ଷାଠିଏ-ଚାଳିଶ
***********ଡୋଳାମଣି ତ୍ରିପାଠୀ, ପାଇକମାଳ
************************
ହଇରେ ଭଗ,ତମ ସାହିରେ କାହାକୁ ଭୋଟ ଦଉଛ କିରେ ? ମୁରବିଆ ପ୍ରଶ୍ନଟେ ବାଙ୍କା ସାରଙ୍କ। କଲବ ଘର ମିଟିଙ୍ଗ ଆଡେ ଲସର ପସର ହୋଇ ଧାଉଁଥିବା ପାଦ ଦି’ଟା ଅଟକି ଗଲା ଭଗବାନର। ଦାଣ୍ଡ ପିଣ୍ଡିରେ ଚୌକି ଗୋଟିଏରେ ବସିଛନ୍ତି ବାଙ୍କା ଗୁରୁଜୀ। ଚୌକି ବାଡରେ ବଙ୍କୁଳି ବାଡିଟା ଆଡି଼ଆ ହୋଇଛି।
“ଆଜ୍ଞା ଓଲଗି।”ମୁଣ୍ଡିଆଟେ ହୋଇ ଏପଟ ସେପଟ ଚାହୁଁ ଥାଏ। ମନ କଲବ ଘରେ। “କାହାକୁ ଭୋଟ ଦିଆହେବ ଥ’ ହେଇନି ଏ ଯାଏ।ସେଇ କଥା ବିଚାର କରିବା ପେଇଁ ଆଜି ମିଟିଙ୍ଗ ବସିଛି କଲବ ଘରେ। ସେଠିକୁ ଯାଉଛି।”ମୁଣ୍ଡ କୁଣ୍ଡାଉ କୁଣ୍ଡାଉ ଜଣାଇଲା ଭଗବାନ।
ହଉ ହଉ,ଯାଆ। ଭଲ ଲୋକ ବାଛି ଭୋଟ ଦେବରେ। ଆମ ସଭିଙ୍କ ମଙ୍ଗଳ ହେବ।
ବାଙ୍କା ଆଜ୍ଞା ନିର୍ମାୟା ମଣିଷଟେ। ଏଇ ଗାଁ ଇସ୍କୁଲରେ ତାଙ୍କ ଚାକିରୀ କାଳ କଟିଲା। ଚାକିରୀ ପରେ ଏଇଠି ଘର ଖଣ୍ଡେ କରି ରହିଗଲେ। ପୁଅ ବାହାରେ ଚାକିରୀ କରେ। ଝିଅକୁ ବାହା କରେଇ ବିଦା କରି ସାରିଲେଣି କୋଉ କାଳୁ। ଏବେ ବୁଢା ବୁଢୀ ଦୁଇଜଣ । ଏଇ ଗାଁ ମାଁ ସହ ଜୀବନ ଶଗଡଟାକୁ ଗଡେଇ ନେଉଛନ୍ତି। ଗାଁର ସଭିଏଁ ତାଙ୍କରି ଛାତ୍ର। ସେଇଥି ପାଇଁ ସଭିଏଁ ତାଙ୍କୁ ସମ୍ମାନ କରନ୍ତି। ଗୁରୁଜୀ-ଗୁରୁମା ବି ସଭିଙ୍କୁ ସ୍ନେହ ଆଦର କରନ୍ତି। ଆକଟ ବି କରନ୍ତି ଭୁଲ ଭଟକା ଦେଖିଲେ। ଗୁରୁଜୀଆ ଅଭ୍ଯାସଟା ଟିକିଏ ରହି ଯାଇଛି ଯାହା; ନ ହେଲେ ସେ କାଳିକା ଟାଣପଣ ଆଉ ନାଇଁ।
ଦେଖିଲେ କହିବା ଅଭ୍ଯାସ ଯୋଗୁଁ କହି ଦିଅନ୍ତି ଏମିତି। କିଏ ମାନିଲା ନା ଆଡେଇ ଗଲା ସେଥକୁ ନଜର ଦିଅନ୍ତି ନାଇଁ। ସିଏ ବି ଜାଣିଛନ୍ତି; ଆଜି କାଲିକା ପିଲା ଓଳିଆରୁ ଗଜା।
ଅତଃ,ଭଗବାନ ସିଧା କଲବରେ ହାଜର।ଘମାଘୋଟ ବିଚାର ଚାଲିଛି। କ’ଣ କରିବା।କାହାକୁ ଭୋଟ ଦେଲେ ଅଧିକ ଫାଇଦା। କିଛି ନିଷ୍ପତ୍ତି ବାହାରୁ ନ ଥାଏ।
କାହାକୁ ଉଣା କରି ହେଉ ନ ଥାଏ। ଏକୁ ଆରେକ ବଳି। ବାଲୁଆ ଦଳ ତରଫରୁ କଲବ ଲାଗି ନାଟ ମଣ୍ଡପଟେ ସହ ଗାଁ ମନ୍ଦିର ବେଢ଼ା ପାଚେରୀ କରିଦେବେ ବୋଲି ଚାହିଁ ବସିଛନ୍ତି।
ଗାଁ ବାଲେ ଭୋଟ ଦେବାକୁ ଜବାବ ଦେଲେ ହାଲେ ହାଲେ କାମ ଆରମ୍ଭ କରି ଭୋଟ ଆଗରୁ ଠିଆ କରିଦେବେ। ଗାଲୁଆ ଦଳ ତରଫରୁ ନଳକୂଅ ଗାଡ଼ି ସଜିଲ ଅଛି। ଗାଁ ଗାଁ ବୁଲି ନଳକୂଅ ଖୋଳି ଦେଉଛି। ଯଦି ଗାଁ ଲୋକ ଭୋଟ ଦେବାକୁ କଥା ଦେବେ; ତେବେ ଦିନ ଦୁଇଟାରେ ତଳ ଉପର ଉଭୟ ସାହିରେ ଗୋଟିଏ ଲେଖା ନଳକୂଅ ରେଡି ହୋଇଯିବ।ଆଗକୁ ଖରା ଦିନ। ତା ସହ ଗାଁ ପୋଖରୀ ଗାଧୁଆ ତୁଠରେ ପାହାଚ ସହ ଲୁଗା ପାଲଟା ଘରଟେ କରିଦେବେ। ବୁଢ଼ା-ବୁଢ଼ୀ ବୋହୂ-ଭୁଆଷିଣୀଙ୍କ ସୁବିଧା ହବ। ଏହା ବାଦ ଭୋଟ ପିଛା ବି କିଛି କିଛି ବେବସ୍ଥା କରାହେବ।
ବାଲୁଆ ଦଳର ବବଲୁ ସହ ଚେଲା ଚାମଣ୍ଡା ତାଙ୍କ ଦଳ ପାଇଁ ଅଡ଼ି ବସିଛନ୍ତି ତ ଗାଲୁଆ ଦଳର ହରି ମଉସା ପିଲାଙ୍କ ବୋପା ଦାଦାଙ୍କ ସହ ଗାଲୁଆଙ୍କ ପାଇଁ ମାମଲାତି କରୁଛନ୍ତି।
ଗାଁ ଗଉନ୍ତିଆ ଜଗବନ୍ଧୁ ମିଶ୍ରେ ଭଲ ଲୋକ। ଭାବ ଅଭାବରେ ସଭିଙ୍କ ଦୁଆରେ ଛିଡ଼ା ହୁଅନ୍ତି। ପାରୁ ପର୍ଯ୍ୟନ୍ତ ସାହାଯ୍ଯ ବି କରନ୍ତି। ତେଣୁ ଗାଁ ଲୋକେ ଏବେ ବି ତାଙ୍କୁ ଗାଁ ମୂରବୀ ଭାବରେ ସମ୍ମାନ ଦିଅନ୍ତି। କେବେ ପ୍ରତ୍ଯକ୍ଷ ରାଜନୀତିରେ ସାମିଲ ନ ହେଲେ ବି ଗାନ୍ଧି ମହାତ୍ମାଙ୍କ ସଚ୍ଚା ଭକ୍ତ। ଆଗରୁ ଭୋଟ ବେଳେ ତାଙ୍କୁ ଲୋଡ଼ା ପଡ଼ୁଥିଲା।ହେଲେ ଭୋଟ ଜିତିବାର କାଇଦା କାନୁନ ବଦଳିଯାଇ ହାଇଟେକ ହୋଇଗଲା ପରେ
ସେ ନିଜେ ନିଜକୁ ଏସବୁ ବ୍ଯାପାରରୁ ଦୂରେଇ ନେଇଛନ୍ତି। ତଥାପି ଗାଁକୁ ଭୋଟ ନାଁରେ ଭାଗଭାଗ ହେବାରୁ ଏ ଯାଏ ବଞ୍ଚେଇ ରଖି ପାରିଛନ୍ତି।
କୋଉ ଦଳକୁ ଭୋଟ ଦିଆ ହେବ ନିଷ୍ପତ୍ତି ହୋଇ ପାରୁ ନାହିଁ। ମିଶ୍ରେ ଉଭୟ ପକ୍ଷଙ୍କ କଥାକୁ ତଉଳି କିଛି ବି ଏକପାଖିଆ ନିଷ୍ପତ୍ତି ନେଇ ପାରୁ ନାହାଁନ୍ତି।ବଡ଼ ଅଡ଼ୁଆ। ଶେଷକୁ ପ୍ରସ୍ତାବ ଦେଲେ ବାଙ୍କା ସାରଙ୍କୁ ଡକାଯାଉ।
ସେଇଆ ହେଲା। ଭଗ ସହ ଆଉ ଦୁଇଜଣ ଧାଇଁଲେ ବାଙ୍କା ସାରଙ୍କ ପାଖକୁ। ବୋହି ବାହି ସାରଙ୍କୁ କଲବ ଘରେ ହାଜର କଲେ। ସବୁ ଶୁଣି ସାରଙ୍କ ବି ଅକଲ ଗୁଡ଼ୁମ। ଏ କି କାଳ ହେଲାରେ ବାବା; ଖାଲି ଦିଆନିଆରେ ଭାବ ! ଆଗର ସେ ଦେଶ ଗଠନ ପାଇଁ ସରକାର ଗଢ଼ିବା କଥା ଏବେ ତୁଚ୍ଚା ଆକାଶ କଇଁୟା। ଯେ ଯାହାର ବେପାର ମେଳେଇବାରେ ବ୍ଯସ୍ତ। ଦେଶ ଚୁଲିକି ଯାଉ।ଲୋକ କର୍ମ କୁଢ଼ିଆ ହୋଇ ନେତାଙ୍କ ହାତ ଟେକାକୁ ଚାହିଁ ରୁହନ୍ତୁ। ନେତା ଆଉ ନେତାଙ୍କୁ ପାଣ୍ଠି ଯୋଗାଉ ଥିବା ଦାତାଙ୍କ ସିନ୍ଦୁକ ଉଛୁଳୁ ଥାଉ। ସବୁ କଳିର କମାଳ ! ସବୁ ରାସ୍ତା ବନ୍ଦ।
ତ ସେଇ ସୁଅରେ ହିଁ ଧାଇଁବାକୁ ହେବ। ନହେଲେ ପଛରେ ପଡ଼ିଯିବ। ତଥାପି କିଛି ତ କରିବାକୁ ହେବ ! କିଛି ଗୋଟେ ଉପାୟ ମୁଣ୍ଡକୁ ପଶିଲା ।ତଥାପି ସନ୍ଧିହାନ ହୋଇ ମିଶ୍ର ସାରଙ୍କୁ ବାହାର କୂଅ ମୂଳକୁ ଡାକି ନେଲେ। କିଛି ସମୟ ବିଚାର ବିମର୍ଷ କରି ଫେରିଲେ। ଏଥର ଗଳା ଖଙ୍କାରିଲେ ବାଙ୍କା ସାର।
ଆମେ ଆମ ଗାଁର ଏକତା ଅତୁଟ ରଖି ଥିବାରୁ
ଏ ଯାଏ କୌଣସି ନେତା ଆମକୁ ନିଜ ମନ ମୁତାବକ ନଚେଇ ପାରି ନାହାଁନ୍ତି। ଆମ ଗାଁର ଗୋଟେ ନିଜସ୍ବ ପରିଚୟ ଏ ଯାଏ ଅଛି। ଆଗକୁ ବି ଏ ପରିଚୟ ଅତୁଟ ରଖିବାକୁ ହେବ। ଏଥି ପାଇଁ ଦଳ ମତ ନିର୍ବିଶେଷରେ ଆମର ଏ
ବନ୍ଧନ ଅତୁଟ ରହିବା ନିହାତି ଆବଶ୍ଯକ। ତେବେ ଆମେ କୌଣସି ଦଳକୁ ନିରାଶ କରିବା ନାହିଁ। ଆଜିକାର ପରିସ୍ଥିତି ଯାହା ସେମାନଙ୍କୁ ନିହାତି ଅଣଦେଖା କଲେ ସେମାନେ ହଇରାଣ କରିବେ। ତେଣୁ ସେମାନେ ଯାହା ଦେଉଛନ୍ତି ନେବା ଆଉ ଆମ ମନ ଲାଖି ଭୋଟ ଦେବା।
ବବୁଲୁ ଅଟକେଇଲା,ସାର,ଆମେ ଭୋଟ ଦେବାକୁ କହି ସୁବିଧା ନେଇ ସାରିଲା ପରେ ଭୋଟ ନ ଦେଲେ ମୋତେ ଦଳରେ ଅପଦସ୍ତ ହେବାକୁ ପଡ଼ିବ। ତେଣୁ କିଛି ଅଲଗା ବାଟ ବଛାଯାଉ।
ହରି ମଉସା ବି ସେଇ ସମାନ କଥା କହିଲେ।ତାଙ୍କ ଦଳରେ ସେ କୋଣଠେସା ହୋଇ ଯିବାର ଭୟ ବ୍ଯକ୍ତ କରି।
ଉଭୟଙ୍କ କଥା ଶୁଣି ଗଉନ୍ତିଆ ମିଶ୍ରେ ମୁହଁ ଖୋଳିଲେ। ଦେଖ, ଆମେ ଯଦି ଏକଯୁଟ ହୋଇ ରହିବା କେହି ଆମର କିଛି କରି ପାରିବେନି।
କେମିତି….!? ମୁଦ୍ରାରେ ମୁହଁଟି ମାନ ଟେକି ରଖିଲେ ସଭାଜନ। ମିଶ୍ର ସାର ଯୋଡ଼ିଲେ; ବାଙ୍କା ସାରଙ୍କ ସହ ଆମେ ବିଚାର କରି ଯାହା ନିଷ୍କର୍ଷ ରେ ପହଞ୍ଚିଛୁ ଶୁଣ ସଭିଏଁ। ଏଥିରେ କାହାରି କିଛି କ୍ଷତି ହେବନି।
ଆମ ଗାଁ ଭୋଟର ଚାରି ଶହ। ସେଥିରୁ ତଳ ସାହି ଦୁଇ ଶ’ ବାଲୁଆ ଦଳିଆ ଆଉ ଉପର ସାହି ଦୁଇ ଶ’ ଗାଲୁଆ ଦଳିଆ। ଆମେ ଷାଠିଏ ଚାଲିଶରେ ଭୋଟ ଦେବା। କେହି କହି ପାରିବନି ଆମକୁ ଭୋଟ ଦେଇନ ବୋଲି।
ହରି ମଉସା ଜାଣିବାକୁ ଚାହିଁଲେ ; ଷାଠିଏ ଚାଳିଶ କ’ଣ । ବାଙ୍କା ସାର ବୁଝେଇ ଦେଲେ ଯେ ତଳ ସାହି ଲୋକ ତାଙ୍କ ପ୍ରିୟ ବାଲୁଆ ଦଳକୁ ଷାଠିଏ ଶତକଡ଼ା ଭୋଟ ଦେବେ ଆଉ…କଥା ପୂରା କରିବା ଆଗରୁ ହରି ମଉସାଙ୍କ ଡାହାଣ ହାତ ମଙ୍ଗୁଳି ବାରିକ ସବୁ ବୁଝିଗଲା ପରି ଆଗତୁରା କହି ପକେଇଲା; ବାକି ଚାଳିଶ ଶତକଡ଼ା ଗାଲୁଆ ଦଳଙ୍କୁ ଦେବେ।ଏଇଆ ତ !?
ଏତେବେଳ ଯାଏ ଚୁପହୋଇ ଶୁଣୁଥିବା ବବଲୁ ଠିଆ ହୋଇ ପଡ଼ି ହାତ ଯୋଡ଼ିଲା; ଏହା ଫଳରେ ଲାଭ କ’ଣ ହେବ ମୁଁ ବୁଝି ପାରୁନି। ଆମ ସାହିରୁ ଆମ ଦଳ ଶହେ କୋଡିଏ ଆଉ ଗାଲୁଆ ଦଳ ଅଶି ଭୋଟ ନେବେ। ତାଙ୍କ ସାହିରୁ ତାଙ୍କ ଦଳ ଶହେ କୋଡ଼ିଏ ଆଉ ଆମ ଦଳକୁ ଅଶି ମିଳିବ।ଉଭୟ ଦଳ ତ ନିଜ ନିଜ ଭାଗର ସେଇ ଦୁଇ ଶହ ଲେଖାଏଁ ଭୋଟ ପାଇବେ। ଏଥି ପାଇଁ ଏତେ ହିସାବ କିତାବ କିଏ କରିବ। ଆମ ସାହିରୁ କିଏ ଆମ ଦଳକୁ ଆଉ କିଏ ଗାଲୁଆ ଦଳକୁ ବାଛିବ !? ବରଂ ଏ ସବୁ ଅଧିକ ବିଭ୍ରାଟ ସୃଷ୍ଟି କରିବ।
ବିରୋଧି ବାଲା ହେଲେ ବି ବବୁଲୁ କଥାକୁ ଠିକ ବୋଲି ସମାନ ଯୁକ୍ତି କଲେ ହରି ମଉସା। କଲବ ଘରେ ହୋ ହଲ୍ଲା ନ ହେଲେ ବି ଗୁଞ୍ଜରଣଟେ ସରଗରମ ହେବାକୁ ଲାଗିଲା।
ବାଙ୍କା ସାରଙ୍କୁ ବସିବାକୁ ଇଙ୍ଗିତ କରି ମିଶ୍ରେ ସଭାକୁ ସମ୍ବୋଧନ କଲେ। ଦେଖ,ଏଇ ହରବର ହିଁ ମଣିଷକୁ ହଇରାଣ କରେ। ବାଙ୍କା ସାରଙ୍କ କଥା ପୂରା ନ ଶୁଣି ନିଜ ନିଜ ମନ ମାଫିକ ବକି ଯାଉଛ।ଟିକିଏ ରୁକ୍ଷ ଭାବରେ କହିଲେ, ଆଗ ସଂପୂର୍ଣ୍ଣ ଯୋଜନାଟା ଶୁଣିସାର। ସଭିଏଁ ଚୁପ ହେଲେ। ଏଥର ମିଶ୍ରେ ବାଙ୍କା ସାରଙ୍କୁ ଠାରିଲେ ଯୋଜନାଟି ବୁଝେଇ ଦେବାକୁ। ବାଙ୍କା ସାର ଗଲା ଖଙ୍କାରି ସଂକ୍ଷେପରେ ବୁଝେଇ ଦେଲେ।
ଉଭୟ ସାହିରୁ ନିଜ ନିଜ ଦଳକୁ ଷାଠିଏ ଭାଗ ଆଉ ଚାଳିଶ ଭାଗ ଭୋଟ ନୋଟାକୁ ଦେବା।ନୋଟା ନାଁ ଶୁଣୁ ଶୁଣୁ ପରସ୍ପର ମୁହଁ ଚାହାଁ ଚୁହିଁ ହୋଇ ଅନେକଙ୍କ ପାଟିରୁ ବାହାରି ପଡ଼ିଲା ; ନୋଟା …!?
ବାଙ୍କା ସାର ଯୋଡିଲେ ହଁ ହଁ ନୋଟା। ଆମେ ଭୋଟ ତ ଦେବା।ଏହା ସହ ରାଜନିତିଆ ଦଳଙ୍କୁ କିଛି ସଂକେତ ବି ଦେବାକୁ ହେବ। ଭୋଟର ଆଉ ଭକୁଆ ହୋଇ ରହି ନାହାନ୍ତି। ନେତାମାନେ ରାଜନିତିକୁ ଲାଭଜନକ ବେପାରରେ ପରିଣତ କରି ସାରିଲେଣି। ଏଇ ଧାରା ଯଦି ଚାଲୁ ରହେ ଆଉ ଦଶ କୋଡ଼ିଏ ବର୍ଷରେ ଦେଶ ଦେବାଳିଆ ହେବାକୁ ବାଧ୍ଯ ହେବ। ଥରେ ଇଷ୍ଟ ଇଣ୍ଡିଆ କମ୍ପାନୀ କାବୁ କରିନେଲା ଯେ ଦୁଇ ଶହ ବରଷ ଲାଗିଗଲା ନିଜ ଅସ୍ତିତ୍ଵ ଫେରି ପାଇବାକୁ। ଏଥର ଯଦି ଆଉ ଥରେ ସେପରି ଅବସ୍ଥା ଆସେ, ଆଉ ମୁକୁଳି ହେବନି ଯାବତ୍ ଚନ୍ଦ୍ରାର୍କ। ଏଥର ଏକାଧିକ କମ୍ପାନୀ ନିଜ ନିଜ ଭିତରେ ସଲାସୁତୁରା କରି ସେୟାର କିଣାବିକା ହୋଇ କାଳକାଳକୁ ଆମକୁ ଚୁଷି ଲାଗିବେ। ତାର ଝଲକ କିଛି ମିଳି ସାରିଲାଣି। ଏବେଠୁ ସାବଧାନ ନ ହେଲେ ଆଗକୁ ଅବସ୍ଥା ଅସମ୍ଭାଳ। ଏଥର ଆମ ଗାଁରେ ଆରମ୍ଭ କରିବା। ଆଗକୁ ଅନ୍ଯ ଗାଁ ଅନୁକରଣ କରିବେ। ପର ପର ସବୁଆଡ଼େ ଏ କଥା ଘଟିବ। ରାଜନୀତିଆ ବୁଝିବେ; ଲୋକଙ୍କୁ ମନ ମାଫିକ ଚୁଷି ଚାଳିଲେ ଆଗକୁ ନିଜର ବି ସତ୍ତା ରହିବନି। ମୁନାଫା କମି ଗଲେ ବାଧ୍ଯ ହୋଇ ଚୋର ସର୍ଦ୍ଦାର ସବୁ ରାଜନୀତିରୁ ଦୂରେଇ ଯିବେ। ଦେଶ ପୁଣିଥରେ ପରାଧିନତା ଶିକୁଳିରେ ବାନ୍ଧିହେବା ଆଗରୁ ବର୍ତ୍ତିଯିବ।
ବବଲୁର ସାଥୀ ପିକୁଲ ପଚାରିଲା, ନୋଟା କେମିତି ଏତେ କଥା କରିବ ବୁଝି ହେଉନି।
ମିଶ୍ରବାବୁ କହିଲେ, ଧୀରେ ଧୀରେ ସବୁ ବୁଝିଯିବ।ଭୋଟ ଗଣିତ ଟିକେ ଦେଖ। ଆମ ଗାଁର ଚାରିଶହରୁ ଉଭୟ ଦଳ ଶହେ କୋଡିଏ ଲେଖାଏଁ ଭୋଟ ପାଇବେ ଆଉ ନୋଟା ପାଇବ ଶହେ ଷାଠିଏ। ଅର୍ଥାତ ସବୁଠୁ ଆଗରେ ନୋଟା।ଅର୍ଥ କୋଉ ଦଳକୁ ବି ଆମେ ଯୋଗ୍ଯ ମନେ କରୁନୁ। ଏ ସନ୍ଦେଶ ଗାଁ ଗାଁ ରେ ପହଞ୍ଚିବ। ଚର୍ଚ୍ଚା ହେବ। ନୂଆଁ ବିପ୍ଳବଟେର ଆରମ୍ଭ ଆମରି ଗାଁରୁ ଆରମ୍ଭ ହେବ।
ଏ ସନ୍ଦେଶ ରାଜନୀତି ଦଳଙ୍କୁ ବଡ଼ ଝଟକାଟେ ଲେଖାଏଁ ଦେବ। ଦଳ ମୁଖିଆ ମାନଙ୍କ ମୁଣ୍ଡକୁ କଥାଟା ବାଧ୍ଯ ଘାରିବ। ଆଗକୁ ସୁଧୁରିବାକୁ ବାଧ୍ଯ ହେବେ।
ରାଜନୀତି ସହ ସଂପର୍କ ରଖୁଥିଲେ ବି ସେଇ ପଙ୍କରେ ଘୁଷୁରୀ ପାଲଟି ଯିବାରୁ ନିଜକୁ ବଞ୍ଚେଇ ପାରିଥିବା ଗାଁ ଲୋକ ହୋଇ ଥିବାରୁ କଥାଟି
ଗାଁ ଲୋକଙ୍କୁ ଭଲ ଲାଗିଲା। ସଭିଏଁ ହରିବୋଲ ଦେଇ କଥାଟାକୁ ପୂର୍ଣ୍ଣ ସମର୍ଥନ କଲେ। ସଭା ସାଙ୍ଗ କରିବା ଆଗରୁ ଗଁଉନ୍ତିଆ ହରିବୋଲ ଓ ବବଲୁଙ୍କୁ ଦାୟିତ୍ବ ଦେଲେ ନିଜ ନିଜ ସାହିରୁ କିଏ ସବୁ ନୋଟାରେ ଭୋଟ ଦେବେ ଆଗରୁ ନିଶ୍ଚିତ କରି ନେବାକୁ।
*********