ଦଶରଥ ଓ କେରଳୀ କନ୍ଯା ସୁମିତ୍ରାଙ୍କ ଵିଵାହ
================ଦଶରଥ କୁଳରକ୍ଷାପାଇଁ ବାଛି ବାଛି ବହୁ ନାରୀଙ୍କୁ ବିବାହକଲେ l ତାଙ୍କର ରାଣୀ ମାନଙ୍କ ସଂଖ୍ୟା ହେଲା ସାତ ଶହ ପଚାଶ l ତାଙ୍କ ମଧ୍ୟରେ, କୌଶଲ୍ୟା, କୈକେୟୀ ଓ ସୁମିତ୍ରା ଥିଲେ ଶ୍ରେଷ୍ଠ l
ଭାରତର ଦକ୍ଷିଣରେ, କେରଳ ଦେଶ । କେରଳର ରାଜା ଥିଲେ, ସୁମନ୍ତ୍ର। ତାଙ୍କର ଗୋଟିଏ ରୂପବତୀ ଓ ସର୍ଵଗୁଣସମ୍ପନ୍ନା କନ୍ୟା ଥିଲା ରାଜା ସୁମନ୍ତ୍ରଙ୍କ ନାମାନୁସାରେ କନ୍ୟାର ନାମ ଥିଲା ସୁମିତ୍ରା ।
ଅତି ଅଲିଅଳି କନ୍ୟା ସୁମିତ୍ରା ଚନ୍ଦ୍ରକଳା ପ୍ରାୟ ବଢ଼ି ଯାଇ ଯୁବାବସ୍ଥାରେ ପହଞ୍ଚିଲା l ରାଜା ସୁମନ୍ତ୍ର ଚିନ୍ତା କଲେ, ଆଉ କନ୍ୟାକୁ ଘରେ ରଖିବା ଉଚିତ ହେବ ନାହିଁ, ଯାଉଛି ଉପଯୁକ୍ତ ପାତ୍ରଟିଏ ଖୋଜି କନ୍ୟାର ଵିଵାହ ଦେଇ ପିତୃ ଋଣରୁ ମୁକ୍ତହେବି l ଏଥି ପାଇଁ ସେ ମନ୍ତ୍ରୀମାନଙ୍କ ସହିତ ବିଚାର ବିମର୍ଷ କରି ସ୍ଥିର ହେଲା ବିଭିନ୍ନଦେଶରୁ ରାଜା, ରାଜପୁରୁଷ ମାନଙ୍କ ଚିତ୍ରପଟ ମଗାଯିବ l ସେହି ଚିତ୍ରପଟ ଦେଖି ରାଜା ନିଜର କନ୍ୟା ପାଇଁ ଜଣେ ଉତ୍ତମ ପାତ୍ର ବାଛିବେ l ତଦନୁସାରେ ଚାର ମାନଙ୍କୁ ବିଭିନ୍ନ ଆଡ଼େ ପଠାଇ ରାଜାମାନଙ୍କ ଚିତ୍ରପଟ ସଂଗ୍ରହ କରାଗଲା l
ରାଜା ସୁମନ୍ତ୍ର, ଚିତ୍ରପଟ ଗୁଡ଼ିକୁ ତନଖି କରୁ ଥାନ୍ତି, ତାଙ୍କ ଦୃଷ୍ଟି ପଡ଼ିଲା ଇନ୍ଦ୍ରପରି ତେଜୋବନ୍ତ କନ୍ଦର୍ପ ପରି ରୂପବନ୍ତ ଜଣେ ରାଜାଙ୍କ ଉପରେ l ସେ ଆଉ କେହି ନଥିଲେ l ସେ ଥିଲେ ଅଯୋଧ୍ୟା ପତି ରାଜା ଦଶରଥ l ଚିତ୍ରପଟଟି ଦେଖି ରାଜା ଭାବିଲେ ଏହି ହେଉଛନ୍ତି ମୋ କନ୍ୟା ପାଇଁ ଉପଯୁକ୍ତ ପାତ୍ର l ସେ ମନ୍ତ୍ରୀମାନଙ୍କ ଠାରୁ ଜାଣିଲେ, ଚିତ୍ରପଟଟି ହେଉଛି ଅଯୋଧ୍ୟାର ସୂର୍ଯ୍ୟବଂଶୀ ରାଜା ଦଶରଥଙ୍କର l ସେ ପାତ୍ରମନ୍ତ୍ରୀମାନଙ୍କୁ କହିଲେ,ଏହି ହେଉଛନ୍ତି ମୋର ମନୋମତ ଜାମାତା l ତୁମେ ମାନେ ବିଳମ୍ବ ନକରି ଶୀଘ୍ର ଜଣେ ପଣ୍ଡିତଙ୍କୁ ଅଯୋଧ୍ୟା ପଠାଇଦିଅ l ସେ ଯାଇ ସେଠାରେ କନ୍ୟାର ସମସ୍ତ ଶୀଳ ରୂପ ଗୁଣ ଆଦି ବର୍ଣ୍ଣନା କରିବ l ଆମ ରାଜ୍ୟ ବିଷୟରେ ସବୁ କଥା କହିବ l ରାଜାଆଜ୍ଞା ପାଇ ଜଣେ ପୁରୋହିତ ଚିତ୍ରପଟ ସହ ଯାଇ ଅଯୋଧ୍ୟାରେ ପହଞ୍ଚିଲା l
କେରଳ ରାଜଦରବାରରୁ ଜଣେ ବ୍ରାହ୍ମଣ ଅଯୋଧ୍ୟା ଆସିଛନ୍ତି ଜାଣି ଦଶରଥ ତାଙ୍କୁ ଯଥା ସତ୍କାର କରି ତାଙ୍କ ଆସିବାର କାରଣ ପଚାରନ୍ତେ ପଣ୍ଡିତ ଜଣକ ଚିତ୍ରପଟଟି ଦେଖାଇ କହିଲେ, ଏହି ଚିତ୍ରପଟ ଦେଖି ଆମ ରାଜା ଆପଣଙ୍କୁ ଜାମାତାରୂପେ ବରିବା ପାଇଁ ମନସ୍ଥ କରିଛନ୍ତି l ତାଙ୍କର ସୁମିତ୍ରା ବୋଲି ସାକ୍ଷାତ୍ ଇନ୍ଦ୍ରାଣୀଙ୍କ ପରି ପରମା ସୁନ୍ଦରୀ କନ୍ୟାଟିଏ ଅଛି l ସେପରି କନ୍ୟା ନିମନ୍ତେ ଆପଣ ହିଁ ଯୋଗ୍ୟ ପାତ୍ର l ତେଣୁ କେରଳ ନୃପତି ଆପଣଙ୍କୁ ନିମନ୍ତ୍ରଣ ଜଣାଇବାକୁ ମୋତେ ପ୍ରେରଣ କରିଛନ୍ତି l
ବ୍ରାହ୍ମଣ ଏପରି କହି ଦଶରଥଙ୍କ ହାତକୁ ସୁମିତ୍ରାଙ୍କ ଚିତ୍ରପଟଟି ବଢ଼ାଇ ଦେଲେ l ଚିତ୍ରପଟଟିକୁ ଦେଖି ଦଶରଥ ମୋହିତ ହୋଇପଡ଼ିଲେ l ସେ ବ୍ରାହ୍ମଣଙ୍କୁ କହିଲେ, ଆପଣଙ୍କ ନିମନ୍ତ୍ରଣ ମୁଁ ରକ୍ଷା କଲି l ଯଥା ସମୟରେ ମୁଁ ଯାଇ କେରଳରେ ପହଞ୍ଚିବି l ଆପଣ କେରଳ ଫେରିଯାଆନ୍ତୁ l ଆପଣ ରାଜାଙ୍କୁ କହିବେ ଵିଵାହର ସମସ୍ତ ଅୟୋଜନ କରିବେ l
ବ୍ରାହ୍ମଣ ଅତ୍ୟନ୍ତ ଖୁସି ହୋଇ କେରଳ ଫେରି ଆସି ରାଜାଙ୍କୁ ସମସ୍ତ ଖବର ଶୁଣାଇ ଦେଲେ l ରାଜାଙ୍କ ଆନନ୍ଦରସୀମା ରହିଲାନାହିଁ l ସେ ପଣ୍ଡିତ ମାନଙ୍କୁ ଡାକି ବିବାହର ଲଗ୍ନ ସ୍ଥିର କରି ନେଇ ଅଯୋଧ୍ୟାକୁ ଖବର ପଠାଇଲେ l ଇଆଡ଼େ ଦଶରଥ ବ୍ରାହ୍ମଣଙ୍କୁ ଫେରାଇ ଦେଇ, ଯାଇ କୌଶଲ୍ୟାଙ୍କୁ ସମସ୍ତ କଥା କହିବାରୁ ସେ ଆନନ୍ଦ ବ୍ୟକ୍ତକରି କହିଲେ, ଆପଣ ଶୀଘ୍ର ଯାଇ ସୁମିତ୍ରାକୁ ଘେନି ଆସନ୍ତୁ l ସେ ମୋର ସାନଭଉଣୀ ହୋଇ ରହିବ l ଆପଣ କୈକେଈକୁ କିନ୍ତୁ ଏକଥା କହିବେନାହିଁ l ସେ ଶୁଣିଲେ ସପତ୍ନୀ ପଣରେ ଏ ଶୁଭ କାର୍ଯ୍ୟରେ କିଛିନା କିଛି ଅଘଟଣ ଘଟାଇଦେବ l ଆପଣ ମୃଗୟା ଯିବା ବାହାନାରେ କେରଳ ଯାତ୍ରା କରନ୍ତୁ l
ଦଶରଥ ତାହାହିଁ କଲେ ଓ ଏକ ବେଗଗାମୀ ଅଶ୍ଵ ଆରୋହଣ ପୂର୍ବକ ଯାଇ କେରଳରେ ପହଞ୍ଚିଲେ l ତାଙ୍କ ଆଗମନ ସମ୍ବାଦ ଦୂତଙ୍କ ଠାରୁ ପାଇ, ରାଜା ସୁମନ୍ତ୍ର ଖୁବ୍ ଆନନ୍ଦରେ ଆସି ତାଙ୍କୁ ରାଜ ନଅରକୁ ପାଛୋଟିନେଲେ l ସେ ପୁରୋହିତମାନଙ୍କୁ ଡକାଇ ତାଙ୍କ ପରାମର୍ଶରେ ଵିଵାହଦିନ ସ୍ଥିରକରି ନେଲେ l
କେରଳ ରାଜଧାନୀ ଅପୂର୍ବ ସାଜସଜ୍ଜାରେ ବିମଣ୍ଡିତ ହେଲା l ନିର୍ଦ୍ଧାରିତ ଦିନରେ ମଙ୍ଗଳ ବାଜଣା ବାଜି ଉଠିଲା l ବଛା ବଛା ପୁରୋହିତଙ୍କ ମନ୍ତ୍ର ପାଠରେ ଦଶରଥ ସୁମିତ୍ରାଙ୍କ ଶୁଭ ବିବାହ କାର୍ଯ୍ୟ ଚାଲିଲା l ଦଶରଥ ସୁମିତ୍ରାଙ୍କ ବିବାହ ବେଦୀରେ ବସି ଥିବା ଦୃଶ୍ୟକୁ କବି ବର୍ଣ୍ଣନା କଲେ:-
କିଅବା ବିଷ୍ଣୁଙ୍କ ସଙ୍ଗେ ଲକ୍ଷ୍ମୀ ବିଭାଘର l
କିଅବା ଦିଶଇ ସଂଜ୍ଞାସଙ୍ଗେ ଦିବାକର ll
ବିଭାଘର ଶେଷହେଲା l ରାଜା ସୁମନ୍ତ୍ର ବହୁ ଜାନି ଯୌତୁକ ଦେଇ ସାଶ୍ରୁ ନେତ୍ରରେ କନ୍ୟା ସୁମିତ୍ରାକୁ ବିଦାୟ ଦେଲେ l ଏକ ସୁନ୍ଦର ରଥରେ ସୁମିତ୍ରାଙ୍କୁ ଘେନି ଦଶରଥ ଅଯୋଧ୍ୟା ଫେରିଲେ l
ସେ ଅଯୋଧ୍ୟାରେ ପହଞ୍ଚିବାକ୍ଷଣି ପ୍ରଜାମାନେ ତାଙ୍କୁ ସ୍ବାଗତ କଲେ l ବ୍ରାହ୍ମଣ ମାନଙ୍କ ସ୍ବସ୍ତି ବାଚନ ସହ ସେ ନବରରେ ପ୍ରବେଶ କଲାରୁ ରାଣୀ କୌଶଲ୍ୟା ଆସି ତାଙ୍କୁ ପାଛୋଟି ନେଲେ l ଅଯୋଧ୍ୟା ପୁରରେ ରାଣୀ କୌଶଲ୍ୟାଙ୍କ ଠାରୁ ଭଗ୍ନୀତୁଲ୍ୟ ସ୍ନେହ ପାଇ ସୁମିତ୍ରା ଆନନ୍ଦରେ ରହିଲେ l ସୁମିତ୍ରାଙ୍କ ପ୍ରେମରେ ବନ୍ଦୀ ହୋଇ ଦଶରଥ ସବୁବେଳେ ତାଙ୍କ ପୁରରେ ପଡ଼ି ରହିଲେ l ଏହା ଦ୍ୱିତୀୟାରାଣୀ କୈକେୟୀଙ୍କୁ ଆଦୌ ସହ୍ୟ ହେଲା ନାହିଁ l
ସୁମିତ୍ରା, ରାଣୀ କୌଶଲ୍ୟାଙ୍କୁ ବଡ଼ ଭଉଣୀ ମାନ୍ୟ କରି ତାଙ୍କର ସବୁ କଥା ମାନି ଚଳୁଥାନ୍ତି l ଏଥିରେ କୈକେୟୀଙ୍କ ଈର୍ଷା ପରାୟଣତା ଆହୁରି ବଢ଼ିବାକୁ ଲାଗିଲା l ସେ ମନ୍ଥରାସହ ପରାମର୍ଶ କରି ଅନେକ ଅର୍ଥ ବ୍ୟୟରେ ଯାଇ ଭଗବାନ୍ ଶଙ୍କରଙ୍କ ଆରାଧନା ଆରମ୍ଭକଲେ, କିପରି ଦଶରଥ ସୁମିତ୍ରାଙ୍କ ପ୍ରିତିରେ ଛିଦ୍ର ଉପୁଜିବ l ତାଙ୍କ ପୂଜା ସଫଳ ହେଲା l ଶିବ ପ୍ରସନ୍ନ ହୋଇ ବରଦେବାରୁ ସୁମିତ୍ରା କ୍ରମେ ଦିନକୁ ଦିନ କ୍ରୂଶହେବାକୁ ଲାଗିଲେ l ଦେହ କ୍ଷୀଣ ହୋଇ ତାଙ୍କ ଅଙ୍ଗ ସୌଷ୍ଠବ ନଷ୍ଟ ହୋଇଗଲା l
ଯେତେ ଚିକିତ୍ସା କଲେ ମଧ୍ୟ ତାଙ୍କ ଶରୀର ସୁସ୍ଥ ହେଲାନାହିଁ l କୈକେୟୀଙ୍କ ଉଦ୍ଦେଶ୍ୟ ସଫଳ ହେଲା l କ୍ରମେ ଦଶରଥ କୈକେୟୀଙ୍କୁ ଅଧିକ ଭଲ ପାଇବାକୁ ଲାଗିଲେ l
ତିନିରାଣୀଙ୍କ ସହ ଦଶରଥ ଅତି ଆନନ୍ଦରେ କାଳ କାଟିଲେ l କିନ୍ତୁ ତାଙ୍କର ଏକ ମାତ୍ର ଦୁଃଖ ରହିଲା ଅନେକଦିନ ଧରି ତାଙ୍କର କୌଣସି ସନ୍ତାନ ସନ୍ତତି ହେଲେନାହିଁ l
ଏଣୁ ଦଶରଥ କୁଳରକ୍ଷାପାଇଁ ବାଛି ବାଛି ବହୁ ନାରୀଙ୍କୁ ବିବାହକଲେ l ଏବେ ତାଙ୍କର ରାଣୀ ମାନଙ୍କ ସଂଖ୍ୟା ହେଲା ସାତ ଶହ ପଚାଶ l ତାଙ୍କ ମଧ୍ୟରେ, କୌଶଲ୍ୟା, କୈକେୟୀ ଓ ସୁମିତ୍ରା ଥିଲେ ଶ୍ରେଷ୍ଠ l
ଏହି ସମୟରେ ଅଯୋଧ୍ୟାରେ ଅନ୍ୟ ଏକ ବିପଦ ଦେଖାଦେଲା l ରାଜା ଦଶରଥ ନାରୀ ମାନଙ୍କ ପ୍ରେମରେ ବୁଡ଼ି ରହି ଆଉ ରାଜ କାର୍ଯ୍ୟରେ ମନ ଦେଲେ ନାହିଁ l ସଚୀବମାନେ ଯାହା କହିଲେ ସେହି ଅନୁସାରେ ଶାସନ ଚାଲିଲା l ଏପରି ହୋଇ କ୍ରମେକ୍ରମେ ରାଜ୍ୟରେ ଘୋର ଅରାଜକତା ଦେଖା ଦେଲା l ଇନ୍ଦ୍ର ବୃଷ୍ଟି ବନ୍ଦ କରି ଦେଲେ l ବୃଷ୍ଟି ହୀନ ଅଯୋଧ୍ୟାରେ ଚୋଉଦ ବର୍ଷ ବ୍ୟାପି ଘୋର ଅକାଳ ପଡ଼ିଲା l କବି କ୍ଷେତ୍ରମୋହନଙ୍କ ଉକ୍ତିରେ :-
ନାରୀ ପ୍ରେମେ ଭୁଲି ଦଶରଥ ନରବର l
ନବୁଝନ୍ତି ତିଳେ ଭଲମନ୍ଦ ଯେ ଖବର l
ରାଜା ଅତ୍ୟାଚାରେ ରାଜ୍ୟେ ଜଳ ନ ବର୍ଷିଲା l
ଚୌଦ ବରଷ ପର୍ଯ୍ୟନ୍ତ ଅପାଳକ ହେଲା l
ଅର୍ଜୁନୀ ଚରଣ ବେହେରା
ମୋ-୭୬୯୩୦୯୧୯୭୧