ଏଇଟା କି ଦଣ୍ଡ ?
ଆମ ପିଲାବେଳେ ବିଶେଷକରିି ଶୀତ ଦିନେ କଣ ପିଣ୍ଢାରେ ସାତ ଆଠ ପିଲା ଘୋଡେଇ ପାଡେଇ ହେଇ ବସି ପଡନ୍ତି,
ଜଣେ ଗପ କୁହାଳିଆ ବୟସ୍କଲୋକଙ୍କୁ ଘେରି ।
ସେ ଗପ କୁହନ୍ତି
ସମସ୍ତେ ଶୁଣନ୍ତି
ଭୁତ ଗପ ଚାଲିଲେ ଦେଖିବ ମଜା
ସବୁ ପୁରା କୁଙ୍କୁରି କାଙ୍କୁରି ହେଇକି ଭିଡି ହେଇ ଯାଆନ୍ତି ଗପ କୁହାଳିଆଙ୍କ ସହ, ଭୟରେ ।
ଅନେକ ବେଳେ ଅନ୍ୟ ଗପ ଶୁଣିବାକୁ ମିଳେ,
ଆଜିକାଲି ଆଉ ସେ ଗପ ଶୁଣା କାରବାର ନାହିଁ ,
ସେ ସିରସ୍ତା ଉଠିଗଲାଣି ।
ମୋର ଗୋଟାଏ ଗପ ଝାପସା ମନେପଡୁଚି,
ଗୋଟାଏ ରାଜ୍ୟର ଦଣ୍ଡ ବ୍ୟବସ୍ଥାକୁ ନେଇ
ଯାହା ଯେମିତି ମନେ ପଡୁଚି ଲେଖି ଦେଉଛି।
ଗପଟି ଆରମ୍ଭ ହେଲା
ଗୋଟିଏ ରାଜ୍ୟରେ ତିନିଜଣ ସାଙ୍ଗ ଥିଲେ
ଜଣେ ମନ୍ତ୍ରୀଙ୍କ ପୁଅ
ଜଣେ ସେନାପତିଙ୍କ ପୁଅ
ଜଣେ କଟୁଆଳଙ୍କ ପୁଅ
ଏମାନେ ଖୁବ୍ ସାଙ୍ଗ ହେଇ ଖେଳାବୁଲା କରନ୍ତି ।
କିଶୋର ବୟସ, ସେ ବୟସରେ ନାନାଦି ଅଦ୍ଭୁତ ଆଇଡିଆ ସବୁ ଯୁଟେ ମୁଣ୍ଡକୁ ।
ଥରେ ସେମାନେ ନିଷ୍ପତ୍ତି କଲେ ପଡୋଶୀ ରାଜ୍ୟରେ ପଶି ଚୋରୀ କରିବା, ଘରେ ଯେତିକି ପକେଟ୍ ମନି ଦେଉଛନ୍ତି ସେତେକ ଖର୍ଚକୁ ନିଅଣ୍ଟ ହେଉଛି, ଚୋରୀରୁ ବହୁତ ପଇସା ମିଳିବ, ଥରେ ଚୋରୀ କଲେ ବର୍ଷେ ବିନଦାସ୍ ଖର୍ଚ କରିବା, ମଉଜ ମଜଲିସ କରିବା ।
ସେମାନେ ଯୋଜନା ମୁତାବକ ଚୋରୀ କଲେ ଓ
ଦୁର୍ଯ୍ୟୋଗକୁ ଧରାପଡିଗଲେ ।
ସେମାନଙ୍କୁ ବିଚାର ପାଇଁ ରାଜ ଦରବାରରେ ଉପସ୍ଥିତ କରାଗଲା।
ରାଜା ସବୁ ଶୁଣିଲେ,
ଚୋରୀ ସାବ୍ୟସ୍ତ ହେଲା ।
ରାଜା ଭରାଭର ରାଜସଭାରେ ଏବେ ଦଣ୍ଡ ଶୁଣାଇଲେ –
ପ୍ରଥମେ ମନ୍ତ୍ରୀ ପୁଅକୁ ଡାକି ଦଣ୍ଡ ଶୁଣାଇଲେ ରାଜା ।
ରାଜା ମନ୍ତ୍ରୀ ପୁଅକୁ ପଚାରିଲେ
ତୁମ ଘର କେଉଁଠି, ତୁମେ କାହା ପୁଅ, ତୁମ ବାପାଙ୍କ ନାମ କଣ ?
ମନ୍ତ୍ରୀ ପୁଅ ଚୁପ୍ ରହିଲେ ।
ରାଜା ଆଦେଶ ଦେଲେ ତୁମେ ଏଠି ସବୁ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ।
ମନ୍ତ୍ରୀ ପୁଅ କହିଲେ, ମୁଁ ଅମୁକ ରାଜ୍ୟର ମନ୍ତ୍ରୀଙ୍କ ପୁଅ, ମୋ ବାପାଙ୍କ ନାଁ ଅମୁକ ।
ରାଜା କହିଲେ ହଉ
ତୁମେ ଆସି ମୋ ପାଖରେ ବସ ।
କର୍ମଚାରୀଙ୍କୁ ରାଜା ଆଦେଶ ଦେଲେ ତାଙ୍କ ପାଇଁ ଚେୟାର ବ୍ୟବସ୍ଥା କରିବାକୁ ଏବଂ ସଭା ସରିଲେ ତାଙ୍କୁ ଘୋଡା ଗାଡିରେ ନେଇ ତାଙ୍କ ଘରେ ଛାଡି ଦେଇ ଆସିବାକୁ।
ତା ପରେ ରାଜା ଯାହାଙ୍କୁ ବିଚାର ପାଇଁ ଡାକିଲେ, ସେ ଥିଲେ ସେନାପତିଙ୍କ ପୁଅ ।
ରାଜା ତାଙ୍କୁ ବି ତାଙ୍କ ପରିଚୟ ପଚାରିଲେ,
ସେନାପତି ପୁଅ ତାଙ୍କର ପରିଚୟ ଦେଲେ ।
ରାଜା କହିଲେ ଓହୋ, ତାହେଲେ ତୁମେ ଆମ ପଡୋଶୀ ରାଜ୍ୟର ସେନାପତିଙ୍କ ପୁଅ ।
ହଉ ଠିକ୍ ଅଛି
ତୁମେ ଏବେ ତୁମ ଘରକୁ ଯାଅ ।
ତା ପରେ ବିଚାର ପାଇଁ ଆସିଲେ କଟୁଆଳ ପୁଅ ।
ରାଜା ପୂର୍ବପରି ତାଙ୍କୁ ମଧ୍ୟ ତାଙ୍କର ପରିଚୟ ପଚାରିଲେ
ସେ ଡଗ ଡଗ କରି ଠିକ୍ ଠିକ୍ ସ୍ପଷ୍ଟ ଭାବେ ରାଜାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଦେଲେ ।
ରାଜା କହିଲେ
ଏଟାକୁ ଦଶ ଚାବୁକ୍ ପାହାର ଦିଅ
ୟାକୁ ସାତ ବେଣ୍ଟିଆ ଲଣ୍ଡାକରି ୟା ମୁଣ୍ଡରେ ଚୁନ କଳା ବୋଳି, ୟାକୁ ଗୋଟାଏ ଗଧ ପିଠିରେ ବସେଇ ନେଇ ତା ପଞ୍ଚାୟତର ଦଶ ଖଣ୍ଡ ଗାଁରେ ବୁଲେଇଲା ପରେ ତାକୁ ଛାଡ ।
ରାଜାଙ୍କ ସବୁ ଆଦେଶ ତ ପାଳିତ ହେଲା ।
ହେଲେ ଏ ଅନ୍ତର ପାନ୍ତର ଦଣ୍ଡ ବ୍ୟବସ୍ଥାକୁ ସବୁ ସଭାସଦ୍ ନାପସନ୍ଦ କରି ଟୁପୁରୁ ଟାପୁରୁ ହେଲେ ।
ରାଜାଙ୍କର ଏପରି ପାତର ଅନ୍ତର ଦଣ୍ଡ ବ୍ୟବସ୍ଥା କଥା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଲା ।
ଏ ପାତର ଅନ୍ତର ଦଣ୍ଡ ବ୍ୟବସ୍ଥାକୁ କେହି ସମର୍ଥନ କଲେ ନାହିଁ, କେବଳ ରାଜାଙ୍କ ଗୁରୁଙ୍କ ବ୍ୟତୀତ ।
ଏକୁଟିଆ ରାଜାଙ୍କ ଗୁରୁ ତାଙ୍କ ଶିଷ୍ୟଙ୍କ ଏତାଦୃଶ ଦଣ୍ଡ ନିର୍ଣ୍ଣୟକୁ ଉପଯୁକ୍ତ ବୋଲି କହିଲେ ଏବଂ ରାଜ୍ୟସାରା ଏହା ବିରୁଦ୍ଧରେ କେହି ଯେପରି ଆଲୋଚନା ନକରନ୍ତି ସେଥିପାଇଁ ଏକ ପ୍ରେସ କନଫେରେନ୍ସ ମାଧ୍ୟମରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଅନୁରୋଧନାମା ଜାରୀ ମଧ୍ୟ କଲେ ।
ଗୁରୁଙ୍କ ଏ ଅନୁରୋଧନାମା ଲୋକଙ୍କ ମନରେ ନିଆଁରେ ଘିଅ ଢାଳିଲା ପରି ହେଲା , ରାଜା ଓ ତାଙ୍କ ଗୁରୁଙ୍କୁ ଲୋକ ଆହୁରି ଅଧିକ ଛି ଛାକର କଲେ ।
ଆଜ୍ଞା
ଆପଣ ଯଦି ସେଦିନ ସେ ରାଜସଭାରେ ଉପସ୍ଥିତ ଥାଆନ୍ତେ ଅଥବା ଆପଣ ସେ ରାଜ୍ୟର ପ୍ରଜା ହୋଇ ଥାଆନ୍ତେ, ତାହେଲେ ରାଜାଙ୍କର ଏତାଦୃଶ ଦଣ୍ଡ ବିଚାର ଶୁଣି ଆପଣ କଣ କରି ଥାଆନ୍ତେ ?
*** *** ***
ଏ ଘଟଣା ଘଟିବାର ମାସେ ପରେ ସେ ରାଜ୍ୟର ଖବର କାଗଜ ମାନଙ୍କରେ ତିନୋଟି ରୋଚକ ଖବର ଛପିଲା
ସେ ଖବର ଗୁଡିକ ଏହିପରି
ପ୍ରଥମ ଖବର :
ଯେ ପଡୋଶୀ ରାଜ୍ୟର ମନ୍ତ୍ରୀ ଏ ଘଟଣା ଶୁଣିବାପରେ ମନ୍ତ୍ରୀପଦ ଛାଡିଦେଇ ହିମାଳୟକୁ ତପସ୍ୟା କରିବାକୁ ପଳାଇଥିଲେ,
ସେଠାରେ ଦେଖିଲେ ଘରକୁ ଫେରି ନଥିବା ତାଙ୍କ ଦଣ୍ଡିତ ପୁତ୍ର ଏକ ଗୁମ୍ଫାରେ ଜଣେ ଗୁରୁଙ୍କ ତତ୍ତ୍ୱାବଧାନରେ ବସି ତପସ୍ୟା କରୁଛି,
ବାପ ପୁଅ ଭେଟାଭେଟି ହେଲେ ।
ଦ୍ୱିତୀୟ ଖବର :
ସେନାପତି ତାଙ୍କ ପୁତ୍ରର ଦଣ୍ଡ ଖବର ପାଇବା ପରେ ରାଜ୍ୟର ସେନାପତି ପଦରୁ ଇସ୍ତଫା ଦେଇ, ରାଜ୍ୟ ଜନପଦ ବାହାରେ ଲୋକ ଲୋଚନଠାରୁ ଦୁରରେ ରହି ନିଜ ହାତରେ କୃଷିକର୍ମ କରି ଅବଶିଷ୍ଟ ଜୀବନ ବଞ୍ଚିବାକୁ ନିଷ୍ପତ୍ତି କରି ଅଗନା ଅଗନି ବନସ୍ତକୁ ପଳାଇ ଯାଇ ଦେଖିଲେ ଯେ,
ତାଙ୍କର ଘରକୁ ଫେରି ନଥିବା ପୁଅ ସେଠାରେ ଏକ କୁଡିଆ କରି ନିଜେ ଶ୍ରମ କରି ପେଟ ପୋଷୁଛି,
ବାପ ପୁଅ ଭେଟା ଭେଟି ହେଲେ।
ତୃତୀୟ ଖବର :
କଟୁଆଳ ପୁଅକୁ ଯେତେବେଳେ ସାତବେଣ୍ଟିଆ କରି ଲଣ୍ଡା କରି ଗଧ ପିଠିରେ ବସେଇ ତାଙ୍କ ପଞ୍ଚାୟତ ବୁଲାଯାଉଥିଲା, ସେତେବେଳେ ମଝିରେ ତାଙ୍କ ନିଜ ଗାଁ ପଡିଲା,
ସେତିକିବେଳେ କଟୁଆଳ ବାବୁ ବଜାରରୁ ପୋହଳା ମାଛ ଧରି ଫେରୁଥିଲେ, ଏ ଦୃଶ୍ୟ ଦେଖିଲେ, କଥାଟା ପଚାରି ବୁଝି ପଡୋଶୀ ରାଜାଙ୍କୁ ବହେ ଶୋଧିଲେ ଓ ନିଜ ସ୍ତ୍ରୀଙ୍କୁ ଡାକି କହିଲେ,
ନିଅ ନିଅ ଏ ଫ୍ରେସ୍ ପୋହଳା ଗୁଡା ନିଅ, ୟାକୁ ଟିକେ କଡା ସୋରିଷ ବାଟଣ ଦେଇ ବଢିଆ କରି ଝୋଳ କରିକି ରଖ୍,
ଦଶଟା ଗାଁ ରୁ ସାତଟା ସରିଲାଣି, ମୁଁ ଯାଉଛି ଟୋକାଟାକୁ ଆଉ ତିନି ଖଣ୍ଡ ଗାଁ ଚଟ୍ କରି ବୁଲେଇ ଆଣୁଚି, ତମେ ରୋଷେଇ ବାସ କରି ରେଡି କରି ରଖିଥା, ସେ ଶଳା ରଜା ପାଇଁ ଭୋକରେ ମୋ ପିଲାଟାର ମୁହଁ କାନ ଶୁଖି ଗଲାଣି।
ବାପ ପୁଅ ଭେଟା ଭେଟି ହେଲେ ।
ଏ ଗପଟି ମୋର ଏଇଥିପାଇଁ ମନେ ପଡିଲା ଯେ, ପୁରୀର କବୀର ଭୋଇ ନାମକ ଜଣେ ଗରୀବ ଲୋକଙ୍କର ଗୁରୁତର ରୋଗଗ୍ରସ୍ତ ସ୍ତ୍ରୀଙ୍କୁ ଆମ ଲକ୍ଷେ ଟଙ୍କା ଦରମା ନିଆ ପୁରୀ ସିଡିଏମଓ ଚିକିତ୍ସା ସେବା ପ୍ରଦାନ କଲେ ନାହିଁ, ତାଙ୍କୁ ସରକାରୀ ଆମ୍ୱଲାନସ ମଧ୍ୟ ଯୋଗାଇ ଦେଲେ ନାହିଁ,
କବୀର ଅନ୍ୟ ଉପାୟ ନପାଇ ଦିନକୁ ପଚାଶ ଟଙ୍କା ଭଡାରେ ଗୋଟିଏ ଟ୍ରଲି ଯୋଗାଡ କଲେ, ତାଙ୍କ ମୁର୍ମୁଷୁ ସ୍ତ୍ରୀଙ୍କୁ ସେ ଟ୍ରଲିରେ ଶୁଆଇ ଦୁଇ ଦିନ କାଳ ଖରା ବର୍ଷା କାକରରେ ଟ୍ରଲି ଟିକୁ ଟାଣି ଟାଣି ଆଣି କଟକ ବଡ ମେଡିକାଲରେ ପହଞ୍ଚାଇଲେ,
କଟକ ବଡ ମେଡିକାଲ ବଡ ସୁପରିଟେଣ୍ଡେଟ ତାଙ୍କର କି କି ସେବା କେମିତି କେମିତି କଲେ ସେକଥା ମା ଗଙ୍ଗେଇ ଜାଣନ୍ତି,
କବୀର ଭୋଇଙ୍କ ସ୍ତ୍ରୀ ଆଖି ବୁଜିଲେ ।
ଏଇ କଥା ଗଣ ମାଧ୍ୟମରୁ ଶୁଣି ମୋର ବହୁତ ରାଗ ହେଲା,
ମୁଁ ଭାବିଲି
ଏ ସିଡିଏମଓ,
ସ୍ୱାସ୍ଥ୍ୟ ସଚିବ,
5T ସଚିବ,
ମନ୍ତ୍ରୀ , …
ଯିଏ ଏସବୁ କଥା ପାଇଁ ଦାୟୀ, ସେମାନଙ୍କୁ ଅତି କଠୋର ଦଣ୍ଡ ଦିଆଯାଉ,
ସେମାନଙ୍କୁ ଦଣ୍ଡ ସ୍ୱରୁପ ଗୋଟିଏ କ୍ୟାପ କିଣି, ସେଥିରେ କବୀର ଭୋଇ ହେଲଥ କ୍ୟାପ ଲେଖି, ଯିଏ ଦୋଷୀ, ତାଙ୍କୁ ଏ କ୍ୟାପ ଦିନେ ଲେଖାଏ ପିନ୍ଧାନ୍ତୁ ରାଜ୍ୟ ମୁଖିଆ ।
ଏକଥା ଗତ କାଲି ମୁଁ ଫେସବୁକରେ ଲେଖିଥିଲି ।
ସେ ଦଣ୍ଡକୁ ନାପସନ୍ଦ କରି ଜଣେ ଫେସବୁକ୍ ବନ୍ଧୁ କମେଣ୍ଟରେ ଲେଖିଲେ –
ଇଏ କି ଦଣ୍ଡ ବ୍ୟବସ୍ଥା ?
ତାଙ୍କ କହିବା କଥା ସେମାନଙ୍କୁ ଅତି କଠୋର ଦଣ୍ଡ ଦିଆଯାଉ ।
ଏଇ କଥାରୁ ପିଲାବେଳେ ଶୁଣିଥିବା ମୋର ଏ ଗପଟି ମନେ ପଜିଗଲା।
ମୁଁ ଏବେ ଭାବୁଛି,
ଏ ସିଡିଏମଓ, ସଚିବ, ମନ୍ତ୍ରୀ ଇତ୍ୟାଦି ଗୁଡା ଯଦି ସତରେ ମଣିଷ ହେଇଥିବେ ତାହେଲେ ଏ ଭୋଇ ହେଲଥ୍ କ୍ୟାପ ଦଣ୍ଡ ମଧ୍ୟ ତାଙ୍କ ମୁଣ୍ଡରେ ହିମାଳୟ କଚାଡି ହେଇ ପଡିଲା ପରିକା ଲାଗିବ,
ଯଦି ଏଗୁଡା ନିର୍ଲଜ ଅମଣିଷ ହୋଇ ଥାଆନ୍ତି ???
– ଲକ୍ଷ୍ମୀଧର ନାୟକ
My Facebook Post: 13.09.2020