ତେଲି ଭାଗବତ

Share it

🌹 ତେଲି ଭାଗବତ🌹

~~~~~~~~~~~ ପବିତ୍ର ଦାଶ

ବେଦବ୍ୟାସ ଲେଖିଥିଲେ ସଂସ୍କୃତ ଭାଷାରେ ।
ଜଗା ଦାସ ତାକୁ ଲେଖୁ ଥାନ୍ତି ଓଡ଼ିଆରେ ।।

ମାତାଙ୍କ ଵଚନ ଦାସେ ରକ୍ଷା କଲେ ସିନା ।
ଯେବେ ପୂର୍ଣ୍ଣ କଲେ ଭାଗବତର ରଚନା ।।

ମାତାଙ୍କ ଆଗରେ ପଢି ଶୁଣାଇଲେ ଦାସ ।
ଶୁଣି ସାରି ମାତା ମନ ନୋହିଲା ସନ୍ତୋଷ ।।

ସୁଆଦିଆ ହୋଇଥାଉ ଯେତେ ତରକାରୀ ।
ବିନା ଲବଣରେ ମୂଲ୍ୟ ଅଛି କି ତାହାରି ।।

ମାନୁ ଅଛି ଏଇ ଲେଖା ଅଟେ ମୂଲ୍ୟବାନ ।
ସେ ଭଳି ଅଲଣା ଟିକେ ଲାଗୁଛି ନନ୍ଦନ ।।

ଏ କଥା କହିଲେ ଦାସେ ପାଖେ ତାଙ୍କ ମାତା ।
କେଉଁ ଥିରେ ଉଣା ଅଛି କର ତୁହି ଚିନ୍ତା ।।

ମୋ ମନକୁ ଯେବେ ଇଏ ପାରିଲାନି ଛୁଇଁ ।
ଆଉ କା ମନ ଛୁଇଁବ କହ ପୁତ୍ର ତୁହି ।।

ମାତାଙ୍କ କଥାକୁ ଶୁଣି ଜଗନ୍ନାଥ ଦାସ ।
ବିଚାରିଲେ କେଉଁଥିରେ ଅଛି ମୋର ଦୋଷ ।।

ସେଦିନ ଦାସ ଶୋଇଲେ ଚିନ୍ତି ଏଇ କଥା ।
ପ୍ରଭୁଙ୍କ କରୁଣା କ’ଣ ହୋଇଯିବ ବୃଥା ।।

ତୁମ୍ଭର ତ କାର୍ଯ୍ୟ ପ୍ରଭୁ ତୁମ୍ଭେ ନିଜେ କର ।
କେଉଁଠି ରହିଲା କୁହ ଦୋଷ ଯେ ମୋହର ।।

ମୋ ମାତା ମନକୁ ଯେବେ ପାରିଲାନି ଛୁଇଁ ।
ଆଉ କା ମନକୁ ଇଏ ପାରିବବା ଛୁଇଁ ।।

ଛାଡି ଦେଲି ସବୁ କିଛି ତୁମ୍ଭରି ଉପରେ ।
ନହେଲେ ଫିଙ୍ଗିବି ନେଇ ଆକୁ ସମୁଦ୍ରରେ ।।

ଛାୟା ନିଦ ଆସି ଅଛି ଦାସଙ୍କ ଆଖିକୁ ।
ସପନେ ଦେଖିଲେ ସିଏ କଳା ଠାକୁରଙ୍କୁ ।।

ସ୍ୱପ୍ନରେ କହିଲେ ଆସି ପ୍ରଭୁ ଭାବଗ୍ରାହୀ ।
ମୋହର କରୁଣା କେବେ ନିଷ୍ଫଳ ନୁହଁଇ ।।

ମୋର କାର୍ଯ୍ୟ ମୁହିଁ କରେ ଏଇ ସଂସାରରେ ।
ତୋତେ ମୁଁ କରିଛି ଗୋଟେ ମାଧ୍ୟମ ଏଥିରେ ।।

ଭାବରେ ତୁ ଲେଖି ଅଛୁ ଏଇ ଭାଗବତ ।
ବ୍ୟାକରଣ ତ୍ରୁଟି ଅଛି ଏଥିରେ ବହୁତ ।।

ସମୁଦ୍ରରେ ଫିଙ୍ଗି ଦେବୁ ଭାବୁଛୁ ତୁ କାହିଁ ।
ଓଡ଼ିଆ ଜାତି ଉପରେ ମୋର କୃପା ଏଇ ।।

କାଣ୍ଡଗଦା ନାମେ ଗ୍ରାମ ଅଛି ଦକ୍ଷିଣରେ ।
ସେଗ୍ରାମେ ପହଞ୍ଚ ପୋଥି ନେଇ ତୁ ସାଥିରେ ।।

ମନେଇ ସାହୁ ନାମରେ ତେଲି ଟିଏ ଅଛି ।
ତା’ ପାଖେ ପହଁଚା ନେଇ ବତେଇବ କିଛି ।।

ଏ କଥା ସପନେ କହି ଗଲେ ଜଗନ୍ନାଥ ।
ଦାସ ନିଦ୍ରା ଭାଙ୍ଗୁ ଭାଙ୍ଗୁ ହୋଇଛି ପ୍ରଭାତ ।।

କାଣ୍ଡଗଦା ଗ୍ରାମେ ଦାସ ପହଁଚିଲେ ଯାଇ ।
ଡାକିଲେ ମନେଇ ସାହୁ ଅଗଣାରେ ରହି ।।

ତାଙ୍କ ଧର୍ମ ପତ୍ନୀ ଘର ବାହାରକୁ ଆସି ।
ଦାସ ପରିଚୟ ପାଇ ହୋଇଗଲେ ଖୁସି ।।

କହିଲେ ସେ ମାଛ ବାଛୁଛନ୍ତି ସ୍ୱାମୀ ମୋର ।
ଗୃହକୁ ଆସନ୍ତୁ କୃପା କରି ବିପ୍ରବର ।।

ଦିନକୁ ସେ ତିନି ବେଳା ମାଛ ଖାନ୍ତି ଭାଜି ।
ରୋହି ମାଛ ବାଛୁଛନ୍ତି ଆନନ୍ଦରେ ଆଜି ।।

ମାଛ କଥା ଶୁଣି ଦାସେ ହୋଇଲେ ଛାନିଆ ।
କହିଲେ ହେ ଜଗନ୍ନାଥ କିମ୍ପା କଲ ମାୟା ।।

ଦିନକୁ ଯେ ତିନି ଥର ଆମିଷ ଖାଉଛି ।
ତା’ ପାଖକୁ ପଠାଇଲ ବତାଇବ କିଛି ।।

ହଉ ତୁମ୍ଭ ଇଚ୍ଛା ପ୍ରଭୁ ତୁମ୍ଭେ ଯାହା କର ।
ଏହା କହି ଦାସେ ଗୃହେ ପ୍ରବେଶିଲେ ତା’ର ।।

ମାଛ ବାଛୁ ବାଛୁ ସାହୁ କହିଲେ ପତ୍ନୀଙ୍କୁ ।
ଦାସେ ଯାହା ଆଣିଛନ୍ତି ରଖ ନେଇ ତାକୁ ।।

ଚକିତ ହୋଇଲେ ଜଗନ୍ନାଥ ଦାସ ଶୁଣି ।
ଏ କଥା କେମିତି ସାହୁ ପାରିଲେତ ଜାଣି ।।

ମାଛ ବାଛି ସାରି ସାହୁ କହିଲେ ଦାସଙ୍କୁ ।
ଅତିଥି ଭାବରେ ଆଜି ପାଇଛୁ ତୁମ୍ଭକୁ ।।

ଭୋଜନ କରିବେ ଦାସେ ଆଜି ଆମ ଘରେ ।
ଆପଣଙ୍କ କାର୍ଯ୍ୟ ହେବ ଆସନ୍ତା ତିଥିରେ ।।

ଏକାଦଶୀ ତିଥି ପଡ଼ିଅଛି ଦାସେ ଜାଣ ।
ଆର ଏକାଦଶୀ ଦିନ କରିବି ପୁରଣ ।।

ମନେଇ ସାହୁ କହିଲେ ଧର୍ମ ପତ୍ନୀ ମୋରି ।
ଭାରି ସୁଆଦିଆ କରେ ମାଛ ତରକାରୀ ।।

ମନ ଭରି ଦାସେ ଆଜି କରିବେ ଭୋଜନ ।
ମାଛରେ ମାଛରେ ହେବ ଅନେକ ବ୍ୟଞ୍ଜନ ।।

ଦାସେ ଭାବୁଥାନ୍ତି ମନେ ସବୁ ଗଲା ସରି ।
ବାର ବରଷର ତପ ଫଳ ଆଜି ମୋରି ।।

ନୈଷ୍ଟିକ ବ୍ରାହ୍ମଣ ମୁହିଁ ଛୁଏଁନି ଆମିଷ ।
କେମନ୍ତେ ଖାଇବ ସାହୁ ଘରେ ଆଜି ଦାସ ।।

ଏକଥା ଭାବି ଯେ ଦାସ ହେଉ ଥାନ୍ତି ଚିନ୍ତି ।
ରକ୍ଷା କର ରକ୍ଷା ମୋତେ ହେ ଜଗତ ପତି ।।

ଯେତେ ମନା କଲେ ଦାସ ସାହୁ ନଶୁଣିଲେ ।
ଦାସଙ୍କ ପାଖରେ ଆଣି ଭୋଜନ ବାଢ଼ିଲେ ।।

ଜୀବନରେ କେବେ ଖାଇ ନାହାନ୍ତି ଆମିଷ ।
ନୈଷ୍ଟିକ ବ୍ରାହ୍ମଣ ବୋଲି ଅଛି ତାଙ୍କ ଯଶ ।।

ଦାସ ବସି ଚଳୁ କଲେ ଭୋଜନ ପୂର୍ବରୁ ।
ମହା ପ୍ରସାଦର ବାସ ଆସେ ଭୋଜନରୁ ।।

ଦାସେ ଜାଣିଗଲେ ଇଏ ପ୍ରଭୁଙ୍କର ମାୟା ।
ଧନ୍ୟ ଏ ମନେଇ ସାହୁ ଧନ୍ୟ ତା’ର କାୟା ।।

ସାହୁ କହୁଛନ୍ତି ଚାହିଁ ଶୁଣ ଆହେ ଦାସ ।
ବାସ୍ତବରେ ଇଏ ସବୁ ନୁହଇ ଆମିଷ ।।

କିଛି ତ ସମ୍ପର୍କ ନାହିଁ ଏ ଖାଦ୍ୟ ସାଙ୍ଗରେ ।
ମୋର ମନ ବୁଲୁ ଅଛି ପ୍ରଭୁଙ୍କ ପାଖରେ ।।

ପ୍ରଭୁ କୃପା କଲେ ନିଶ୍ଚେ ତୁମ୍ଭ କାର୍ଯ୍ୟ ହେବ ।
ଆସନ୍ତା ଏକାଦଶୀ ରେ ଆସି ନେଇ ଯିବ ।।

ଭୋଜନ ସାରିଣ ଦାସ ଗଲେ ନିଜ ଘର ।
ଅପେକ୍ଷା କରିଲେ ସେହି ଦିନକୁ ତାଙ୍କର ।।

ଚାହୁଁ ଚାହୁଁ ବିତିଗଲା ଏ ପନ୍ଦର ଦିନ ।
କାଣ୍ଡଗଦା ଗ୍ରାମେ ଦାସ ପହଁଚିଲେ ଜାଣ ।।

ପ୍ରବେଶିଲେ ଦାସେ ଯାଇ ସାହୁଙ୍କ ଗୃହରେ ।
ସାହୁ କହିଲେ ପୂରଣ ହେଲା ଆନନ୍ଦ ରେ ।।

ଆଦ୍ୟ ପଦ ଯେବେ ସାହୁ ପଢି ଶୁଣାଇଲେ ।
ଜଗନ୍ନାଥ ଦାସ ସେହି ଭାବରେ ହଜିଲେ ।।

ଗୋବିନ୍ଦ ଗୋବିନ୍ଦ ପଦୁ ଆରମ୍ଭ କରିଲେ ।
ଶ୍ରୀମଦ ଯେ ଭାଗବତ ପୂର୍ବରୁ ଲେଖିଲେ ।।

ତେଲି ଭାଗବତ ହେଲା ସେହି ଦିନ ଠାରୁ ।
ଏସବୁ ସମ୍ଭବ ହେଲା ପ୍ରଭୁଙ୍କ କୃପାରୁ ।।

ଆଜିବି ରହିଛି କାଣ୍ଡଗଦାର ଗ୍ରାମରେ ।
ମନେଇ ସାହୁଙ୍କ ମୂର୍ତ୍ତି ପ୍ରଭୁଙ୍କ ପାଖରେ ।।

ମାଛ କଣ୍ଟା ଲାଗିଗଲେ ତଂଟିରେ ଯାହାର ।
ମନେଇ ସାହୁ ନାମରେ ହୁଅଇ ବାହାର ।।

ମନେଇ ସାହୁ ପ୍ରଭୁଙ୍କ ପରମ ଭକତ ।
ଭାଗବତ ଯାହା ପାଇଁ ହେଲା ପରିଚିତ ।।

ପବିତ୍ର ଦାଶ
#ପୁରାଣ_ପୁରୁଷୋତ୍ତମ_ଶ୍ରୀଜଗନ୍ନାଥ 🌹


Share it

Join the Conversation

1 Comment

  1. ଧର୍ମ ବ୍ୟାଧଙ୍କ ସମ ପରା ମନେଇ ସାହୁ
    ସବୁ ଶୁଭଙ୍କର ଯେବେ କର୍ମ କରିଯାଉ।

Leave a comment

Your email address will not be published. Required fields are marked *

Verified by MonsterInsights