ଜଣେ ରାଜା ଥିଲେ । ସେ ଦିନେ ସଂଧ୍ୟାବେଳେ ଛାତ ଉପରେ ବୁଲୁଥିଲେ। ସଙ୍ଗରେ ପାଞ୍ଚ ସାତ ଜଣ ଲୋକ ମଧ୍ୟ ଥିଲେ । ରାଜମହଲ ପଛପଟେ କେତୋଟି ଭଙ୍ଗାଘର ଥିଲା। ଜଣେ ସନ୍ଥ ବେଳେ ବେଳେ ଆସି ସେହି ଭଙ୍ଗାଘରେ ରହୁଥିଲେ। ରାଜା ସେହି ଭଙ୍ଗାଘର ଆଡ଼କୁ ହାତଠାରି ନିଜ ଲୋକମାନଙ୍କୁ ପଚାରିଲେ– ‘‘ଏଥିରେ ଜଣେ ସନ୍ଥ ଆସି ରହୁଥିଲେ ନା ?’” ସେମାନେ କହିଲେ– ‘‘ହଁ, ମହାରାଜ ! ଆସୁଥିଲେ; କିନ୍ତୁ କେତେ ବର୍ଷ ହେଲାଣି ଆଉ କାହିଁ ଆସିବାର ଦେଖାଯାଉ ନାହାନ୍ତି।” ରାଜା କହିଲେ—‘‘ସନ୍ଥ ଜଣକ ବଡ଼ ଅନାସକ୍ତ ଓ ତ୍ୟାଗୀ ଥିଲେ। ତାଙ୍କ ଦର୍ଶନରୁ ଅତି ଶାନ୍ତି ମିଳୁଥିଲା। ସେ ଦେଖାହେଲେ ତାଙ୍କୁ କେତୋଟି କଥା ପଚାରନ୍ତେ। ଦେଖିବଟି ସେ କୁଆଡ଼େ ଗଲେ।’’
ରାଜ କର୍ମଚାରୀ ମାନେ ତାଙ୍କୁ ଖୋଜି ଖୋଜି ଶେଷକୁ ଖବର ପାଇଲେ ଯେ ସେ ଚାଲିଗଲେଣି, ଆଉ ସଶରୀରେ ନାହାନ୍ତି । ମନୁଷ୍ୟର ବଡ଼ ଭୁଲ୍ ହୁଏ ଯେ, କୌଣସି ବ୍ୟକ୍ତି ବଞ୍ଚିଥିବା ସମୟରେ ସେ ତାଙ୍କଠାରୁ ଶିକ୍ଷା ଗ୍ରହଣ କରେ ନାହିଁ, କିନ୍ତୁ ସେ ମରିଗଲା ପରେ କାନ୍ଦେ।
ରାଜା କହିଲେ—‘‘ହାୟ ! ବଡ଼ ଭୁଲ୍ ହୋଇଗଲା, ଆମେ ତାଙ୍କଠାରୁ କିଛି ଶିକ୍ଷା ଗ୍ରହଣ କରି ପାରିଲେ ନାହିଁ ! ଯଦି ତାଙ୍କର କୌଣସି ଶିଷ୍ୟ ଥାଆନ୍ତି, ତାଙ୍କୁ ଡକାଅ, ମୁଁ ତାଙ୍କ ସହିତ ମିଶିବି।’’
ରାଜ କର୍ମଚାରୀ ମାନେ ପଚରା ପଚରି କରି ଜଣେ ସାଧୁଙ୍କୁ ପାଇଲେ ଏବଂ ପଚାରିଲେ–‘‘ବାବା ! ଆପଣ ସେହି ସନ୍ଥଙ୍କୁ ଜାଣନ୍ତି ?” ସେ କହିଲେ—‘“ହଁ, ଜାଣେ। ସେ ଜଣେ ବଡ଼ ଉଚ୍ଚକୋଟିର ତ୍ୟାଗୀ ମହାତ୍ମା ଥିଲେ।’’ ରାଜ କର୍ମଚାରୀ ମାନେ ପୁଣି ଥରେ ପଚାରିଲେ– ‘‘ଆପଣ କ’ଣ ସେହି ମହାତ୍ମାଙ୍କର ଶିଷ୍ୟ ?’’ ସାଧୁ କହିଲେ—‘‘ନା, ସେ କାହାକୁ ଶିଷ୍ଯ କରୁ ନ ଥିଲେ। ଅବଶ୍ୟ ମୁଁ ତାଙ୍କ ସାନ୍ନିଧ୍ୟରେ ଥିଲି।’’
ରାଜାଙ୍କ ପାଖରେ ଖବର ପହଞ୍ଚିଲା। ରାଜା ତାଙ୍କୁ ଡକାଇବା ପାଇଁ ଆଦେଶ ଦେଲେ। ରାଜ କର୍ମଚାରୀ ମାନେ ସାଧୁଙ୍କ ନିକଟକୁ ଯାଇ କହିଲେ—‘‘ବାବା ! ରାଜା ଆପଣଙ୍କୁ ଡାକୁଛନ୍ତି, ଆପଣ ଆମ ସଙ୍ଗରେ ଚାଲନ୍ତୁ।’’
ସେ କହିଲେ–‘‘ରାଜା କାହିଁକି ଡାକୁଛନ୍ତି । ରାଜା ତ ପ୍ରାୟ ଅପରାଧୀ ମାନଙ୍କୁ ଧରି ନେବା ପାଇଁ ଆଦେଶ ଦିଅନ୍ତି; ମୁଁ କି ଅପରାଧ କଲି ?”
ରାଜାଙ୍କର ଲୋକମାନେ କହିଲେ– ‘‘ନାଇଁ ଆଜ୍ଞା ! ରାଜା ଆପଣଙ୍କୁ ସତ୍ସଙ୍ଗ ପାଇଁ ଓ ପାରମାର୍ଥିକ ବିଷୟ ପଚାରିବା ପାଇଁ ଡାକୁଛନ୍ତି। ଆପଣ ଆମ ସଙ୍ଗରେ ଚାଲନ୍ତୁ।’’ ସାଧୁ ‘ହଉ, ଠିକ୍ ଅଛି’ ବୋଲି କହି ସେମାନଙ୍କ ସଙ୍ଗରେ ଚାଲିଲେ।
ବାଟରେ ଗୋଟିଏ ଗଳି ଭିତରେ ସାଧୁ ବସିଗଲେ। ରାଜ କର୍ମଚାରୀ ମାନେ ଭାବିଲେ, ସାଧୁ ସମ୍ଭବତଃ ପରିଶ୍ରା କରିବାକୁ ଯାଇଛନ୍ତି। ସେହି ଗଳିରେ ଗୋଟିଏ ମାଈ କୁକୁର ଛୁଆ ଜନ୍ମ କରିଥାଏ। ସାଧୁ ଗୋଟିଏ କୁକୁର ଛୁଆକୁ ଚାଦର ଭିତରେ ଲୁଚାଇ ରାଜ କର୍ମଚାରୀ ମାନଙ୍କ ସହିତ ଚାଲିଲେ।
ରାଜାମାନଙ୍କ ପାଖରେ ଆସନର ବଡ଼ ମହତ୍ତ୍ବ ଥାଏ। କାହାକୁ କେଉଁଠି ଆସନ ଦିଆଯିବ, କାହାକୁ କେତେ ଆଦର ଦିଆଯିବ, କାହାକୁ ଉଚ୍ଚ ଓ କାହାକୁ ନୀଚ ଆସନ ଦିଆଯିବ—ଏଥିପ୍ରତି ବିଶେଷ ଲକ୍ଷ୍ୟ ରଖାଯାଏ। ଆସନରେ ଯେପରି ଉଚ୍ଚନୀଚ ଭେଦଭାବ ନ ରହିବ, ସେଥିନେଇ ରାଜା ସାଧୁଙ୍କ ବସିବା ପାଇଁ ଗୋଟିଏ ଗାଲିଚା ବିଛାଇଦେଲେ ଏବଂ ନିଜେ ମଧ୍ୟ ତା’ ଉପରେ ବସିଲେ। ସାଧୁ ରାଜାଙ୍କ ଆଡ଼କୁ ଗୋଡ଼ ଲମ୍ବାଇ ବସିଗଲେ।
ରାଜା ଭାବିଲେ, ଏ ଜଣେ ମୂର୍ଖ, ସଭ୍ୟତା କ’ଣ ଜାଣି ନାହିଁ ! କେବେ ରାଜସଭାକୁ ଯାଇ ନାହିଁ, ତେଣୁ ରାଜାଙ୍କ ଆଗରେ କିପରି ବସିବା କଥା ଜଣା ନାହିଁ।
ରାଜା ପଚାରିଲେ– ‘‘ଗୋଡ଼ ଲମ୍ବେଇଲ କେବେଠୁ ?’”
ସାଧୁ କହିଲେ– ‘ହାତ ଜାକିଛି ଯେବେଠୁ।
ଅର୍ଥାତ୍ କିଛି ପାଇବାର ଇଚ୍ଛା ଥିଲେ ହାତ ପତେଇବାକୁ ପଡ଼େ ଓ ଗୋଡ଼ ଜାକିବାକୁ ପଡ଼େ, କିନ୍ତୁ ମୋର କିଛିପାଇବାର ନାହିଁ, ତେଣୁ ମୁଁ ହାତ ଜାକିଦେଲି ଏବଂ ଗୋଡ଼ ଲମ୍ବେଇ ଦେଲି।’’ ଏହା କହି ସାଧୁ ଭଲଭାବେ ଚକା ପକାଇ ବସିଲେ।
ଏହା ଶୁଣି ରାଜା ଭାବିଲେ, ଏ ମୂର୍ଖ ନୁହନ୍ତି, ବଡ଼ ବୁଦ୍ଧିମାନ୍ ଓ ତ୍ୟାଗୀ। ମୋତେ ଚେତାଇବା ପାଇଁ ଏପରି କଲେ। ତା’ପରେ ରାଜା ସେହି ସନ୍ଥଙ୍କ ବିଷୟରେ ଚର୍ଚ୍ଚା କରିବାରୁ ସାଧୁ ଜଣକ କହିଲେ—‘‘ବଡ଼ ଉଚ୍ଚକୋଟିର ସନ୍ଥ ଥିଲେ ସେ। ସେପରି ସନ୍ଥ ଆଜିକାଲି ଦେଖାଯିବା ବିରଳ।”
ରାଜା ପଚାରିଲେ—ଆପଣ ତାଙ୍କ ସାନ୍ନିଧ୍ୟରେ ରହିଛନ୍ତି ?
ସାଧୁ କହିଲେ—ହଁ, ମୁଁ ତାଙ୍କ ସାନ୍ନିଧ୍ୟରେ ରହିଛି।
ରାଜା ପଚାରିଲେ—ଆପଣ ତାଙ୍କଠାରୁ କିଛି ନେଇଛନ୍ତି ?
ସାଧୁ କହିଲେ—ନା, ରାଜନ୍! ମୁଁ ତାଙ୍କଠାରୁ କିଛି ନେଇ ନାହିଁ ।
ରାଜା ପଚାରିଲେ—ତେବେ ଆପଣ କ’ଣ ରିକ୍ତ (ଖାଲି ) ରହିଗଲେ ?
ସାଧୁ କହିଲେ—ଯେପରି ଡବାରୁ କସ୍ତୁରୀ କାଢ଼ି ନେଲେ ମଧ୍ୟ ସେଥିରେ ସୁଗନ୍ଧ ରହିଯାଏ ଏବଂ କୌଣସି ଘିଅ ରଖାଯାଇଥିବା ପାତ୍ରରୁ ଘିଅ କାଢ଼ିନେଲେ ମଧ୍ୟ ସେଥିରେ ଚିକ୍କଣତା ରହିଯାଏ, ସେହିପରି ସନ୍ଥଙ୍କ ସାନ୍ନିଧ୍ୟରେ ରହିବାରୁ ତାଙ୍କର ସୁଗନ୍ଧ ଓ ଚିକ୍କଣତା ରହିଗଲା ।
ରାଜା କହିଲେ—ସେହି ସୁଗନ୍ଧ ଓ ଚିକ୍କଣତା କ’ଣ ମୋତେ ଟିକେ ବୁଝାଇ କହନ୍ତୁ ।
ସନ୍ଥ କହିଲେ—ଦେଖନ୍ତୁ, ରାଜନ୍ ! ଏହା ଆମ ସାଧୁଲୋକଙ୍କ
କଥା, ଫକିରଙ୍କ କଥା, ରାଜାମାନଙ୍କର ଏଥିରେ କି କାମ ? ଏସବୁ ଜାଣି ଆପଣ କ’ଣ କରିବେ ?
ରାଜା କହିଲେ—ନାଇଁ ବାବା ! ଆପଣ ଅବଶ୍ୟ କହନ୍ତୁ ।
ସାଧୁ ଚାଦର ଭିତରେ ଲୁଚାଇ ରଖିଥବା କୁକୁର ଛୁଆଟିକୁ କାଢ଼ି ରାଜାଙ୍କ ଆଗରେ ବସାଇ ଦେଲେ ।
ରାଜା କହିଲେ—ମୁଁ ବୁଝି ପାରିଲି ନାହିଁ !
ସାଧୁ କହିଲେ—ଖରାପ ଭାବିବେ ନାହିଁ ତ ?
ରାଜା କହିଲେ—ଏଥିରେ ଖରାପ ଭାବିବାର କ’ଣ ଅଛି, ମୁଁ ପଚାରୁଛି ପରା ! ଆପଣ ସତ କଥା କୁହନ୍ତୁ।
ସାଧୁ କହିଲେ— ରାଜନ୍ ! ମୋତେ ଏହି କୁକୁରଛୁଆ ଓ ଆପଣଙ୍କ ମଧ୍ୟରେ କୌଣସି ପ୍ରଭେଦ ଦେଖାଯାଉ ନାହିଁ। ଏହି ସମତା ହିଁ ସେହି ସନ୍ଥଙ୍କ ସାନ୍ନିଧ୍ୟରେ ରହିବାର ସୁଗନ୍ଧ ଓ ଚିକ୍କଣତା !
ଏ କୁକୁର ଛୁଆ ଅତି ନଗଣ୍ୟ ଏବଂ ଆପଣ ଅତି ବଡ଼, ଏହା ସତ କଥା; କିନ୍ତୁ ମୋତେ ସେପରି ଦେଖାଯାଉ ନାହିଁ। ଆପଣଙ୍କର ଯେପରି ପ୍ରାଣ ଅଛି, ଏହାର ମଧ୍ୟ ସେହିପରି ପ୍ରାଣ ଅଛି। ଆପଣଙ୍କର ଶ୍ଵାସକ୍ରିୟା ଚାଲିଛି, ଏହାର ମଧ୍ୟ ଶ୍ଵାସକ୍ରିୟା ଚାଲିଛି। ଆପଣଙ୍କ ଶରୀର ପାଞ୍ଚଭୌତିକ, ଏହାର ଶରୀର ମଧ୍ୟ ପାଞ୍ଚଭୌତିକ। ଆପଣ ମଧ୍ୟ ଦେଖୁଛନ୍ତି, ଇଏ ମଧ୍ୟ ଦେଖୁଛି। ଆପଣ ମଧ୍ୟ ଖିଆପିଆ କରୁଛନ୍ତି, ଇଏ ମଧ୍ୟ ଖିଆପିଆ କରୁଛି। ଆପଣଙ୍କ ଠାରେ ଓ ଏହି କୁକୁର ଛୁଆଠାରେ ପ୍ରଭେଦ କ’ଣ ? ସଂସାରର ପ୍ରତ୍ୟେକ ପ୍ରାଣୀଠାରେ କିଛି ନା କିଛି ବିଶେଷତ୍ଵ ରହିଛି । କାହାଠାରେ କେଉଁ ବିଶେଷତ୍ଵ ଅଛି ତ ଅନ୍ୟ କାହାଠାରେ ଅନ୍ୟ କେଉଁ ବିଶେଷତ୍ଵ ଅଛି; ମୋଟ ଉପରେ ସମସ୍ତେ ସମାନ !
ଆପଣ ଉଚ୍ଚ ପଦରେ ଅଛନ୍ତି ଏବଂ ଇଏ ବହୁତ ନୀଚ—ଏପରି ପ୍ରଭେଦ କୌଣସି ସ୍ବାର୍ଥଗତ ସମ୍ବନ୍ଧ ଯୋଗୁଁ ହୁଏ। ମୋର କାହା ସହିତ କୌଣସି ସ୍ଵାର୍ଥଗତ ସମ୍ବନ୍ଧ ନାହିଁ । ଆପଣଙ୍କ ଠାରୁ କିଛି ନେବାର ନାହିଁ କି ଏହାଠାରୁ କିଛି ନେବାର ନାହିଁ, ତେବେ ମୋ ପାଇଁ ଆପଣ ଓ ଏ କୁକୁରଛୁଆ ମଧ୍ୟରେ ପ୍ରଭେଦ କ’ଣ ?
କିଛି ଖରାପ ଭାବିବେନି। ଆପଣ କହିବାକୁ ବାଧ୍ୟ କଲେ, ତେଣୁ ମୁଁ ସଫା କଥା କହିଦେଲି । ମୁଁ ଆପଣଙ୍କର ନିନ୍ଦା କରୁ ନାହିଁ, ବରଂ ପ୍ରଶଂସା କରୁଛି; କାରଣ ଆପଣ ପ୍ରଜାମାନଙ୍କର ସ୍ଵାମୀ ।
ତାତ୍ପର୍ଯ୍ୟ ହେଲା, ଆମର ସଂସାରରୁ କିଛି ପାଇବାକୁ ଥିବାରୁ ହିଁ ଜଣେ ଧନୀ ଦେଖାଯାଉଛି ତ ଆଉ ଜଣେ ଗରିବ ଦେଖାଯାଉଛି। ଧନୀ ହୁଅନ୍ତୁ ବା ଗରିବ ହୁଅନ୍ତୁ, ଆମର କାହାଠାରୁ କିଛି ପାଇବାର ନାହିଁ; ପୁଣି ଆମ ପାଇଁ ଉଭୟଙ୍କ ମଧ୍ୟରେ ପ୍ରଭେଦ କ’ଣ ?
ଜଣେ ସାଧୁ ଥିଲେ । ଘର ଘର ବୁଲି ଭିକ୍ଷା କରି ଖାଇବା ତାଙ୍କର ପ୍ରତିଦିନର ନିୟମ ଥିଲା। ଭିକ୍ଷା ଧରି ସହର ବାଟେ ଆସିବାକୁ ପଡ଼େ ସହରରେ ଭିଡ଼ ହୋଇଥାଏ। ଖାଦ୍ଯକୁ ଦୂଷିତ ହୋଇଯିବାରୁ ରକ୍ଷା କରିବା ପାଇଁ ସେ ଯାହା ଘରୁ ଭିକ୍ଷା କରନ୍ତି, ସେଇଠି ବସି ଖାଇଦେଇ ଆସନ୍ତି ।
ଦିନେ ଭିକ୍ଷା ଖାଇ ସାରି ସେ ବାସନ ମାଜୁଥାଆନ୍ତି। ଏତିକିବେଳେ ଜଣେ ଧନୀଲୋକ ଆସି କହିଲା—ଦିଅନ୍ତୁ, ମୁଁ ଆପଣଙ୍କ ବାସନ ମାଜିଦେବି। ସାଧୁ କହିଲେ—ନା, ନା, ମୁଁ ମାଜିବାକୁ ଦେବିନି, ନିଜେ ମାଜିବି।
ଧନୀଲୋକଟି କହିଲା—ନହେଲେ ଆମ ଚାକର ମାଜିଦେବ।
ସାଧୁ କହିଲେ— ‘‘ମୋ ପାଇଁ ଚାକର ଓ ତୁମ ମଧ୍ୟରେ ପ୍ରଭେଦ କ’ଣ ? ମୋ ପାଇଁ ତୁମେ ଯେମିତି, ଚାକର ସେମିତି।
ତୁମେ ମାଜ ବା ଚାକର ମାଜୁ, ପ୍ରଭେଦ କ’ଣ ? ଯଦି ମୁଁ ତୁମକୁ ବଡ଼ ଲୋକ ବୋଲି ଭାବିବି ଓ ଚାକରକୁ ଛୋଟ ବୋଲି ଭାବିବି, ତେବେ ସିନା ପ୍ରଭେଦ ହେବ ! ନହେଲେ ପ୍ରଭେଦ କ’ଣ ? ମୋ ପାଇଁ ତୁମେ ଯେପରି ଆଦରଣୀୟ, ଚାକର ମଧ୍ୟ ସେହିପରି ଆଦରଣୀୟ ଏବଂ ଚାକର ଯେପରି ଆଦରଣୀୟ, ତୁମେ ମଧ୍ୟ ସେହିପରି ଆଦରଣୀୟ ।
ସେ ତୁମର ଚାକର ହୋଇପାରେ, ମୋର ତ ଚାକର ନୁହେଁ। ତୁମେ ତାକୁ ଦରମା ଦେଉଛ, ମୁଁ ତ ଦେଉ ନାହିଁ । ତୁମ ସହିତ ଓ ତୁମ ଚାକର ସହିତ ମୋର ସମ୍ବନ୍ଧ ସମାନ। ଯଦି ତୁମଠାରୁ ମୋର କିଛି ପାଇବାର ଥାଆନ୍ତା, ରାଗ-ଦ୍ବେଷ ପୂର୍ବକ ସମ୍ବନ୍ଧ କରିବାର ଥାଆନ୍ତା, ତେବେ ପ୍ରଭେଦ ହୋଇଥାଆନ୍ତା!’
ଦିଲ୍ଲୀପ କୁମାର ସାହୁ,
କନ୍ଧମାଳ