ସାଧୁ କହିଲେ, “ମହାରାଜ! ଆପଣଙ୍କ ସମ୍ମୁଖରେ ଥିବା ଏ ଦୁଇଟି ପର୍ବତ ପାର କରି ଗଲାପରେ ଆପଣ ସେଠାରେ ଏକ ହ୍ରଦ ପାଇବେ। ଏହାର ପାଣି ପିଇଲେ ଆପଣ ଅମର ହୋଇଯିବେ।”
ଥରେ, ଜଣେ ରାଜା ଜଣେ ସାଧୁଙ୍କ ପାଖକୁ ଗଲେ, ଯିଏ ଜଙ୍ଗଲ ଭିତରେ ଏକ ଗଛ ତଳେ ବସିଥିଲେ। ରାଜା ପଚାରିଲେ, “ହେ ସାଧୁ ମହାତ୍ମା ! ଅମରତ୍ୱ ପ୍ରଦାନ କରିପାରୁଥିବା କୌଣସି ଔଷଧ ଅଛି କି ? ଦୟାକରି ମୋତେ କୁହନ୍ତୁ।”
ସାଧୁ କହିଲେ, “ମହାରାଜ! ଆପଣଙ୍କ ସମ୍ମୁଖରେ ଥିବା ଏ ଦୁଇଟି ପର୍ବତ ପାର କରି ଗଲାପରେ ଆପଣ ସେଠାରେ ଏକ ହ୍ରଦ ପାଇବେ। ଏହାର ପାଣି ପିଇଲେ ଆପଣ ଅମର ହୋଇଯିବେ।”
ରାଜା ପର୍ବତ ପାର ହୋଇ ସେ ହ୍ରଦ ପାଇଲେ। ଯେତେବେଳେ ସେ ପାଣି ପିଇବାକୁ ନଇଁ ପଡ଼ିଲେ, ସେ ଏକ ଆର୍ତ୍ତନାଦ ଶୁଣିଲେ। ସେଠାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ବୃଦ୍ଧ ଏବଂ ଦୁର୍ବଳ ବ୍ୟକ୍ତିଙ୍କୁ ରାଜା ଦେଖିଲେ।
ରାଜା କାରଣ ପଚାରିବାରୁ, ବ୍ୟକ୍ତି ଜଣକ କହିଲେ, “ମୁଁ ଏହି ହ୍ରଦର ପାଣି ପିଇ ଅମର ହୋଇଗଲି। ଯେତେବେଳେ ମୁଁ ଶହେ ବର୍ଷ ବୟସର ହୋଇଗଲି ଏବଂ ମୋର ମୃତ୍ୟୁ ହେଲା ନାହିଁ, ମୋ ପୁଅ ମୋତେ ଘରୁ ବାହାର କରିଦେଲା। ସେହି ଦିନଠାରୁ ମୁଁ ଏଠାରେ ପଡ଼ି ରହିଛି, ମୋର ଯତ୍ନ ନେବାକୁ କେହି ନାହାନ୍ତି। ମୋର ନାତି ନାତୁଣୀମାନେ ବି ଏବେ ବୃଦ୍ଧ ହୋଇଗଲେଣି। ମୁଁ ଖାଇବା ପିଇବା ବନ୍ଦ କରିଦେଇଛି, ତଥାପି ମୁଁ ମରୁ ନାହିଁ,ବଞ୍ଚିଛି।”
ରାଜା ଭାବିଲେ, “ବାର୍ଦ୍ଧକ୍ୟ ସହିତ ଅମରତ୍ବ, ଏହା ଅତ୍ୟନ୍ତ କଷ୍ଟ ଦାୟକ। ଅମରତ୍ବ ସହ ଚୀର ଯୌବନ ନଥିଲେ କିଛି ଲାଭ ନାହିଁ, କେବଳ ବାର୍ଦ୍ଧକ୍ୟ ଯନ୍ତ୍ରଣା ଭୋଗିବା ସାର।
ଅମରତ୍ବ ସହିତ ଚୀର ଯୌବନ କେମିତି ମିଳିବ, ସେହି କଥା ଭାବି ଭାବି ରାଜା ପୁଣି ସାଧୁଙ୍କ ପାଖକୁ ଫେରିଗଲେ ଏବଂ ଏ ସମସ୍ୟାର ସମାଧାନ ପାଇଁ ସାଧୁଙ୍କୁ ଅନୁରୋଧକଲେ।
ରାଜା କହିଲେ, “ସାଧୁ ମହାତ୍ମା ! ଦୟାକରି ମୋତେ ଅମରତ୍ବ ସହିତ ଚୀର ଯୌବନ ପ୍ରାପ୍ତିର ଉପାୟ କୁହନ୍ତୁ।”
ସାଧୁ କହିଲେ, “ସେ ହ୍ରଦ ପାର ହେବା ପରେ, ତୁମେ ଆଉ ଏକ ପର୍ବତ ପାଇବ। ଏହାକୁ ପାର କରି ଗଲେ ଏକ ଗଛ ପାଇବ। ସେହି ଗଛରେ କେବଳ ନାରଙ୍ଗୀ ରଙ୍ଗ ଯୁକ୍ତ ଫଳମାନ ଫଳିଥିବେ। ତୁମେ ସେହି ଫଳ ଖାଇଲେ ତୁମେ ଅମରତ୍ୱ ସହିତ ଚୀର ଯୌବନ ମଧ୍ୟ ପ୍ରାପ୍ତ ହେବ।”
ରାଜା ଦ୍ୱିତୀୟ ପର୍ବତ ପାର ହୋଇ ଏକ ଗଛ ଦେଖିଲେ ଯେଉଁଥିରେ ନାରଙ୍ଗୀ ଫଳ ଫଳିଥିଲା। ରାଜା ଖୁସିରେ ଆତ୍ମହରା ହୋଇଗଲେ ।
ଯେତେବେଳେ ସେ ଫଳ ତୋଳିବାକୁ ହାତ ବଢ଼ାଇଲେ, ସେତେବେଳେ ସେଠାରେ ଚାରି ଜଣ ଯୁବକ ପରସ୍ପର ମଧ୍ୟରେ ଭୟଙ୍କର ଯୁକ୍ତିତର୍କ ଏବଂ ଗଣ୍ଡଗୋଳ କରୁଥିବାର ଶବ୍ଦ ଶୁଣିଲେ। ସେମାନେ ନିଜ ନିଜ ଭିତରେ ମାଡ଼ପିଟ୍ ବାଡାବାଡି ହଣାକଟା ହେଇ ରକ୍ତାକ୍ତ ହୋଇପଡ଼ିଥିବାର ହୃଦୟ ବିଦାରକ ଦୃଶ୍ୟ ରାଜା ଦେଖିଲେ ।
ରାଜା ପଚାରିଲେ, “ତୁମେ କାହିଁକି ଝଗଡ଼ା କରୁଛ?”
ସେମାନଙ୍କ ମଧ୍ୟରୁ ଜଣେ କହିଲା, “ମୁଁ 250 ବର୍ଷ ବୟସ୍କ ଏବଂ ମୋ ଡାହାଣ ପାର୍ଶ୍ୱର ବ୍ୟକ୍ତି 300 ବର୍ଷ ବୟସ୍କ। ସେ ମୋତେ ସମ୍ପତ୍ତିର ମୋର ଅଂଶ ଦେଉନାହାଁନ୍ତି।”
ରାଜା ଡାହାଣ ପାର୍ଶ୍ୱର ବ୍ୟକ୍ତିଙ୍କୁ ଏ ସମ୍ପର୍କରେ ପଚାରିବାରୁ, ସେ କହିଲେ, “ମୋ ବାପା, ଯିଏ 350 ବର୍ଷ ବୟସ୍କ, ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି ଏବଂ ସେ ମୋତେ ମୋର ଅଂଶ ଦେଉନାହାଁନ୍ତି। ତେବେ ମୁଁ ମୋ ପୁଅକୁ କିପରି ଦେଇପାରିବି ?”
୩୫୦ ବର୍ଷ ବୟସ୍କ ଲୋକଟି ତାଙ୍କର 400 ବର୍ଷୀୟ ପିତାଙ୍କୁ ଦେଖାଇ କହିଲେ ଯେ, ଇଏ ମୋର ବାପା, ଏହାଙ୍କ ବୟସ ୪୦୦ ବର୍ଷ, ସିଏ ବି ସେ ହ୍ରଦରେ ସ୍ନାନ କରି, ସେ ହ୍ରଦ ଜଳ ପିଇ ଓ ଏ ନାରଙ୍ଗୀ ଫଳ ଖାଇ ଚୀର ଯୌବନ ପ୍ରାପ୍ତ ଏବଂ ଚୀର ଅମର ହୋଇ ବଞ୍ଚି ଅଛନ୍ତି । ସିଏ ଗୋଟେ ବଡ଼ ହାରାମି ଲୋକ, ସିଏ ଏପର୍ଯ୍ୟନ୍ତ ଆମ ପୈତୃକ ସମ୍ପତ୍ତି ଉପରୁ ତାଙ୍କର ମାଲିକାନା ଛାଡ଼ୁ ନାହାନ୍ତି କି ସେ ସମ୍ପତ୍ତି ଉପରେ ଆମମାନଙ୍କୁ ଭୋଗ ଦଖଲର ଅଧିକାର ଦେଉ ନାହାନ୍ତି।
ସମ୍ପତ୍ତି ପାଇଁ ଆମମାନଙ୍କ ଭିତରେ ସବୁଦିନ ଲାଗି ରହୁଥିବା କଳିଗୋଳ ମାରପିଟ୍ ହଣା କଟା କଳହ କନ୍ଦଳରେ ଅତିଷ୍ଠ ହୋଇ ଗାଁ ଲୋକେ ଆମ୍ଭମାନଙ୍କୁ ଗାଁରୁ ତଡି ଦେଇଛନ୍ତି।
ରାଜା ସାଧୁଙ୍କ ପାଖକୁ ଫେରି ଆସିଲେ ଏବଂ କହିଲେ, “ଆପଣ ମୋତେ ମୃତ୍ୟୁର ସୁନ୍ଦରତା ସମ୍ପର୍କରେ ଅତି ମହତ୍ତ୍ଵପୂର୍ଣ୍ଣ ଜ୍ଞାନ ଓ ଅନୁଭବ ପ୍ରଦାନ କରିଥିବା ହେତୁ ଆପଣଙ୍କୁ ଶତ ପ୍ରଣାମ।”
ସାଧୁ କହିଲେ – “ହେ ମହାରାଜ, ସେଥିପାଇଁ କୁହାଯାଏ, ମୃତ୍ୟୁ ଯୋଗୁଁ ଜୀବନ ସୁନ୍ଦର । ଅମରତ୍ୱ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ, ପ୍ରତ୍ୟେକ ଦିନ ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ନିଜେ ଖୁସିରେ ବଞ୍ଚିବା ସହ ଅନ୍ଯମାନେ କିପରି ସୁଖ ଶାନ୍ତିରେ ବଞ୍ଚିବେ ତହିଁର ଉପାୟ କରିବାକୁ ଚେଷ୍ଟା କର। ସୁଖ ବାଣ୍ଟିଲେ ସୁଖ ବଢେ, ଶାନ୍ତି ବାଣ୍ଟିଲେ ଶାନ୍ତି ବଢେ, ଜ୍ଞାନ ବାଣ୍ଟିଲେ ଜ୍ଞାନ ବଢେ , ଏ ସୁଖ ଶାନ୍ତି ଜ୍ଞାନ ଗୁଡା ସତରେ ଆଶ୍ଚର୍ଯ୍ୟଜନକ ଜିନିଷ ନୁହନ୍ତି କି ? ”
ରାଜା କହିଲେ – ସାଧୁ ମହାରାଜ!ଆପଣଙ୍କୁ ଶହେ ପ୍ରଣାମ।