ସାଧନା ବିହୀନ ପ୍ରବଚନ ବନ୍ୟା ସୁଧାର ନଆଣି ଦିଏ କଷଣ

Share it

ଭାଷଣ ପ୍ରବଳ-କଷଣ ପ୍ରବଳ
— ତ୍ରିଲୋଚନ

ସତସଙ୍ଗ ସଙ୍ଗ ପାଇବା ସୁଯୋଗ
ମିଳିଗଲା ଦିନେ ଦଇବ ବଳେ
ଚକାଟିଏ ପାରି ତଳେ ବସିଗଲି
ଶୁଣିବାକୁ କିଛି ଆଗ୍ରହ ଭରେ॥

ପ୍ରସଙ୍ଗ କିମ୍ଭୂତ-କିମାକାର ଥିଲା
ଶ୍ରୋତା ହେଉଥିଲେ ବଡ ଚକିତ
” ଭାଷଣ ପ୍ରବଳ-କଷଣ ପ୍ରବଳ”
ଚଳନ୍ତି ପ୍ରସଙ୍ଗ ସର୍ବ ବିଦିତ॥

ଆମନ୍ତ୍ରଣ ପରେ ଆଗକୁ ଆସିଲେ
ଶାନ୍ତ ସୌମ୍ୟ ରୂପ ସାଧକ ଜଣେ
ଯାହା ରଖିଲେ ଶ୍ରୋତାଙ୍କ ଆଗରେ
ରହିଛି ସ୍ମରଣ ଭିତିରି କୋଣେ॥

ବସେଇ ବସେଇ କହିଲେ ବୁଝେଇ
ଯୋଗ ପାଇଁ ଆଗେ ଭୋଗ ନିବୃତ୍ତି
ପ୍ରବଚକ ଆଜି ଯେମିତି ଆସନ୍ତି
ଫୁଟି ପଦୁଥାଏ ସବୁ ପ୍ରବୃତ୍ତି॥

ସୁଲଳିତ ସୁରେ ବାଦ୍ୟ ତାଳେ ତାଳେ
ଶୁଣାଇ ଦିଅନ୍ତି ମଧୁର ଗୀତ
ପଦ୍ମତୋଳା ଶୁଣି ହେଲା ପରି ଫଣୀ
ବଶୀଭୂତ ଶ୍ରୋତା ହୁଏ ମୋହିତ॥

ମୋହିତ ଯେହେଲା ପେଡିରେରହିଲା
ଫଣା ଟେକି ଖେଳି ପୋଷିବ କେଳା
ପ୍ରବାଚକ ଆଜି କେଳାଠାରୁ ବଳି
ତଥାପି ଭକତ ହୁଏ ବାଉଳା॥

ଘୋସା ଭାଷଣକୁ ଘୋସାରିଘୋସାରି
ଜନତାଙ୍କ ଆଗେ ଦେଲେ ପରଷି
କାନ କବାଟରେ ଧକ୍କା ଖାଇ ଫେରେ
ପ୍ରାଣ କେନ୍ଦ୍ର ଯାଏ ପାରେନା ପଶି॥

ଶୋଷିଲା ପାଖକୁ ଜଳ ଯାଏ ନାହିଁ
ଭୋକିଲା ପାଖକୁ ଯାଏନା ଫଳ
ନୁହେଁ ସାଧକର କର୍ମ ପ୍ରଚାରର
ଭାଷଣ ଦେବା ତ ତା’ପାଇଁ କାଳ॥

ଭାଷଣ ପ୍ରବଳ-କଷଣ ପ୍ରବଳ
ପଛରେ ରହିଛି ବହୁ କାରଣ
ସାଧନା ବିହୀନ ପ୍ରବଚନ ବନ୍ୟା
ସୁଧାର ନଆଣି ଦିଏ କଷଣ॥

ପ୍ରାୟ କାନଙ୍କର ଏକା ପରି ଗୁଣ
ନ ଛାଣି ଶୁଣନ୍ତି ବହୁତ ବେଶୀ
କଥାଛଣା କାନ ଯା ପାଖରେ ଅଛି
ଜୀବନଟା ସାରା ରହେ ସେ ଖୁସି॥

-୦-୦-୦-୦-୦-୦-୦-୦-୦-୦-୦-
ଧାମନଗର, ଭଦ୍ରକ


Share it

Leave a comment

Your email address will not be published. Required fields are marked *

Verified by MonsterInsights