ବିବେକ-ଦର୍ପଣେ ଦେଖିଲି ନିଜର ଭଗ୍ନ ପରିଚୟ
ବିସ୍ମୟ କୌତୁକେ କୁତ୍ସିତ ଚେହେରା ରଙ୍ଗ ଅଭିନୟ,
ଭଗ୍ନଶିଳାର ବୁକୁପରେ ଅଙ୍କା ଅନ୍ତର୍ଦାହ-ସ୍ୱାକ୍ଷର
ଭାବରେ ଅଭାବୀ ଅନ୍ତରାତ୍ମାଠୁ ଶୁଣେ ମୁଁ ନୁହେଁ ମୋ’ର।
ସିଝିଲି ଭୋଦୁଅ ତାତିରେ,ଭିଜିଲି ଶ୍ରାବଣ ରାତିରେ,
ଚାଲିଲି ଅଜଣା ବାଟେ ହଜିଲି ଗହୀର ଅନ୍ଧକାରେ।
ଅନାବିଷ୍କୃତ -ନିର୍ଜନ ପଥେ ସାଉଁଟିଲି କଷ୍ଟ ବାଟ,
ଗଢି ଜାଣିଲେ ପଥର ବି ଦିଅଁ-ଜୀବନର ଚିତ୍ରପଟ।
ପୁଲକିତ ପ୍ରାଣେ ପରମ ଆନନ୍ଦେ ତ୍ୟାଗି ମୋହମାୟା,
ପାଇଲି ନିଜ ଛାୟା, ସାଜି କାରିଗର ଗଢିଲି କାୟା ;
ଚାଲୁଛି, ଚାଲିବି ଛିଂଡାମୁଣିରେ ଅଟହାସ୍ୟ ସାଇତି
ଅଳ୍ପ ଆୟୁଷ ଅଛି ବାକି , ଘଟିନି ଜୀବନର ଇତି।
ପରାଧିନତା-ଶୃଙ୍ଖଳ ଛିଣ୍ଡାଇ ପାଇଲି ପରମ ଶାନ୍ତି
ତନ୍ମୟତାରେ ମଗ୍ନ ବିଶ୍ଵାସର ଶବ୍ଦ, ବିଭୋର କ୍ଳାନ୍ତି।
ଦୀପକ କୁମାର ଦେ
©® DKD