ଜ୍ୟୋତିର୍ଲିଙ୍ଗ ଶ୍ରୀମହାକାଳେଶ୍ଵର
====
ମହାକବି କାଳିଦାସ ବିକ୍ରମାଦିତ୍ୟଙ୍କ ସଭା ନବ ରତ୍ନ ପଣ୍ଡିତ ମାନଙ୍କମଧ୍ୟରେ ଅନ୍ୟତମ । ମହାକବି ମହାକାବ୍ୟ ମେଘଦୂତମରେ ମହାକାଳଙ୍କ ମହିମା ଅତି ସୁନ୍ଦର ଭାବେ ଲିପିବଦ୍ଧ କରି ଯାଇଛନ୍ତି ।
ଭାରତବର୍ଷର ବିଭିନ୍ନ ସ୍ଥାନରେ ଅବସ୍ଥିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗମାନଙ୍କ ମଧ୍ୟରେ ଶ୍ରୀମହାକାଳେଶ୍ଵର ଅନ୍ୟତମ । ମଧ୍ୟପ୍ରଦେଶ ପୁଣ୍ୟତୋୟା ସ୍ରୋତସ୍ୱିନୀ ସିପ୍ରାନଦୀ ତଟ ଐତିହାସିକ ଉଜ୍ଜୟିନୀ ବା ଧାରା ନଗରୀରେ ରୁଦ୍ର ସାଗର ହ୍ରଦ ତୀରରେ ଅବସ୍ଥାନ କରୁଛନ୍ତି ଶ୍ରୀଶ୍ରୀମହାକାଳ ସ୍ଵୟଂଭୂ ଜ୍ୟୋତିର୍ଲିଙ୍ଗ । ଏହି ଲିଙ୍ଗ ଦକ୍ଷିଣମୂଖୀହୋଇ ଅବସ୍ଥାନ କରୁଥିବା ଦୃଷ୍ଟିରୁ ତାଙ୍କୁ ମଧ୍ୟ ଦକ୍ଷିଣାମୂର୍ତ୍ତୀ ଲିଙ୍ଗ କୁହାଯାଏ ।
କିମ୍ବଦନ୍ତୀ ଅନୁଯାୟୀ ପ୍ରାଚୀନ ଅବନ୍ତୀ ଦେଶର ରାଜଧାନୀ ଅବନ୍ତିକା (ଆଧୁନିକ ଉଜ୍ଜୟିନୀ) ରେ ଏକଦା ରାଜା ଚନ୍ଦ୍ରସେନଙ୍କ ରାଜତ୍ୱ ଥିଲା । ରାଜା ଚନ୍ଦ୍ର ଶିବଙ୍କର ପରମ ଭକ୍ତ ଥିଲେ । ଦିନେ ରାଜା ପ୍ରାସାଦ ଭିତରେ ଥିବା ଶିବ ମନ୍ଦିରରେ ଉଚ୍ଚସ୍ୱର କରି ମନ୍ତ୍ର ଉଚ୍ଚାରଣ କରି ହରହର ମହାଦେବଙ୍କ ପୂଜା କରୁ ଥାନ୍ତି ।
ସେହି ରାସ୍ତା ଦେଇ ଯାଉଥିଲା ଶ୍ରୀକର ନାମକ ଜଣେ କୃଷିଜୀବୀ ବାଳକ । ମନ୍ତ୍ର ଧ୍ୱନୀ ଶୁଣି ସେ ମଧ୍ୟ ଶିବ ପୂଜାପାଇଁ ଇଛାପ୍ରକାଶ କରି ସେଠାରେ ଉପସ୍ଥିତ ହେଲା । କିନ୍ତୁ ରାଜାଙ୍କ ରକ୍ଷୀ ମାନେ ଗଳା ଧକ୍କା ଦେଇ ସେହି ବାଳକକୁ ସେଠାରୁ ତଡ଼ି ଦେଲେ । ଅପମାନିତ ହୋଇ ସିଧା ଶ୍ରୀକର ଚାଲିଗଲା ନଗର ଉପକଣ୍ଠରେ ପ୍ରବାହିତ ସିପ୍ରା (କ୍ଷିପ୍ରା)ନଦୀ କୂଳକୁ ।
ସେଠାରେ ଶିବଙ୍କର ଗୋଟିଏ ଲିଙ୍ଗରଖି ସେ ପୂଜାକରିବାକୁ ଲାଗିଲା । ଠିକ ସେହି ସମୟରେ ରାଜା ଚନ୍ଦ୍ରସେନଙ୍କ ଦୁଇ ଶତ୍ରୁରାଜା, ରିପୁଦମନ ଏବଂ ସିଂହାଦିତ୍ୟ, ଦୂଷଣ ନାମକ ଏକ ରାକ୍ଷସର ସହାୟତା ନେଇ ମିଳିତ ଭାବେ ଉଜ୍ଜୟିନୀ ଆକ୍ରମଣ କଲେ ।
ସେମାନଙ୍କ ଅଚାନକ ଆକ୍ରମଣକୁ ସାମ୍ନା କରି ନ ପାରି ରାଜା ଚନ୍ଦ୍ରସେନ ଜଙ୍ଗଲକୁ ପଳାୟନ କଲେ । ରାଜାଙ୍କ ପଳାୟନ ସୁଯୋଗ ନେଇ ଶତ୍ରୁ ମାନେ ସେଠିକା ଶିବ ଭକ୍ତ ନିରୀହ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଲେ । ମୂଖ୍ୟପୂଜକ ଶୁଣିବାକୁ ପାଇଲେ ଯେ, ରାଜଧାନୀ ବାହାରେ ଶ୍ରୀକର ନାମା କୌଣସି ବାଳକ ଶିବଙ୍କ ଆରାଧନା କରୁଛି । ତହୁଁ ଯାଇ ସେ ଶ୍ରୀକର ସହ ପୂଜାରେ ଯୋଗ ଦେଲେ । ସେମାନଙ୍କ ସମ୍ମିଳିତ କାତର ପ୍ରାର୍ଥନାରେ ସନ୍ତୁଷ୍ଟହୋଇ ଶିବ ମହାକାଳ ରୂପରେ ଆବିର୍ଭୁତ ହେଲେ ଓ ଶିବ ଦ୍ରୋହୀ ଶତୃ ମାନଙ୍କ ଉପରେ ତ୍ରିଶୂଳ ପ୍ରହାରକରି ସେମାନଙ୍କୁ ନିପାତ କଲେ, ରାକ୍ଷସ ଦୂଷଣ ମଧ୍ୟ ମୃତ୍ୟୁ ବରଣ କଲା । ମହାକାଳ ରୂପୀ ଶିବଙ୍କ ଅପାର କୃପାରୁ ଚନ୍ଦ୍ରସେନ ତାଙ୍କର ହୃତ ରାଜ୍ୟ ଫେରି ପାଇଲେ ।
ଶ୍ରୀକରର ପ୍ରାର୍ଥନାରେ ମହାକାଳ ପ୍ରକଟ ହୋଇ ରାଜା ଚନ୍ଦ୍ରସେନ ରାଜ୍ୟ ଫେରିପାଇ ଥିବାରୁ ସେ ଶ୍ରୀକରକୁ କୃତଜ୍ଞତା ଜଣାଇବା ପାଇଁ ଦିନେ ଯାଇ ତା’ ପାଖରେ ପହଞ୍ଚିଲେ । ଚନ୍ଦ୍ରସେନଙ୍କୁ ଶ୍ରୀକର କହିଲା ପ୍ରଭୁ ଶିବଙ୍କଠାରୁ ସେ ସ୍ୱପ୍ନାଦିଷ୍ଟ ହୋଇଛି ଯେ ସେ ଏ ନଗରରେ ମହାକାଳରୂପେ ଅବସ୍ଥାନ କରିବାକୁ ଚାହାଁନ୍ତି । ଶ୍ରୀକର ଠାରୁ ଏ କଥା ଶୁଣି ରାଜା ଏକ ଭବ୍ୟମନ୍ଦିର ନିର୍ମାଣକରି ମହାକାଳଙ୍କୁ ସ୍ଥାପନ କଲେ । ମହାକାଳ ଉଜ୍ଜୟିନୀ ନଗରୀରେ ଅବସ୍ଥାନକରି ସେବେଠୁଁ ପୂଜିତ ହୋଇଆସୁଛନ୍ତି ।
ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଇଥାଏ ଏକଦା ବେଦଦ୍ଵିଜ ନାମକ ଜଣେ ପରମ ଶିବଭକ୍ତ ବ୍ରାହ୍ମଣ ଉଜ୍ଜୟିନୀ ନଗରୀରେ ବାସ କରୁଥିଲେ । ତାଙ୍କର ଦେଵପ୍ରିୟ, ମେଘପ୍ରିୟ, ସୁକୃତ, ସୁବ୍ରତ ଚାରି ପୁଅ ଥିଲେ । ପିତାଙ୍କ ସଂସ୍କାରରେ ସେମାନେ ମଧ୍ୟ ଶିବ ଭକ୍ତ ଥିଲେ ।
ନଗର ନିକଟ ରତ୍ନମାଳା ପର୍ବତରେ ଦୂଷଣ ନାମରେ ଏକ ରାକ୍ଷସ ରହୁଥାଏ । ଶିବଙ୍କ ପୂଜନରେ ବିଘ୍ନ ସୃଷ୍ଟି କରି ସେ ସମଗ୍ର ନଗରୀକୁ ଉତ୍ପୀଡ଼ିତ କଲା । ରାକ୍ଷସର ଉତ୍ପାତରୁ ପ୍ରଭୁ ଶିବ କେବଳ ରକ୍ଷା କରି ପାରିବେ ଭାବି ବ୍ରାହ୍ମଣ ଚାରି ପୁଅ ସଦାଶିବଙ୍କୁ କାତର ପ୍ରାର୍ଥନା କଲେ । ଦୂଷଣ ସେମାନଙ୍କୁ ମାରିବା ପାଇଁ ଚେଷ୍ଟା କରୁଥାଏ । ଏହି ସମୟରେ ଭୂଗର୍ଭରୁ ଭୟଙ୍କର ଶବ୍ଦ ହେଲା । ସେ ଭୟଙ୍କର ଶବ୍ଦରେ ଦୂଷଣ, ତାର ସେନା ସବୁ ଧ୍ବଂସ ହୋଇଗଲେ । ସେ ଭୟଙ୍କର ଶବ୍ଦକୁ ବ୍ରାହ୍ମଣ ଚାରି ପୁତ୍ର ଧ୍ୟାନ କଲେ । ସେହି ଶବ୍ଦ ସ୍ଥଳୀରୁ ଭୟଙ୍କର ରୂପରେ ଆବିର୍ଭାବ ହେଲେ ପ୍ରଭୁ ଶ୍ରୀ ଆଦିନାଥ । ଆତଙ୍କିତ, ବ୍ରାହ୍ମଣ ଚାରିପୁତ୍ର ପ୍ରାର୍ଥନା କରନ୍ତେ ସେ ପୁଣି ଶାନ୍ତହୋଇ ଲିଙ୍ଗ ରୂପେ ଆବିର୍ଭାବ ହେଲେ । ସେହି ଭୟଙ୍କରରଡ଼ି ବା କାଳରବ କରି ପ୍ରକଟିତ ହୋଇଥିବା ଲିଙ୍ଗ ଶିବଭକ୍ତ ସେହି ବ୍ରାହ୍ମଣ ମାନଙ୍କ ଦ୍ୱାରା ପ୍ରତିଷ୍ଠା ହେଲେ ଶ୍ରୀ ଶ୍ରୀ ମହାକାଳ ଭାବେ ।
ଉଜ୍ଜୟିନୀଠାରେ ଅଛି ପୁଣ୍ୟତୋୟା ସିପ୍ରା ନଦୀ । ସିପ୍ରାନଦୀ ସ୍ୱୟଂ ବିଷ୍ଣୁଙ୍କ ଅଙ୍ଗ ବହନ କରୁଥିବାରୁ ଅତ୍ୟନ୍ତ ପବିତ୍ର ଏବଂ ଏହି ନଦୀରେ ସ୍ନାନ କଲେ ମନୁଷ୍ୟର ସକଳପାପ ଧୌତ ହୋଇଯାଏ ବୋଲି ବିଶ୍ୱାସ ରହିଛି ।
କିମ୍ବଦନ୍ତୀରୁ ଜଣା ଯାଏ, ଏକଦା ମହାଦେବ କ୍ଷୁଧିତହୋଇ ଭିକ୍ଷା କରି ବାହାରିଲେ । ସେ ଭିକ୍ଷା ମାଗିମାଗି ଯାଇ ଶ୍ରୀବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ । ମହାଦେବଙ୍କୁ ବିଷ୍ଣୁ ଗୋଟିଏ ଅଙ୍ଗୁଳି ଦେଖାଇ ଭିକ୍ଷାପାଇଁ ନାସ୍ତି ବାଣୀ ଶୁଣାଇଦେଲେ । ଏଥିରେ କ୍ରୋଧିତ ହୋଇ ବିଷ୍ଣୁଙ୍କ ଆଙ୍ଗୁଳିକୁ ଶିବ ଛେଦନ କଲେ । ଆଙ୍ଗୁଳୀରୁ ରକ୍ତଧାର ଝରିବାକୁ ଲାଗିଲା । ସଦାଶିବ ଏହାକୁ ତାଙ୍କ ଭିକ୍ଷା ପାତ୍ରରେ ସଂଗ୍ରହ କଲେ । କିନ୍ତୁ ଭିକ୍ଷା ପାତ୍ର ପୁରି ରକ୍ତ ଧାର ଧାର ବୋହି ସିପ୍ରା ଜଳରେ ମିଶିଲା । ଏଣୁ ସିପ୍ରାର ଜଳ ଇଷତ ଲାଲ ଦେଖାଯାଏ ଏବଂ ବିଷ୍ଣୁଙ୍କ ଅଙ୍ଗ ଲାଗି ଏହା ଅତ୍ୟନ୍ତ ପବିତ୍ର ବୋଲି ମାନ୍ୟ ।
ସିପ୍ରା ମାହାତ୍ମ୍ୟ ସ୍କନ୍ଧ ପୁରାଣରେ ବର୍ଣ୍ଣିତ ହୋଇଛି ।
ପୌରାଣିକ କାଳରୁ ଉଜ୍ଜୟିନୀ, ପୁରୁଣା ଅବନ୍ତୀର ସମ୍ପର୍କ ଉତ୍କଳର ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହିଛି । ପ୍ରାଚୀନ ଜଗନ୍ନାଥଧାମର ପ୍ରତିଷ୍ଠାତା ତଥା ବଡ଼ ଦେଉଳର ନିର୍ମାତା ମହାରାଜ ଇନ୍ଦ୍ରଦ୍ୟୁମ୍ନ ଅବନ୍ତୀକାର ରାଜା ଥିଲେ ।
ଶ୍ରୀ ଶ୍ରୀ ମହାକାଳଙ୍କର ଭସ୍ମ ଆରତୀ ଏ କ୍ଷେତ୍ରର ବିଶେଷତା । ଏଭଳି ଆରତୀ ଭାରତର କୌଣସି ଅନ୍ୟ ଶୈବକ୍ଷେତ୍ରରେ ଦେଖାଯାଏନାହିଁ । ପ୍ରତ୍ୟହ ଭୋର 4 – 30 ସମୟରେ ଶ୍ରୀମହାକାଳଙ୍କ ଭସ୍ମ ଆରତୀ ହୋଇ 5 ଟାରେ ସର୍ବ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାଯାଏ । ପ୍ରଭୁଙ୍କ ଭସ୍ମ ଆରତୀ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଯାଏ ।
ରୁପା ନିର୍ମିତ ଶକ୍ତି ଉପରେ ମହାକାଳଙ୍କର 3 ଫୁଟ ଉଚ୍ଚତାର ଲିଙ୍ଗ ବିରାଜ ମାନ କରିଛନ୍ତି । ମହାପ୍ରଭୁଙ୍କୁ ଦିନଭରି ବିଭିନ୍ନ ଶୃଙ୍ଗାରରେ ଭୂଷିତ କରାଯାଏ । ପ୍ରଭୁଙ୍କ ସମ୍ମୁଖରେ ବାହନ ନନ୍ଦୀଙ୍କର ଏକ ବିଶାଳ ରୁପା ପ୍ରତିମା ଅଛି ।
ପ୍ରଭୁ ମହାକାଳ ମହାରାଜା ବିକ୍ରମାଦିତ୍ୟ, ସୁଙ୍ଗବଂଶୀ, ଗୁପ୍ତବଂଶୀ, ପରିହାର ତଥା ମରାଠା ବଂଶୀ ରାଜନ୍ୟ ବର୍ଗଙ୍କ ଉପାସ୍ୟ ଦେବତା ଭାବେ ଭାରତ ଇତିହାସରେ ରହି ଆସିଛନ୍ତି ।
ସାଗର ମନ୍ଥନ ସମୟରେ ରାକ୍ଷସ ମାନେ ଅମୃତ କୁମ୍ଭକୁ ହରଣ କରି ନେଉଥିଲା ବେଳେ ସେଥିରୁ ଅମୃତ କଣିକା ଛିଟିକି ପଡ଼ି ପ୍ରୟାଗ, ଉଜ୍ଜୟିନୀ ଏବଂ ନାସିକ ଠାରେ ପଡ଼ିଥିଲା । ତେଣୁ ଏ ତିନି ସ୍ଥାନରେ କୁମ୍ଭ ମେଳା ଆୟୋଜିତ ହୋଇ ଥାଏ । ଯେତେବେଳେ ବୃହସ୍ପତି ସିଂହ ରାଶି, ଚନ୍ଦ୍ର ତୁଳା ରାଶି, ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରନ୍ତି ଓ ନକ୍ଷତ୍ରଥାଏ ସ୍ୱାତୀ, ଉଜ୍ଜୟିନୀରେ ସେତେବେଳେ ସିଂହସ୍ଥ ମହା କୁମ୍ଭମେଳା ଅନୁଷ୍ଠିତହୁଏ ।
ଆହୁରି ଏଠାରେ କେତେ ଗୁଡ଼ିଏ ଦର୍ଶନୀୟ ସ୍ଥାନ ହେଲା ମାଆ ହରସିଦ୍ଧିମନ୍ଦିର, ଚିନ୍ତାମଣି ଗଣେଶ ମନ୍ଦିର, କାଳଭୈରବ ମନ୍ଦିର, ଭର୍ତ୍ତୃହରି ଗୁମ୍ଫା, ସାନ୍ଦୀପନି ଆଶ୍ରମ, ବତ୍ରିଶ ସିଂହାସନ, ନାଥଗୁରୁ ମତ୍ସ୍ୟନ୍ଦ୍ରନାଥ ଆଶ୍ରମ, ଗଡ଼ କାଳିକା ମନ୍ଦିର, ପଞ୍ଚ ମୁଖୀ ହନୁମାନ ମନ୍ଦିର ଇତ୍ୟାଦି ।
ମହାକାଳଙ୍କଠାରୁ ପ୍ରାୟ 120 କି. ମି. ଦୂରତାରେ ଅବସ୍ଥିତ ପ୍ରସିଦ୍ଧ ଓଁକାରନାଥ ଜ୍ୟୋତିର୍ଲିଙ୍ଗ ପୀଠ । ତୁଳସୀ ଦାସ ରାମ ଚରିତ ମାନସ, କାକ ଭୂଷଣ୍ଡି ଉପଖ୍ୟାନରେ କାକଭୂଷଣ୍ଡି ତାଙ୍କର ଗୋଟିଏ ଜନ୍ମରେ ଏହି ଠାରେ ଅବସ୍ଥାନ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି । ଏକଥାରୁ ଅନୁମିତ ହୁଏ, ରାମାୟଣ ଯୁଗରେ ମଧ୍ୟ ଅବନ୍ତୀ ଓ ମହାକାଳ ପୀଠ ପ୍ରସିଦ୍ଧ ଥିଲା ।
ଉଜ୍ଜୟିନିରେ ରହିଛି ଜୟସିଂହ ପ୍ରତିଷ୍ଠା କରିଥିବା ମାନମନ୍ଦିର । ମହାରାଜା ଜୟ ସିଂହ ଉଜ୍ଜୟିନୀ ସହ ଜୟପୁର ଓ ଦିଲ୍ଲୀରେ ଯନ୍ତର ମନ୍ତର ମାନ ମନ୍ଦିର ସ୍ଥାପନ କରିଥିଲେ । ମହାକାଳଙ୍କ ମନ୍ଦିର ତୃତୀୟ ମହଲାରେ ରହିଛି ନାଗ ପଞ୍ଚେଶ୍ବର ଶିବ ଲିଙ୍ଗ । ଏହା କେବଳ ନାଗ ପଞ୍ଚମୀ ଦିନ ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ହୁଏ ।
ସିପ୍ରା ନଦୀ ଜଳରେ ମହାକାଳଙ୍କ ସ୍ନାନାଦି ସମସ୍ତ କାର୍ଯ୍ୟ ହୋଇଥାଏ । ଶ୍ରାବଣ ମାସରେ ମହାକାଳ ସିପ୍ରାରେ ସ୍ନାନ ନିମନ୍ତେ ଯାଆନ୍ତି । ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ଼ ହୁଏ ।
ପୁରାଣରେ ବର୍ଣ୍ଣିନାରହିଛି ରାଜା ଭର୍ତ୍ତୃହରି ଇନ୍ଦ୍ରଙ୍କ ଠାରୁ ଉଜ୍ଜୟିନୀ ରାଜ୍ୟ ପ୍ରାପ୍ତକରିଥିଲେ । ତାଙ୍କରି ଦ୍ୱାରା ବିଖ୍ୟାତ ଭର୍ତ୍ତୃହରିଶତକ ରଚିତ ।
ମହାକବି କାଳିଦାସ ବିକ୍ରମାଦିତ୍ୟଙ୍କ ସଭା ନବ ରତ୍ନ ପଣ୍ଡିତ ମାନଙ୍କମଧ୍ୟରେ ଅନ୍ୟତମ । ମହାକବି ମହାକାବ୍ୟ ମେଘଦୂତମରେ ମହାକାଳଙ୍କ ମହିମା ଅତି ସୁନ୍ଦର ଭାବେ ଲିପିବଦ୍ଧ କରି ଯାଇଛନ୍ତି ।
ଇତିହାସରୁ ଜଣାଯାଏ ଇଲତୁତମିସ 1234-35 ଖ୍ରୀଷ୍ଟାବ୍ଦରେ ମହାକାଳ ମନ୍ଦିର ଧ୍ବଂସ କରି ଲିଙ୍ଗକୁ ଖଣ୍ଡ ଖଣ୍ଡ କରି କୋଟିତୀର୍ଥ ସରୋବରରେ ଫିଙ୍ଗି ଦେଇଥିଲେ । ପରବର୍ତ୍ତୀ କାଳରେ ପୁଣି ହିନ୍ଦୁରାଜା ମାନଙ୍କ ଦ୍ୱାରା ଏହା ପୁନଃ ନିର୍ମିତ ହୋଇ ଥିଲା ।
ମରହଟ୍ଟା ସେନାପତି ରଣଜୀ ସିନ୍ଦେ 1794 ରେ ମନ୍ଦିରର ବହୁଳ ଉନ୍ନତିକରଣ କରିଥିଲେ ।
ମହାକାଳଙ୍କ ବର୍ତ୍ତମାନ ମନ୍ଦିରଟି ମରହଟ୍ଟା ଶାସକ ଦୁଲାଳ ରାଓ ସିନ୍ଧେଙ୍କ ରାଣୀ ବୈଜାବାଇ ଅଠରଶହ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରିଥିଲେ, ପରେ ଏହା ଗୋଆଲିଅରର ସିନ୍ଧିଆଙ୍କ ତତ୍ୱାବଧାନରେ ରହିଥିଲା । ଏବେ ଏକ ସରକାରୀ ଟ୍ରଷ୍ଟ ବୋର୍ଡ ଓ ଉଜ୍ଜୟିନୀ ନଗର ନିଗମ ଦ୍ୱାରା ଏହା ପରିଚାଳିତ ହେଉଛି ।
ମହାକାଳଙ୍କ ଅବସ୍ଥିତି ଯୋଗୁଁ ଉଜ୍ଜୟିନୀ ନଗର ମହାକାଳ ନଗରୀ ଭାବେ ପରିଚିତ ହୋଇଥାଏ । ଶ୍ରୀମହାକାଳଙ୍କ ପୀଠ ବହୁ ପ୍ରାଚୀନ କାଳରୁ ଏକ ପ୍ରସିଦ୍ଧ ଶୈବ ତୀର୍ଥର ମର୍ଯ୍ୟାଦା ବଜାୟ ରଖିଛି ।
ମହିମାମୟ ଶ୍ରୀ ମହାକାଳ ତିନି ଜଗତକୁ ବ୍ୟାପି ରହିଛନ୍ତି । ସେ ସ୍ଵର୍ଗରେ ତର୍କ ଲିଙ୍ଗ, ପାତାଳରେ ହଟକେଶ୍ୱର, ମର୍ତ୍ତ୍ୟରେ ମହାକାଳ ରୂପେ ପ୍ରସିଦ୍ଧ । ନିମ୍ନ ଶ୍ଳୋକଟିରୁ ଏହା ଜଣା ପଡ଼ିଥାଏ :-
‘ଆକାଶେ ତର୍କ ଲିଙ୍ଗମ୍ ପାତାଳେ ହଟକେଶ୍ୱରମ୍,
ମୃତ୍ୟୁଲୋକେ ମହାକାଳମ୍ ଲିଙ୍ଗତ୍ରୟ ନମସ୍ତୁତେ’
ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ଶ୍ରୀମହାକାଳ ତୃତୀୟ ଲିଙ୍ଗ ବୋଲି ନିମ୍ନ ଶ୍ଳୋକରୁ ଜଣାଯାଏ :-
ସୌରାଷ୍ଟ୍ରେ ସୋମନାଥଂ ଚ
ଶ୍ରୀଶୈଲେ ମଲ୍ଲିକାର୍ଜ୍ଜୁନମ୍,
ଉଜ୍ଜୟିନ୍ୟାଂ ମହାକାଳମ୍,
ଓଁକାରମ୍ ତ୍ୱମ୍ମଲେଶ୍ୱରମ୍ ।।
ଓଁ ନମଃ ଶିବାୟଃ
🙏🙏🙏
ଅର୍ଜୁନୀ
ମୋ – 7693091971