡା ହେଇ ଗଲେ। ହାତୀକୁ ସବୁ କାଠି କୁଟା ମିଶିକି ଗୋଟେ ଲମ୍ବା ରଶି ପରି ଦେଖା ଯିବାକୁ ଲାଗିଲା ।

ଏଥର ହାତୀ ମନରେ ଆଶା ବାନ୍ଧିବାକୁ ଲାଗିଲା । ତା ପରେ ପିମ୍ପୁଡି କହିଲା “ହାତୀ ଭାଇ ତମେ ଧର ସେପଟୁ, ଆମେ ଏପଟୁ ଧରିଚୁ , ଆସ୍ତେ ଆସ୍ତେ ବାହାରିବାକୁ ଚେଷ୍ଟା କର” ।

ହାତୀ ସେ କାଠି କୁଟାକୁ ଗୋଟେ ମୋଟା ଦଉଡି ଭାବି ତା ଶୁଣ୍ଢରେ ଜାବୁଡିକି ଧରିଲା । ଆର ପାଖରେ ହଜାର ହଜାର ପିମ୍ପୁଡି ମାନଙ୍କୁ ତାକୁ ସାହାଯ୍ୟ ପାଇଁ ଚେଷ୍ଟା କରୁଥିବା ଦେଖି, ହାତୀର ମନୋବଳ ବଢିଗଲା ।

ହାତୀ ଭୁସ୍ କିନା ଉଠିକି ଛିଡା ହେଲା । ହାତୀ ପାଇଁ ଆଣ୍ଠୁଏ କାଦୁଅ ବା କେତେ ମାତର !

“ଜମା ଡରନା, ଧୀରେ ଧୀରେ ପାଦ ଚାପି ଏଥର ଆସ” ପିମ୍ପୁଡି ପାଟି କରି କହୁଥାଏ ।

ହାତୀ ପିମ୍ପୁଡି କଥାରେ ଉତ୍ସାହିତ ହେଇ, ଧୀରେ ଧୀରେ ପାଦ ଉଠେଇଲା । ସେପଟେ ପିମ୍ପୁଡି ମାନେ କାଠି କୁଟା ତିଆରି ତାଙ୍କ ରଶିଟିକୁ ଜାବୁଡି ଧରି ଥାନ୍ତି । ହାତୀ ଶେଷରେ ଖସଡା କାଦୁଅ ରାସ୍ତାରୁ ଉଠି ବାହାରକୁ ଚାଲି ଆସିଲା ।

ବାହାରି ଆସି ହାତୀ ପିମ୍ପୁଡି ମାନଙ୍କୁ ଧନ୍ୟବାଦ ଜଣେଇଲା । ସେଇ ଦିନଠୁ ହାତୀ ଓ ପିମ୍ପୁଡି ଭଲ ସାଙ୍ଗ ହେଇକି ରହିଲେ ।

ଶିକ୍ଷା – ଏ ଗପଟି କି ଶିକ୍ଷା ଦିଏ ? ଆପଣମାନେ କହିବା ହୁଅନ୍ତୁ ।

ସର୍ବାଣୀ
08961593150


Share it

Join the Conversation

4 Comments

  1. କାହିଁକି କେଜାଣି ମୋତେ ଏମିତିକା ସରଳ ସରଳ କାହାଣୀ ପଢିବାକୁ ଖୁସି ଲାଗେ

  2. ବହୁତ ସୁନ୍ଦର ସରଳ ଶିକ୍ଷଣୀୟ କାହାଣୀ… କାହାଣୀ ରୁ ଦୁଇଟି ନୀତିଶିକ୍ଷା ମିଳେ …ଇଚ୍ଛା ଥିଲେ ଉପାୟ ଆସେ … ଏକତା ହିଁ ସଂଘର ବଳ

  3. ସାହାଯ୍ୟ କରିବା ମନବୃତି ସମସ୍ତଙ୍କୁ ଖୁସି ଦେଇଥାଏ. ଏ ସମାଜକୁ ଦୃଢ, ନିର୍ଭିକ,ଭୟମୁକ୍ତ ଆଉ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ସହାୟକ ହେଇଥାଏ.ଏମିତିକା ପରିବେଶ ସମାଜର ସାମଗ୍ରିକ ବିକାଶ କରିଥାଏ 🙏

Leave a comment

Your email address will not be published. Required fields are marked *

Verified by MonsterInsights