ମୁଁ ଅଘୋରୀ ଟିଏ
ପ୍ରକାଶ ମହାପାତ୍ର
ଦୁନିଆଁକୁ ମୋ’ର ଡର ନିହିଁ,
କାହିଁକି ନା
ଦୁନିଆଁକୁ ମୁଁ ଜୀଇଁ ସାରିଲିଣି
ସମୟ ସହିତ ମୁଁ ସାଲିସ୍ କରିଛି,
କାହିଁକି ନା
ସମୟ ମୋ’ର
ଇଛାର ନାମ ନୁହେଁ
ମୃତ୍ୟୁକୁ ମୋ’ର ଭୟ ନାହଁ,
କାହିଁକି ନା
ମୃତ୍ୟୁ ବି ମୋ’ ସହିତ
ମୋର ହୋଇ
ଜନ୍ମ ହୋଇଛି
ମୋ’ଜନ୍ମର ଜାଆଁଳା ଭାଇ ହୋଇ
ସଂପର୍କକୁ ମୁଁ ବୁଝି ସାରିଲିଣି,
କାହିଁକି ନା
ସଂପର୍କ ଖାଲି
ଦବା ନବାର
ଗୋଟିଏ ଗୋଟିଏ ରୂପାନ୍ତର ନାମ।
ଜୀବନକୁ ମୁଁ
ଚାଖି ସାରିଲିଣି,
ଜୀବନ ଖାଲି ଏକ
ଅପହଞ୍ଚ ଦୌଡା
ଏକ ଅପ୍ରାପ୍ତ ଖୋଜ
ଧର୍ମକୁ ମୁଁ ଭୋଗି ସାରିଲିଣି,
କାହିଁକି ନା
ମଣିଷକୁ ବୋକା ବନେଇବାକୁ
ଧର୍ମ ଏକ
ଯାଦୁକରୀ
କାଉଁରି ଛଡି
ଆଉ
ଉପରକୁ ଗୋଡ ଟେକି
ଡରାଉ ଥିବା ଏକ
ଡାଆଣି
ଠାକୁରଙ୍କୁ ମୁଁ
ଛାଡି ସାରିଲିଣି,
କାହିଁକି ନା
ଭୟରୁ ଉତ୍ପନ
ଏକ ଅବାସ୍ଥବ
ସାହାରା ହେଉଛି
ଠାକୁର
ଯାହାର ଲଲିପପ୍
ମୋତେ ଧରାଇ
ଦିଆଯାଇଛି
ଛୁଆଟି ବେଳୁ
ଭକ୍ତି କରିବା
ମୁଁ ଜାଣିନି,
କାହିଁକି ନା
ଭକ୍ତି
କେବଳ
ଏକ ଚନ୍ଦନ ଟୋପା
ନିଜକୁ ବୁଝାଇବା
ପାଇଁ
ଏକ ବାହନା
ଜାତି ମୁଁ ଭୁଲି ଗଲିଣି
କାହିଁକି ନା
ମୋ ଉପରେ
ଲଦି ଦିଆଯାଇଥିବା
ଏହା
ଏକ ଅଦରକାରୀ ବୋଝ
ସମାଜ ପାଖରେ
ମଣିଷ ମାନଙ୍କ
ହାଟ ଭିତରେ
ବୋଝ ଆଉ ବୋଝର
ଗଦା ଭିତରେ
ମୁଁ କେବଳ
ଗୋଟିଏ ମୁଁ
ମୁଁ ଅଘୋରୀ ଟିଏ !
ପ୍ରକାଶ ମହାପାତ୍ର
ଅବସରପ୍ରାପ୍ତ ପ୍ରାଧ୍ୟାପକ,ଦର୍ଶନ,
ଚୌଦ୍ଵାର, କଟକ