ମହାଳୟା ତର୍ପଣ ଓ ଶ୍ରାଦ୍ଧ

Share it

ପିତୃପକ୍ଷ

ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ।

ଆଶ୍ୱିନ ମାସର ପ୍ରଥମ ପକ୍ଷକୁ “ପିତୃପକ୍ଷ” କୁହାଯାଏ। ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ପାଳିତ ହୁଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ଯାଏଁ ପିତୃପକ୍ଷ ପାଳନ କରାଯାଏ। ତେବେ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡଦାନ କରାଯାଏ। ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ।

କିମ୍ବଦନ୍ତି ଅନୁସାରେ, ମହାଦାନୀ କର୍ଣ୍ଣଙ୍କୁ ଯମପୁରରେ ପୁରସ୍କାର ସ୍ୱରୂପ ସୁନା, ରୁପା ମିଳିଥିଲା। କିନ୍ତୁ ତାଙ୍କୁ ଖାଦ୍ୟ ଦିଆଯାଇ ନ ଥିଲା। କାରଣ କର୍ଣ୍ଣ ଜୀବିତାବସ୍ଥାରେ କେବେ ଅନ୍ନଦାନ କରି ନ ଥିଲେ। ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସିଥିଲେ ଏବଂ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ। ୧୪ ଦିନ ଶେଷ ହେବା ପରେ ସେ ପୁଣି ଯମପୁର ଫେରିଯାଇଥିଲେ। ସେଠାରେ ପହଞ୍ଚିଲା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା। ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନକୁ ପିତୃ ପକ୍ଷ କୁହାଯାଏ।

ପିତୃପକ୍ଷ ପାଳନରେ ସତର୍କତା
ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବା ପାଇଁ, ଯିଏ ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାରେ ରୀତିନୀତି କରନ୍ତି, ସେମାନେ ଏହି ସମୟ ମଧ୍ୟରେ କେଶ ଏବଂ ନିଶ ଦାଢି କାଟିବା ଅନୁଚିତ। କୁହାଯାଏ ଯେ, ପିତୃ ପକ୍ଷରେ କେଶ ଏବଂ ନିଶ ଦାଢି କାଟିବା ଦ୍ୱାରା ଅର୍ଥ ହାନୀ ହୋଇଥାଏ। ଏପରି ପରିସ୍ଥିତିରେ, ଯେଉଁମାନେ ପିତୃପୁରୁଷଙ୍କ ପାଇଁ ତର୍ପଣ କରନ୍ତି, ସେମାନେ ଏହାର ବିଶେଷ ଯତ୍ନ ନେବା ଉଚିତ୍।
ପିତୃପକ୍ଷରେ ଘରେ ସାତ୍ୱିକ ଖାଦ୍ୟ ରହିବା ଭଲ। ରସୁଣ, ପିଆଜରେ ପ୍ରସ୍ତୁତ ଖାଦ୍ୟ ସେବନ କଲେ ପିତୃ ଦୋଷ ଲାଗିଥାଏ। ବିଶେଷକରି ଯେଉଁମାନେ ପିତୃପକ୍ଷ ଉପରେ ଦୌନିକ ତର୍ପଣ କରନ୍ତି ସେମାନେ ତମସିକ ଖାଦ୍ୟରୁ ଦୂରେଇ ରହିବା ଉଚିତ୍। ଯଦି ପିତୃପୁରୁଷଙ୍କ ମୃତ୍ୟୁ ତାରିଖ ମନେ ପଡ଼େ, ତେବେ ତାରିଖ ଅନୁଯାୟୀ ପିଣ୍ଡ ଦାନ କରିବା ଭଲ।

ପିତୃପକ୍ଷ ଓ ତର୍ପଣ

“ଶ୍ରଦ୍ଧୟା ପିତୃନ୍ ଉଦିଶ୍ୟ ବିଧିନା କ୍ରିୟତେ ଯତ୍କର୍ମ ତତ୍ ଶ୍ରାଦ୍ଧମ୍।।” ସ୍ବ ପିତୃଗଣଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାରେ ବିଧିପୂର୍ବକ ଯେଉଁ କର୍ମ କରାଯାଏ ତାହାକୁ ଶ୍ରାଦ୍ଧ କୁହାଯାଏ। ଅର୍ଥାତ :- ‘ ଶ୍ରଦ୍ଧାର୍ଥମିଦଂ ଶ୍ରାଦ୍ଧମ୍ ” । ଶ୍ରଦ୍ଧା ରୁ ଶ୍ରାଦ୍ଧ । ହିନ୍ଦୁ ପରମ୍ପରା ରେ ଶ୍ରାଦ୍ଧ, ତର୍ପଣାଦି ଅନୁଷ୍ଠାନ କରିବା ପ୍ରଥା ବହୁ ପ୍ରାଚୀନ । ବିଭିନ୍ନ ପୁରାଣ ଗ୍ରନ୍ଥ ତଥା ଶାସ୍ତ୍ର ମାନେ ପିତା ପିତର ଙ୍କ ଉଦ୍ଦେଶ ରେ ଶ୍ରାଦ୍ଧ ଦେବା ଏବଂ ନିଜର ପରିଜନ ମାନେ ଏହି ପିତୃକାର୍ଯ୍ୟ ରେ ସହଭାଗିତା ହେବା ପାଇଁ ବାରମ୍ବାର ଉଦ୍ ଘୋଷଣା କରିଛନ୍ତି ।

ଆୟୁଃ ପ୍ରଜାଂ ଧନଂ ବିଦ୍ୟାଂ ସ୍ବର୍ଗଂ ମୋକ୍ଷଂ ସୁଖାନି ଚ।
ପ୍ରୟଚ୍ଛନ୍ତି ତଥା ରାଜ୍ୟଂ ପିତରଃ ଶ୍ରାଦ୍ଧତର୍ପିତାଃ ।।
(ମାର୍କଣ୍ଡେୟପୁରାଣ)
(ଭାବାର୍ଥ:- ଶ୍ରାଦ୍ଧରେ ସନ୍ତୁଷ୍ଟ ହୋଇ ପିତୃଗଣ ଶ୍ରାଦ୍ଧକର୍ତ୍ତାର ଦୀର୍ଘ ଆୟୁ,, ସନ୍ତାନ ସନ୍ତତି, ଧନ, ବିଦ୍ୟା, ରାଜ୍ୟ, ସୁଖ,ସ୍ବର୍ଗ ଓ ମୋକ୍ଷ ପ୍ରଦାନ କରିଥାନ୍ତି।)

ପୁତ୍ରୋ ବା ଭ୍ରାତରୋ ବାପି ଦୌହିତ୍ରଃ ପୌତ୍ରକସ୍ତଥା।
ପିତୃକାର୍ଯେ ପ୍ରସକ୍ତା ଯେ ତେ ଯାନ୍ତି ପରମାଂ ଗତିଂ।।
(ଅତ୍ରିସଂହିତା)
(ଭାବାର୍ଥ:-ଯେଉଁ ପୁଅ,ଭାଇ,ନାତି,ଭଣଜା ଆଦି ପିତୃକାର୍ଯ୍ୟ (ଶ୍ରାଦ୍ଧ ଅନୁଷ୍ଠାନ) ରେ ସଲଗ୍ନ ରୁହନ୍ତି,ସେମାନେ ନିଶ୍ଚୟ ଆୟୁପୂର୍ଣ୍ଣ ପରେ ପରମଗତି କୁ ପ୍ରାପ୍ତ ହୁଅନ୍ତି।)

ଅବିସ୍ମରଣୀୟ କାଳରୁ ଶ୍ରାଦ୍ଧ ପରମ୍ପରା । ଏହି ସନାତନୀ ପରମ୍ପରା ରେ ହିନ୍ଦୁ ମାନେ ସ୍ବଃ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁ ରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟ ରୂପେ ଅଭିହିତ କରିଥାଆନ୍ତି । ଅତଃ, ସ୍ବ ପିତା, ନିଜ ନିଜର ପୁତ୍ର ପାଇଁ ସର୍ବସ୍ବ । ପ୍ରତ୍ୟକ ପୁତ୍ର ନିଜର ଜୀବଦଶା ମଧ୍ୟ ରେ ସ୍ବପିତା (ଜୀବିତ/ମୃତ) ଙ୍କୁ ଯଥୋଷ୍ଟିତ ସମ୍ମାନ ଦେବା ପାଇଁ ଶାସ୍ତ୍ର ମାନେ ମତବ୍ୟକ୍ତ କରିଛନ୍ତି । ଏଣୁ ଶାସ୍ତ୍ର କୁହନ୍ତି, ଯେଉଁ ବ୍ୟକ୍ତି ଜୀବିତ ଅବସ୍ଥାରେ ନିଜର ମାତା-ପିତାଙ୍କ ଅନାଦର କରନ୍ତି ତଥା ମୃତ୍ୟୁପରେ ଶ୍ରାଦ୍ଧ-ତର୍ପଣ କରନ୍ତି ନାହିଁ ଅଥବା ନିରପରାଧ କୌଣସି ପ୍ରାଣୀଙ୍କର ହତ୍ୟାକରନ୍ତି ତେବେ ଆଗାମୀ ଜନ୍ମରେ ତାଙ୍କ ଜନ୍ମ କୁଣ୍ଡଳୀରେ ପିତୃ ଦୋଷ ପରିଲକ୍ଷିତ ହୁଏ । ଏହି ପିତୃ ଦୋଷ ରୁ ଅନେକ ଅଶୁଭ ପ୍ରଭାବ ଅନୁଭୂତ ହୁଏ । ସର୍ବୋପରି ବ୍ରହ୍ମ ପୁରାଣ ପିତୃ ଗାୟତ୍ରୀ ନିତ୍ୟ ଜପ କରିବାକୁ ଉପଦେଶ ଦିଅନ୍ତି ।

“ଦେବତାଭ୍ୟଃ ପିତ୍ରଭ୍ୟଶ୍ଚ ମହା ଯୋଗିଭ୍ୟ ଏବ ଚ ,
ନମଃ ସ୍ଵାହାୟୈ ସ୍ଵଧାୟୈ ନିତ୍ୟ ମେବ ନମୋ ନମଃ ॥”
(ବ୍ରହ୍ମ ପୁରାଣ ସ୍ଥିତ ପିତୃ ଗାୟତ୍ରୀ)

ମୁଖ୍ୟତଃ ସନାତନୀ ପରମ୍ପରା ରେ ଦୁଇପ୍ରକାର ଶ୍ରାଦ୍ଧ ପାଳିତ ହୋଇ ଆସୁଅଛି,୧-ଏକୋଦ୍ଦିଷ୍ଟ ଶ୍ରାଦ୍ଧ, ୨-ପାର୍ବଣ ଶ୍ରାଦ୍ଧ। ପୁନଶ୍ଚ ପାର୍ବଣ ଶ୍ରାଦ୍ଧ ହେଉଛି ଦୁଇ ପ୍ରକାର, ଯଥା:- ପୟା ଶ୍ରାଦ୍ଧ ଏବଂ ମହାଳୟା ଶ୍ରାଦ୍ଧ । ସାଧାରଣତଃ ଏହି ଦୁଇଟି ଶ୍ରାଦ୍ଧ ଶାରଦୀୟ ପାର୍ବଣ ଋତୁ ଆଶ୍ବୀନ ଅମାବାସ୍ୟା ଏବଂ କାର୍ତ୍ତିକ ଅମାବାସ୍ୟା ରେ ଯଥାକ୍ରମେ ପାଳିତ ହୁଏ । ଆଶ୍ବୀନ କୃଷ୍ଣ ପକ୍ଷ ଦି୧୫ନ ବିଶେଷ ଭାବେ ପିତୃ ମାନଙ୍କୁ ସମର୍ପିତ, ଏହା “ମଉଳା ଶ୍ରାଦ୍ଧ” ନାମରେ ମଧ୍ୟ ନାମିତ।

ତୃପ୍ତି ରୁ ତର୍ପଣ ଯାହା ବିଶେଷ ଭାବେ ପିତୃପକ୍ଷ ରେ କରାଯାଇଥାଏ । ଏହି ତର୍ପଣ ର ବିଶେଷତା ହେଉଛି ଏକଧାର ରେ ସ୍ବଃ ୧୪ପୁରୁଷଙ୍କ ସହ ଦେବତା,ଋଷି, ରାକ୍ଷାସ, ଭୂତଗ୍ରାମ, ନଦୀ, ସମୁଦ୍ର ଆଦି ଅନେକ ଙ୍କୁ ତୃପ୍ତି କରାଯାଏ । ରବି କନ୍ୟା ରାଶିସ୍ଥିତ ଅମାବାସ୍ୟା, “ମହାଳୟା” ଅମାବାସ୍ୟା ଦିନ ଏହି ତର୍ପଣ ପର୍ବ ଉଦ୍ ଯାପିତ ହୋଇ ବୈଶ୍ୟଦେବ ଙ୍କ ସହ ମଉଳା ଶ୍ରାଦ୍ଧ ସମ୍ପନ୍ନ କରାଯାଇଥାଏ । ସମସ୍ତ ପ୍ରକାର ତର୍ପଣ ରେ ବ୍ୟବହୃତ “କୁଶ” ର ମହତ୍ବ ଅନେକ । ସଂକ୍ଷେପରେ ଏହିପରି :-

“କୁଶାଗ୍ରଦେବତାନାଂ ଚ ମନୁଷ୍ୟଣାଂ ଚ ମଧ୍ୟମମ୍ ।
ପିତୃଣାଂ ମୂଳମଗ୍ରଂ ଚ ତର୍ପଣେ ସମୁଦୀରୟତ୍ ।।”
(ଅର୍ଥାତ:- ଦେବତା ମାନଙ୍କୁ କୁଶର ମୂଳ ଭାଗରେ, ମନୁଷ୍ୟ ମାନଙ୍କୁ କୁଶର ମଧ୍ୟ ଭାଗରେ ଏବଂ ପିତୃ ମାନଙ୍କୁ କୁଶର ମୂଳ ଓ ଅଗ୍ର ଭାଗ ରେ ତର୍ପଣ ପ୍ରଶସ୍ଥ ବୋଲି ଜାଣିବାକୁ ହେବ ।)

ତର୍ପଣ ପାଇଁ ନିର୍ଦ୍ଦିଷ୍ଟ ଥିବା ବହୁ ନିୟମ ତନ୍ନମଧ୍ୟରୁ କେତେ ଗୋଟି ଏହିପରି :-

ତର୍ପିତା ପୂର୍ବ ଦିଗ କୁ ମୁଖକରି ୩ଗୋଟି କୁଶ ଏବଂ ଜବ ମିଶ୍ରିତ ଜଳ ରେ ୧ଥର ଲେଖାଁଏ ଜଳ ପ୍ରଦାନ କରି ଦେବତା ମାନଙ୍କୁ ତୃପ୍ତ କରିବେ ବା ତର୍ପଣ କରିବେ ।

ଦକ୍ଷିଣ ଦିଗକୁ ମୁଖ କରି ବ୍ୟାସ, ଭାଷରି ଆଦି ତେର ଜଣ ଆଚାର୍ଯ୍ୟ, ଷଟୀ,ଭାଲର୍ବ ଆଦି ଦଶ ଜଣ ପ୍ରବଚନ କର୍ତ୍ତା, ଅନଳ ଆଦି ଅଷ୍ଟ ‘ଦିବ୍ୟ ପିତର’ ଏବଂ ଯମଙ୍କର ଚଉଦ ଗୋଟି ସ୍ବରୂପକୁ ତିନିଗୋଟି କୁଶ ସହ ତିଳ ମିଶ୍ରିତ ଜଳରେ ତର୍ପଣ କରିବେ । ଏହାପରେ କ୍ରମାନ୍ବୟ ରେ ‘ସାଧାରଣ ପିତର’ ନିଜର ପିତୃ ପୁରୁଷ (୧୪ପୁରୁଷ) ଙ୍କୁ ଆବାହନ କରି ପ୍ରତ୍ୟକଙ୍କୁ ୩ଥର ଲେଖାଏଁ ଓ ଖୁଡୁତା,ଭଗିନୀ,ପିଉସୀ ଆଦି (ଇଛାଧିନ) ମାନଙ୍କୁ ୧ଥର ଲେଖାଏଁ ଜଳତିଳ ଦାନ କରି ତର୍ପଣ କରିବେ ।

ଉତ୍ତର ଦିଗ କୁ ମୁଖ କରି ସନକ, ସନନ୍ଦ, ସନାତନ ଆଦି ସପ୍ତଋଷି ଙ୍କୁ ମନୁଷ୍ୟ ତିର୍ଥ ରେ ପ୍ରତ୍ୟକ ଙ୍କୁ ୨ଥର ଲେଖାଏଁ ଜଳ ଦାନ କରି ତର୍ପଣ କରିବେ ।

ପରିଶେଷ ରେ ପଶ୍ଚିମକୁ ମୁଖ କରି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ତର୍ପଣ ଶେଷ କରିବେ ।

“ଓଁ ଅଗ୍ୟାଁନାତ୍ ଯଦିବାମୋହାତ୍ ପ୍ରାଚ୍ୟବେତା ଧ୍ବରେଷୁ ଯତ୍,
ସ୍ମରଣାଦେବତ୍ ବିଷ୍ଣୋଃ ସଂମ୍ପୂର୍ଣ୍ଣଂ ସ୍ୟାଦିତି ଶ୍ରୁତିଃ ।
ଓଁ ପ୍ରିୟତାଂ ପୁଣ୍ଡରୀରାକ୍ଷଃ ସର୍ବଯଜ୍ଞେଶ୍ବରୋ ହରିଃ,
ତସ୍ମିନ ତୁଷ୍ଚେ ଜଗତ୍ ତୁଷ୍ଟଂ ପ୍ରୀଣିତେ ପ୍ରୀଣିତଂ ଜଗତ୍ ।।”

ସନାତନୀ ପରମ୍ପରା ର ଶ୍ରେଷ୍ଛ ପର୍ବ, ପିତୃପର୍ବ “ମହାଳୟା। ସର୍ବ ମୂଳ ରେ ସ୍ବଃ ପିତା ପିତର । ଅତ୍ତେୟବ ସ୍ବଃ ପିତା ତଥା ପିତର ଙ୍କ ସନ୍ତୁଷ୍ଟି ବିଧାନ ଏକାନ୍ତରେ ସର୍ବଦା ବିଧେୟ ।

“ଅର୍ଚିତାନାମମୂର୍ତାନାଂ ପିତୃଣାଂ ଦୀପ୍ତତେଜସାମ୍ ।
ନମସ୍ୟାମି ସଦା ତେଷାଂ ଧ୍ୟାନିନାଂ ଦିବ୍ୟଚକ୍ଷୁଷାମ୍ ।।”
(ମାର୍କଣ୍ଡେୟ ପୁରାଣ)
(ଅର୍ଥାତ:- ଯେ ସମସ୍ତଙ୍କ ଦ୍ଵାରା ପୂଜିତ, ଅମୂର୍ତ୍ତ , ତେଜସ୍ଵୀ, ଧ୍ୟାନୀ ତଥା ଦିବ୍ୟଦୃଷ୍ଟି ସମ୍ପନ୍ନ ଅଟନ୍ତି ସେହି ପିତରଙ୍କୁ ମୁଁ ସର୍ବଦା ନମସ୍କାର କରୁଛି ।)

ପରିଶେଷ ରେ ଏତିକି କୁହାଯାଇ ପାରେ :-
ଯୋଽନେନ ବିଧିନା ଶ୍ରାଦ୍ଧଂ କୁର୍ଯାଦ୍ ବୈ ଶାନ୍ତମନସଃ।
ବ୍ୟପେତକଳ୍ମଷୋ ନିତ୍ୟଂ ଯାତି ନାବର୍ତତେ ପୁନଃ ।।
(ଯେଉଁ ପ୍ରାଣୀ ବିଧିପୂର୍ବକ ଶାନ୍ତମନରେ ଶ୍ରାଦ୍ଧ କରେ, ସେ ସମସ୍ତ ପାପରୁ ମୁକ୍ତି ପାଇ ସଂସାର ଚକ୍ରରେ ପଡେ ନାହିଁ।)

ଅତ୍ତେୟବ ପିତୃଗଣଙ୍କ ସନ୍ତୁଷ୍ଟାର୍ଥେ ତଥା ନିଜର ଏବଂ ନିଜ ପରିବାର ର କଲ୍ୟାଣ ପାଇଁ ଅବଶ୍ୟ ଶ୍ରାଦ୍ଧ କରିବା ଉଚିତ।

ସର୍ବ ପିତରଃ ଆପଣଙ୍କର ତଥା ପରିବାର ର ମଂଗଳ କରନ୍ତୁ ।
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ସର୍ବାରିଷ୍ଟସୁଶାନ୍ତିଃ ଭବନ୍ତୁ ।


Share it

Leave a comment

Your email address will not be published. Required fields are marked *

Verified by MonsterInsights