ନାରୀଗୌରବ ବାଙ୍କୀରାଣୀ ଶୁକଦେଇ

Share it

ସେଦିନ ଥିଲା ଏପ୍ରିଲ ମାସର ୭ ତାରିଖ, ୧୮୮୩ ମସିହା। ଉତ୍କଳ ଦୀପିକାରେ ନିମ୍ନମତେ ଗୋଟିଏ ସମ୍ବାଦ ପ୍ରକାଶ ପାଇଥିଲା :-
“ହେ ଉତ୍କଳ ! କହିପାରୁ ନାହିଁ,ରାଣୀ ଦୁର୍ଗାବତୀ, ଭୀମସିଂ ଗୃହିଣୀ ପଦ୍ମିନୀ,ଝାନ୍ସୀରାଣୀ ଲକ୍ଷ୍ମୀବାଇ ପ୍ରଭୃତି ବୀରାଙ୍ଗନା ମାନଙ୍କର ଅଦ୍ଭୁତ ଚରିତ ତୁମ୍ଭ ମାନସରେ ଅଦ୍ଭୁତ ସାହସ ପ୍ରଦାନ କରେ,ମନରେ ସ୍ଥିରକରି ନିଶ୍ଚୟ ନାରୀଜାତି ଦୁରବସ୍ଥା ବିମୋଚନ କରିବ l ଅବଶ୍ୟ ସ୍ବୀକାର୍ଯ୍ୟ, ଶୁକଦେଇ ସାନ୍ତାଣୀ ଉକ୍ତ ବୀରାଙ୍ଗନା ମାନଙ୍କର ସମସ୍ଥାନୀୟ ନୁହଁନ୍ତି l ଏହି ସାମାନ୍ୟ ସ୍ଵଳ୍ପାୟତନ ରାଜ୍ୟକିର୍ତ୍ତୀ ଓଡିଆଣି ରାଣୀ ଶୁକଦେଇ ସାଆନ୍ତାଣୀଙ୍କର ପବିତ୍ର ଚରିତ ତୁମ୍ଭ ମାନଙ୍କ ମନକୁ କିଞ୍ଚିତ ମାତ୍ରେ ଗୌରବାନ୍ଵିତ କରାଏ ତେବେ ମୁଁ ମୋର ଉପହାରକୁ ଅମୂଲ୍ୟ ଜ୍ଞାନ କରିବି l”

ଏହି ଖବରରେ ଥିବା ଏ ରାଣୀ ଶୁକଦେଇ କିଏ ?
ମନସ୍ଵିନୀ ବୀରାରମଣୀ ଶୁକଦେଇ ଆମ ଉତ୍କଳ ଖଣ୍ଡରେ ଜଣେ ଅପରାଜେୟ ବୀରାଙ୍ଗନା l ଆଜି କିନ୍ତୁ ଅନାଲୋଚିତ ହୋଇ ରହି ଯାଇଛନ୍ତି ଉତ୍କଳ ଇତିହାସ ଓ ଉତ୍କଳୀୟ ଜନ ମାନସରେ ସେହି ବିରାଙ୍ଗନା l ଶୁକଦେଇଙ୍କ ବୀରତ୍ୱର ଗାଥା ରାଣୀ ଦୁର୍ଗାବତୀ ଓ ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ସହ ତୁଳନୀୟ l

ବାଙ୍କୀ ଗଡ଼ଜାତର ଊନବିଂଶ ତମ ରାଜା ଭାବେ ଧନୁର୍ଜୟ ଶ୍ରୀଚନ୍ଦନ ମହାପାତ୍ର,୧୭୦୦ ମସିହାରୁ ୧୭୧୫ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ l ସେ ଥିଲେ ଖୋର୍ଦ୍ଧାରାଜା ଗୋପୀନାଥଦେବଙ୍କ ସାମନ୍ତରାଜା l ତାଙ୍କ ରାଣୀ ଥିଲେ, ପରମା ସୁନ୍ଦରୀ ଶୁକଦେଇ l ରାଣୀ ଶୁକ ଦେଇଙ୍କ ଜନ୍ମ ୧୬୮୬ ଖ୍ରୀଷ୍ଟାବ୍ଦରେ ବଡ଼ାମ୍ବା ଗଡ଼ରେ l ତାଙ୍କ ପିତା ଥିଲେ ବଡ଼ାମ୍ବାର ରାଜା ବଳଭଦ୍ର ବୀରବର ମଙ୍ଗରାଜ l ମାଆ ରାଣୀ ଜୟନ୍ତୀ ଦେବୀ l ପିଲା ବେଳରୁ ସେ ତାଙ୍କ ଭାଇ ଫକୀରଚନ୍ଦ୍ରଙ୍କ ଯୁଦ୍ଧବିଦ୍ୟା ଶିକ୍ଷା ଦେଖି ପ୍ରଭାବିତ ହୋଇଥିଲେ l ଭାଇଙ୍କଠାରୁ ଶିଶୁ ଶୂକଦେଇ ଶିକ୍ଷା କରିଥିଲେ ବିଭିନ୍ନ କୁସ୍ତି କସରତ ସମରବିଦ୍ୟା ଓ ଅଶ୍ୱ ଚାଳନା l

ରାଣୀ ଶୁକ ଦେଇ ଥରେ ଜଗନ୍ନାଥଙ୍କ ଦର୍ଶନରେ ପୁରୀ ଯାଇଥିଲେ l ଖୋର୍ଦ୍ଧା ରାଜା ଗୋପୀନାଥ ଦେବ ତାଙ୍କୁ ସେଠାରେ ଦେଖି ତାଙ୍କର ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ପଡ଼ିଲେ l ତାଙ୍କୁ ଲାଭକରିବା ଲାଳସାରେ ଚେଷ୍ଟା କରି ବିଫଳ ହେବାରୁ ବାଙ୍କୀ ରାଜ୍ୟର ତାଳବସ୍ତ ପ୍ରଗଣା ଜବରଦସ୍ତ ଦଖଲ କରି ନେଲେ l

ବାଙ୍କୀରାଜା ହରିଚନ୍ଦନ ଖୋର୍ଦ୍ଧା ରାଜାଙ୍କୁ ଏହାର ପ୍ରତିବାଦ ଜଣାଇଲେ l କିନ୍ତୁ ଗୋପୀନାଥ କିଛି ନଶୁଣି ଚାହୁଁଚାହୁଁ ପୁଣି ଆଉ ଦୁଇ ତନିଗୋଟି ପ୍ରଗଣାକୁ ଦଖଲ କରି ନେଲେ l ବାଙ୍କୀର ଯୁବକ ରାଜା ତାଙ୍କର ବନ୍ଧୁରାଜ୍ୟ ବଡ଼ମ୍ବାକୁ ଏହା ଜଣାଇ ଯୁଦ୍ଧ ଘୋଷଣା କଲେ l କିନ୍ତୁ ଏହି ଯୁଦ୍ଧରେ ବାଙ୍କୀ ରାଜା ଶ୍ରୀଚନ୍ଦନ ପରାଜୟ ବରଣ କରି ପଛଘୁଞ୍ଚା ଦେଲେ l ଖୋର୍ଦ୍ଧା ରାଜା ତାଙ୍କ ପଶ୍ଚାତଧାବନ କରି ରଗଡ଼ି ଗ୍ରାମ ନିକଟରେ ଦ୍ଵିତୀୟ ବାର ଯୁଦ୍ଧରେ ତାଙ୍କୁ ହତ୍ୟା କଲେ l

ଖୋର୍ଦ୍ଧାର ରାଜା ବାଙ୍କୀକୁ ଅଧିକାର କରିବା ଉଦ୍ଦେଶ୍ୟରେ ଯାଇ ନିକଟରେ ଗୋପାଳପୁର ପାଟରେ ଶିବିର ସ୍ଥାପନ କରି ଜଗି ରହିଲେ l

ରାଣୀ ଶୁକ ଦେଇଙ୍କ ପାଖରେ ସମ୍ବାଦ ପହଞ୍ଚିଲା l ଏ ପଟେ ହୃଦୟରେ ସ୍ୱାମୀଙ୍କ ମୃତ୍ୟୁରେ ତାଙ୍କର ପ୍ରବଳ ବେଦନା ସେ ପଟେ ରାଜ୍ୟ ବିପଦ ଗ୍ରସ୍ତ l ଅନ୍ତରର କୋହ ଓ ଶୋକ ସମ୍ବରଣକରି ସେ ପତି ହନ୍ତା ଖୋର୍ଦ୍ଧା ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ l ନିଜ ନାବାଳକ ଅଳ୍ପ ବୟସ୍କ ପୁତ୍ରକୁ ଧରି ଅଶ୍ୱାରୋହଣ ପୂର୍ବକ ହାତରେ ଢାଲ ତରବାରୀ ଧରି ଯୁଦ୍ଧକୁ ବାହାରି ପଡ଼ିଲେ l

ତାଙ୍କର ଦେଵାନ୍ ଏ ଯୁଦ୍ଧ ନକରି ସନ୍ଧି କରିବାପାଇଁ ତାଙ୍କୁ ପରାମର୍ଶ ଦେଲେ l ପ୍ରତିଶୋଧ ବହ୍ନିରେ ଦଗ୍ଧ ରାଣୀ ଏହାକୁ କିନ୍ତୁ କର୍ଣ୍ଣ ପାତ କଲେ ନାହିଁ l ରାଣୀ ତାଙ୍କୁ ଡକାଇ କହିଲେ, “ନିତାନ୍ତ ନିରୂପାୟ ହେଲେ ସୁଦ୍ଧା ମୋର ପତି ହନ୍ତା ନିକଟରେ ମୁଁ ବଶ୍ୟତା ସ୍ଵୀକାର କରିପାରିବି ନାହିଁ l କାଳବିଳମ୍ବ ନ କରି ଏହି ଯୁଦ୍ଧର ଆୟୋଜନ କର ଓ ଶତ୍ରୁ ରାଜାଙ୍କୁ ସମ୍ବାଦ ଦିଅ ପ୍ରସ୍ତୁତ ରହିବା ପାଇଁ l ଆସନ୍ତାକାଲି ଯୁଦ୍ଧ ହେବ”l

ଦେୱାନ, ପୁନଃ ଏପରି ଦୁଃସାହସିକ ପଦକ୍ଷେପ ନନେବା ପାଇଁ ରାଣୀଙ୍କୁ ଅନୁରୋଧ କଲେ l କିନ୍ତୁ ବୀରାଙ୍ଗନା ଶୁକଦେଇ ଆଉ କାଳ ବିଳମ୍ବ କଲେ ନାହିଁ l ଶିଶୁ ପୁତ୍ର ଦୟାନିଧିକୁ ପୃଷ୍ଠରେ ଧରି ଯୁଦ୍ଧ କ୍ଷେତ୍ରକୁ ଅଶ୍ୱ ଝପଟେଇ ଦେଲେ l

ରାଣୀଙ୍କ ବୀର ଉଗ୍ର ମୂର୍ତ୍ତି ଦେଖି ବୃଦ୍ଧ ବ୍ୟବର୍ତ୍ତାଙ୍କର ଆତ୍ମପ୍ରତ୍ୟୟ ହେଲା। ସାହସ ସଞ୍ଚୟ କରି ଶତ୍ରୁ ପକ୍ଷକୁ ସମ୍ବାଦ ଦେଲେ ଏବଂ ସୈନ୍ୟ ସଂଗ୍ରହରେ ଲାଗିପଡ଼ିଲେ l ସାରା ରାତ୍ରି ପରିଶ୍ରମ କରି ସେ କେତେକ ପାଇକ ସୈନ୍ୟଙ୍କୁ ସଂଗ୍ରହ କରି ରାଣୀଙ୍କ ସହାୟତା ପାଇଁ ଅଣ୍ଟା ଭିଡ଼ିଲେ।

ରାଣୀ ପୁଅକୁ ଜଣେ ବିଶ୍ଵସ୍ତ ସେବକ ନିକଟରେ ଛାଡି ଦେଲେ ଏବଂ ସମବେତ ପାଇକ ସୈନିକ ମାନଙ୍କୁ ଉଦବୋଧନ ଦେଇ କହିଲେ, “ମୁଁ ମୋ ପାଇଁ କିମ୍ବା ମୋ ବାଳକ ଦୟାନିଧି ପାଇଁ ଯୁଦ୍ଧ କରୁ ନାହିଁ l ତୁମ୍ଭରି ମାନଙ୍କ ପାଇଁ,ତୁମ୍ଭ ବାଙ୍କୀର ସମ୍ମାନ ତଥା ସ୍ୱାଭିମାନପାଇଁ l ଯୁଦ୍ଧ କରିବାକୁ ପ୍ରସ୍ତୁତହୁଅ l ଯେଉଁ ବାଙ୍କୀ ସ୍ଵୀୟ ବାହୁ ବଳରେ ଏତେ ଦିନ ଧରି ନିଜର ଅକ୍ଷୟ ଯଶ ରକ୍ଷା କରି ଆସିଥିଲା ତାହା ଆଜି ଭୁଲୁଣ୍ଠିତ ହୋଇଛି l ସେହି ଗୌରବ ଆମକୁ ଫେରାଇ ଆଣିବାକୁ ପଡ଼ିବ l ଅତଏବ ହେ ଵୀରେ, ଉତ୍ସାହିତ ହୁଅ, ମନରୁ ଭୀରୁତା ଦୂରକର, ସାହସ ସଂଗ୍ରହ କର l ତୁମ୍ଭର କୁଳର ଯଶ ରାଶିକୁ ସ୍ମରଣ କର, ଆଉ ଯୁଦ୍ଧକୁ ବାହାରି ପଡ଼ l”

ଏ ଉଦବୋଧନ ପାଇକ ମାନଙ୍କ ମନରେ ଅପୂର୍ଵ ଉନ୍ମାଦନା ସୃଷ୍ଟି କଲା। ସମସ୍ତେ ସାହାସିକତାର ସହିତ ଏକଜୁଟ ହେଲେ l ଉଭୟ ପକ୍ଷର ଭେଟ ହେଲା l ଖୋର୍ଦ୍ଧା ରାଜା ରାଣୀଙ୍କୁ ଦେଖି ଉପହାସ କଲେ l ଭୟଙ୍କର ଯୁଦ୍ଧ ଲାଗିଲା, ବାଙ୍କୀ ସୈନ୍ୟ ଖୋର୍ଦ୍ଧା ସୈନ୍ୟଙ୍କ ପ୍ରବଳ ଆକ୍ରମଣରେ ଭୀତତ୍ରସ୍ତ ହୋଇ ପଳାୟନ କରିବା ପାଇଁ ଉଦ୍ୟମ କଲେ।

ପାଇକ ମାନଙ୍କ ଛତ୍ରଭଙ୍ଗ ସତ୍ତ୍ବେ ହତୋତ୍ସାହିତ ନ ହୋଇ ମାତ୍ର ଦଶ, ପନ୍ଦର ଜଣ ପାଇକଙ୍କୁ ନେଇ ଅତି ସାହସର ସହ ଶତ୍ରୁଦମନ ପାଇଁ ଛିଡ଼ାହୋଇ ପଡ଼ିଲେ ରାଣୀ ଶୁକ ଦେଇ ଓ ଯୁଦ୍ଧରେ ଆଗେଇ ଚାଲିଲେ ରାଣୀ l ମାଡ଼ିମାଡ଼ି ଆସି ରାଣୀ ଖୋର୍ଦ୍ଧା ରାଜାଙ୍କୁ ଅତର୍କିତ ଆକ୍ରମଣ ଆରମ୍ଭ କରିଦେଲେ l

ରାଣୀଙ୍କ ସହାୟତାପାଇଁ ବଡ଼ମ୍ବା ରାଜାଙ୍କ ସୈନ୍ୟ ବାହିନୀ ଆସି ଯୋଗଦେଇ ସାରିଥାନ୍ତି l ଛତ୍ରଭଙ୍ଗ ଦେଇ ଚାଲିଯାଇଥିବା ପାଇକମାନେ ପୁଣି ଫେରି ଆସି ମିଳିତ ହେଲେ। ଖୋର୍ଦ୍ଧା ରାଜାଙ୍କ ଉପରେ ମରଣାନ୍ତକ ଆକ୍ରମଣ ଆରମ୍ଭ ହେଲା ତୁଳସୀ ପୁର ଓ କଳା ପଥର ଠାରେ l ଅନନ୍ୟୋପାୟ ହୋଇ ଛତ୍ରଭଙ୍ଗ ଦେଲେ ଖୋର୍ଦ୍ଧା ରାଜା l ମାତ୍ର ରାଣୀଙ୍କ ବ୍ୟୁହ ଭେଦ କରିବାରେ ବିଫଳହୋଇ ଅନୁଗାମୀ କେତେ ଜଣଙ୍କ ସହ ରାଣୀ ଶୁକଦେଇଙ୍କ ହସ୍ତରେ ବନ୍ଦୀ ହେଲେ ଖୋର୍ଦ୍ଧା ରାଜାl

ରାଜାଙ୍କ ପାଖରେ ଆଉ କିଛି ପନ୍ଥା ନଥିଲା l ସେ ଆତ୍ମସମର୍ପଣ ପୂର୍ବକ ନିଜ ତରଫରୁ ସନ୍ଧି ପ୍ରସ୍ତାବ ରଖିଲେ l ଯୁଦ୍ଧ ଜୟ ପାଇଁ ସେ ବାଙ୍କୀ ରାଜ୍ୟକୁ ଉପହାର ସ୍ୱରୂପ କୁଶପଲ୍ଲା ପ୍ରଗଣା ଦାନ କଲେ l ରାଣୀ ଶୁକ ଦେଇ କିଛି ବର୍ଷ ପର୍ଯ୍ୟନ୍ତ ନାବାଳକ ସନ୍ତାନ ଦୟାନିଧିଙ୍କ ପ୍ରତିନିଧି ଭାବେ ରାଜ କାର୍ଯ୍ୟ ତୁଲାଇଲେ l ସାବାଳକ ହେବାପରେ ରାଜକୁମାର ଦୟାନିଧି, ବାଙ୍କୀ ରାଜଗାଦିରେ ଅଧିଷ୍ଠିତ ହୋଇ ଶାସନ କଲେ l

ରାଣୀଶୁକଦେଇ ଥିଲେ ସୁଶିକ୍ଷିତା ବୀରା ରମଣୀ l ଶୁଣା ଯାଏ, ଚାଖି ଖୁଣ୍ଟିଆ ପରବର୍ତ୍ତୀ ସମୟରେ ଯେତେ ବେଳେ ରାଣୀ ଲକ୍ଷ୍ମୀ ବାଇଙ୍କୁ ସହାୟତା ଦେବାକୁ ଯାଇଥିଲେ, ସେତେ ବେଳେ ସେ ତାଙ୍କୁ ବାଙ୍କୀ ରାଣୀ ଶୁକ ଦେଇଙ୍କ ବୀରତ୍ୱର କାହାଣୀ ଶୁଣାଇ ଯୁଦ୍ଧରେ ଆଗେଇ ଯିବାକୁ ଉଦ୍ବୁଦ୍ଧ କରାଇ ଥିଲେ l ଏହାକୁ ବିଚାର କଲେ ବୁଝା ପଡ଼େ ଆମ ଓଡିଆ ବୀରାଙ୍ଗନା ଏହି ରାଣୀ ଶୁକଦେଇ ଥିଲେ ଲକ୍ଷ୍ମୀବାଇଙ୍କ ପ୍ରେରଣାର ଉତ୍ସ l

ବୀରାଙ୍ଗନା ଅଦମ୍ୟ ସାହସୀ ରାଣୀ ଶୁକଦେଇ ଓଡ଼ିଶା ଇତିହାସ ପୃଷ୍ଠାରେ ସେତେ ଟା ପରିଚିତି ଲାଭ କରିପାରି ନାହାଁନ୍ତି ଏହା,ଆମର ଦୁର୍ଭାଗ୍ୟ l ତାଙ୍କ ଜନ୍ମତିଥି ସଠିକ ଭାବେ ନିରୂପଣ ହୋଇ ପାରି ନାହିଁ । ଐତିହାସିକ ତଥ୍ୟ ଅନୁଯାୟୀ ସେ ଭାଦ୍ରବ ପୂର୍ଣ୍ଣିମା/ଇନ୍ଦ୍ର ପୂର୍ଣ୍ଣିମା ଦିନ ଜନ୍ମ ଗ୍ରହଣ କରିଥିଲେ l ଏହା 1670 ରୁ 1680 ମଧ୍ୟରେ ବୋଲି ଅନୁମାନ କରାଯାଏ l ବାଙ୍କୀର ମାଟି ଆଜି ବୀରା ରାଣୀ ଶୁକ ଦେଇଙ୍କୁ ଝୁରିହେଉଛି l ରାଣୀ ଶୁକଦେଇଙ୍କ ଅପୂର୍ଵ ବୀରତ୍ୱର କାହାଣୀ ନାରୀ ଜାଗୃତିର ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ ଅବିସ୍ମରଣୀୟ ଅଧ୍ୟାୟ l ସେ ଥିଲେ ନାରୀ ଅସ୍ମିତାର ଆଦର୍ଶ l

ନାରୀ ଗୌରବ ବାଙ୍କୀ ରାଣୀ ଶୁକ ଦେଈଙ୍କ ନାମ ଇତିହାସ ପୃଷ୍ଠାରେ ଚିର ଭାସ୍ଵର ହୋଇ ରହିଥିବ l ଆଜି ତାଙ୍କ ଜନ୍ମ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି l
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights