ଉତ୍କଳର ବ୍ୟାସ ଜଗନ୍ନାଥ ଦାସ

Share it

ଉତ୍କଳର ବ୍ୟାସ ଜଗନ୍ନାଥ ଦାସ
=================

ନମଇଁ ନୃସିଂହ ଚରଣ
ଅନାଦି ପରମ କାରଣ ।।
******************

ଆଜି ପବିତ୍ର ରାଧା ଅଷ୍ଟମୀ, ରାସେଶ୍ୱରୀ ଶ୍ରୀମତୀ ରାଧାରାଣୀଙ୍କ ଜନ୍ମ ଦିବସ । ଏହି ଦିନଟି ଉତ୍କଳର ପ୍ରାତଃ ସ୍ମରଣୀୟ ବାଣୀ ପୁତ୍ର, ଓଡ଼ିଆ ଭାଗବତର ସ୍ରଷ୍ଟା ଶ୍ରୀ ଜଗନ୍ନାଥ ଦାସଙ୍କ ମଧ୍ୟ ପୁଣ୍ୟ ଜନ୍ମଦିନ । ଖ୍ରୀଷ୍ଟିୟ ପନ୍ଦରଶହ ଶତାବ୍ଦୀରେ ଆବିର୍ଭୁତ ହୋଇ ଥିବା ତଥା ଉତ୍କଳ ଭୂମିରେ ଭକ୍ତି ରସର ଜାହ୍ନବୀ ପ୍ଲାବନ କରିଥିବା ପଞ୍ଚ ସଖା ମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ଦାସ ଅନ୍ୟତମ l ତାଙ୍କ ରଚନାମାନଙ୍କରୁ ତାଙ୍କର ଜନ୍ମ, ପରିବାର ଇତ୍ୟାଦି ବିଷୟରେ ସନ୍ତୋଷ ଜନକ ତଥ୍ୟ ମିଳେନାହିଁ l ଶ୍ରୀଚୈତନ୍ୟ ଦେବଙ୍କ ଉତ୍କଳ ଆଗମନ ହୋଇଥିଲା ପନ୍ଦରଶହ ଦଶ ସାଲରେ l ପରେ ଏହି ଦୁଇ ମହାପୁରୁଷଙ୍କ ମହା ମିଳନ ହୋଇଥିଲା ଶ୍ରୀକ୍ଷେତ୍ରରେ l ଏହାକୁ ଆଧାର କରି ଜଗନ୍ନାଥ ଦାସଙ୍କ ଜନ୍ମ1492-93 ସାଲରେ ହୋଇଥିଲା ବୋଲି ଅନୁମାନ କରାଯାଏ l

ଓଡ଼ିଆ ଜାତିର ଜୀବନବେଦ ଶ୍ରୀମଦ୍ ଭାଗବତର ରଚୟିତା ଜଗନ୍ନାଥ ଦାସ ଭାଗବତର ଏକାଦଶ ସ୍କନ୍ଧରେ ଭଗବାନ ଶ୍ରୀକୃଷ୍ଣଙ୍କ ଗୋଲୋକ ଗମନ ବର୍ଣ୍ଣନା ପରେ ଷାଠିଏ ବର୍ଷ ବୟସରେ ଇହଲୀଳା ସାଙ୍ଗ କରିଥିଲେ l ଦ୍ୱାଦଶ ସ୍କନ୍ଧକୁ ତାଙ୍କର ଶିଷ୍ୟ ଶ୍ରୀ ମହାଦେବଦାସ ସମାପ୍ତ କରିଥିଲେ l ଦ୍ୱାଦଶ ସ୍କନ୍ଧର ଭାଷା ଓ ପଦ ଲାଳିତ୍ୟରୁ ଏହା ସ୍ପଷ୍ଟ ବାରି ହୋଇ ପଡ଼େ l

ମହାଦେବ ଦାସଙ୍କ ରଚନାରୁ ଜଣା ପଡ଼େ ଜଗନ୍ନାଥ ଦାସ ଭାଦ୍ରବ ଶୁକ୍ଲ ପକ୍ଷ ଅଷ୍ଟମୀ ତିଥିରେ ବା ରାଧାଷ୍ଟମୀ ଦିନ ଭୂମିଷ୍ଠ ହୋଇଥିଲେ l ପୂରୀ ବ୍ରହ୍ମଗିରି ନିକଟସ୍ଥ କପିଳେଶ୍ୱରପୁର ଗ୍ରାମ ତାଙ୍କର ଜନ୍ମସ୍ଥାନ l ପିତାଙ୍କ ନାମ ଭଗବାନ ଦାସ ଓ ମାତାଙ୍କ ନାମ ପଦ୍ମାବତୀ l ରାଧା ଅଷ୍ଟମୀରେ ଜନ୍ମ ହୋଇ ଥିବାରୁ ସେ ରାଧା ଅଂଶ ନେଇ ଜନ୍ମ ହୋଇ ଥିଲେ ବୋଲି ବିଶ୍ୱାସ କରାଯାଏ l ରାଧାଭାବ ଯୋଗୁଁ ସିଏ କୃଷ୍ଣରସ ରସାଣିତ ଅନନ୍ୟ ଭାଗବତଗ୍ରନ୍ଥ ଲେଖିବା ପାଇଁ ସମର୍ଥ ହୋଇଥିଲେ ବୋଲି ପ୍ରବାଦ ରହିଛି l ରାଧା ଏକ ଭାବ ବା ତତ୍ୱ ହୋଇଥି ବାରୁ ତାଙ୍କ ରଚିତ ଭାଗବତରେ ସେ ରାଧାଙ୍କ ବିଷୟରେ କିଛି ଲେଖି ନାହାଁନ୍ତି l ଏହି ରାଧାତତ୍ୱ ରାସ ବର୍ଣ୍ଣନା ରେ ଗୂଢ଼ ହୋଇ ରହିଛି l

କୁହାଯାଏ “ଆରାଧ୍ୟାୟେତ ଇତି ରାଧା”l ଭଗବାନ ଶ୍ରୀକୃଷ୍ଣଙ୍କୁ ଉତ୍ସର୍ଗିକୃତ ପ୍ରେମ କରିବାର ଭାବହିଁ ରାଧା l କୃଷ୍ଣ ଓ ରାଧା ଭିନ୍ନ ନୁହଁନ୍ତି l ସେ ପ୍ରକୃତି ଓ ପୁରୁଷଙ୍କର ଏକ ଏକୀକୃତ ରୂପ l ଏଥି ପାଇଁ ବିଦଗ୍ଧ ଚିନ୍ତାମଣିରେ କବି ଅଭିମନ୍ୟୁ ସାମନ୍ତ ସିଂହାର କହିଛନ୍ତି :—
ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି l
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରୀ ll

ବ୍ରହ୍ମବୈବର୍ତ୍ତ ପୁରାଣରେ ରାଧାଙ୍କର ଅଳ୍ପମାତ୍ରାରେ ବର୍ଣ୍ଣନାକୁ ଛାଡି ଦେଲେ ଆମର ଅନ୍ୟ କୌଣସି ପୁରାଣ ସାହିତ୍ୟରେ ଶ୍ରୀମତି ରାଧାଙ୍କୁ ଦେଖିବାକୁ ମିଳେନାହିଁ l କିଛି ବର୍ଣ୍ଣନା ଦେବୀ ଭାଗବତରେ ମଧ୍ୟ ରହିଛି l କୁହାଯାଏ ଶ୍ରୀ ଚୈତନ୍ୟ ଦେବଙ୍କ ଆବିର୍ଭାବ ପରେ ହିଁ ଶ୍ରୀରାଧାଙ୍କ ଦର୍ଶନ ବୈଷ୍ଣବ ସାହିତ୍ୟ ମାନଙ୍କୁ ଆସିଛି l ଏ ଉପାଖ୍ୟାନ ଏକ ବିଶେଷ ପ୍ରବନ୍ଧର ଅପେକ୍ଷା ରଖେ l

ଶୈଶବରୁ ହିଁ ଶ୍ରୀ ଜଗନ୍ନାଥ ଦାସ ଧର୍ମଚର୍ଚ୍ଚା ପ୍ରତି ଅନୁରକ୍ତ ଥିଲେ ଓ ଅଠର ବର୍ଷ ବୟସରେ ସେ ସନ୍ୟାସ ଗ୍ରହଣ କରିଥିଲେ l ସେ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଭକ୍ତ l ଶ୍ରୀଭାଗବତର ଆରମ୍ଭରେ ସେ କିନ୍ତୁ ଶ୍ରୀଜଗନ୍ନାଥଙ୍କୁ ସ୍ତୁତି ନ କରି ଜଗନ୍ନାଥଙ୍କ ଆଦିରୂପ ନୃସିଂହଙ୍କୁ “ନମଇଁ ନୃସିଂହ ଚରଣ l ଅନାଦି ପରମ କାରଣ l” କହି ଭାଗବତ ରଚନା ଆରମ୍ଭ କରିଛନ୍ତି l ଜନନୀଙ୍କ ଇଛାରେ ସେ ଓଡ଼ିଆରେ ଭାଗବତ ରଚନା କରିଥିବା କଥା ଜନ ଶ୍ରୁତିରେ ପ୍ରଚଳିତ l

ଶ୍ରୀ ମନ୍ଦିରରେ ପ୍ରତ୍ୟହ ପଠିତ ସଂସ୍କୃତ ଭାଗବତ ବୁଝି ନ ପାରି ମାଆ ନିଜ ମାତୃ ଭାଷାରେ ଭାଗବତ ରଚନା ନିମନ୍ତେ ପୁଅ ଜଗନ୍ନାଥଙ୍କୁ କହିଥିଲେ l ମାତୃ ଭକ୍ତ ଜଗନ୍ନାଥ ଏହାକୁ ଅଙ୍ଗୀକାର କରି ନିଜ ମାଆ ତଥା ସାରା ଓଡ଼ିଶାର ମାଆମାନେ ବୁଝିପାରିଲା ଭଳି ସରଳ, ତରଳ ଓ ସାବଲୀଳ ଭାଷାରେ ସହଜ ନବାକ୍ଷରୀ ଛନ୍ଦରେ ଓଡ଼ିଆ ଭାଗବତ ରଚନା କରିଥିଲେ l ଓଡ଼ିଆରେ ଭାଗବତ ରଚନାକୁ ସେତେ ବେଳେ ଧର୍ମଧ୍ୱଜୀ ମାନେ ଶାସ୍ତ୍ରର ଅବମାନନା ଓ ଏହାକୁ ତେଲି ଭାଗବତ କହି ତିରସ୍କାର କରିଥିଲେ l

ଏ ଗ୍ରନ୍ଥର ମହନୀୟତା ପ୍ରତିପାଦନ ପାଇଁ ଜଗନ୍ନାଥ ଦାସ ବହୁ ପରୀକ୍ଷାର ସମ୍ମୁଖୀନ ହୋଇଥିବା କଥା ବିଭିନ୍ନ ଲୋକକଥା ଓ କିମ୍ବଦନ୍ତୀ ମାନଙ୍କରୁ ଶୁଣା ଯାଏ l ଭାଗବତର ମଧୁର ପଦାବଳୀକୁ ଓଡ଼ିଶାର ଲୋକମାନେ ଏତେ ଆତ୍ମସ୍ଥ କରିଛନ୍ତି ଯେ କଥା କଥାରେ ଏଥିରୁ ପ୍ରାସଙ୍ଗିକ ପଦମାନ ଉଦ୍ଧାର କରି ଥାଆନ୍ତି l

ଶ୍ରୀମଦ ଭାଗବତକୁ ସ୍ୱୟଂ ବାସୁଦେବ ଭାବେ ପୂଜା କରିବା ଓ ମୃତ୍ୟୁଶଯ୍ୟା ନିକଟରେ ଭାଗବତ ପଠନର ଵିଧି ଏବେ ମଧ୍ୟ ପ୍ରଚଳିତ l ସନ୍ତାନ ଜନ୍ମକାଳରେ ଏନ୍ତୁଡ଼ି ଶାଳରେ ଶ୍ରୀକୃଷ୍ଣ ଜନ୍ମ ଅଧ୍ୟାୟ ପଠନ ଓ ମୃତ୍ୟୁ କାଳରେ ଭାଗବତ ବାଣୀ ଶ୍ରବଣରେ ଜୀବନ ଧନ୍ୟହୁଏ ଏହି ବିଶ୍ୱାସ ରହିଛି l

ଏହି ମହାନ ଗ୍ରନ୍ଥର ଜନ୍ମଦିନ ପଣ୍ଡୁ ପୁର୍ଣ୍ଣିମା l ବିଶ୍ୱର କୌଣସି ଜାତି ଏକ ଗ୍ରନ୍ଥର ଜନ୍ମଦିନ ପାଳନ କରେ ନାହିଁ କିନ୍ତୁ ଓଡ଼ିଆ ଜାତି ଭାଗବତ ଜନ୍ମ ପାଳନ କରେ l

ବ୍ୟାସ କୃତ ସଂସ୍କୃତ ଭାଗବତରେ 335 ଅଧ୍ୟାୟ ଏବଂ ଅଠର ହଜାର ଶ୍ଳୋକ ଥିଲାବେଳେ ଓଡ଼ିଆ ଭାଗବତରେ ୩୪୨ ଅଧ୍ୟାୟ ଓ ୨୭୧୬୦ ନବାକ୍ଷରି ପଦ ରହିଛି l ଏହା ସଂସ୍କୃତ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ, ମର୍ମାନୁବାଦ l ସଂସ୍କୃତ ଭାଗବତର ଜଟିଳ ତତ୍ତ୍ୱକୁ ଅତି ସରଳ ସାବଲୀଳ ଓ ବୋଧ ଗମ୍ୟ ଓଡ଼ିଆ ଭାଷାରେ ଶ୍ରୀ ଜଗନ୍ନାଥ ଦାସ ବର୍ଣ୍ଣନା କରିଛନ୍ତି l

ଦୃଷ୍ଟାନ୍ତସ୍ୱରୂପ ଗୋଟିଏ ଉଦାହରଣ ଦେବା ପ୍ରାସଙ୍ଗିକ ମନେ ହୁଏ :-
ଯଦା ମୄଧେକୌରବଶୃଂଜୟାଣାଂ l
ବୀରେଶ୍ବଥୋ ଵୀରାଂଗତିଂଗତେଷୁ ll
ବୃକୋଦରାବିଦ୍ଧ ଗଦାଭିମର୍ଶ
ଭଗ୍ନଉରୁଦଣ୍ଡେ ଧୃତରାଷ୍ଟ୍ରପୁତ୍ରେ ll
ଭର୍ତ୍ତୃ ପ୍ରିୟଙ ଦ୍ରୋଣିରିତି ସୁପସ୍ୟଂ
କୃଷ୍ଣା ସୁତାନାଂ ସ୍ବପତାଂ ଶିରାଂଶି ll
ଉପାହାରଦ ବିପ୍ରିୟଃମେବ ତସ୍ୟ
ଯୁଗୁପ୍ସିତଂ କର୍ମ ବିଗରହୟନ୍ତି ll

ବ୍ୟାସଦେବକୃତ ସଂସ୍କୃତ ଭାଗବତର ଏହି ଶ୍ଳୋକ ମାନଙ୍କରେ ଭୀମର ଗଦା ଆଘାତରେ ମହାମାନୀ ଦୁର୍ଯ୍ୟୋଧନ ଉରୁ ଭଗ୍ନ ହୋଇ ପଡିଥିଲା ବେଳେ ଅଶ୍ୱସ୍ଥାମା ଉପସ୍ଥିତ ହୁଅନ୍ତେ ତାକୁ ସେନାପତି ପଦରେ ବରଣ କରିବାର କଥା ବର୍ଣ୍ଣିତହୋଇଛି l ଓଡ଼ିଆ ଭାଗବତ ଏହି ଶ୍ଲୋକର ଭାବାର୍ଥକୁ ନିମ୍ନ ମନୋଜ୍ଞ ନବାକ୍ଷରୀ ଛନ୍ଦରେ ପ୍ରକାଶ କରିଛନ୍ତି l

ଭୀମସେନର ଗଦା ବାଜି
ଦୁର୍ଯ୍ୟୋଧନର ଗଦା ଭାଜି ।।
ପଳାଇ ଗଲା ପ୍ରାଣ ଡରେ
ଲୁଚିଲା ବ୍ୟାସ ସରୋବରେ ।।
ଏମନ୍ତେ ହୋଇଲା ରଜନୀ
ଜଳେ ଭାଳଇ ଭୟ ଘେନି ।।
କାନ୍ଦଇ ଜୀବନ ବିକଳେ
ଦ୍ରୋଣ ନନ୍ଦନ ଦେଖି କୁଳେ ।।
ବୋଲଇ ରାଜା ମୁଖ ଚାହିଁ
ମୋତେ ଯେ ନବରିଲୁ ତୁହି।।
ଯୁଦ୍ଧେ ସକଳ ବୀରେ ମାରି
ଏ ଭୂମି ଅପାଣ୍ଡବା କରି ।।
ତୋତେ ବସାନ୍ତି ରାଜକୁଳେ
ଅଖଣ୍ଡ ଅବନୀ ମଣ୍ଡଳେ ।।
ଶୁଣି ବୋଲଇ ନୃପବର
ଏଵେ ହୋ ଅପାଣ୍ଡବା କର ।।
ଏବେ ବରିଲି ସେନାପତି
ଫେଡ଼ ତୁ ମୋହର ଦୁର୍ଗତି ।।
ଏମନ୍ତ କହି ଅନ୍ଧବଳା
ତାହାର ହସ୍ତେ ଜଳ ଦେଲା ।।

ଜଗନ୍ନାଥ ଦାସଙ୍କ ପ୍ରବଳ ଐଶୀଶକ୍ତି ଓ ଈଶ୍ୱର ନିଷ୍ଠାରେ ମୁଗ୍ଧ ହୋଇ ଶ୍ରୀଚୈତନ୍ୟ ତାଙ୍କୁ ଅତିବଡ଼ି ଉପାଧି ପ୍ରଦାନ କରିଥିଲେ l ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ପ୍ରଦାୟକୁ ଅତିବଡ଼ି ସମ୍ପ୍ରଦାୟ କୁହାଯାଇ ଥାଏ l କିମ୍ବଦନ୍ତୀ ରହିଛି ଯେ ଶ୍ରୀଚୈତନ୍ୟ ଜଗନ୍ନାଥଙ୍କ ମହନୀୟତାରେ ଆଶ୍ଚର୍ଯ୍ୟହୋଇ କହିଲେ,’ଅତୋ ବଡ଼ !'(ବଙ୍ଗଳା) ଯାହାର ଓଡ଼ିଆରେ ଅର୍ଥ ହେଲା ଏତେ ବଡ଼! ଏଇଥିରୁହିଁ ଅତିବଡ଼ି କଥାଟି ଆସିଛି l ଶ୍ରୀଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ରହଣି କାଳ ମଧ୍ୟରେ ଜଗନ୍ନାଥ ତାଙ୍କର ନିତ୍ୟ ସଖା ହୋଇ ରହିଥିଲେ l

ଶ୍ରୀଜଗନ୍ନାଥ ଦାସଙ୍କ ପ୍ରମୁଖ ରଚନାବଳୀ ଗୁଡିକ ହେଲେ ଓଡ଼ିଆ ଶ୍ରୀମଦ ଭାଗବତ, ଅର୍ଥକୋଇଲି, ତୁଳାଭିଣା, ମୃଗୁଣୀ ସ୍ତୁତି, ରାସକ୍ରୀଡା, ଦାରୁବ୍ରହ୍ନ ଗୀତା,ଗୁପ୍ତଭାଗବତ,ମନଶିକ୍ଷା,ଗଜସ୍ତୁତି,ପାଷାଣ୍ଡ ଦଳନ,ଶ୍ରୀସତସଙ୍ଗ ଇତ୍ୟାଦି l ତାଙ୍କ ସଂସ୍କୃତରେ ରଚିତ ପ୍ରମୁଖ ଗ୍ରନ୍ଥଗୁଡିକ ହେଲେ କୃଷ୍ଣଭକ୍ତି କଳ୍ପ ଲତା,ଉପାସନା ଶତକମ,ନୀଳାଦ୍ରୀ ଶତକମ,ଶ୍ରୀ ଜଗନ୍ନାଥ ଚରିତାମ୍ବୋଧିସରଣୀ ଇତ୍ୟାଦି l ଏଥିରୁ ଏ ପର୍ଯ୍ୟନ୍ତ ବହୁ ଗ୍ରନ୍ଥ ଅପ୍ରକାଶିତ l ଆହୁରି ଯେ କେତେ ଅମୁଲ୍ୟ ରଚନା କାଳଗର୍ଭରେ ଲୀନ ନହୋଇ ଯାଇ ଥିବ ତାହା କହିହେବ ନାହିଁ l

ତାଙ୍କର ଏସବୁ ସୃଷ୍ଟି ମଧ୍ୟରୁ ଶ୍ରୀମଦ୍ଭାଗବତକୁ ତାଙ୍କର ଅମର ସୃଷ୍ଟି ଓ ଅକ୍ଷୟ କୀର୍ତ୍ତି ବୋଲି ବିବେଚନା କରାଯାଏ l ଓଡ଼ିଆ ସାହିତ୍ୟ ଏବଂ ଓଡ଼ିଆ ଜାତି ପାଇଁ ଏହା ଏକ ଯୁଗାନ୍ତକାରୀ ସୃଷ୍ଟି l ଭାଗବତର ମଧୁର ପଦାବଳୀ ଓଡିଶା ବାହାରେ ବଙ୍ଗ ପ୍ରଦେଶରେ ମଧ୍ୟ ବହୁ ଆଦର ଲାଭ କରିଥିଲା l ବଙ୍ଗଳା ଭାଷାରେ ଭାଗବତ ସୃଷ୍ଟିର ବହୁ ପୂର୍ବରୁ ଓଡ଼ିଆ ଭାଗବତ ଲେଖା ସରିଥିଲା l ଓଡ଼ିଆ ଭାଗବତକୁ ସେତେ ବେଳେ ବଙ୍ଗ ଲିପିରେ ଲେଖି ବଙ୍ଗଳାରେ ପାଠକରା ଯାଉଥିଲା l ଏହା ପ୍ରମାଣିତ ହୁଏ ବିପ୍ର ସନାତନ ବିଦ୍ୟାବାଗୀଶଙ୍କ ବଙ୍ଗଳା ଭାଷା ଲିଖିତ ଭାଷାବନ୍ଧ ଭାଗବତର ନିମ୍ନ ପଦାବଳିରୁ :-
ଦଶମେର ଶେଷ ଷଷ୍ଠ ଭାଖା ନ ପାଇନ l
ଅନେକତ ପାଶି ଗ୍ରାମେ ଗ୍ରାମେ ବେଡ଼ାଇନ ll
ଏ ହେତୁ ଉତ୍କଳ ଭାଷା କରିଲ ଲିଖନ l
ଜଗନ୍ନାଥ ଦାସ କୃତ ଅପୂର୍ବ ବର୍ଣ୍ଣନ ll
ଗ୍ରନ୍ଥ ସମାପନ ହେତୁ ଉତ୍କଣ୍ଠା ହଇଆଁ l
ବଙ୍ଗ ଭାଷାୟ ଉତ୍କଳ ମିଶାଇଆଁ ll
ଇଥେ ସାଧୂଗନ ମୋର ଦୋଷ ନା ଲାଇବେ l
ଭାଗବତ ସାଧୁବାକ୍ୟ ଆନନ୍ଦେ ଶୁନିବେ ll

ଅତୀତରେ ନିତ୍ୟ ଭାଗବତ ପଠନ ପାଇଁ ଗ୍ରାମେ ଗ୍ରାମେ ପ୍ରତିଷ୍ଠା ହୋଇଥିଲା ଭାଗବତଗାଦୀ ଏବଂ ଭାଗବତ ଟୁଙ୍ଗି l ଭାଗବତ ଟୁଙ୍ଗି ଲୋକଙ୍କୁ ଈଶ୍ୱର ମନସ୍କ କରିବା ସହିତ ଥିଲା କର୍ମ କ୍ଲାନ୍ତ ମଣିଷର ଅବସର ବିନୋଦନ କେନ୍ଦ୍ର, ଗ୍ରାମ୍ୟ ନ୍ୟାୟାଳୟ, ଗ୍ରାମ୍ୟ ଐକ୍ୟ ଓ ଗ୍ରାମ୍ୟ ଜୀବନର ପ୍ରାଣ କେନ୍ଦ୍ର l ସାକ୍ଷରତା ବୃଦ୍ଧି ନିମନ୍ତେ ଏବେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି l ମାତ୍ର, ଦିନ ଥିଲା ଏହି ଗୋଟିଏ ଗ୍ରନ୍ଥ ଲୋକଙ୍କୁ ସାକ୍ଷର ହେବା ପାଇଁ ପ୍ରେରଣା ଯୋଗାଉଥିଲା l ପ୍ରତ୍ୟେକ ଲୋକଙ୍କ ଆଶା ରହୁଥିଲା ଦି ଅକ୍ଷର ଶିଖି ଶ୍ରୀଭାଗବତ ପଠନ ପାଇଁ ସମର୍ଥ ହେବା l ଭାଷା ଭିତ୍ତିକ ଓଡିଶା ପ୍ରଦେଶ ଗଠନରେ ଓଡ଼ିଆ ଭାଗବତ ପାଠକୁ ଆଧାର କରା ଯାଇଥିଲା ସବୁ ଭାଷାଭାଷୀ ଅଞ୍ଚଳ ଚିହ୍ନଟକରିବା ପାଇଁ l କର୍ପୁର ଉଡ଼ିଯାଇ କନା ପଡ଼ି ରହିଥିବା ଭଳି ଆଜିବି ଭାଗବତ ସଂସ୍କୃତି ଓଡ଼ିଆ ଜନ ଜୀବନକୁ ପ୍ରଭାବିତ କରି ରଖିଛି ଓ ରଖିଥିବ l ଉତ୍କଳମଣି ଗୋପବନ୍ଧୁଙ୍କ ଭାଷାରେ :-
ଉତ୍କଳର ବ୍ୟାସ ଜଗନ୍ନାଥ ଦାସ
ବିଷ୍ଣୁ ଅଂଶେ ଅବତାର l
ଭକତ ପ୍ରଧାନ ଗୂଢ ଦିବ୍ୟ ଜ୍ଞାନ
କଲ ସ୍ଵଦେଶେ ପ୍ରଚାର l
ବେଦ ମହୋଦଧି ବ୍ୟାସ ତପୋନିଧି
ମନ୍ଥି ଯେ ତତ୍ତ୍ୱ ସକଳେ l
ଉଦ୍ଧରି ପୁରାଣେ ନାନା ଉପାଖ୍ୟାନେ
ପ୍ରକାଶି ଥିଲେ ସରଳେ l
ସଂକ୍ଷିପ୍ତ ସଂସ୍କୃତ ଅମୁଲ୍ୟ ଆଧାରେ
ଥିଲା ସେ ଅମୀୟ ରସ l
ସର୍ବେ ଦୁଃଖୀ ଧନୀ ପଣ୍ଡିତ ଅଜ୍ଞାନୀ
ନ ପାଇଲେ ସମ ଅଂଶ l
ତେଣୁ ବାରସ୍କନ୍ଧ ପ୍ରାକୃତ ପ୍ରବନ୍ଧ
ଗୀତେ କଲ ପରକାଶ l
ଥିବାଯାଏ ଭାଷା ଗାଇବ ଉତ୍କଳ
କହେ ଜଗନ୍ନାଥ ଦାସ l
ନୃପତି ନବରେ କୃଷକ କୁଟୀରେ
ଆଜି ଉଠେ ତଵ ନାମ l
ଦିନ ଅବସାନେ ଶ୍ରମକ୍ଲାନ୍ତ ଜନେ
ଦେଉଛ ଶାନ୍ତି ଆରାମ l
ବ୍ରାହ୍ମଣ ଚଣ୍ଡାଳ ପ୍ରେମେ ଏକମେଳ
ଧର୍ମ ଭାବେ ହୋଇ ମତ୍ତ l
ବିପଦେ ସମ୍ପଦେ ଗାଆନ୍ତି ଆନନ୍ଦେ
ସ୍ଥାନେ ସ୍ଥାନେ ଭାଗବତ l
ସୁକବି ପ୍ରଶଂସା ପାଇବାକୁ ଆଶା
ମନରେ ନ ଥିଲ ପୋଷି l
ତଥାପି ଉତ୍କଳ ଭାବି କବି କୁଳ
ତୁମ୍ଭ ନାମହେବେ ଘୋଷି l
ତୁମ୍ଭ ସମାଧିରୁ ଆହେ କବି ଗୁରୁ
କେତେ ଦାର୍ଶନିକ କବି l
ଜନମିଣ କାଳେ ଉତ୍କଳ ସାହିତ୍ୟେ
ଦେବେ ନବ ନବ ଛବି l
କେତେ ଧର୍ମବୀର ଦେବେ ନିଜ ଶିର
ସ୍ବଦେଶ ସ୍ବଧର୍ମ ହିତେ l
ଅସଂଖ୍ୟ ନାସ୍ତିକ ହୋଇବେ ପ୍ରେମିକ
ତୁମ୍ଭ ମଧୁମୟ ଗୀତେ l
ଯୁଗସ୍ରଷ୍ଟା ଜଗନ୍ନାଥ ଦାସ ମହାପ୍ରେମର ଭଣ୍ଡାର l ତେଣୁ ସେ ଆମ ସମସ୍ତଙ୍କର ନମସ୍ୟ ଓ ପୂଜ୍ୟ l ତାଙ୍କର ବାଣୀ ହେଲା –
ପରମ ଶାସ୍ତ୍ର ଭାଗବତ l
ଅଭ୍ୟାସ କରୁଥିବ ନିତ୍ୟ ll

ଓଁ ନମଃ ଭଗବତେ ବାସୁଦେବାୟ
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights