କୁରାଳ ପଂଚମୀ

Share it

କୁରାଳ ପଂଚମୀ

କୁମ୍ଭକାର ପାଟକ ବା କୁମ୍ଭାର ଜାତିର ଏହା କୌଳିକ ପର୍ବ । ତାର ନୂତନ କର୍ମ ବର୍ଷର ଆରମ୍ଭ ବେଳା ।

ଚତୁର୍ମାସ୍ଯାରେ କୁମ୍ଭକାର ମାଟି ପାତ୍ର ଗଢେ ନାହିଁ, ଶୁଖାଇବା, ପୋଡିବା ଅସୁବିଧା, ଝାଟି ମାଟି ସଂଗ୍ରହ ଅସୁବିଧା ହେତୁ ।

ତେଣୁ ବର୍ଷା ଋତୁ ପରେ ମାର୍ଗଶୀର ବେଳକୁ ତା ପାଇଁ ପାଗ ଅନୁକୁଳ ହେବ ଜାଣି ସେ ତାର କର୍ମ ବର୍ଷ ଆରମ୍ଭ କରେ ।

କର୍ମ ଆରମ୍ଭ ପୂର୍ବରୁ ପୂଜା ପରବ ଟିଏ କରେ, ସମସ୍ତଂକ ପରି । ଏହା ତାର କୌଳିକ ପୂଜା ପର୍ବ ।

ଭଗବାନଂକୁ ମନ ଆନନ୍ଦରେ ପୂଜା କରି ନୈବେଦ୍ଯ ଦେଉଥିବା ଖିରି ଖେଚଡି ପିଠାପଣା, ବଂଧୁ ବାନ୍ଧବ ସାହି ପଡିଶାଂକୁ ମଧ୍ଯ ପରଶେ ।

କୁମ୍ଭକାର ସମୁଦାୟ ଏହି ପର୍ବଟିକୁ ମାର୍ଗଶୀର ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ କରି ଦ୍ୱାଦଶୀ ପର୍ଯ୍ଯନ୍ତ ପାଳନ କରିଥାଏ, ତା ପୂର୍ବ ଦିନ ଅର୍ଥାତ୍ ମାର୍ଗଶୀର କୃଷ୍ଣ ପକ୍ଷ ଅମାବାସ୍ଯା ଦିନ ସେ ମଂଗଳାରୋପଣ କର୍ମ କରିଥାଏ ।
ଏମିତିରେ ପୂଜାଟି ତ୍ରୟୋଦଶ ଦିନାତ୍ମକ ବା ତେର ଦିନିଆ ହୋଇଥାଏ ।

ବିଭିନ୍ନ ପାଟକ ନିଜ ନିଜ ପସନ୍ଦରେ ଯେଉଁ ସବୁ ପୂଜା ପର୍ବମାନ ଯେପରି ପାଳନ କରନ୍ତି, ତାହାକୁ ପୁରାଣକାରମାନେ ସେପରି ଲିପିବଦ୍ଧ କରି ଦେଇଥାଆନ୍ତି ।

ସେହି କ୍ରମରେ
ବୈଷ୍ଣବ କବି ଦୀନକୃଷ୍ଣ ଦାସ
କୁମ୍ଭକାର ଜାତିର ଏ କୌଳିକ ପର୍ବଟିକୁ
“ କୁରାଳ ପୁରାଣ ” ନାମରେ ଲିପିବଦ୍ଧ କରିଯାଇଛନ୍ତି ।

କୁମ୍ଭକାର ତାର ଏ କୌଳିକ ପୂଜା ନିଜେ କରିଥାଏ ।

ଏହି କୁରାଳ ପୁରାଣ ଅନୁସାରେ
କୁମ୍ଭକାରର ଜନ୍ମ ଚରିତ ଓ ପୂଜା ବିଧି

ନିରାକାର ବା ଅନାଦି ପୁରୁଷ ଭଗବାନ ଶ୍ରୀକୃଷ୍ଣ ସୃଷ୍ଟି ସର୍ଜନା କରିବାକୁ ବ୍ରହ୍ମାଂକୁ ଦାୟିତ୍ୱ ଦେଇଥିଲେ ।

ବ୍ରହ୍ମା ସୃଷ୍ଟି ସର୍ଜନା କଲେ, ସମସ୍ତଂକପାଇଁ ଖାଦ୍ଯ ଖଂଜିଲେ ।

ମଣିଷଂକପାଇଁ ଶସ୍ଯ ବା ଧାନକୁ ମୁଖ୍ଯ ଖାଦ୍ଯ କଲେ , ହେଲେ ଏହାକୁ ରୋଷେଇ କରିବାପାଇଁ ପାତ୍ର ଗଢିଲେ ନାହିଁ |
ଫଳରେ ମଣିଷ କଂଚା ଚାଉଳ ଚୋବାଇ କ୍ଷୁଧା ନିବାରଣ କରୁଥିଲା ।

ନାରଦ ଯାଇ ଏକଥା ଶ୍ରୀକୃଷ୍ଣଂକୁ କହିଦେଲେ ।

ଭଗବାନ ବ୍ରହ୍ମାଂକ ଉପରେ ରାଗିଯାଇ ତାଂକ ସ୍ୱଦେହରୁ ତତକ୍ଷଣାତ୍ ଏକ ମଣିଷ ସୃଷ୍ଟି କଲେ ଏବଂ ତାଂକୁ ଆଜ୍ଞା ଦେଲେ ତୁମେଯାଇ କୁମ୍ଭ, ଭାଣ୍ଡ ଇତ୍ଯାଦି ନିର୍ମାଣ କର ।

ଭଗବାନ ସେ କୁମ୍ଭକାରର ନାଁ ଦେଲେ ରୁଦ୍ରପାଳ ।

ତାକୁ ସେ ତାଂକର ଅଷ୍ଟ ଚକ୍ରମାନଂକ ମଧ୍ଯରୁ ସୁରସେନ ଚକ୍ରକୁ ପ୍ରଦାନ କଲେ,
ଯେଉଁ ଚକ୍ର ସାହାଯ୍ଯରେ କୁମ୍ଭକାରମାନେ କୁମ୍ଭ ଆଦି ନିର୍ମାଣ କରନ୍ତି ।

ବ୍ରହ୍ମା ଏକଥା ଶୁଣି ଭୟଭୀତ ହୋଇଗଲେ,
ଭାବିଲେ ଏ ଭଗବାନଂକ ପୁତ୍ର ରୁଦ୍ରପାଳ ମୋ ବ୍ରହ୍ମାପଦ ଛଡାଇ ନେବ କି କଣ ।

ବ୍ରହ୍ମା ଯାଇ ଭଗବାନଂକୁ ସନ୍ତୁଷ୍ଟ କରିବାକୁ ସ୍ତୁତି କଲେ ।

ଦୀନକୃଷ୍ଣ ଦାସଂକ ରଚିତ କୁରାଳ ପୁରାଣ ଭାଷାରେ –

କେବଣ ପୁରୁଷ ହୁଏ ବିଷ୍ଣୁ ତହୁଁ ଜାତ
ନିଶ୍ଚୟେ ମୋହର ପଦ ନେବେ ଯଦୁନାଥ

ଅନେକ ପ୍ରକାରେ ଯେ ବିଷ୍ଣୁଂକୁ କଲେ ସ୍ତୁତି
ବ୍ରହ୍ମାଂକର କାର୍ପୁଣ୍ଯ ଦେଖିଣ ଯଦୁପତି

ଧାତାକୁ ବୋଇଲେ ମନେ ନକର ସଂଶୟେ
ରତ୍ନଭାଣ୍ଡ ନିର୍ମାଣିବ ଏ ମୋର ତନୟେ

ଦୋହିତା ଗୋଟିଏ ଯେ ଏହାକୁ ଦିଅ ଦାନ
ବ୍ରହ୍ମସୂତ୍ର ଏକ ଗୋଟି ଦେବୁରେ ନନ୍ଦନ

ତେବେ ଏ କୁରାଳ ବଂଶ ରହିବ ମୋହର
ହରଷ ହୋଇଣ ଧାତା ଚଳେ ନିଜ ପୁର

ଶୁଣି ବେଦବର ସୃଷ୍ଟି କରିବାକୁ ଗଲେ
କୁରାଳ ପୁରାଣ ଦୀନକୃଷ୍ଣ ଦାସ ବୋଲେ

କୁମ୍ଭକାର ସଂପ୍ରଦାୟ ଯେମିତି ପାଳନ କରନ୍ତି
କୁରାଳ ପଂଚମୀ ପୂଜାବିଧି

ମାର୍ଗଶୀର କୃଷ୍ଣ ଅମାବାସ୍ଯା ( ଚଳିତ ବର୍ଷ ଏହା ୨୬.୧୧.୨୦୧୯ ରେ ପଡୁଛି ) ଦିନ ପ୍ରଭାତରୁ ସ୍ନାନକରି ସୂର୍ଯ୍ଯପୂଜାକରି ନିଷ୍ଠାର ସହ ନିଜ ଶାଳରେ ବସି, ନିରାକାର ଆଦିପୁରୁଷଂକର ସାକାର ଶ୍ରୀକୃଷ୍ଣ ମୂର୍ତ୍ତୀ ଗଢି ରଖନ୍ତି ।

ତାହାକୁ ମାର୍ଗଶୀର ଶୁକ୍ଳ ପ୍ରତିପଦା ଦିନ ବା ପ୍ରଥମୀ ଦିନ ଜୀବନ୍ଯାସ ଦେଇ ପୂଜା ସ୍ଥାନରେ ସ୍ଥାପନ କରି ପୂଜା ଆରମ୍ଭ କରନ୍ତି ।

– ଶ୍ରୀବତ୍ସ କୌସ୍ତୁଭଂ ବେଣୁ ଅଭୟ ବରଦଂ କୃଷ୍ଣପୂଜନେ…… ଷୋଡୋଶୋପଚାରେଣ ପୂଜୟେତ୍ ।

ଦ୍ୱିତୀୟ ଦିନ ଶିବ ପାର୍ବତୀଂକ ପୂଜା କରାଯାଏ ।

ଦ୍ୱିତୀୟଦିନ ପ୍ରଭାତୁ ଉଠିବୁ ନନ୍ଦନ
ସ୍ନାହାନ ସାରି ପିତୁଳା କରିବୁ ନିର୍ମାଣ

ବେନି ଗୋଟି ପିତୁଳା ଗଢିବୁ ଯତ୍ନ କରି
ହର ଯେ ପାର୍ବତୀ ନାମ ଦେବୁ ଦୁହିଂକର

ସେ ମଣ୍ଡପ ପରେ ତାଂକୁ ବସାଇବୁ ନେଇ
ପିତୁଳା ଦୁହିଁକି ବଳା ଜୀବନ୍ଯାସ ଦେଇ

ତୃତୀୟ ଦିନ କୁମ୍ଭକାରମାନେ ଚକ୍ର ମାର୍ଜନା କରି ବ୍ରହ୍ମା ସାବିତ୍ରୀଂକର ପିତୁଳା ଗଢି ମଂଡପରେ ରଖି ପୂଜା କରନ୍ତି । ନୂତନ ପଇତା ଧାରଣ କରନ୍ତି ।

ବ୍ରହ୍ମା ଯେ ସାବିତ୍ରୀ ନାମ ଦେବୁ ଦୁହିଁଂକର
ଅଂଗନ୍ଯାସ କରନ୍ଯାସ ଦେବୁଟି ସଂଚାର

ମୂଳ ମଂତ୍ର ସୁମରି ଦେବୁଟି ଜୀବନ୍ଯାସ
ନେଇ ବସାଇବୁ ତାଂକୁ ନିରାକାର ପାଶ

ସେଦିନରେ ବ୍ରହ୍ମସୂତ୍ର ବ୍ରହ୍ମକରେ ଦେଇ
ସେ ସୂତ୍ର ଗୋଟିକ କନ୍ଧେ ଘେନିବୁ ତନୟୀ

ଚତୁର୍ଥଦିନ ସେମାନେ ଗଂଗାଦେବୀଂକୁ ସ୍ତୁତି କରନ୍ତି,
ଶ୍ରୀକୃଷ୍ଣଂକ ହସ୍ତରେ ଶଂଖ ଚକ୍ର ଗଦା ପଦ୍ମ ଦେଇ, ପାଖରେ ଆଦିମାତା ଶ୍ରାରାଧାଂକୁ ସ୍ଥାପନା କରି,
ରାଧାକୃଷ୍ଣଂକୁ ଲକ୍ଷ୍ମୀନାରାୟଣ ଜ୍ଞାନରେ ପୂଜାର୍ଚନା କରନ୍ତି ।

ଶଂଖ ଚକ୍ର ଗଦା ପଦ୍ମ ଚତୁର୍ଦ୍ଧା ମୂରତି
ଲକ୍ଷ୍ମୀଠାକୁରାଣୀ ବସାଇବୁ ବାମ କତି

ପଂଚାମୃତ କରି ବଳା ଦେବୁ ତାଂକୁ ଭୋଗ
ଗୋପାଳଂକ ଧ୍ଯାନ ମଂତ୍ରେ କରିବୁ ସଂଯୋଗ

– ଶ୍ରୀକୃଷ୍ଣ କରୁଣାକର ଜନହିତ ସୁନ୍ଦର
ଶ୍ଯାମ କାମ ପ୍ରସନ୍ନବଦନ ବଂଶୀଧର
ମୋହନ ଭାଲେ ଚନ୍ଦନବିନ୍ଦୁ ଇନ୍ଦୁଷା
କର୍ଣ୍ଣେ କୁଣ୍ଡଳ ବିଭୁଷଣ ନଟବର ଭଜେ ।

ଏ ମଂତ୍ର ପଢିଣ ବଳା ଦଣ୍ଡବତ କରି

ଚତୁର୍ଥ ଦିବସ ପୂଜା କହିଲି ବିଶେଷି
କହେ ଦୀନକୃଷ୍ଣ ଦାସ ହରିଗୁଣ ଘୋଷି

ପଂଚମ ଦିନ କୁମ୍ଭକାରମାନେ ତାଂକର ଚକ୍ର ଯଂତ୍ରର ସ୍ୱରୂପ ପୂଜା କରନ୍ତି ।

ସେଦିନ ସେମାନେ ଆଠଟି ଚକ୍ର ଭିନ୍ନ ଭିନ୍ନ ବର୍ଣ୍ଣର ଚିତାରେ ଆଂକନ୍ତି ଏବଂ ତାହାର ପୂଜା ଅର୍ଚନା କରନ୍ତି ।

ତଣ୍ଡୁଳ ଭରିଣ ହେ ପିଣ୍ଡିକା ପକାଇ
ଅଷ୍ଟ ଗୋଟି ଚକ୍ର ତହିଁ ଲେଖିବୁ ତନୟୀ

ହରିତ ଶୁକଳ ରୂପ ନୀଳ ଚକ୍ର ବର୍ଣ୍ଣ
ଲୋହିତ ପରାଏ ତ ଦିଶଇ ସୁଦର୍ଶନ

ଶ୍ୱେତ ବର୍ଣ୍ଣ ଗୋଟି ସୁରସେନ ଚକ୍ର ଦିଶେ
ସୁଷେଣ ଚକ୍ର ଗୋଟି ଯେ ରଂଗ ବର୍ଣ୍ଣ ଦିଶେ

କାଳଚକ୍ର ବର୍ଣ୍ଣ ଗୋଟି ଦିଶଇଟି କଳା
ଧ୍ରୁବ ଚକ୍ର ଧ୍ରୁବ ମଣ୍ଡଳରେ ମେଳା ମେଳା

ଗୁଡ ଛେନା କଦଳୀ ଯେ ଦହି ଦୁଧ ସର
ଲବଣୀ ସାକର ତହୁଁ ନବାତ କର୍ପୂର

କଦଳୀ ସହିତେ ଅଷ୍ଟ ଗୋଟି କର ଭୋଗ
ଯେଉଁ ଦେବତାଂକୁ ଯେଉଁ ଭୋଗ ହୁଏ ଯୋଗ୍ଯ

ସେହିପରି ଏହିଦିନ ଆଠ ପ୍ରକାର ପିଠା ମଧ୍ଯ ଭୋଗ ଲଗାଯାଏ,
ଯଥା ଗଇଁଣ୍ଠା,ମଂଡା, ଚକୁଳି, ଆରିଶା, ସରପୁଳି, ମାଲପୁରୀ, ଛେନାମଂଡା, ତିଳଲଡୁ ପିଠା ।

ସେଦିନ ଶାଳରେ ବିରି ଖେଚୁଡି ମଧ୍ଯ ଭୋଗ ଦିଆଯାଏ ।

ଷଷ୍ଠଦିନ
ଆଠଟି ନୂଆ ଚାଉଳ ଆଠଟି ଚକ୍ରରେ ଦିଆଯାଇ ପୂଜା ଅର୍ଚନା ପୂର୍ବକ ଅଗ୍ନି ହୋମ କରାଯାଏ, ଖିରି ଭୋଗ ଦିଆଯାଏ ।

ସପ୍ତମ ଦିନ ଛେନାପଣା ଭୋଗ କରାଯାଇ,
ସେ ପଣାକୁ ଘଣ୍ଟ ମୃଦଂଗ କାହାଳୀ ଢୋଲ ଇତ୍ଯାଦି ବାଦ୍ଯ ବଜାଇ ପ୍ରତ୍ଯେକ କୁମ୍ଭକାର ପରିବାରର ଦୁଆରେ ଦୁଆରେ ଛିଂଚାଯାଏ , ମଂଗଳ କାମନା କରି ।

ଅଷ୍ଟମ ଦିନ ଗୋଟିଏ ଫୁଟି ଫୁଟିଆ ଗଛକୁ ଆଣି ପୂଜାସ୍ଥାନରେ ରଖି ପୂଜା କରାଯାଏ ।

ନବମ ଦିନ ସାତଗୋଟି ନଦୀରୁ ଜଳ ଆଣି ମଣ୍ଡପରେ ସ୍ଥାପିତ
ଦେବତାମାନଂକର ଅଭିଷେକ କରାଯାଏ

ଦଶମ ଦିନ ଶ୍ରୀକୃଷ୍ଣଂକୁ ଦଶ ଦୀପରେ ବନ୍ଦାପନା ହୁଏ,ଦଶ ପ୍ରକାର ଫୁଲ ଓ ଦଶ ପ୍ରକାର ଭୋଗରାଗ କରାଯାଏ ।

ଦଶ ଜାତି ପୁଷ୍ପ ବଳା ଦେବୁ କୃଷ୍ଣ ଶିରେ
ଗନ୍ଧ ପୁଷ୍ପ ନଇବେଦ୍ଯ ତେମନ୍ତ ପ୍ରକାରେ

ତୁଳସୀ ପକାଇଣ ଗୋପାଳ ମଂତ୍ରେ ଭୋଗ
ବିଷ୍ଣ୍ଂକର ପାଶେ ବଳା କରିବୁ ସଂଯୋଗ

ଶୁଣିଣ କୁରାଳ ବୋଲେ ବେନି କର ଯୋଡି
ପୁଣ ପୁଣ ବିଷ୍ଣ୍ଂକରପାଦ ତଳେ ପଡି

ଯେବଣ ଗୋପାଳ ମଂତ୍ର କହିଥିଲ ମୋତେ
ସେହି ମଂତ୍ର ଘେନି ଭୋଗ ଦେବଇଁ ଟି ନିତ୍ଯେ ?

ନିରାକାର ବୋଇଲେ ହେ ମଂତ୍ରରାଜ ସେହି
ଏହି ଭୋଗ ମଂତ୍ର ବିନୁ ଅନ୍ଯ ମଂତ୍ର ନାହିଁ

ଏକାଦଶୀ ଦିନ ଭଜନ କୀର୍ତ୍ତନ ହୁଏ ।

ଦ୍ୱାଦଶୀ ଦିନ ମୂର୍ତ୍ତି ବିସର୍ଜନ କରି ସେ ବର୍ଷ ପାଇଁ ପ୍ରଥମେ ସାତଟି କଳସ ନିର୍ମାଣ କରେ କୁମ୍ଭକାର |

ଏହିପରି ପାଳିତ ହୁଏ କୁମ୍ଭକାର ପାଟକର କୁରାଳ ପଂଚମୀ ପୂଜାର୍ଚ୍ଚନା ପର୍ବ ।

ଏବଂ ଏହିପରି ଭାବରେ ଭାରତୀୟ ସଂସ୍କୃତି ପରମ୍ପରା ଓ ଚଳଣୀରେ ପ୍ରତ୍ଯେକ ଲୋକ କଲ୍ଯାଣକାରୀ ବୃତ୍ତିକୁ ମହତ୍ୱ ଓ ମହନୀୟତା ପ୍ରଦାନ କରିବାକୁ ବହୁ ପର୍ବ ପର୍ବାଣୀ ପୂଜା ଅର୍ଚନା ରୀତିନୀତି ଆନନ୍ଦ ଉତ୍ସାହରେ ପାଳନ କରାଯାଏ,

ହେଲେ ତା ଭିତରେ ଛୁଆଁ ଅଛୁଆଁ ଉଚ୍ଚ ନୀଚ୍ଚ ପୁରେଇଲା କିଏ ?
ମୁଁ ସେଇ ଭଦରନୋକକୁ ଖୋଜୁଚି ।

Laxmidhar Nayak
My Facebook Post: 27th Nov 2029


Share it

Leave a comment

Your email address will not be published. Required fields are marked *

Verified by MonsterInsights