ନବ ପତ୍ରିକା, ରମ୍ଭାବଧୂ ===

Share it

ଶାରଦୀୟ ଦୁର୍ଗାପୂଜାର ନବପତ୍ରିକା ପୂଜନ ତଥା ରମ୍ଭାବଧୂ ପୂଜନ ଏକ ଅବିଛେଦ୍ୟ ଅଙ୍ଗ l ଜଗତ ଜନନୀଙ୍କ ପୂଜାବସରରେ ବଙ୍ଗ ପ୍ରଦେଶରେ ମହା ସପ୍ତମୀ ଦିନ କଲାବୋଉ ସ୍ନାନ ଏବଂ ପୂଜନ ଏକ ନିଆରା ପରମ୍ପରା l ଏହି ପୂଜାରେ ପ୍ରଥମେ ଏକ ରମ୍ଭା ବୃକ୍ଷକୁ ଗଙ୍ଗା ସ୍ନାନ କରାଯାଏ l ସ୍ନାନ ପରେ ଏହାକୁ ଏକ ନାଲି ଧଡ଼ି ଥିବା, ଧଳା ଶାଢୀ ଦ୍ୱାରା ଆବୃତ କରି ଓ ଏହାର ପତ୍ରରେ ସିନ୍ଦୁର ଲେପନ କରି ବଧୂବେଶ କରାଯାଏ l ବଧୂରୁପୀ ଏହି ରମ୍ଭା ବୃକ୍ଷକୁ କଲା ବୋଉ କୁହା ଯାଏ l ଏହାକୁ ନେଇ ଦୁର୍ଗାଙ୍କ ମେଢ଼ରେ ବସିଥିବା ଗଣେଶଙ୍କ ଡ଼ାହାଣ ପଟରେ ସ୍ଥାପନ କରାଯାଏ l ଏ କଦଳୀ ଗଛରେ ନଅଟି ବୃକ୍ଷର ପତ୍ରକୁ (ନବ ପତ୍ରିକା) ବାନ୍ଧି ଦିଆ ଯାଏ l ଏହି ନଅଟି ପତ୍ର ନଅଜଣ ଦେବଦେବୀଙ୍କ ପ୍ରତୀକ l

ପତ୍ର ଏବଂ ତତ୍ ସଂଲଗ୍ନ ଦେବା ଦେବୀ ମାନେ ହେଲେ :-
1- କଦଳୀ – ଦେବୀ ବ୍ରହ୍ମାଣୀ
2- ହଳଦୀ – ମାଆ ଦୁର୍ଗା
3- ବେଲ – ଭଗବାନ ଶଙ୍କର
4 – ଡାଳିମ୍ବ – ଦେବୀ ରକ୍ତଦନ୍ତିକା
5 – ସାରୁ – ଦେବୀ ଚାମୁଣ୍ଡା
6 – ଧାନ ବା ଜବ – ମାଆ ଲକ୍ଷ୍ମୀ
7 – ଅଶୋକ – ଦେବୀ ଶୋକ ରହିତା
8 – ମହଣ – କାଳି
9 – ଜୟନ୍ତୀ ବା ଶାଳ – ଦେବୀ କାର୍ତ୍ତିକୀ

ଏହି ନବ ପତ୍ରିକା ପୂଜନ ପ୍ରକୃତି ପୂଜନକୁ ଇଙ୍ଗିତ କରିଥାଏ l କେହି କେହି କହି ଥାନ୍ତି, ନବ ପତ୍ରିକା ଆଵୃତା କେଲା ବୋଉ ହିଁ ପ୍ରକୃତି ରୂପରେ ମାଆ ଦୁର୍ଗା l ଆହୁରି କେହି କହନ୍ତି କଲାବୋଉ ହେଉଛି ମାଆ ଦୁର୍ଗାଙ୍କ ଧରଣୀ ମାତାକୁ ପ୍ରକୃତି ଶୋଭାରେ ମଣ୍ଡି ହେବାପାଇଁ ମହିଷାସୁରର ରୁଧିର ସମର୍ପଣ l

କଲା ବୋଉକୁ ଶ୍ରୀଗଣେଶଙ୍କ ନିକଟରେ ସ୍ଥାପନ କରିବାର କେତେ ଗୁଡ଼ିଏ ତାତ୍ୱିକ ଏବଂ କିମ୍ବଦନ୍ତୀ ମୂଳକ ଉପାଖ୍ୟାନ ଅଛି l ଶ୍ରୀଗଣେଶ ହେଉଛନ୍ତି ଅଷ୍ଟାଦଶ ଔଷଧିର ଅଧିପତି l ତାଙ୍କର ଗୋଟିଏ ନାମ ଅଷ୍ଟାଦଶ ଔଷଧାଧିପତି lଏଣୁ କଲାବୋଉକୁ ତାଙ୍କ ନିକଟରେ ସମର୍ପଣ ସ୍ବରୁପେ ସ୍ଥାପନ କରା ଯାଇ ଥାଏ l ଶରତ ସମୟ ଆସି ଗଲେ ଫସଲ ଅମଳ ଆରମ୍ଭ ହୋଇ ଯାଇଥାଏ l କଲା ବୋଉ ପୂଜନ, ମାଆ ଦୁର୍ଗାଙ୍କୁ ଭଲ ଫସଲ ଅମଳ ପାଇଁ ଏକ ପ୍ରାର୍ଥନା ବୋଲି ବିବେଚିତ ହୁଏ l

କାର୍ତ୍ତିକ ଚିର କୁମାର ହୋଇଥିବାରୁ ଏହାଙ୍କୁ ତାଙ୍କ ପାଖରେ ନରଖି ଗଣେଶଙ୍କ ପାଖରେ ରଖାଯାଏ l

ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ କଲାବୋଉ ଶ୍ରୀ ଗଣେଶଙ୍କ ପତ୍ନୀ ବୋଲି ଅଭିହିତ ହୋଇ ଥାନ୍ତି l ଗଣେଶଙ୍କ ବିବାହ ବରାତି ହିମାଳୟରୁ କିଛିବାଟ ଗଲାପରେ ଗଣେଶଙ୍କୁ ବୋଧହେଲା ସେ ଯେମିତି କିଛି ଛାଡ଼ି ଆସିଛନ୍ତି l ଫେରିଆସି ଦେଖନ୍ତି,ମାଆ ପାର୍ବତୀ (ଦୁର୍ଗା ) ତରଭର ହୋଇ ତଣ୍ଡୁଳ ଭକ୍ଷଣ କରୁଛନ୍ତି l ବର ବେଶରେ ଥିବା ଗଣେଶ ଆଶ୍ଚର୍ଯ୍ୟ ହୋଇ କାରଣ ଜାଣିବାକୁ ଚାହିଁଲେ l ମା’ କହିଲେ ତୋର ସ୍ତ୍ରୀ ମୋତେ କାଳେ ଖାଇବା ପାଇଁ ନଦେବ ଏହି ଆଶଙ୍କା କରି ମୁଁ ଏ ତଣ୍ଡୁଳ ଆକଣ୍ଠ ଭୋଜନ କରୁଛି l ମାଆଙ୍କର ଏକଥା ଶୁଣି ଗଣେଶ ବ୍ୟଥିତ ହୋଇ ତୁରନ୍ତ ଗୋଟିଏ କଦଳୀ ଗଛ କାଟି ଆଣି ମାଆଙ୍କୁ ଦେଇ କହିଲେ ଏଇଟା ହିଁ ତୋ ବୋହୂ l ପରେ ଗଣେଶଙ୍କୁ ଏହି କଦଳୀ ଗଛ ସହ ବିବାହ କରାଇ ଦିଆଗଲା ଓ ଏହାର ନାମ ରହିଲା କଲା ବୋଉ ବା ରମ୍ଭାବଧୂ l
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights