ପରିଚୟ
ରତ୍ନାକର ରାଉତ
ପ୍ରତିଯୋଗିତାର ଅନ୍ଯ ନାମ ପରିଚିତି
ପରିଚିତି ସଂକଟରେ ସଦା ସଂତ୍ରସ୍ତ ଜୀବନର
କରୁଣ ପରିଣତି ଅସୁମାରି ଅବସୋସ ଓ ଅନ୍ତର୍ଦାହ
ଅର୍ଥ, କ୍ଷମତା, ପ୍ରତିପତ୍ତି ଓ ଅନ୍ଯ ଉପରେ
ଆଧିପତ୍ଯ ଜାହିର କରିବାର ମୋହ
ମାଦକ ଭଳି ଆକ୍ରାନ୍ତ କଲେ ମଣିଷକୁ
ସେ ଭୁଲିଯାଏ ଆପଣାର ସ୍ବାଭିମାନ ଓ ହିତାହିତ ଜ୍ଞାନ
ସିଂହ ଭଳି ଜୀବନ ଜିଉଁଥିବା ମଣିଷ
ଶୃଗାଳର ପୁଚ୍ଛ ହେବାକୁ ମଧ୍ଯ ଆଦରିନିଏ
କିଏ ଶୃଗାଳର ପୁଚ୍ଛ ହୋଇପାରିବ
ସେଥିପାଇଁ ଚାଲିଥାଏ ରକ୍ତକ୍ଷୟୀ ପ୍ରତିଦ୍ବନ୍ଦିତା ଅହର୍ନିଶ
ଶତ ଚେଷ୍ଟାକଲେବି ଶୃଗାଳ ସିଂହ ହୋଇପାରେନା
ଜଂଗଲର ରାଜା ହେବା ସିଂହର ନିୟତି
ସେ ଭୋକିଲା ମରିଯାଇପାରେ
ମାତ୍ର ଘାସ ଖାଏନିକି ଖାଏନି କାହାର ଉଚିଷ୍ଟ
ସିଂହ ଶିକାର କରେ ସଭିଂକ ସମ୍ମୁଖରେ
ଆଉ ଶୃଗାଳ ଲୁଚିଛପି ଆଢ଼ୁଆଳରୁ
ଝାଂପିନିଏ ଶିକାର ଧୂର୍ତ୍ତ ଓ ଚତୁରତାରେ।
ଏ ସଂସାରରେ ବିଧାତାର ଚରମ ରସିକତା
ବେଳେ ବେଳେ ହୋଇଥାଏ ଖୁବ୍ ଚିତ୍ତାକର୍ଷକ
ମୋହର ଆବେଶରେ ସିଂହ କେବେ ଆଦରିନେଲେ
ଶୃଗାଳର ଭୂମିକା
ସେ କଣ ଆଉ ଫେରିପାଏ ସିଂହର ପରିଚୟ?
ପରିଶେଷରେ କେବଳ ପୁଂଜାପୁଂଜା ଅନୁଶୋଚନା
ଓ ମନସ୍ତାପରେ ଘାଣ୍ଟି ଚକଟି ହୁଏ ଜୀବନରେ
ବାକିତକ ଆୟୁଷ।