ସାଙ୍ଗ
ଘନଶ୍ୟାମ ପଲେଇ
ସବୁଦିନ ପ୍ରାୟ ଏକା ସାଙ୍ଗରେ ଅଫିସରୁ ସମୟ କାଢି ଚା’ ପିଇବାକୁ ଯାଉ ମୁଁ ଆଉ ରମେଶ । ସେଇଠି ମନଖୋଲା ଗପସପ ହେଉ। ହସି ହସି କାମର ଚାପକୁ ଲାଘବ କରିବାକୁ ଚେଷ୍ଟା କରୁ। ନୂଆ ଉତ୍ସାହ ପାଉ।
ହେଲେ କପେ କପେ ଚା’ ପିଇ ସାରିଲା ପରେ ଦୃଶ୍ୟ ବଦଳି ଯାଏ। ପଇସା ଦେଲାବେଳେ, ରମେଶର ସେଇ ପୁରୁଣା ଅଭ୍ୟାସ ବାହାରେ। ପକେଟ ଅଣ୍ଡାଳେ… ସାର୍ଟ ପକେଟରେ ହାତ ମାରେ। ପୁଣି ପ୍ୟାଣ୍ଟ ପକେଟ ଅଣ୍ଡାଳେ। ହେଲେ ପଇସା ବାହାରେ ନି ଟଙ୍କାଟେ ବି। ସେତେବେଳକୁ କିନ୍ତୁ ମୁଁ ପଇସା ଗଣି ସାରିଥାଏ ଦୋକାନୀକୁ। ନଚେତ୍ ସ୍କାନ କରି ଅନଲାଇନ ପେମେଣ୍ଟ କରିଦେଇଥାଏ। ଏପରି ଡ୍ରାମା ପ୍ରତ୍ୟେକ ଥର ଦେଖି ଦୋକାନୀ ମୁରୁକି ମୁରୁକି ହସେ। ମଜା ନିଏ । ଆଖି ଇସାରରେ ଅନେକ କିଛି କହିଯାଏ। ମୁଁ ବି ମଜା ନିଏ ତା’ର ଏଇ ନାଟକରେ।
ଦିନେ କିନ୍ତୁ ରମେଶ ନ ଥିବାର ସୁଯୋଗରେ ଦୋକାନୀ ମୋତେ କହିଥିଲା— ସାର୍! ଆପଣଙ୍କ ସାଙ୍ଗ ଭାରି କଞ୍ଜୁସ। ଦେଖୁ ନାହାଁନ୍ତି କେବେ ଦିନେ ହେଲେ ଚା’ ପଇସା ଦେଉ ନାହାଁନ୍ତି। ଦୁନିଆରେଏମିତି ଅନେକ ଡ୍ରାମାବାଜ ଲୋକ ମୁଁ ଢେର୍ ଦେଖିଛି ।
ମୋତେ ଖରାପ ଲାଗିଲା। ମୁଁ ବିଶେଷ କିଛି ନ କହି କହିଲି– ନ ଦେଉ! ସାଙ୍ଗ ତ ସାଙ୍ଗ। ତୋ’ର ପଇସା ମିଳିଲେ ଗଲା।
ଆଜି କିନ୍ତୁ ପଇସା ନ ଦେଇ ଚୁପ୍ଚାପ ଛିଡା ହେଇଥିଲି ମୁଁ। ଏପଟେ ରମେଶ ଖାଲି ପକେଟ ଅଣ୍ଡାଳୁ ଥାଏ । ମୋ ମୁହଁକୁ ବାରବାର ଚାହୁଁଥାଏ। ମୁଁ ଅନ୍ୟ ମନସ୍କ ହେଇ ଛିଡା ହେଇଥାଏ। ମୁହଁ ମୋର ସୁଖି ଯାଇଥାଏ। ଜାଣି ପାରିଲା କି କ’ଣ ପାଖକୁ ଆସି ପଚାରିଲା— ଆରେ ତୋର କ’ଣ ହେଇଛି? … ସତ ସତ କହ?
ମୁଁ ଜଣାଉ ନ ଥିଲି ପ୍ରଥମେ ପ୍ରଥମେ। ବାଧ୍ୟ କଲାରୁ କହିଲି… ମୋର ଅସୁବିଧା କଥା। ମୋ ପରି ସବୁ ଚାକିରିଆଙ୍କ ଅବସ୍ଥା ପ୍ରାୟ ସମାନ। ମାସ ଶେଷ ବେଳକୁ ନ ଥିବ ପଇସା। ଟାଣଟୁଣ ଅବସ୍ଥା। ଏତିକି ବେଳକୁ ଦେଖା ଯିବ ଆର୍ଥିକ ସଙ୍କଟ। ଗତ କାଲି ରାତିରେ ମୋ ପଞ୍ଚାଅଶୀ ବର୍ଷର ବାପାଙ୍କ ମୁଣ୍ଡ ବୁଲେଇ ଦେଲା। ପଡିଗଲେ। ବୁଢା ଆଙ୍ଗୁଠି ଭାଙ୍ଗି ଗଲା ଲୁହା ଗ୍ରିଲରେ ବାଜି। ମେଡିକାଲ ନେଇଥିଲି। ଗୁଡାଏ ଖର୍ଚ୍ଚ ହେଲା। ଅଫିସରେ କିଛି ପଇସା ପାଇଁ ଆବେଦନ କରି ଦେଇଛି। ପଇସା ଆସିବାକୁ ଦିନେ ଦୁଇ ଦିନ ଲାଗିପାରେ।
ସାଙ୍ଗ ମୋ କଥା ଶୁଣୁ ଶୁଣୁ କହିଲା— ଏଇ କଥା….। ଏତକ କହି ତା’ପର୍ସରୁ ଟଙ୍କା ପାଞ୍ଚ ହଜାର ଦଶଟଙ୍କା କାଢି ଫଟାଫଟ ଧରେଇ ଦେଲା ମୋ ହାତରେ। କହିଲା— ସାଙ୍ଗ ଏତିକି ରଖି ଥା! ସୁବିଧା ହେଲେ ଦେବୁ। ନ ଦେଇ ପାରିଲେ ବି କିଛି କଥା ନାହିଁ।
ପୁଣି ଟିକିଏ ରହି ରମେଶ ହସି ହସି କହିଲା— ଭାଇ! ଆଜି ବି ତୁ ହିଁ ଦେ ଚା’ ପଇସା। ସାଙ୍ଗ ପଇସାରେ ଚା’ ପିଇବାର ମଜାଟା ହିଁ ଅଲଗା।
ଦୋକାନୀ ଭିତରୁ ଥାଇ ସବୁ ନଜର ରଖିଥାଏ ଆମ ଉପରେ। ମୋ ଆଖିରେ ଲୁହ ଜକେଇ ଆସିବା ଆଗରୁ ତା’ ଆଖି କୋଣରେ ବି ପାଣି ଢଳ ଢଳ ହେଉଥିବାର ମୁଁ ସ୍ପଷ୍ଟ ଦେଖି ପାରୁଥାଏ।
ଘନଶ୍ୟାମ ପଲେଇ
ମୋ- 9437718500
କାଲି ପଢ଼ିଥିଲି। ବହୁତ ଭଲ ଲାଗିଲା