ଷଡ ବରଷେ ନରହରି
କାନନେ ଚରାନ୍ତି ବାଛୁରୀ ।।
ଫଳ କୁସୁମ ତରୁଗଣେ
ଲାଗନ୍ତି ରାମର ଚରଣେ ।।
ଗୋପ ବାଳକଙ୍କ ସଙ୍ଗେ ଆନନ୍ଦରେ ଖେଳୁ ଖେଳୁ କାହ୍ନା ଦେଖିଲା ଫଳ ଫୁଲଭରା ବୃକ୍ଷରାଜି ବଳରାମଙ୍କ ପାଦରେ ଲୋଟୁଛନ୍ତି । କହୁଛନ୍ତି ଭାଇ ଦେଖ –
ଦେବେ ଗୁପତେ ବନଚାରୀ
ତୋତେ ପୂଜନ୍ତି ଧ୍ୟାନକରି ।।
ଦେବତାଗଣ ପଶୁ ପକ୍ଷୀ ତରୁ ତୃଣ ଗଖ ମୃଗ ଇତ୍ୟାଦି ରୃପ ଧାରଣ କରି ବୃନ୍ଦାବନରେ ବିଚରଣ କରୁଛନ୍ତି ଆପଣଙ୍କ କୃପାଟିକେ ପାଇବାକୁ। ସମସ୍ତେ ଆପଣଙ୍କ ପଦ ବନ୍ଦନା କରୁଛନ୍ତି।
ନଦୀ ପର୍ବତ ଖଗ ମୃଗ
ନିଶ୍ଚେ ଲଭିବେ ମୋକ୍ଷଯୋଗ।।
ବଡ ଭାଇକୁ କିପରି ସମ୍ମାନ ଦିଆଯାଏ ଏଠାରେ ଲୋକଶିକ୍ଷା ପାଇଁ ଉଦ୍ଦିଷ୍ଟ।
ବାଛୁରୀ ଚରୁଛନ୍ତି। ପିଲାମାନେ ନାନା ରଙ୍ଗରେ ପଶୁ ପକ୍ଷୀ ସ୍ଵରରେ ବଂଶୀ ବଜାଇ ନାଚୁଛନ୍ତି। ମଧ୍ୟରେ ବ୍ରଜଚନ୍ଦ୍ରମାର ଅପୂର୍ବ ନୃତ୍ୟ ।ନାଚି ନାଚି ବଳରାମ କ୍ଳାନ୍ତ।
ଶରୀରରୁ ଘର୍ମ ନିର୍ଗତ। ବଳରାମଙ୍କ ଥକାପଣ ଦେଖି କୃଷ୍ଣ ଗଛରେ ଚଢି କଅଁଳ ପତ୍ର ତୋଳିଆଣି ବୃକ୍ଷ ଛାୟାରେ ଶଯ୍ୟା ତିଆରି କରି ଦାଉଭାଇଙ୍କୁ ଶୁଆଇ ଦେଲେ। ଡାଳ ଧରି ବ୍ୟଜନ କରିବାକୁ ଲାଗିଲେ। ବଳରାମଙ୍କ ପାଦକୁ ଧୀରେ ଧୀରେ ଚାପିବାକୁ ଲାଗିଲେ।
ପୁଣି ଗୋପାଳ ପୁଅମାନେ ଏଭଳି ସେବାଦେଖି କୃଷ୍ଣଙ୍କର ସେବା ସେହିପରି କରିବାକୁ ଲାଗିଲେ।
ଏମନ୍ତେ ଗୋପବାଳ ସଙ୍ଗେ
କୃଷ୍ଣ କ୍ରୀଡନ୍ତି ନାନା ରଙ୍ଗେ ।।
ହଠାତ ଅଦୂରରୁ ପାଚିଲା ତାଳଫଳର ସୁଗନ୍ଧ ପବନରେ ଭାସି ଆସିଲା ।ପିଲାମାନଙ୍କର ତାଳ ଖାଇବା ଇଚ୍ଛା ହେଲା । ଶ୍ରୀଦାମ ସୁବଳ ମଧୁମଙ୍ଗଳ ସ୍ତୋକ ସମସ୍ତେ ମିଶି କହିଲେ କହ୍ନେଇ ଚାଲ ତାଳ ଖାଇବା । ଏ କାମକୁ କୃଷ୍ଣ ଆଗସର । ଆଗରେ ଚାଲିଲେ ପଛରେ ବଳରାମ ଓ ସଖାବୃନ୍ଦ ।
ହେଲେ ସେ ବଣରୁ ତାଳ ଖାଇବା ସହଜ ନ ଥିଲା । ଧେନୁକା ନାମରେ ଅସୁର ଗଧରୂପରେ ସକୁଟୁମ୍ଵେ ସେଠାରେ ବାସକରେ । ଅତ୍ୟନ୍ତ ବଳଶାଳୀ। ଦେବତାମାନେ ତାକୁ ଭୟ କରନ୍ତି । ବଳରାମ ତାଳ ଗଛକୁ ହଲାଇ ଦେଲେ । ଦୁଲଦାଲ ଶଦ୍ଦକରି ଗଛସହ ତାଳ ପଡିଲା । ଶଦ୍ଦଶୁଣି ଧେନୁକା ଆସି ଗର୍ଦ୍ଦଭ ସ୍ଵଭାବରେ ଗର୍ଜନ ତର୍ଜନ କଲା ।
ସାହସୀ ପିଲା କହିଲେ କିହୋ ତାଳଗୁଡା ପାଚିକି ପଡିକି ପଚି ଯାଉଛି ତଥାପି କାହାରିକୁ ଖାଇବାକୁ ଦେଉନ । ଆମେ ଖାଉଛୁ ଅସୁବିଧା କଣ ? ରାଗରେ ଧେନୁକା ପିଲାଙ୍କୁ ଆକ୍ରମଣ କରିବାକୁ ଆସନ୍ତେ ବଳରାମ ଆଗକୁ ଆସି ପ୍ରତିରୋଧ କଲେ । ଅସୁର ସ୍ଵଭାବ ସେ କି ବୁଝେ ସଜ୍ଜନର କଥା ।
ବେନି ଚରଣ ତୋଳି ବେଗେ
ମାଇଲା ହଳଧର ଅଙ୍ଗେ ।।
ଗଧର ସ୍ଵଭାବ। ପଛଗୋଡରେ ଲାତ ମାରିବ। ବାରମ୍ଵାର ଲାତରୁ ନିଜକୁ ବଞ୍ଚାଇ କ୍ରୋଧରେ ବଳରାମ ତା ଗୋଡ ଦୁଇଟାକୁ ଧରି ବୁଲାଇ ବୁଲାଇ ତାଳ ଗଛରେ ପିଟିଦେଲେ। ଅନେକ ଗଛ ଭାଙ୍ଗିଲା। ତାଳ ଗଦା ହୋଇଗଲା।
କରେ ବୁଲାନ୍ତେ ହଳଧର
ଜୀବନ ଛାଡିଲା ଅସୁର ।।
ତା ଜୀବନ ଯିବା ଦେଖି ତାର ଯେତେ ଅନୁଚର ଥିଲେ ସମସ୍ତେ ରାମଙ୍କୁ ଆକ୍ରମଣ କଲେ। ଏକା ରାମଙ୍କୁ ନିଅଣ୍ଟ।
ଏକ ଆରକେ ପ୍ରହାରିଲେ
ଅସୁରେ ଯମ ପୁର ଗଲେ ।।
ଏଠାରେ ରାମଙ୍କ ବଳର କଳନା କରାଯାଇଛି। ବଳରାମ ନାମ ସାର୍ଥକ ହୋଇଛି। ପିଲାମାନେ ମନ ଇଚ୍ଛା ତାଳ ଖାଇଲେ ଓ ଗଣ୍ଠିଲି କରି ଘରକୁ ବୋହିନେବାର ଉପକ୍ରମ କଲେ।
ଡ଼ର କାହାକୁ ଭୟ କାହାକୁ
କୃଷ୍ଣ ତ ଅଛି ଚଉବାହାକୁ ।।
ଏକ ଅଭାବନୀୟ ଘଟଣା ଘଟିଲା । ତାଳଖାଇକି ଶୋଷ ହେଲା ।ନିକଟରେ ଥିବା କାଳିନ୍ଦୀ ହ୍ରଦର ଶୀତଳ ଜଳ ଦେଖି ପିଲାମାନେ ପିଇଲେ ଓ ବାଛୁରୀ ମାନଙ୍କୁ ପିଆଇଲେ । କିନ୍ତୁ ହାୟ !
ସକଳେ କଲେ ଜଳପାନ
ତକ୍ଷଣେ ଛାଡିଲେ ଜୀବନ ।।
ଏହି ହ୍ରଦରେ ବାସୁକୀ ନାଗର ବଡଭାଇ କାଳିୟ ଗରୁଡ ଡରେ ଲୁଚିଛି ।ତାର ବିଷଜ୍ଵାଳାରେ ଏଜଳ ବିଷାକ୍ତ । ଯିଏ ପିଇବ ସିଏ ମରିବ । ଏଭଳି ଅଘଟଣ ଦେଖି କୃଷ୍ଣ ବିଚାର କଲେ ଏଭଳି ଜଳ ବୃନ୍ଦାବନ ପରି ଶତ୍ରୁ ମିତ୍ର ରହିତ ସ୍ଥାନରେ ରହିଲେ କେହି ବଞ୍ଚିବେ ନାହିଁ । ଜଗତ ମଙ୍ଗଳ ପାଇଁ ମୋର ଅବତାର ।
ଭାରା ନିବାରେ ମୁହିଁ ଜାତ
ଗୋପାଳେ ହୋଇଲେ ଅନାଥ ।।
ନିର୍ବିଷ କରିବଇଁ ଆଜ
ଏଣେ ମୋହର ବଡ କାର୍ଯ୍ୟ ।।
ଏମିତି ବିଚାର କରି ଅମୃତ ନୟନରେ ଅନାଇଁ ସମସ୍ତଙ୍କୁ ଜୀବଦାନ ଦେଲେ। ଅଲୌକିକ ଲୀଳା । ଭାବିଲେ କାଲିକି ଥାଉ । ଯୋଜନା କରିବା।
ସନ୍ଧ୍ୟାରେ ସମସ୍ତେ ମହାଆନନ୍ଦରେ ଘରକୁ ଫେରିଲେ ।
କୃଷ୍ଣ ଚରିତ ଭାଗବତ
କହଇ ଦାସ ଜଗନ୍ନାଥ ।।
ଜୟଶ୍ରୀକୃଷ୍ଣ ।
ଦଶମ ସ୍କନ୍ଧ । ଷୋଡଶ ଅଧ୍ୟାୟ ।
ଧେନୁକା ଯମାଳୟ ଗମନ
ବିନାୟକ ସତପଥି