ରାଈ ଦାମୋଦର ଲୀଳା କଥା

Share it

==============
ମହାପ୍ରଭୁ ଶ୍ରୀଗନ୍ନାଥଙ୍କ ପ୍ରତି ଶୃଙ୍ଗାର ପଛରେ କିଛି ନା କିଛି ପୌରାଣିକ କାହାଣୀ କିମ୍ବା ତାଙ୍କ ଲୀଳାର କିଛି ଦର୍ଶନ ନିହିତରହିଛି l ସେହି ପରି ମହାପ୍ରଭୁଙ୍କ ରାଈ ଦାମୋଦର ବା ରାଧାଦାମୋଦର ବେଶ ସହିତ ଯୋଡ଼ି ହୋଇରହିଛି ଏକ ଅପୁର୍ବ ଆଖ୍ୟାନ l କାର୍ତ୍ତିକ ମାସରେ ମହା ବିଷ୍ଣୁଙ୍କ ନାମ ଦାମୋଦର l ସବୁଠାରୁ ପବିତ୍ର ଓ ବିଷ୍ଣୁଙ୍କର ପ୍ରିୟ ଏହି ମାସ କାର୍ତ୍ତିକ l ପୂଣ୍ୟ କାର୍ତ୍ତିକ ମାସରେ ବିଷ୍ଣୁଙ୍କୁ ଦାମୋଦର ନାମରେ ପୁଜା କରାଯାଏ l ଏହି ସମୟରେ ଆଶ୍ୱିନଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକଶୁକ୍ଳଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ରାଇ ଦାମୋଦର ବେଶରେ ସଜ୍ଜିତ କରାଯାଏ l ଭଗଵାନ ଦାମୋଦର ନାମବହିବା ପଛରେ ଶ୍ରୀମଦ୍ଭାଗବତରେ ଗୋଟିଏ ସୁନ୍ଦର ଉପାଖ୍ୟାନ ରହିଛି l

ଧନପତି କୁବେରଙ୍କର ଦୁଇ ପୁତ୍ର ନଳକୁବେର ଆଉ ମଣିଗ୍ରୀବ ଧନ ଗର୍ବରେ ଅହଙ୍କାରୀ ହୋଇ କର୍ତ୍ତବ୍ୟ ଅକର୍ତ୍ତବ୍ୟ ଭୁଲିଗଲେ l ଦେବର୍ଷି ନାରଦ ଗଙ୍ଗାସ୍ନାନ କରି ଦିନେ ଫେରୁଥିଲା ବେଳେ କୁବେର ପୁତ୍ର ଦ୍ବୟ ଅପ୍ସରୀ ମାନଙ୍କ ସହିତ ଉଲଗ୍ନ ହୋଇ, ଜଳ କ୍ରୀଡ଼ା କରୁ ଥିଲେ l ଦେବର୍ଷିଙ୍କୁ ଦେଖି ଅପ୍ସରୀମାନେ ନିଜ ନିଜର ବସନ ଭୂଷଣ ପରିଧାନ କରିନେଲେ l ମାତ୍ର କୁବେରପୁତ୍ର ସେହିପରି ଉଲଗ୍ନରହି ତାଙ୍କୁ ପରିହାସ କଲେ l ଦେବର୍ଷି ଏ ଅବମାନନାରେ କୁପିତ ହୋଇ ସେମାନଙ୍କୁ ଅଭିଶାପଦେଲେ l ନାରଦଙ୍କ ଶାପଗ୍ରସ୍ତ ହୋଇ, ସେମାନେ ମର୍ତ୍ତ୍ୟରେ ଦୁଇଟି ଯାମଳ ଅର୍ଜୁନ ବୃକ୍ଷରୂପେ ଜନ୍ମଲାଭ କଲେ l ସେମାନଙ୍କୁ ନାରଦଙ୍କ ଆଶୀର୍ବାଦ ଥାଏ, ତୁମେ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ପର୍ଶ ପାଇଲେ ଶାପ ମୁକ୍ତ ହେବ l

ଅଷ୍ଟାବିଂଶତି ଦ୍ଵାପରେଣ l
ଜନ୍ମ ଲଭିବେ ନାରାୟଣ ll
ଵିଷ୍ଣୁର ଦିବ୍ୟ ରୂପ ଚାହିଁ l
ସ୍ୱର୍ଗେ ଆସିବ ବେନିଭାଈ ll

ତାହାହିଁ ହେଲା l ଦିନେ ମାତା ଯଶୋମତି ଅଝଟିଆ ବାଳକ କାହ୍ନାଙ୍କୁ ଶାସନ କରିବା ପାଇଁ ଦୋଉଡ଼ିରେ ବାନ୍ଧି ଏକ ଉଦୁଖଳ ଲଗାଇ ଏହି ଦୁଇବୃକ୍ଷ ମଧ୍ୟରେ ଖଟେଇଦେଲେ l ଏହିଠାରେ ଭଗବାନ ଏକ ଅଦ୍ଭୁତ ଲୀଳା ଦେଖାଇଲେ l ମାଆ ଯଶୋଦା ଶିଶୁ କୃଷ୍ଣଙ୍କୁ ବାନ୍ଧିବାପାଇଁ ଯେତେ ଦଉଡି ଆଣିଲେ ତାହା ଛୋଟ ହେଲା l ଶେଷରେ ଭଗବାନ ମା’ଙ୍କ ବାତ୍ସଲ୍ୟ ପ୍ରେମ ବଶ ହୋଇ ତାଙ୍କୁ ବନ୍ଧନରେ ଧରାଦେଲେ l ବାଳକ ଭଗବାନ୍ କୃଷ୍ଣ ଦଉଡ଼ିରେ ବନ୍ଧା ହୋଇଥିବା ବେଳେ ତାଙ୍କ ଆକର୍ଷଣରେ ଯାମଳାର୍ଜୁନ ଗଛଦୁଇଟି ଉପୁଡ଼ି ପଡ଼ି ଶାପମୁକ୍ତ ହେଲେ ଏବଂ ଦିବ୍ୟ ପୁରୁଷ ରୂପରେ ନିଜ ପୁରକୁ ଫେରିଗଲେ l ମାଆ ଯଶୋଦା କୃଷ୍ଣଙ୍କ ଉଦରକୁ ଦାମ ବା ଦଉଡ଼ିରେ ବାନ୍ଧିଥିବାରୁ ଭଗବାନ ନାମ ବହିଲେ ଦାମୋଦର l

ଏଥିପାଇଁ ରାଇ ଦାମୋଦର ବେଶରେ ଶ୍ରୀଜଗନ୍ନାଥ ଓ ବଳରାମଙ୍କ ଅଣ୍ଟାରେ ସୁନା ଦଉଡ଼ି ବା ପଟି ବନ୍ଧା ଯାଏ l ଏହି ବେଶରେ ଶ୍ରୀ ଜୀଉମାନେ ମନଲୋଭା ତ୍ରୀକଛବସ୍ତ୍ର ପରିଧାନକରନ୍ତି l ହସ୍ତରେ ସୁବର୍ଣ୍ଣ ନଳୀ ଭୁଜ ଲଗା ଯାଏ l ବାଉଁଶ ପାତିଆ ଓ କନା ନିର୍ମିତ ଚୁଳ ତ୍ରୀମୁଣ୍ଡି ଉପରେ ଶୋଭା ପାଏ ଓ ଚୁଳର ଅଗ୍ର ଭାଗରେ ଶୋଭା ପାଏ, ଚନ୍ଦ୍ରିକା, କର୍ଣ୍ଣରେ କୁଣ୍ଡଳ ଓ ଶ୍ରୀମୁଖରେ ତିଳକ l ଏହି ମନ ଲୋଭା ନଟ ନାଗର ବେଶ ଶ୍ରୀମତି ରାଧାରାଣୀଙ୍କ ଅତି ପ୍ରିୟ ହୋଇଥିବା ହେତୁ ଏହା ରାଧା ଦାମୋଦର ବେଶ ନାମରେ ମଧ୍ୟ କଥିତହୁଏ l ପୁନଶ୍ଚ ଏହି ମନଲୋଭା ବେଶର ନାମ ରାଇଦାମୋଦର ବେଶ,ଏହାକୁ ନେଇ ଲୀଳାମୟଙ୍କ ରହିଛି ଏକ ସୁନ୍ଦର ଲୀଳା l

ମହାପ୍ରଭୁଙ୍କ ବଡ଼ ପଣ୍ଡା ପ୍ରଭୁଙ୍କ ସେବାରେ କୌଣସି ତ୍ରୁଟି କରୁନଥିଲେ l କ୍ରମେ ତାଙ୍କ ବୃଦ୍ଧାବସ୍ଥା ଆସିଲା ଏବଂ ବୟସାଧିକ୍ୟ କାରଣରୁ ସେ ଆଉ ମହାପ୍ରଭୁଙ୍କ ସେବାପାଇଁ ଶ୍ରୀମନ୍ଦିର ଯାଇ ପାରିଲେ ନାହିଁ l ତାଙ୍କ ମନରେ ବହୁ କଷ୍ଟ ହେଲା l ପ୍ରଭୁଙ୍କୁ ଅନ୍ତରର ଦୁଃଖ ଜଣାଇ ଘରେ ପଡ଼ି ରହିଲେ l ଭକ୍ତବତ୍ସଳ ମହାପ୍ରଭୁ ଭକ୍ତର ଦୁଃଖକୁ ଜାଣିପାରିଲେ l ପ୍ରଭୁ ତାଙ୍କୁ ସ୍ୱପ୍ନରେ ଦିନେ ଦର୍ଶନଦେଇ କହିଲେ ପଣ୍ଡାଏ ତୁମ ସେବାରେ ମୁଁ ବହୁ ସନ୍ତୁଷ୍ଟ l ମୋଠାରୁ କିଛି ବରଚାହଁ ତ ମାଗ l ବଡ଼ପଣ୍ଡା କହିଲେ, ପ୍ରଭୁ ! ମୋର କୌଣସି ବରରେ ଦରକାର ନାହିଁ l ଆପଣଙ୍କୁ ସେବା କରି, ତୃପ୍ତ କରି ପାରିଛି ଏହାହିଁ ମୋର ପରମସୌଭାଗ୍ୟ l କୌଣସି ଦୋଷ ତ୍ରୁଟି ଥିଲେ ମାର୍ଜନା କରିବେ l ମୋତେ ଜନ୍ମ ଜନ୍ମାନ୍ତରରେ ଆପଣଙ୍କର ଏହି ଦୁର୍ଲଭ ସେବା ପ୍ରାପ୍ତ ହେଉ ଏତିକି ମାତ୍ର ଆଶୀର୍ବାଦ କରନ୍ତୁ l ପ୍ରଭୁ ଭକ୍ତର ଏ ନିଷ୍କାମ ପ୍ରାର୍ଥନାରେ ଦ୍ରଵିଭୂତ ହୋଇଗଲେ l କିନ୍ତୁ ଭକ୍ତପାଇଁ ତ କିଛି କରିବାକୁ ପଡ଼ିବ l ପୁଣି ସେ ପଣ୍ଡା ମହାଶୟଙ୍କୁ ବର ମାଗିବାକୁ ବାଧ୍ୟ କରିବାରୁ ପଣ୍ଡାଏ କହିଲେ, ମୋର ତ କିଛି ମାଗିବାର ନାହିଁ l ଗୋଟିଏ ମାଗୁଣି,ମୋ ଝିଅ ରାଈ କୃଷ୍ଣଙ୍କ ପ୍ରତିମାଟିଏ ରଖିଛି l କେଡ଼େ ନିଷ୍ଠାର ସହିତ ପ୍ରତ୍ୟହ ତାକୁ ପୂଜା କରୁଛି l ଯଦି ତାକୁ ଥରେ ଆପଣ ଦର୍ଶନଦିଅନ୍ତେ ତା ଜୀବନ ଧନ୍ୟ ହୋଇଯାଆନ୍ତା l ପ୍ରଭୁ ଏତିକି କରୁଣା କରନ୍ତୁ l ମୋର ଅନ୍ୟ କୌଣସି, ଆକାଂକ୍ଷା ନାହିଁ l ମହାପ୍ରଭୁ କହିଲେ ଠିକ ଅଛି ତୋ କଥା ରଖିଲି l

ପଣ୍ଡାଏ ଝିଅକୁ ଡାକି କହିଲେ ଆଲୋ ମାଆ ରାଈ ! ଶୁଣିଲୁଣି ତୋତେ ମହାପ୍ରଭୁ ଦର୍ଶନ ଦେବେ ବୋଲି ମୋତେ କଥା ଦେଇଛନ୍ତି,ତୋ ଜୀବନ ଧନ୍ୟ ହୋଇ ଯିବଲୋ ମାଆ l ବାପା ପ୍ରଭୁଙ୍କ ଅନ୍ତରଙ୍ଗ ସେବକ l ତାଙ୍କୁ ଠାକୁରେ କଥାଦେଇଛନ୍ତି l ଏକଥା ଶୁଣି ରାଇ ଆନନ୍ଦରେ ନାଚିଉଠିଲା l ମନେମନେ କହିଲା ହେ ପ୍ରଭୁ ! ଆପଣ ଏତେଦିନେ ମୋ ଡାକ ଶୁଣିଲେ ! ପରଦିନ ରାଈ ସକାଳୁ ପୂଜା ସାରି ପ୍ରଭୁଙ୍କ ଦର୍ଶନକୁ ଆଶାକରି ନଖାଇ ନ ପିଇ ଅତି ଉତ୍କଣ୍ଠା ସହକାରେ ଶୋଇ ପଡ଼ିଲା l ଆଖିକୁ ନିଦ ଆସୁନାହିଁ l ଛଟପଟ ହୋଇ ଅର୍ଦ୍ଧ ରାତ୍ରୀ ବେଳକୁ ଟିକିଏ ଛାଇ ନିଦ ମାଡି ଆସିଥାଏ ପ୍ରଭୁ ଆସି କହିଲେ ରାଈ ! ମୁଁ ଆସିଗଲି l କେଉଁବର ମାଗିବୁ ମାଗ l ରାଈ ଚାଉଁକରି ଉଠିପଡ଼ି ହାତଯୋଡ଼ି କହିଲା,ପ୍ରଭୁ, ମୋର କିଛିବର ଦରକାର ନାହିଁ, ମୋର ଖାଲି ଆପଣଙ୍କ ସାନିଧ୍ୟଟିକେ ଲୋଡ଼ା l ଆପଣଙ୍କୁ ସ୍ୱାମୀ ରୂପେ ପାଇବାପାଇଁ ମନରେ ମୋର ଅଭିଳାଷ l ଏତିକି ବର ଦିଅନ୍ତୁ, ମୁଁ ଆପଣକୁ ବିବାହ କରିବି l ଆପଣ ହେବେ ମୋର ସ୍ୱାମୀ l

ରାଈର କଥାଶୁଣି ପ୍ରଭୁ ଚମକିପଡ଼ି କହିଲେ, ଆରେ ଇଏ ତ ବଡ଼ ଅସମ୍ଭବ କଥା l ମୁଁ ବିବାହିତ ! ମୋର ସ୍ତ୍ରୀ ଲକ୍ଷ୍ମୀ l ତା ସହ ମୁଁ ଶ୍ରୀମନ୍ଦିରରେ ରହୁଛି l ଭାରି ମୁଖରା,ବଡ଼ କଳିହୁଡ଼ି l ତୋତେ ବିବାହ କଲେ ସେ ତୋତେ ଶ୍ରୀମନ୍ଦିରରେ ପୁରାଇ ଦେବନାହିଁ l ମୋତେ ତାର ଭାରି ଅବିଶ୍ୱାସ l ସିଏ ପୁଣି ପରା ଶ୍ରୀମନ୍ଦିରର ମାଲିକାଣି l ରହୁଥିବା ମନ୍ଦିରଟା ସେ ନିଜ ନାଆଁରେ ଶ୍ରୀମନ୍ଦିର କରିଦେଇଛି l ରାଈ କହିଲା, ସେସବୁ ମୁଁ କିଛି ଶୁଣିବି ନାହିଁ l ଆପଣଙ୍କୁ ମୁଁ ବିବାହ କରିବି l ନ ହେଲେ ଆତ୍ମହତ୍ୟା କରିବି l ପ୍ରଭୁ ରାଈର ଏହି ଜିଦ ଦେଖି ତା କଥାରେ ରାଜି ହୋଇଗଲେ l ମାତ୍ର ଏକ ସର୍ତ୍ତରଖିଲେ, ବିବାହ ପରେ ରାଈ ଶ୍ରୀମନ୍ଦିରକୁ ଯିବ ନାହିଁ l ରାଈ ମଧ୍ୟ ଏଥିରେ ରାଜି ହୋଇଗଲା l ସେଦିନ ରାତ୍ରିରେ ବିବାହ ହୋଇ ଗଲା ମହାପ୍ରଭୂଙ୍କ ରାଈ ସହିତ l ବିବାହ ସାରି ପ୍ରଭୁ ଅତି ସନ୍ତର୍ପଣରେ ଚୁପ୍ ଚୁପ୍ ଯାଇ, ଶ୍ରୀ ମନ୍ଦିରରେ ପ୍ରବେଶ କରୁ ଥାନ୍ତି, ମାଆ ଲକ୍ଷ୍ମୀଙ୍କ ହାବୁଡ଼ରେ ପଡ଼ିଗଲେ l ମାଆ ଲକ୍ଷ୍ମୀ ପ୍ରଭୁଙ୍କ ରଙ୍ଗଢଙ୍ଗଦେଖି ବୁଝିଗଲେ ଆଜି ଲୀଳାମୟ ବୋଧ ହୁଏ ଗୋଟିଏ କିଛି ଲୀଳା ରଚନା କରିଛନ୍ତି l ମାଆ ଅତି ନମ୍ରତାର ସହ ଟିକିଏ ମୁରୁକି ହସିଦେଇ ପ୍ରଭୁଙ୍କୁ ପଚାରିଲେ ପ୍ରଭୁ, କୁଆଡ଼େ ଯିବା ହୋଇଥିଲା କି? ଦେହରେ ହଳଦୀ ପାଦରେ ଅଳତା ପୁଣି ଅଗୁରୁ ଚନ୍ଦନ ବାସ୍ନାରେ ଦିଗ ଚହଟୁଛି l କଥା କଅଣ?

ମହାପ୍ରଭୁ ଟିକିଏ ହଡ଼ବଡେ଼ଇ ଯାଇ ଅପ୍ରତିଭ ହୋଇ କହିଲେ, କଥା କଅଣ କି, ସ୍ଵର୍ଗ ପୁରରେ ଶଚିଦେବୀ ଆଉ ଇନ୍ଦ୍ରଙ୍କ ବାହାଘର ଥିଲା ତ, ମୁଁ ମାର୍କଣ୍ଡି ହୋଇ ଯାଇଥିଲି l ସିଏ ଜଗତର ଠାକୁରାଣୀ l ତାଙ୍କୁ ପୁଣି ଭଣ୍ଡିବ କିଏ l ମା’ ମହାଲକ୍ଷ୍ମୀ ହୁଁ ଟିଏ ମାରି ଗମ୍ଭୀର ହୋଇ ରହିଲେ l ପ୍ରଭୁ ଏତକକହି ତରଭର ହୋଇ ସିଂହାସନରେ ଯାଇ ବିଜେ ହେଲେ l

ରାଈ ଏଣେ ବାପଘରେ ରହୁଥାଏ l ଦେବର୍ଷି ନାରଦ ଦିନେ ବଡ଼ପଣ୍ଡାଙ୍କ ଘରେ ପହଞ୍ଚି କହିଲେ, ହଇ ହୋ ବଡ଼ପଣ୍ଡାଏ ! ଝିଅକୁ ତ ବାହା କଲ l ହେଲେ ଜ୍ୱାଇଁ କାହାଁନ୍ତି l ପଣ୍ଡାଏ କହିଲେ, ଜ୍ୱାଇଁ ହେଉଛନ୍ତି ସେହି ଜଗତର ନାଥ ଜଗନ୍ନାଥ, ଲକ୍ଷ୍ମୀ ଠାକୁରାଣୀ ଜିଗର କରିବେବୋଲି ଝିଅକୁ ଶ୍ରୀମନ୍ଦିର ଯିବାପାଇଁ ବାରଣ କରିଛନ୍ତି ମହାପ୍ରଭୁ l ନାରଦ କହିଲେ, ଆରେ ଇଏ ତ ବିଷମ ସମସ୍ୟା l ତେବେ ତୁମେ ଗୋଟିଏ କାମ କର,ଦେଖିବା ମା’ ଲକ୍ଷ୍ମୀ କିପରି ବାରଣ କରୁଛନ୍ତି l ମାଆ ଲକ୍ଷ୍ମୀ ପହୁଡ଼ିବା ଆଗରୁ ରାଈ ସକାଳୁସକାଳୁ ଯାଇ, ଶ୍ରୀମନ୍ଦିରରେ ଲକ୍ଷ୍ମୀ ପ୍ରତ୍ୟହ କରୁଥିବା ସବୁ କାମତକ କରି ଦେଇ, ବାହୁଡ଼ି ଆସିବ l ଯଦି ଲକ୍ଷ୍ମୀ କେବେ ଦେଖିଦିଅନ୍ତି ଓ ପଚାରନ୍ତି ତେବେ ସତକଥା କହିଦେବ l

ନାରଦଙ୍କ କଥା ରଖି ରାଈ ପ୍ରତିଦିନ ଯାଇ ସବୁକାମ କରି ଦେଇ ଚାଲି ଆସେ l ମାଆ ଲକ୍ଷ୍ମୀ ଭାବନ୍ତି, ମୁଁ ପହୁଡିବା ଆଗରୁ କିଏ ଏମିତି ସବୁକାମ କରି ଦେଇ ଚାଲିଯାଉଛି l ଏହାର ରହସ୍ୟ ଜାଣିବା ପାଇଁ ଦିନେ ବଡ଼ି ଭୋରରୁ ଉଠି ଜଗି ବସିଲେ ମାଆ ଓ ଠିକଣା ସମୟରେ ରାଈକୁ ଧରିନେଲେ l ତାକୁ ପଚାରିବାରୁ ରାଈ ସବୁକଥା କହିଦେଲା ଏବଂ ନାରଦଙ୍କ କଥାରେ ସେ ଏସବୁ କାର୍ଯ୍ୟ କରୁଛି ବୋଲି କହିଲା l
ଲକ୍ଷ୍ମୀ ରାଈ କଥା ଶୁଣି, ଟିକିଏ ଉଚ୍ଚଵାଚ କରୁଥାନ୍ତି ଏହି ସମୟରେ ଜଗାବଳିଆ ଦୁଇଭାଇ ନିଦରୁ ଉଠି ଆଖି ମଳି ମଳିକି ଆସି ପହଞ୍ଚିଗଲେ l ଦେଢ଼ଶୂରଙ୍କୁ ଆଗରେ ଦେଖି ମାଆ ଲକ୍ଷ୍ମୀ ଟିକେ ଲାଜେଇଗଲେ l ବଡ଼ଠାକୁର ତାଙ୍କୁ ପଚାରିବାରୁ ସକସକ ହୋଇ ସବୁ କଥା ଯାକ କହି ଗଲେ l ବଡ଼ ଠାକୁରେ ଜଗନ୍ନାଥଙ୍କ ଆଡ଼କୁ ଟିକିଏ କଡ଼ାଦୃଷ୍ଟିରେ ଚାହିଁ କହିଲେ,” କିରେ କହ୍ନେଇ ! ଏସବୁ କଅଣ ମୁଁ ଶୁଣୁଛି “?

ଭାଇଙ୍କୁ କିଛି କହିବାର ସୁଯୋଗ ନଦେଇ ଜଗନ୍ନାଥ ସବୁ କଥା ମାନିଗଲେ l ରାଈକୁ ବିବାହକରିଥିବା ଓ ତାକୁ ଶ୍ରୀମନ୍ଦିର ଆସିବା ବାରଣକରିଥିବା କଥା ସବୁ ଗୋଟି ଗୋଟି କରି କହିଗଲେ l ବଡ଼ଠାକୁରେ ବଡ଼ ଅଡ଼ୁଆରେ ପଡିଲେ l ଭାବୁଥାନ୍ତି କ’ଣ ଉପାୟ କରା ଯାଇ ପାରିବ l ଏତିକି ବେଳେ ଆସି ନାରଦ ପହଁଚି ଗଲେ l ବଡ଼ ଠାକୁରେ ଦେବର୍ଷିଙ୍କୁ ଦେଖି କହିଲେ, ଦେବର୍ଷି ! ଆମେ ଏଭଳି ଏକ ବିଷମ ସମସ୍ୟାରେ ପଡ଼ିଛୁ କିଛି ସମାଧାନର ସୂତ୍ର ବତାନ୍ତୁ l
ଦେବର୍ଷି କହିଲେ, ଇଏ ଗୋଟିଏ କି ସମସ୍ୟା ଯେ ! ଏହାର ଗୋଟିଏ ସୂକ୍ଷ୍ମସମାଧାନ କହୁଛି ଶୁଣ l ତୁମ ଭାଈ ଜଗନ୍ନାଥ, ବର୍ଷରେ ମାତ୍ର ପଚିଶଟି ଦିନ ଯାଇ ରାଈ ପାଖରେ ରହିବ l ବାକି ସମୟ ସେ ଲକ୍ଷ୍ମୀଙ୍କ ପାଖରେ ରହିବ l ଆଉ ସେସମୟ ହେଉଛି ଆଶ୍ୱିନ ଶୁକ୍ଳଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳଦଶମୀ ପର୍ଯ୍ୟନ୍ତ l ସମସ୍ତେ ଏଥିରେ ରାଜି ହୋଇଗଲେ l

ଏହି ଉପାଖ୍ୟାନ ଆଧାରରେ ଆଶ୍ୱିନ ଶୁକ୍ଳଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳଦଶମୀ ଯାଏ ପଚିଶ ଦିନବ୍ୟାପି ମହାପ୍ରଭୁ “ରାଈ ଦାମୋଦର ବେଶ” ହୋଇଥାନ୍ତି l ଶ୍ରୀଜଗନ୍ନାଥଙ୍କ ସହିତ ରାଧା ବା ରାଈଙ୍କୁ ଉପାସନା କରାଯାଏ l ପ୍ରକାଶ ଥାଉ କି ରାଧାଙ୍କର ଅନ୍ୟ ନାମ ରାଈ ବା ରାଈ କିଶୋରୀ l ମହାପ୍ରଭୁଙ୍କ ଏହି ରାଈ ଦାମୋଦର ବେଶ ଦର୍ଶନରେ ମଣିଷର ବହୁଜନ୍ମର ପାତକ ନାଶ ହୋଇ ଥାଏ l ରାଈ ଦାମୋଦର ବ୍ରତ ଉପାସନାରେ, ମନୁଷ୍ୟକୁ ବୈକୁଣ୍ଠ ବାସ ମିଳି ଥାଏ ବୋଲି ବିଶ୍ୱାସରହିଛି l ଆମ ଓଡ଼ିଶାର ପୁରପଲ୍ଲୀର ମହିଳାମାନେ ତୁଳସୀ ଚଉଁରା ପାଖରେ ମୁରୁଜ କାଟି ରାଈଦାମୋଦର ବ୍ରତ ପାଳନକରନ୍ତି l ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାଳଭୋଗ ସେବନକରି ବ୍ରତଚାରୀଣୀ ମାନେ ନିଜକୁ ଧନ୍ୟ ମଣନ୍ତି l

ହରି ଅନନ୍ତ ତାଙ୍କ କଥା ଅନନ୍ତ l ଅଜ୍ଞାନମଣିଷ କାହୁଁ ବା ଜାଣିବ ତାଙ୍କ ଲୀଳା ରହସ୍ୟ l ସିଏ ପରା ନିଜେ କହିଛନ୍ତି :-
ମୋ ମାୟା ମୋତେ ଅଗୋଚର l
କାହୁଁ ଜାଣିବେ ନର ଛାର ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights