ମୁଁ ଏବେ ଦୁଇ ତିନି ଦିନ ହେଲା ଗାଁରେ ଅଛି
ଗତ କାଲି ସୁର୍ଯ୍ୟ ପରାଗ ଥିଲା
ଆମେ ସମସ୍ତେ ପାଳିଲୁ ଯେ
କିନ୍ତୁ ମୋ ବୋଉ ଭୋକ ସହି ପାରିଲା ନି ….**** ****** ******
ସୁର୍ଯ୍ୟ ପରାଗ ପୂର୍ବ ଦିନ ସନ୍ଧ୍ୟାରେ ବୋଉ ମୋତେ କହିଲା, କାଲି ସୂର୍ଯ୍ୟ ପରାଗ ହେବ, ଦିନ ସାରା କେହି କିଛି ଖାଇବା କଥା ନୁହେଁ, ଠାକୁର ବାକୁର ବି ଭୋଗ ଖାଇବେନି , ଠାକୁର ନୀତି ବନ୍ଦ୍ , ପାକ ନିଷେଧ
ତୁ କଣ ପାଳି ପାରିବୁ ?
ମୁଁ କହିଲି ହଁ, ମୋର କିଛି ଅସୁବିଧା ନାହିଁ
ଗୋଟାଏ ଦିନର କଥା ତ, ପାରିବିନି କାହିଁକି ?
ବୋଉ କହିଲା ବହୁତ ଭଲ
ପୁଣି କହିଲା ଯଦି ବେଶୀ ଭୋକ ହେବ ସହି ପାରିବୁନି ତାହେଲେ ଚୁଡା ମୁଢି ଏମିତି ଶୁଖିଲା ଖାଦ୍ୟ କଣ ଅଳ୍ପ ଦି ଟା ପାଟିରେ ପକେଇ ଦେଲେ ଚଳିବ
ମୁଁ କହିଲି ହଉ
ମୁଁ ଏକଥା କହି ବଡବଡୁଆ ଡକା ପରେ ତାସ୍ ଖେଳିବାକୁ ପଳେଇଲି ଚାନ୍ଦିନୀକୁ
ବୋଉ ଶୋଇବା ପୂର୍ବରୁ ସୁକାନ୍ତିକୁ କହିଥିବ – ସିଏ କଣ ଭୋକ ସହି ପାରିବ , ତୁ ଗୋଟେ କାମ କର୍ , ଦି ଟା ବିରି ଅରୁଆ ଚାଉଳ ବାଟି ଗୋଟେ ଅଥାର ପୋଡ ପିଠା କରି ଦେ, ଭୋରୁ ଭୋରୁ ଟିକେ ମଟର ଆଳୁ ତରକାରୀ କରିଦେବୁ, ସିଏ ସକାଳୁ ସେଥିରୁ କଳେ ଖାଇ ଦେଇ ପାଣି ଟୋପେ ପିଇ ଦେବ, ତା ପରେ ଦିନ ସାରା ବରଂ ଓପାସ କରିବ, ଗ୍ରହଣ ତ ଦିନ 2 ଟା ପରେ ଲାଗିବ ବୋଲି କହୁଛନ୍ତି, ସକାଳୁ ପିଠା ଖଣ୍ଡେ ଖାଇ ଦେଲେ କିଛି ଅସୁବିଧା ନାହିଁ
ସୋଇଆ ହେଲା
ମୁଁ ସକାଳୁ ରାତି ଚାରିଟାରୁ ମୋର ଉପାସ ଆରମ୍ଭ କରିଦେଲି, ବୋଉ କଥା ନମାନି ହେତୁବାଦୀଙ୍କ ବୁଦ୍ଧିରେ ପଡି ଅମାନ୍ୟ କରିବି କାହିଁକି ?
ଦିନ 7 ଟାରେ ଉଠିଲି ତାହା ପୁଣି ବୋଉ ଟିକେ ଗୋଡ ହାତ ମୋଡି ଦେବା ପରେ
ଦାନ୍ତ ପତ୍ର ଘସି ସାରିଲା ପରେ ବୋଉ ଅଥାର ବିରି ପୋଡ ପିଠା ତରକାରୀ ଆଣି ଦେଲା , କହିଲା ଏଥିରୁ ଦିଖଣ୍ଡ ଖାଇ ଦେ, ତତେ ଭୋକ ହବ, ସହି ପାରିବୁନି, ଆଉ ଦିନ ସାରା କିଛି ଖାଇବୁନି
ମୁଁ କହିଲି ହଉ, ପିଠା ପେଟେ ଖାଇ ଦେଲି
ଘଣ୍ଟାଏ ପରେ ବୋଉ କହିଲା, ସିଏ ତ ଆଜି ଏପର୍ଯ୍ୟନ୍ତ ଚାହା ପିଇଲାନି, ସୁକାନ୍ତି ତୁ ଗୋଟେ କାମ କର୍, ଚୁଲି ଲଗାନା, ଏଇ ଗ୍ୟାସ ଟା ମିନିଟିଏ ଲଗେଇ ଦେଇ ତାକୁ ଚାହା ଟୋପେ କରି ଦେ , ତା ପାଟି ଟା କେମିତି କେମିତି ଲାଗୁଥିବ, ଏତେ ଡେରି ହେଲାଣି
ଆଉ ଘଣ୍ଟାଏ ଗଲା, ବୋଉ ଭରତକୁ କହିଲା
ଭାଇର ଗାମୁଛା ଲୁଗା ରେଡି କର, ମଟର ଲଗେଇ ପାଣି ଦେଇ ଦେ ସିଏ ଗାଧେଇ ପଡୁ
ସୁକାନ୍ତିକୁ କହିଲା ତୁ ଗୋଟେ କାମ କର୍
ସିଏ ଆଉ କପେ ଚାହା ନପିଇଲେ କଣ ଲାଟ୍ରିନ ଯିବ କି
ଗୋଟେ କାମ କର୍ , ସେଇ ଗ୍ୟାସ ତ ଲଗେଇଥିଲୁ , ସେଥିରେ ଆଉ କପେ ଚାହା କରି ଦେ, ସେ ଗାଧେଇ ପଡି ତାସ୍ ଖେଳିବାକୁ ପଳୋଉ, ସନ୍ଦୀପ ତ ଆଣି ପୁଳାଏ ପାନ ଥୋଇ ଦେଇ ଯାଇଛି, ସିଏ ତାର ପାନ ଚୋବେଇକି ସେଠି ତାସ ଖେଳିବ, ଭୋକ ଭୁଲି ଯିବ
ମୁଁ ସେଇଆ କଲି
ମୁଁ ଗାଧେଇ ଆସିଲା ପରେ ବୋଉ କହିଲା ଗାଧେଇକି ସେଇମିତି ଗଲେ ତାକୁ ଥଣ୍ଡା ଧରିବ, ତାକୁ ଚାମୁକେଇ କ୍ଷୀର ଆଣି ଦେ ସେ ପିଇ ଦେଇଥାଉ, ନହେଲେ ଥଣ୍ଡା ଧରିବ,
ଗିଲାସେ କ୍ଷୀର ସେଥିରେ ଅଧା ଗିଲାସେ ଖଣ୍ଡ ସର, ବୋଉ ଆଣି ଦେଲା, ମୁଁ ପିଇ ଦେଇ ପାନ ଧରି ତାସ୍ ଖେଳିବାକୁ ଚାଲି ଆସିଲି
ଦିନ ଦି ଟା ବାଜିବାକୁ ଦଶ ପନ୍ଦର ମିନିଟ୍ ଅଛି , ବୋଉ ତା ପଛକୁ ତା ପଛ ଦି ତିନି ଜଣକୁ ପଠେଇଲା ମୋତେ ଡାକିବାକୁ
ମୁଁ ଗଲି, କହିଲା ଦି ଟା ବାଜି ଯିବ, ଗ୍ରହଣ ଲାଗିଯିବ
ତୁ ଗୋଟେ କାମ କର୍, ମୁ ସୁକାନ୍ତି କି କହିଲି ଆଜି ଗ୍ରହଣ ଲାଗିଚି, ତୁ ଚୁଲି ଲଗାନା, ତୁ ସେ ଉଠା ଗ୍ୟାସ୍ ଚୁଲାରେ ଦିପଟ ରୁଟି ଟିକେ ଡାଲମା କରି ଦେ, ସକାଳୁ କଣ ଏଡେ ବକଟେ ପିଠା ଖାଇଥିଲା , ତାକୁ ବହୁତ ଭୋକ ହବଣି ,
ସିଏ ରୁଟି କରିଚି, ଦିପଟ ଖାଇ ଦେ
ମୁଁ ଯେହେତୁ ଗ୍ରହଣ ପାଳୁଥିଲି କିଛି କହିଲି ନାହିଁ, ସେତେକ ଖାଇ ଦେଲି
ସନ୍ଧ୍ୟା ସାଢେ 6 ବାଜିଲା
ବୋଉ କହିଲା, ଆଜି ଗ୍ରହଣ ଓପାସ ଟା, ଇଆଡୁ ସିଆଡୁ କଣ ଟିକେ ପାଟିରେ ମାରି କଣ ଭୋକ ସମ୍ଭାଳି ହେବ ?
ଗ୍ରହଣ ତ ଛାଡି ଗଲାଣି, ତୁ ସେ ଗ୍ୟାସ ଚୁଲିରେ ଅଳପ ଟିକେ ଛେନା ଛିଡେଇ ଦେ, ସିଏ ଦି ଚାମୁଚ ଖାଇ ଦୋଉ, ରାତିକି ନହେଲେ କଣ କରିବା ଦେଖାଯିବ
ମୁଁ ତାସ୍ ଖେଳି ଡେରିରେ ସାଢେ ଦଶଟା ବେଳକୁ ଗଲି, ବୋଉ ଅତି ବେଶୀରେ 9 ଟା ଭିତରେ ଶୋଇପଡିବା ଲୋକ, ଶୋଇଥିଲା, କେମିତି ଜାଣିଲା କେଜାଣି, ଉଠିକି ଆସିଲା, ମୁଁ ଜାଣେ ସିଏ ଯାହା କହିବ ରାତିରେ ନଖାଇଲେ ସିଏ ଛାଡି କି ଯିବନି କି ଶୋଇବନି,
ରୁଟି ମିଲ୍ ମେକର ତରକାରୀ ଦେଲା, କହିଲା ନେ ଏ ଟିକକ ଖାଇ ଦେଇଥା, କାଲି ରୋଷେଇବାସ ହେଲେ ଖାଇବୁ
ଖାଇ ଦେଲି
ବୋଉ ଦିନ ସାରା ଖାଇଲା କି ନଖାଇଲା କଣ ଖାଇଲା ମୁଁ ପଚାରିଲି ନି, ମୋର ସେଇଟା ନା ଦାୟିତ୍ୱ ଭିତରେ ଆସେ ନା ଅଭ୍ୟାସ ଭିତରେ ମୋ ପିଲାବେଳୁ ଆଜି ଯାଏ । ସିଏ ନିଷ୍ଠାର ସହ ବିଧି ବିଧାନ ପାଳିଥିବ, ସେ ଯେମିତି ମୋତେ ବୁଝୋଉଥିଲା
ଆଉ ଏ ଭୁତ ବହି ଜ୍ଞାନୀ ହେତୁ ବିଜ୍ଞାନୀଙ୍କୁ ଦେଖ, ଆଉ ଆମ ଧରମ ଜ୍ଞାନୀ ମାନଙ୍କୁ ବି ଦେଖ, କଣ କରୁଛନ୍ତି, ଆମ ପରମ୍ପରାରାକୁ କେତେ ଅସ୍ତବ୍ୟସ୍ତ କରି କେତେ କଥା କହୁଛନ୍ତି,
ୟାଙ୍କର କଣ କହାରି ଜଣକର ବି ବୋଉ ନାହାନ୍ତି ନା କଣ ?
କଣ ଗୋଟାଏ ଦିନ ଉପାସ କଲେ ଆକାଶ ଭାସି ଯିବ ?
ମୁଁ କାଲି ମୋ ବୋଉ କଥା ମାନି ଏମିତି ପୁରା ଦିନ ଗ୍ରହଣ ଉପାସ ପାଳିଲି, କାଇଁ କିଛି ତ ପ୍ରୋବ୍ଲେମ ହେଲା ନାହିଁ, ୟାଙ୍କର କଣ ସବୁ ପ୍ରୋବ୍ଲେମ ହୁଏ କେଜାଣି, ଟିଭି ଲଗେଇ କେତେ କେତେ ଜଟିଳ ଜ୍ଞାନ କୁଟିଳ ତତ୍ତ୍ୱ କେତେ ଯେ ଗପନ୍ତି !
( କଥାରେ ଅଛି ମା ନାହିଁ ଯାହାର
ସାହା କିଏ ତାହାର !!
ଶେଷକୁ ଏ ଧାଡିକ ମନକୁ ଆସିଲା ଆଖିରେ ଲୁହ ବି ଆସିଗଲା, ଲେଖା ଆରମ୍ଭରୁ ଏ କଥା ମନକୁ ଆସିଥିଲେ ଏକଥା ଆଦୌ ଲେଖି ନଥାନ୍ତି, ସଂସାରର ସମସ୍ତ ମାତୃହରା ପିଲାମାନଙ୍କୁ ମୁଁ ଏ ଲେଖା ପାଇଁ ହାତଯୋଡି ପ୍ରଣାମ କରୁଚି,
ହେ ମାତୃ ସ୍ବରୁପା ଈଶ୍ୱର, ଏମାନଙ୍କୁ ମାତୃସମ ଲାଳନ ପାଳନ କରିବାର ଦାୟିତ୍ବ ତୁମର ହେଉ, ପ୍ରତି କ୍ଷଣ, ସଦା ସର୍ବଦା )
Laxmidhar Nayak
My Facebook Post: 26th October 2022