ଦ୍ବାଦଶ ଜ୍ୟୋତିର୍ଲିଙ୍ଗ
୧. ସୌରାଷ୍ଟ୍ରେ ସୋମନାଥ
“ଏହାକୁ ଉଦ୍ଘାଟନ କରିଥିଲେ ରାଷ୍ଟ୍ରପତି ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ । ଋଷିକଳ୍ପ କେ.ଏମ.ମୁନସୀଙ୍କ ତତ୍ୱାବଧାନରେ ଏହି ନୂତନ ମନ୍ଦିର ନିର୍ମାଣ ହୋଇଥିଲା । “
ତ୍ରିଦେବ ବ୍ରହ୍ମା,ବିଷ୍ଣୁ,ମହେଶ୍ୱର ହିନ୍ଦୁ ଧାର୍ମିକ ବିଶ୍ୱାସରେ ସୃଷ୍ଟି,ସ୍ଥିତି ଓ ସଂହାରର ଦେବତା ରୂପେ ବିବେଚିତ ହୁଅନ୍ତି । ମହେଶ୍ୱର ବା ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବ ଦେବ ମହାଦେବ । ସେ ସତ୍ୟ,ଶିବ,ସୁନ୍ଦର ଓ ଆଶୁ ବର ପ୍ରଦାନ କାରୀ ଆଶୁତୋଷ । ସେ ଅକାଳ ମୃତ୍ୟୁ ଭୟ ହରଣ କାରି ଅକର୍ମ କର୍ମ ଦାୟକ ମହା ଶକ୍ତି ମୃତ୍ୟୁଞ୍ଜୟ । ସେ ହଳା ହଳ କାଳ କୂଟ ପାନକାରି ନୀଳକଣ୍ଠ । ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରି ତାଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ । ଶିବ ପଞ୍ଚାକ୍ଷର ମନ୍ତ୍ର ” ଓଁ ନମଃ ଶିବାୟ” ଜପ କରି ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖ ତାପରୁ ମୁକ୍ତି ପାଇଥାଏ ।
ସଦା ଶିବଙ୍କର ତେଜୋଦୀପ୍ତ ଜ୍ୟୋତିର ସ୍ୱୟଂ ପ୍ରକାଶ ହେଉଛି ଜ୍ୟୋତିର୍ଲିଙ୍ଗ । ପୌରାଣିକ ବର୍ଣ୍ଣନା ଅନୁଯାୟୀ ମହାଦେବ ଜ୍ୟୋତି ସ୍ୱରୂପେ ଜ୍ୟୋତିସ୍ତମ୍ଭ ବା ଜ୍ୟୋତିର୍ଲିଙ୍ଗ ରୂପେ ଭାରତବର୍ଷର ବାର ଗୋଟି ପବିତ୍ର ସ୍ଥାନରେ ଆବିର୍ଭୂତ ହୋଇ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଭାବେ ପୁଜା ପାଉଛନ୍ତି ।
ଗୁଜରାଟ ରାଜ୍ୟର ବେରାବଲ ନିକଟସ୍ଥ ଆରବ ସାଗର ତଟରେ ପ୍ରଭାସତୀର୍ଥ ଠାରେ ବିରାଜମାନ କରୁଛନ୍ତି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ବାବା ସୋମନାଥ ।
ପୌରାଣିକ କିମ୍ବଦନ୍ତୀରୁ ଜଣାଯାଏ ନକ୍ଷତ୍ରପତି ସୋମ ବା ଚନ୍ଦ୍ରଦେବ ତାଙ୍କ ଶ୍ୱଶୁର ଦକ୍ଷଙ୍କ ଅଭିଶାପରୁ କ୍ଷୟରୋଗ ବା ରାଜଯକ୍ଷ୍ମା ରୋଗଗ୍ରସ୍ତ ହୋଇଥିଲେ । ସେ ପ୍ରଭାସ ତୀର୍ଥରେ ଭଗବାନ ଶିବଙ୍କର ଆରାଧନା କରି ଏହି ଦୁରାରୋଗ୍ୟ ବ୍ୟାଧିରୁ ଆରୋଗ୍ୟଲାଭ କରିଥିଲେ । ସେ ଉପାସନା କରୁଥିବା ଶିବଲିଙ୍ଗ ଏହି ଜ୍ୟୋତିର୍ଲିଙ୍ଗ ସୋମନାଥ ।
ଦକ୍ଷଜାମାତା ସୋମ ଅଭିଶାପରୁ ମୁକ୍ତିପାଇବା ପରେ ପ୍ରଥମେ ସୁନାରେ ମନ୍ଦିର ନିର୍ମାଣ କରିଥିଲେ । ଏହା ସତ୍ୟଯୁଗର କଥା । ତ୍ରେତୟା ଯୁଗରେ ମହାନ ଶିବ ଭକ୍ତ ଦଶାନନ ରାବଣ ଏହି ମନ୍ଦିରକୁ ରୁପାରେ ଏବଂ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ସୋମନାଥଙ୍କ ମନ୍ଦିର ଚନ୍ଦନ କାଠରେ ନିର୍ମାଣ କରିଥିଲେ ।
ସୋମନାଥର ଅର୍ଥ ସୋମ ବା ଚନ୍ଦ୍ରଙ୍କର ନାଥ ବା ରକ୍ଷାକାରି ।
ଶିବପୁରାଣ ଅନୁସାରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଓ ପାଳନକର୍ତ୍ତା ବିଷ୍ଣୁଙ୍କ ମଧ୍ୟରେ କଳହ ଉପନୀତ ହେବାରୁ ସେମାନଙ୍କୁ ପରୀକ୍ଷା କରିବା ପାଇଁ ସଂହାରକର୍ତ୍ତା ଶିବଙ୍କର ଏକ ଅଲୋକ ରଶ୍ମି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଭେଦ କରି ପ୍ରକଟ ହେଲା । ଏହି ଅଲୋକ ଶିଖାର ଅନ୍ତ ଭାଗକୁ ଠାବ କରିବା ପାଇଁ ବିଷ୍ଣୁ ମର୍ତ୍ତ୍ୟକୁ ଆସିଲେ ଓ ବ୍ରହ୍ମା ସ୍ୱର୍ଗକୁ ଗଲେ । ବ୍ରହ୍ମା ଆଲୋକରଶ୍ମିର ଅନ୍ତକୁ ଦେଖିଲେ ବୋଲି ମିଛରେ କହିଲେ । ବିଷ୍ଣୁ ଏହା ଶୁଣି ନିଜର ପରାଜୟ ସ୍ୱୀକର କଲେ । ଶିବ ଏକଥା ଜାଣିପାରି ପୁଣି ଆଉ ଏକ ଦ୍ୱିତୀୟ ଅଲୋକ ସ୍ତମ୍ଭ ଭାବରେ ଆବିର୍ଭୂତ ହେଲେ ଏବଂ ପିତାମହଙ୍କୁ ମିଥ୍ୟା କହି ଥିବାରୁ ଅଭିଶାପ ଦେଲେ, ସେ ମର୍ତ୍ତ୍ୟରେ କୌଣସି ସ୍ଥାନରେ ପୂଜା ପାଇବେ ନାହିଁ । ଯାବତ ଚନ୍ଦ୍ରାର୍କେ ସୃଷ୍ଟି ଥିବ ସମସ୍ତେ ବିଷ୍ଣୁଙ୍କୁ ପୂଜା କରିବେ ।
ଏହି ଦ୍ୱିତୀୟ ଅଲୋକ ରଶ୍ମି ହେଉଛି ଜ୍ୟୋତିର୍ଲିଙ୍ଗ । ଜ୍ୟୋତିର୍ଲିଙ୍ଗ ପୀଠ ମାନଙ୍କରେ ଶିବଙ୍କୁ ଏକ ଅଲୋକ ସ୍ତମ୍ଭ ରୂପରେ ପୂଜା କରାଯାଏ । ଏଭଳି ଭାରତରେ ମୋଟ ୬୪ ଗୋଟି ଜ୍ୟୋତିର୍ଲିଙ୍ଗ ରହିଛି ବୋଲି ବିଶ୍ୱାସ କରାଯାଏ । ସେଥିମଧ୍ୟରୁ ୧୨ ଗୋଟି ପୀଠ ହେଉଛି ଅତି ପବିତ୍ର ଯାହା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଭାବେ ଖ୍ୟାତ ।
ଗୁଜରାଟର ସୌରାଷ୍ଟ୍ର ଉପକୂଳରେ ବିରାଜିତ ଆଜିର ସୋମନାଥ ମନ୍ଦିର ଏଭଳି ନିର୍ମାଣ କରାଯାଇଛି ମନ୍ଦିର ନିକଟ ସମୁଦ୍ର କୂଳରୁ ଅଣ୍ଟାର୍କଟିକା ପର୍ଯ୍ୟନ୍ତ ସରଳ ରେଖାରେ କୌଣସି ଭୂଖଣ୍ଡ ନାହିଁ । ବହୁ ରାଜା ମହା ରାଜାଙ୍କ ଦାନରେ ପରିପୁଷ୍ଟ ପ୍ରାଚୀନ ଭାରତର ଏହି ଐଶ୍ବର୍ଯ୍ୟଶାଳୀ ସୋମନାଥ ମନ୍ଦିର ବିଦେଶୀ ଲୁଣ୍ଠନକାରୀଙ୍କ ଦ୍ୱାରା ସତର ଥର ଲୁଣ୍ଠିତ ହୋଇଥିଲା ବୋଲି ଇତିହାସରୁ ଜଣା ଯାଇଥାଏ ।
ଭୁଲୁଣ୍ଠିତ ସୋମନାଥ ମନ୍ଦିରକୁ ସତରଶ ଶତାବ୍ଦୀରେ ଇନ୍ଦୋରର ରାଣୀ ଅହଲ୍ୟାବାଈ ହୋଲକାର ପୁନଃ ନିର୍ମାଣ କରାଇ ଥିଲେ । ସୋମନାଥଙ୍କ ବର୍ତ୍ତମାନର ଭବ୍ୟ ମନ୍ଦିର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଈ ପଟେଲଙ୍କ ପ୍ରଚେଷ୍ଟାରେ 1951ରେ ନିର୍ମାଣ କରାଯାଇଛି ।
ଭାରତୀୟ ସଂସ୍କୃତିରେ ସୋମନାଥ ମନ୍ଦିର
———————————
ସୋମନାଥ ମନ୍ଦିର ଦର୍ଶନ ପ୍ରତ୍ୟେକ ଭାରତୀୟଙ୍କ ଏକ ଚିରନ୍ତନ କାମନା । କାରଣ ଏହା ପଛରେ ଜଡ଼ିତ ରହିଛି ଭାରତ ଓ ଏହାର ସଂସ୍କୃତି ଉପରେ ବିଧର୍ମୀ ତଥା ବିଦେଶୀ ମାନଙ୍କର ରକ୍ତ ରଞ୍ଜିତ ଆକ୍ରମଣର ଜୀବନ୍ତ ଇତିହାସ । ପୁରାଣରେ ସୋମନାଥଙ୍କ କ୍ଷେତ୍ର ପ୍ରଭାସ କ୍ଷେତ୍ର ନାମରେ ପ୍ରସିଦ୍ଧ ।
ଏଠାରେ ପ୍ରବାହିତ ତିନୋଟି ପବିତ୍ର ନଦୀ ହିରନା, କପିଳା ଓ ସରସ୍ବତୀ ମିଳିତ ହୋଇ ଏକ ପବିତ୍ର ସଂଗମ ସୃଷ୍ଟି କରିଛନ୍ତି । ବୈଦିକ ଯୁଗରେ ତପସ୍ୟା ରତ ଅନେକ ମୁନିଋଷିଙ୍କ ଆଶ୍ରମ ଏଠାରେ ଥିଲା ବୋଲି କଥିତ ହୁଏ । ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ବାବା ସୋମନାଥ ହେଉଛନ୍ତି ସର୍ବ ପ୍ରଧାନ ଯାହାର ସୀମା ନିର୍ଦ୍ଧାରଣ କରିବାକୁ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ପାଳନ କର୍ତ୍ତା ବିଷ୍ଣୁ ସକ୍ଷମ ହୋଇ ପାରି ନଥିଲେ । ଚନ୍ଦ୍ର ଏଠାରେ ଶିବଙ୍କୁ ତପସ୍ୟା କରି ତାଙ୍କର ପୂର୍ବ ପ୍ରକାଶ ବା ଜ୍ୟୋତି ଫେରି ପାଇ ଥିବାରୁ ଏ ତୀର୍ଥର ନାମ ହୋଇଛି ପ୍ରଭାସ ।
ଏଠି ଭଗବାନ ଶିବଙ୍କର ପ୍ରଥମ ମନ୍ଦିର ଚନ୍ଦ୍ରଙ୍କ ଦ୍ୱାରା ନିର୍ମିତ ହୋଇଥିଲା ବୋଲି ପୁରାଣରେ ଉଲ୍ଲେଖ ଅଛି ।
ଭଗବାନ ଶ୍ରୀକୃଷ୍ଣ ଶିଆଳି ଲଟା ମଧ୍ୟରେ ବିଶ୍ରାମ ନେଉଥିବାବେଳେ ଜରା ଶବରର ଶରରେ ଆହତ ହୋଇ ଏହିଠାରେ ପ୍ରାଣ ତ୍ୟାଗ ପୂର୍ବକ ବୈକୁଣ୍ଠ ଗମନ କରିଥିଲେ । ଜ୍ୟେଷ୍ଠଭ୍ରାତା ବଳରାମ ମଧ୍ୟ ଏହିଠାରେ ଦେହ ତ୍ୟାଗ କରି ସର୍ପ ଶେଷନାଗ ରୂପରେ ସାଗର ଗର୍ଭରେ ଅନ୍ତର୍ଧ୍ୟାନ ହୋଇ ଯାଇଇଥିଲେ । ଲୀଳାବତାର ଶ୍ରୀକୃଷ୍ଣ ବଳରାମଙ୍କ ଲୀଳା ଅବସାନର କରୁଣ କାହାଣୀ ଚିତ୍ରିତ ହୋଇଛି ଏଠାରେ ଥିବା ଗୋଲକ ଧାମ ମନ୍ଦିରରେ ।
ଇତିହାସ ପୃଷ୍ଠାରେ ଶହଶହ ବର୍ଷ ଧରି ଏହି ତୀର୍ଥ ପଶ୍ଚିମ ଭାରତ ତଥା ସିନ୍ଧୁପ୍ରଦେଶ ଓ ଆଫଗାନିସ୍ଥାନରେ ଖ୍ୟାତିଲାଭ କରିଥିଲା । ପ୍ରତି ବର୍ଷ ଅସଂଖ୍ୟ ତୀର୍ଥ ଯାତ୍ରୀ ଥର ମରୁଭୂମୀ ଏବଂ ଗିରନାର ପର୍ବତ ପାର ହୋଇ ସୋମନାଥଙ୍କ ଦର୍ଶନ କରୁଥିଲେ ।
ଐଶ୍ୱର୍ଯ୍ୟ ଶାଳୀ ଏହି ମନ୍ଦିରର ଖ୍ୟାତି ହିଁ ଏହାର ଶତ୍ରୁ ହୋଇଥିଲା । ପ୍ରଥମେ ୯୩୭ ଖ୍ରୀଷ୍ଟାବ୍ଦରେ ସିନ୍ଧୁ ପ୍ରଦେଶର ଆଲ୍ ଜଆଜ୍ ଏହି ମନ୍ଦିରକୁ ଆକ୍ରମଣ କରି ଧ୍ୱଂସ କରିଦେଇ ଥିଲେ । ପରେ ପୁଣି ଏହି ମନ୍ଦିର ଆହୁରି ଆକର୍ଷଣୀୟ ହୋଇ ପ୍ରତିହାର ସମ୍ରାଟ ନାଗାଦୀତ୍ୟଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।
୧୦୨୪ ଖ୍ରୀଷ୍ଟାବ୍ଦରେଏହି ମନ୍ଦିର ଉପରକୁ ଭୟଙ୍କର ବିପଦ ମାଡ଼ି ଆସିଥିଲା । ଆଫଗାନିସ୍ଥାନ ଗଜନୀ ରାଜ୍ୟର ଶାସନକର୍ତ୍ତା ଦୁର୍ଦ୍ଧଶ ସୁଲତାନ ମାମୁଦ ଲକ୍ଷାଧିକ ସୈନ୍ୟ ଧରି ଥର ମରୂଭୂମୀ ଏବଂ ଜୁନାଗଡ଼ ଜଙ୍ଗଲ ଅତିକ୍ରମ କରି ଏହି ମନ୍ଦିର ଉପରେ ଆକ୍ରମଣ କରିଥିଲେ । ସେତେବେଳକୁ ସେ ୧୪ଥର ଭାରତ ଆକ୍ରମଣ କରି ସାରିଥିଲେ । ତାଙ୍କର ଭୟଙ୍କର ପଟୁଆର ଦେଖି ପ୍ରଭାସ ପାଟଣାର ଶାସକ ଭୀମ ସିଂହ ଭୟରେ ପଳାୟନ କଲେ । ମନ୍ଦିର ମଧ୍ୟରେ ସମବେତ ଭକ୍ତ ଓ ପୂଜକ ମିଶି ମାମୁଦଙ୍କ ବାହିନୀକୁ ପ୍ରତିରୋଧ କଲେ । ତିନିଦିନ ଧରି ପ୍ରବଳ ଯୁଦ୍ଧ ଚାଲିଲା । ପଚାଶ ହଜାର ଭକ୍ତ ଓ ସେବକ ନିହତ ହେଲେ । ସୁଲତାନ ମାମୁଦ୍ ଦୃଢ଼ ପ୍ରହାର କରି ଶିବ ଲିଙ୍ଗକୁ ଭାଙ୍ଗି ଖଣ୍ଡଖଣ୍ଡ କରିଦେଲେ ଓ ମନ୍ଦିରର ସମସ୍ତ ଧନ ଲୁଣ୍ଠନ କରି ନିଜ ଦେଶକୁ ବୋହିନେଲେ ।
ଅଳ୍ପଦିନ ପରେ ପୁଣି ଭବ୍ୟ ନୂତନ ମନ୍ଦିର ତିଆରିହେଲା । ହେଲେ ଦିଲ୍ଲୀ ସୁଲତାନ ଆଲ୍ଲାଉଦ୍ଦିନ ଖିଲିଜ୍ ଓ ଗୁଜୁରାଟ ରାଜ୍ୟର ଶାସକ ମହମ୍ମଦ ବେଗଟା ଓ ପର୍ତୂଗୀଜ୍ ମାନେ ମିଶି ଏହି ନୂତନ ମନ୍ଦିରକୁ ଭାଙ୍ଗି ଦେଲେ । ପୁଣି ମନ୍ଦିର ତିଆରି ହେଲା ଓ ଏହାକୁ ଶେଷରେ ମୋଗଲ ସମ୍ରାଟ ଆଉରେଙ୍ଗଜେବ୍ ଭାଙ୍ଗି ଦେଲେ । ଏହି ଭଳି ଭଙ୍ଗା ଗଢା ମଧ୍ୟରେ ଗଡ଼ି ଚାଲିଥିଲା ସମୟ । ମୋଗଲ ଶକ୍ତି କ୍ଷୀଣ ହେବା ପରେ ପୁଣି ନୂତନ ମନ୍ଦିର ତିଆରି ହେଲା । ମରହଟ୍ଟା ଶାସକ ବୀର ମହୋଦଧି ସିନ୍ଧେ ଲାହୋରରୁ ମନ୍ଦିରର ରୂପା କବାଟ ଉଦ୍ଧାର କରି ଆଣିଲେ ।
ଖ୍ରୀଅ ୧୮୪୨ରେ ଇଂରେଜମାନେ ଆଫଗାନିସ୍ତାନକୁ ଆକ୍ରମଣ କରି ଗଜନୀକୁ ଧୂଳିସାତ କରିଦେଲେ ଓ ସେଠାରେ ଥିବା ସୋମନାଥ ମନ୍ଦିର ଚନ୍ଦନ କବାଟକୁ ଫେରାଇ ଆଣିଲେ ।
୧୯୪୭ ମସିହାରେ ଭାରତ ସ୍ୱାଧୀନ ହେଲା । ଗୁଜୁରାଟ ପ୍ରଦେଶର ବରପୁତ୍ର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭାରତର ଗୃହ ମନ୍ତ୍ରୀ ହେଲେ । ଭାରତୀୟ ସଂସ୍କୃତିର ଉଦ୍ଧାର ପାଇଁ କ୍ଷୟ ପ୍ରାପ୍ତ ଭଗ୍ନ ସୋମନାଥ ମନ୍ଦିର ପୁନଃ ନିର୍ମାଣ ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ ସଗର୍ବେ ଘୋଷଣା କଲେ ।
ତାଙ୍କୁ ଆଶୀର୍ବାଦ କରି ମହାତ୍ମାଗାନ୍ଧୀ କହିଥିଲେ,“ ସରକାରୀ ଅର୍ଥରେ ନୁହେଁ, ଜନସାଧାରଣଙ୍କ ଠାରୁ ସଂଗୃହୀତ ଅର୍ଥରେ ମନ୍ଦିର ନିର୍ମାଣ ହେଉ !”
ସେହି ଅନୁସାରେ ୧୯୫୧ ମସିହାରେ ବର୍ତ୍ତମାନର ଭବ୍ୟ ମନ୍ଦିର ଆରବ ସାଗର କୂଳରେ ଶୋଭା ପାଇଲା । ଏହାକୁ ଉଦଘାଟନ କରିଥିଲେ ସ୍ୱାଧୀନଭାରତର ପ୍ରଥମ ରାଷ୍ଟ୍ରପତି ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ । ଋଷିକଳ୍ପ କେ.ଏମ.ମୁନସୀଙ୍କ ତତ୍ୱାବଧାନରେ ଏହି ନୂତନ ମନ୍ଦିର ନିର୍ମାଣ ହୋଇଥିଲା ।
ଏବେକାର ନବ ନିର୍ମିତ ବିଶାଳ ମନ୍ଦିରଟି ପୁରାତନ ମନ୍ଦିର ଭଳି ଚାଲୁକ୍ୟ କଳା ଶୈଳୀରେ ନିର୍ମିତ ହୋଇଛି । ପୂର୍ବ ପରି ପ୍ରଭୁଙ୍କ ଲିଙ୍ଗକୁ ଦୁର୍ଲ୍ଲଭ ମଣି ରତ୍ନ ଖଚିତ କରା ହୋଇଛି । ରାତି ୮ଟାରେ ଲାଇଟ୍ ଏଣ୍ଡ ସାଉଣ୍ଡ ସୋ ମାଧ୍ୟମରେ ଦର୍ଶକମାନେ ଇତିହାସର ସେହି ଘଟଣା ବହୁଳ ଛିନ୍ନ ପୃଷ୍ଠାକୁ ଅବଲୋକନ କରନ୍ତି ।
ଇତିହାସର ରକ୍ତରଞ୍ଜିତ ଘୋର ଘନଘଟା ମଧ୍ୟରେ ଗତିକରି ଆଜି ଆରବ ସାଗର କୂଳରେ ଭାରତୀୟ ସଂସ୍କୃତିର ମୂର୍ତ୍ତିମନ୍ତ ପ୍ରତୀକ ସୋମନାଥ ମନ୍ଦିର ସଗର୍ବେ ଦଣ୍ଡାୟମାନ । ଏହା ଘୋଷଣା କରୁଛି ବିନଷ୍ଟକାରୀ ଶକ୍ତି ଯେତେ ଭୟଙ୍କର ହେଲେ ମଧ୍ୟ ସୃଷ୍ଟିକାରୀ ଶକ୍ତି ନିକଟରେ ତାହା ମଥାନତ କରିବାକୁ ବାଧ୍ୟ ।
ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ସୋମନାଥ ପ୍ରଥମ ଲିଙ୍ଗ ବୋଲି ନିମ୍ନ ସ୍ତୁତି ଶ୍ଳୋକରୁ ଜଣାଯାଏ :-
ସୌରାଷ୍ଟ୍ରେ ସୋମନାଥଂ ଚ ଶ୍ରୀଶୈଲେ ମଲ୍ଲିକାର୍ଜ୍ଜୁନମ୍
ଉଜ୍ଜୟିନ୍ୟାଂ ମହାକାଳମ୍, ଓଁକାରମ୍ ତ୍ୱମ୍ମଲେଶ୍ୱରମ୍ ।।
ପରଲ୍ୟା ବୈଦ୍ୟନାଥଂ ଚ , ଡାକିନ୍ୟାଂ ଭିମଶଙ୍କରମ୍,
ସେତୁବନ୍ଧେ ତୁ ରାମେଶମ୍ ନାଗେଶମ୍ ଦାରୁକବନେ ।।
ବାରଣସ୍ୟାଂ ତୁ ବିଶ୍ୱେଶଂ, ତ୍ର୍ୟମ୍ବକଂ ଗୈାତମୀତଟେ,
ହିମାଳୟେ ତୁ କେଦାରଂ ଘୃଶ୍ନେଶଂ ଚ ଶିବାଳୟେ ।।
ଏତାନି ଜ୍ୟୋତିର୍ଲିଙ୍ଗାନି ସାୟଂ ପ୍ରାତଃ ପଠେନ୍ନର
ସପ୍ତ ଜନ୍ମ କୃତଂ ପାପମ୍ ସ୍ମରଣେନ ବିନଶ୍ୟନ୍ତି ।।
🌷🌷🌷🌷🌷
🙏🙏🙏
ଅର୍ଜୁନୀ
ମୋ – 7693091971