କାକରା ମାଉସୀ
ଏଇ କାକରା ହିଁ ତ ତାର ବଞ୍ଚିବାର ସାହାରା । ନିତି ସକାଳ ଆଉ ସଞ୍ଜରେ ଘର ବାରଣ୍ଡାରେ କାକରା ପସରା ମେଲି ବସି ଯାଏ । ସେଇଥିରୁ ଯେତିକି ବିକିରି ହୁଏ ତାର ଗୁଜୁରାଣ ମେଣ୍ଟି ଯାଏ
ସୁରୂଜ ଦେବତା ଥକି ପଡ଼ି ଏବେ ଘର ବାହୁଡ଼ିଲେଣି ଲାଲ ଚଦର ଚଢେଇ , ଘର ବାହୁଡ଼ା ଦେଲେଣି ଗୋରୁ ପଲ ଧୂଳି ଉଡ଼େଇ ହମ୍ବା ରଡ଼ି ଛାଡ଼ି , ଚିଁ ଚାଁ କାକଳି ରେ ଫାଟି ପଡୁ ଥାଏ ଗଗନ । ଦଳ ଦଳ ପକ୍ଷୀ ମାନଙ୍କ ପ୍ରତ୍ୟାଗମନ ରେ ଲାଲ ଚାଦର ରୁପି ନଭ ର ଶୋଭା ବହୁଗୁଣିତ ହେଉଥାଏ । ଏକ ମନୋରମ ପରିବେଶ ର ଚିତ୍ର ଟିଏ ଝଟକୁଥାଏ ସେଇ ଜଗତ କର୍ତ୍ତାଙ୍କର ତୂଳୀ ର ସାହାରା ରେ ।
ଗାଆଁ ମନ୍ଦିର ରୁ ଭାସି ଆସୁଥାଏ ଘଣ୍ଟ ଘଣ୍ଟା ର ନାଦ । ତୁଳସୀ ଚଉରା ମୂଳେ ପଥର ଦୀପ ରେ ଦିକି ଦିକି ହୋଇ ଜଳୁଛି ସଞ୍ଜ ସଳିତା , ଜୁଳୁଜୁଳିଆ ପୋକ ପରି । ଟିକି ଅଗଣା ଆଉ ଘର ଖଣ୍ଡିକ ମହକି ଉଠୁଛି ଝୁଣା ଧୂପ ର ମନ ମୋହକ ବାସ ରେ । ଭକ୍ତିମୟ ହୋଇ ଉଠେ କାକରା ମାଉସୀ ର ଘର ଆଉ ଚଉରା ଚଉଦିଗ । ଲାଗେ ଅବା ଠାକୁର ବିରାଜ ମାନ ହୁଅନ୍ତି ସେଇ ଚିତା ପକା ଝାଟି ମାଟି ର ଘର ଟିରେ।
ଠାକୁର ଘର କହିଲେ ଗୋଟିଏ କୋଠରୀ ର କଣ କୁ ଅବସ୍ଥାନ କରନ୍ତି ପ୍ରଭୁ ଅନାଥ ର ନାଥ , ଜଗତ କରତା ବିଶ୍ଵ ନିଅନ୍ତା କାଳିଆ ସାଆନ୍ତ । ବୁଢ଼ୀ ମାଉସୀ କୁ ଲେଖା ପଢା ଅଗୋଚର ତେଣୁ ଭକତି ମନ ରେ ଯାହା ଫୁଲ ଆଉ କାକରା ଦେଇ ଗୁହାରି କରେ ଯେମିତି ଥରେ ମନ ପୁରେଇ ପାଖରୁ ଦେଖିବା ପାଇଁ ଆଉ ତା ହାତ ତିଆରି କାକରା ଖୁଆଇବା ପାଇଁ ।
ହେଲେ ଏଥି ପାଇଁ କେତେ ଲୋକ ଙ୍କର ଟାହି ଟାପରା ଶୁଣିବାକୁ ପଡ଼େ ଏଇ ଯେମିତି .…… ଏ ବୁଢ଼ୀ ତ କଳି ଯୁଗ ର ଶବରୀ ଆଉ , ବାଛି ବାଛି ଭଲ କାକରା ସବୁ ଜଗନ୍ନାଥ ଙ୍କୁ ଦେବ ଆଉ ଜଗନ୍ନାଥ ଙ୍କ ର କିଛି କାମ ନାଇଁ ତ ଏ ଛାର ସୁଜି କାକରା କୁ ତୁଣ୍ଡ ରେ ଦେବେ ବୋଲି ଷାଠିଏ ପଉଟି ଛାଡ଼ି ଏ ଧତରା କୁଡିଆ କୁ ଧାଇଁ ଆସିବେ । ସବୁ କଟୁ କଥା କୁ ମାଉସୀ ଖାତିର କରେନି କି କାକରା ପୂଜା ବନ୍ଦ ବି କରେନି ।
ଏଇ କାକରା ହିଁ ତ ତାର ବଞ୍ଚିବାର ସାହାରା । ନିତି ସକାଳ ଆଉ ସଞ୍ଜରେ ଘର ବାରଣ୍ଡାରେ କାକରା ପସରା ମେଲି ବସି ଯାଏ । ସେଇଥିରୁ ଯେତିକି ବିକିରି ହୁଏ ତାର ଗୁଜୁରାଣ ମେଣ୍ଟି ଯାଏ ।
ସେଇ ଜଗା କୁ ସୁମରି ଦିନ ସବୁ ବିତି ଯାଏ । ଗୋଟିଏ ବୋଲି ଅନ୍ଧଲଉଡ଼ି ଥିଲା ତା’ର ପୁଅ। , ସିଏ ପର କରି ଚାଲି ଗଲା ଥରେ ହେଲେ ପଛକୁ ଫେରି ଦେଖିନି । ବାପା ମାଆ ମାନେ ଅଲୋଡା ଆଉ ଅଦରକାରୀ ମନେ ହୁଅନ୍ତି ସତରେ ଯେବେ ସେମାନେ ବୁଢ଼ା ବୁଢ଼ୀ ହେଇ ଯାଆନ୍ତି ।
ପୁରୁଣା କଥା ସବୁ ମନେ ପକାଇ ରାତିରେ ଆଖିରୁ ଲୋତକ ର ଧାରା ଶିରାବଣ ଅବିରତ ବର୍ଷି ଚାଲେ । ବୋଧ ହୁଏ ସକାଳ ର ଆଭାସ ପାଇ ତ କେବେ ପାହାନ୍ତିଆ ଶୀତ ରେ ଅବା ଘଡ଼ିଏ ଅଧଘଡି ବିରତି ନେଇଥାଏ ।
ବୟସ ର ଅପରାହ୍ନ ରେ ଏବେ ଦରିଦ୍ର ର ପସରା ସେଇ ଜଗା। ତାକୁ ନିଜ ପୁଅ ଭାବି ତ ଶୁଖିଲା ଥର ଥର ଓଠ ଧାରେ ହସ ଉକୁଟେ ବୋଧହୁଏ ଜଗା ର ନାଲି ଅଧର ଧାରେ ମୁଚୁକୁନ୍ଦିଆ ହସ କୁ ନିରେଖି ନିରେଖି ।
ସବୁ ଦିନ ପରି ଆଜି ବି କାକରା ମାଉସୀ ପ୍ରଥମ କାକରା ଜଗା କୁ ଦେଇ କାକରା ବିକ୍ରି ଆରମ୍ଭ କରିଛି । ଏବେ ଏବେ ସବୁ ସାରିଲା ଝଅଟ କରି , ଭାରି ଖୁସି ଆଜି କାକରା ମାଉସୀ । ପଇସା ସାଇତି ରଖୁଛି ମାଟି ଘଡି ରେ । ପୁରୀ କଣ କମ୍ ବାଟ ହେଇଚି !!
ସବୁ ଜିନିଷ ପତ୍ର , ବଡ଼ ଥାଳି ଏମିତି ସବୁ ଉଗୁଡୁ ବୁଗୁଡୁ ସାଇତି ରଖୁଛି। ଏତିକି ବେଳେ ବାହାରୁ କାହାର ଡାକ ଶୁଣା ଗଲା ମାଉସୀ , ଏ କାକରା ମାଉସୀ । ଆହା ! କେଡେ ସୁନ୍ଦରିଆ ଡାକ ! ମନ କିଣି ନଉଛି ଡାକରେ , କିଏ ରେ ପିଲେ ? କହି ଥିରି ଥିରି ଚାଲି ଚାଲି ଆସିଲା ମାଉସୀ । ଆଖି ଆଗରେ ଦେଖିଲା ନ ‘ ଦଶ ବରଷ ର ପିଲା ଟିଏ । କଳା ଚିକମିକ୍ ଚିକ୍କଣ ଶରୀର , ଓଠ ରେ ମନ ଲୋଭା ହସ ଆଉ ବାଆଁ ହାତଟା ରେ ବାଡି ଖଣ୍ଡିଏ ଧରିଛି । ଦେଖିଲେ ପେଟ ପୁରି ଯାଉଛି। ଅଳ୍ପ ଦୃଷ୍ଟି ଶକ୍ତି ଥିବା ମାଉସୀ ଆଖି କୁ ଜଳ ଜଳ କରି ସବୁ ଦେଖା ଯାଉଥାଏ ପିଲାଟିର ଶରୀର ରୁ ଉତ୍ପନ୍ନ ଉଜ୍ଜ୍ୱଳ ଆଭାରେ। ଅପଲକ ନୟନ ରେ ଚାହିଁ ରହି ଥିଲା ମାଉସୀ ।ଏଡେ ସୁନ୍ଦର ପିଲା ଟିଏ କାଇଁ ଏ ଗାଆଁ କଣ ତା ଜୀବନ ରେ ଆଜି ଯାଏଁ ଦେଖିନି ।
ଏମିତି ଭାବୁ ଭାବୁ ତା ଭାବନା କୁ ଅଟକେଇ ପିଲା ଟି କହିଲା , ” ମାଉସୀ ଲୋ ଭାରି ଭୋକ ଆଉ ଶୋଷ ରେ ତଣ୍ଟି ଶୁଖି ଗଲାଣି । କଣ ଟିକେ ଦିଅନ୍ତୁନି ଖାଇବାକୁ । ଦେଖୁନୁ ଏ ଚାନ୍ଦ ର ମାଆ କୁ ଖୋଜୁ ଖୋଜୁ ଏତେ ଡେରି ହୋଇ ଗଲାଣି । ମାମୁଁ ବି ଆସି ନାହାନ୍ତି । ଏଇ ତମ ଗାଆଁ ଡେଇଁ ଆର ଗାଆଁ ରେ ପରା ମୋ ମାମୁଁ ଘର । ଚାଲୁ ଚାଲୁ ଖୋଜୁ ଖୋଜୁ ଚାଲି ଆସିଲି ଜଣା ପଡିଲାନି । ଆସିଲା ବେଳେ ଶୁଣୁ ଥିଲି : ଲୋକ କୁହା କୁହି ହେଉଥିଲେ କି ଯଦି କୁଣିଆ ଆସିବ ଆଉ କାକରା ମାଉସୀ କାକରା ନ ଖାଇଚ ତାହେଲେ ଆମ ଗାଁ କୁ ଆସି କି ଲାଭ । ତା ମାନେ ମାଉସୀ ତୁ ବଢିଆ କାକରା ବନାଉ , ଆଉ କାକରା ଦେଖିଲେ ତ ପାଟି ରୁ ଲାଳ ଗଡେ ମୋର । ଯଦି କିଛି ନ ଭାବି ଗୋଟିଏ ଦିଅନ୍ତୁ …. ଦବୁ !! ହଉ ମାଉସୀ ମନା କରେନି ।
ପିଲାଟିର କରୁଣ ନିବେଦନ ଦେଖି ସହି ପାରିଲାନି ମାଉସୀ ହେଲେ ସବୁ କାକରା ତ ସରି ଯାଇଛି । ଯାହା ଖାଲି ସେ ଦୁଇ ଟି ଜଗା ପାଖରେ ଭୋଗ ଲାଗି କରି ଥିଲା । ପିଲାଏ ତ କୁନି ମହାପୁରୁ ତେଣୁ ଜଗା ର ଭୋଗ କାକରା କୁ ବଢେଇ ଦେଲା ପିଲା ଟିର ଚିକ୍କଣ କଳା ହାତ ରେ । ଖୁସି ମନ ରେ ଖାଇ ଯାଉଥିଲା ପିଲା ଟି ଥର କେ ପାଟି ଫୁଲ୍ ମନ ଖୁସ । ଭୋକିଲା ଛୁଆ ଟିକୁ କିଛି ଦେଇ ପାକୁଆ ପାଟି ରେ ମୁରୁକି ହସୁଛି ମାଉସୀ ।
ଏବେ ପିଲା ଟିର ହସ ମିଶା ପ୍ରଶ୍ନ ,” ମାଉସୀ ! ଦେଖୁନୁ ଏ ଚାନ୍ଦ ର ମାଆ କୁ ଖୋଜୁ ଖୋଜୁ କେମିତି ହାତ ମୋର ମଇଳା , ଧୂଳି ମାଟି ନେସି ହେଇ ଯାଇଛି , ଟିକିଏ ହାତ ଧୋଇ ଥାନ୍ତି ?
ଅଧା ନୂଆଁଣିଆ ଅଣ୍ଟାକୁ ଗୋଟିଏ ହାତ ରେ ଠେସ ଦେଇ ଛୋଟ ରସ ବାଲ୍ ଟି ଟିରେ ପାଣି ଦେବା ପାଇଁ ଆଣିଲା ବେଳକୁ ଅଧା ବାଟରୁ ହାତ ରୁ ଛଡେଇ ଧରିଲା ପିଲା ଟି , ଆହା ! କେଡେ ଗୁଣ କାରୀ ପୁଅ ଟିଏ ଲୋ ।
ହାତ ମୁଁହ କୁ ଭଲ ଭାବରେ ଧୋଇ ହୋଇ ଆସି ମାଉସୀ ପଣତ ରେ ଅତି ସେନେହ ରେ ହାତ ପୋଛିବ କି ଥିରି କିନା କହିଲା । ମାଉସୀ ର ମୁରୁକି ହସ ଉତ୍ତର ପାଇଁ ଯଥେଷ୍ଟ ଥିଲା । ମମତା ମୟୀ ମାଉସୀ ର ମାଆ ମନ କୁରୁଳି ଉଠିଲା । ଜକେଇ ଆସିଲେ ଲୁହ ମାନେ ; ନିତି ସିନା ଦୁଃଖ ର ବେଦନା ନିଗିଡ଼ି ପଡ଼େ ହେଲେ ଆଜି ସେନେହ ଜୁଡୁବୁଡୁ ମାଉସୀ ।
ତା ‘ ପରେ ବେଶ୍ କିଛି ଦିନ ପିଲାଟି ଆସିଛି ମାଉସୀ ପାଖକୁ ; କାକରା ଖାଏ ତା ଘର ଆଉ ଭାଇ ଭଉଣୀ କଥା ବି କହେ । ପୁରୀ ରେ ତାଙ୍କ ଘର । ପୁରୀ ନାଆଁ ଶୁଣି ଭାବ ବିହ୍ୱଳ ହୋଇ ପଡେ ମାଉସୀ , ଭାବେ ଜଗା ବି ତ ପୁରୀ ରେ ରହେ ଯାହା ହଉ ସେ ନା ହଉ ପଛେ ତା ଘର ପାଖ କିଏ ତ ମିଳିଲେ ।
ପିଲାଟି କହିଲା , ଏ ମାଉସୀ କୋଉଠି ହଜି ଗଲୁ ? କାଲି ଠୁ ଆଉ କାକରା ଖାଇବାକୁ ମିଳିବନି ବୋଧେ ?
– କାଇଁ ? ମୁଁ କଣ ମନା କଲି ନା ଦେବିନି କହିଲି
– ନାଇଁ ଯେ , କାଲି ମୁଁ ଆମ ଘର କୁ ପଳେଇବି ମାମୁଁ ଙ୍କ ସହ ।
– ପଳେଇବୁ ! ଏତିକି ଦିନରେ ମାୟା ଲଗେଇ ଦେଲା ପାଗେଳା ଟା ।
– ଏ ମାଉସୀ ଚାଲେନା ତୁ ବି ମୋ ସହ ଆମ ଘର କୁ ତୋ ଜଗା କୁ ବି ଭେଟି ନବୁ ତା ମନ୍ଦିରେ ।
– ଜଗା ନାଆଁ ଶୁଣି ମାଉସୀ ଆଉ ଭାବିବ କଣ ବାସ ମୁଣ୍ଡ ଟୁଙ୍ଗାରି ରାଜି ବୋଲି ଜଣେଇଲା। ତା ଶୁଖିଲା ଟାଙ୍ଗରା ଓଠ ରେ ମୁଚୁକୁନ୍ଦିଆ ହସ ଅସରାଏ ବରଷି ଗଲା ।
ପର ଦିନ ବଡି ଭୋର୍ ରୁ ଉଠି ବାସି ପାଇଟି ସବୁ ସାରି , ସାଥିରେ କାକରା ଧରି ବାଟ ଅନେଇଚି ପିଲା ଟିର । କିଛି ସମୟ ପରେ ଗୋଟିଏ ଅଟୋ ଲାଗିଲା ମାଉସୀ ର ଦାଣ୍ଡ ରେ ; ପିଲା ଟି କୁ ଏକୁଟିଆ ଦେଖି ତାର ମାମୁଁ ବିଷୟରେ ପଚାରିବାରୁ ଠାର ରେ କହିଲା ଯେ ମାମୁଁ ହିଁ ଅଟୋ ବାଲା । ଏବେ ମାଉସୀ ହାତ ଧରି ଅଟୋ ଭିତରକୁ ନେଇ ନେଇ ଗଲା ପିଲାଟି ଆଉ ଲଥ କରି ବସି ପଡ଼ିଲା ମାଉସୀ ନିଜ କାନି କୁ ସଜାଡି । ମନ ଗୁଡ଼ି ତା ‘ର ଉଡ଼ି ଉଡ଼ି ଯାଉଥାଏ ଅଟୋ ନଟେଇ ରେ ଆଉ ରାସ୍ତା ! ରାସ୍ତା ଟି ଖୋଲା ଆକାଶ । ଖାଲି ପଚାରୁ ଥାଏ କି, ଏ ପୁଅ ପୁରୀ ଆଉ କେତେ ବାଟ ? ମାଉସୀ ର ଉତ୍କଣ୍ଠା ବାରି ହୋଇ ପଡୁଥାଏ ତାର ପ୍ରଶ୍ନିଳ ଚାହାଣୀ ଆଉ ମୁରୁକି ହସ ରୁ ।
ବାଟ ଯାକ ମାଉସୀ ର ସବୁ ଆଗୁଡୁ ମାଗୁଡୁ ପ୍ରଶ୍ନ ଆଉ ସେଇ ହସ ମିଶା ଉତ୍ତର କାର୍ଯକ୍ରମ ଜାରି ରହିଲା । ଏଇଟା ବାଟ ମଙ୍ଗଳା ହେଇ ହେଇ ଦେଖେ ମାଉସୀ ଏଇଟା ଅଠରନଳା ଜଗନ୍ନାଥ ଙ୍କ ରୋଷେଇ ହେଲେ ପେଜ ଆସେ ଏ ଯାଏଁ ବହି କି … ଗଣୁନୁ ଦେଖିବୁ ଅଠର ଟା , ଲୁଗା କାନି କୁ ପାକୁଆ ପାଟିରେ ଜାକି କହେ ଆରେ ପୁଅ ମତେ କଣ ଆଇଚି ଯେ କହିବି କି ଗଣିବି । ଏମିତି ବାଟ ଜଣା ପଡୁ ନଥାଏ ସେ ଚିଲ ଉପରେ ବସି ଉଡୁଛି ।
ନୀଳାଚଳ ଧାମ ରେ ପାଦ ଦେଇଛି ମାଉସୀ । ଗରୁଡ଼ ସ୍ତମ୍ଭ ରୁ ଅନେଇ ଦେଇଛି ଚଉ ବାହାକୁ , ଆଖି କୋରଡ ରୁ ଗଡି ଆସିଛନ୍ତି ବେଦନା ରୁପି ଲୋତକ ଧାରା । ଭକ୍ତ ଓ ଭଗବାନ ଙ୍କ ଅପୂର୍ବ ମିଳନ । ମାଉସୀ କୁ ବାସ୍ ଗୀତ ଟିଏ ହାଲ୍କା ଶୁଭୁ ଥିଲା …
ବଡ଼ ଦାଣ୍ଡ ରେ କହି ବୁଲିବି
କାଳିଆ ପୁଅ ମୋର
ଜଗତ ଲାଗି ଖୋଲି ଦେଇଛି
ସିଂହ ଦୁଆର ତାର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର ……
– ପ୍ରଜ୍ଞା ପରମିତା