ବଂଶୀଚୋରା ଶ୍ରୀରାଧା

Share it

ବଂଶୀଚୋରି ରାଧା
==============

କାହ୍ନୁ ହେ ବଂଶୀ କେ ଦେଲା ତୋତେ,
ରାଧା ରାଧା ବୋଲି ଡାକେ ନିରତେ ।।

ଶ୍ରୀକୃଷ୍ଣ ଏବଂ ମୋହନ ବଂଶୀ ପରସ୍ପର ଠାରୁ ଅଭିନ୍ନ । ଶ୍ରୀକୃଷ୍ଣ ମୋହନ ମୁରଲୀ ନାଦ ତ୍ରିଭୁବନକୁ ମୋହିତ କରି ରଖିଛି । ସମସ୍ତ ଜଗତର ଚେତନାରେ ସେ ନାଦ ଗୁଞ୍ଜରିତ ଅନୁରଣିତ ହେଉଛି । ପ୍ରତି ପ୍ରାଣର ସ୍ପନ୍ଧନ ସେହି ମୁରଲୀ ନାଦ ।

ପୁରାଣ କଥାନୁଯାୟୀ ଶ୍ରୀକୃଷ୍ଣଙ୍କ ମୋହନ ବଂଶୀ ନାଦ ଶୁଣିଲେ, କ୍ରମ ଅନୁସାରେ ଉଚ୍ଚାଟନ, ସ୍ତମ୍ଭନ, ବଶୀକରଣ ଓ ମୋହନ ଏହି ଚାରିଅବସ୍ଥା ଜାତହୁଏ । କୃଷ୍ଣପ୍ରାଣା ଗୋପୀ ମାନେ ବା ଏଥିରୁ ବାଦ ଯାଆନ୍ତେ କିପରି ?

ଶ୍ରୀକୃଷ୍ଣର ବଂଶୀସ୍ଵନ ଶୁଣି
ଥକିତ ହେଲେ ଯମୁନା ପାଣି “

ସେ ବଂଶୀ ସ୍ଵନ ଶୁଣିଲେ ତ ଜଡ଼ବସ୍ତୁ ପ୍ରାଣବନ୍ତ ହୋଇ ଯାଆନ୍ତି । ସେହି ମୋହନ ବଂଶୀ ବଜାଇ ଶ୍ରୀକୃଷ୍ଣ ଗୋପୀମାନଙ୍କୁ ଆକର୍ଷିତ କରୁଥିଲେ l ତାଙ୍କ ବଂଶୀ ସ୍ଵନ ଶୁଣିଲେ ଗୋପୀମାନେ ସମସ୍ତ ଗୃହଧନ୍ଦା ଛାଡ଼ି ଧାଇଁ ଆସୁଥିଲେ l କେବେ ସେ ବଂଶୀ ରାଧା ତ କେବେ ବିଶାଖା ଲଳିତା ଚନ୍ଦ୍ରାବଳି ବା ବୃନ୍ଦାବତୀ ନାମ ଧରି ଡାକୁଥିଲା। ସେହି ମୋହନ ବଂଶୀ ସ୍ଵନରେ ମଜ୍ଜି କୃଷ୍ଣ ପ୍ରେମରେ ହଜି ଗୋପୀ ମାନଙ୍କୁ ସାମାଜିକଭାବେ ବହୁ ନିର୍ଯାତନା ଓ ତାଡ଼ନା ସହ୍ୟ କରିବାକୁ ପଡ଼ୁଥିଲା l

ଶ୍ରୀକୃଷ୍ଣ ଓ ତାଙ୍କର ମୋହନ ବଂଶୀ ଅବିଛେଦ୍ୟ l
ସେ ସର୍ବଦା ତାଙ୍କ ବେଣୁଟିକୁ ନିଜ ପାଖରେ ରଖୁ ଥିଲେ l ବ୍ରଜବାଳା ମାନେ ଆଉ କେତେ ସହିବେ l ଦିନେ ସେମାନେ ଚିନ୍ତା କଲେ, ବଂଶୀଟିକୁ ନେଇ ଯମୁନା ସ୍ରୋତରେ ଭସାଇଦେବା, ବଂଶୀ ଥିବ ନା କଳାକାହ୍ନୁ ଆମକୁ ଆଉ ଏତେ ହଇରାଣ କରିବ l

“କୃଷ୍ଣ ହାତୁ ଆଣି କେ ଦ୍ୟନ୍ତା ତୋତେ
ଭସାଇ ଦିଅନ୍ତୁ ଯମୁନା ସ୍ରୋତେ”

କିନ୍ତୁ କରିବେ କଅଣ ? ମୁରଲୀ ତ ସବୁ ବେଳେ କାହ୍ନା ପାଖରେ l ତେଣୁ ସେମାନେ ଚିନ୍ତା କଲେ ତାଙ୍କ ବଂଶୀକୁ କୌଣସି ଉପାୟରେ ଚୋରାଇ ନେବେ l

ଦିନେ ରାସଲୀଳା ସରିବା ପରେ ଶ୍ରୀକୃଷ୍ଣଙ୍କୁ କ୍ଲାନ୍ତ ଦେଖି ଗୋପୀମାନେ ତାଙ୍କୁ କିଛିକ୍ଷଣ ବିଶ୍ରାମ ନିଅ ବୋଲି କହିଲେ l ସେ ଗୋପୀ ମାନଙ୍କୁ କହିଲେ, “ହଉ ତୁମେମାନେ ଯଦି କହୁଛ ମୁଁ ଟିକିଏ ଶୋଇପଡୁଛି”l ଶ୍ରୀକୃଷ୍ଣ ବଂଶୀକୁ ତାଙ୍କ ମୁଣ୍ଡ ପାଖରେ ରଖି ଦେଇ ଶୋଇ ପଡ଼ିଲେ l ଗୋପୀ ମାନଙ୍କୁ ଅପୂର୍ଵ ସୁଯୋଗ ମିଳିଗଲା l ରାଧା ତାଙ୍କ ସଖୀ ଲଳିତା, ବିଶାଖା ଆଦି ସଖୀ ମାନଙ୍କ ସାହାଯ୍ୟରେ ବଂଶୀଟିକୁ ଚୁପ କରି ନେଇ ଯାଇ ଗୋଟିଏ ଗଛତଳେ ଲୁଚାଇଦେଲେ l

କୃଷ୍ଣ ନିଦରୁ ଉଠି ଦେଖନ୍ତି ତ, ତାଙ୍କର ବଂଶୀ ନାହିଁ l କୃଷ୍ଣ ମୃଦୁ ମୃଦୁ ହସି ସମସ୍ତ ବ୍ରଜବାଳାଙ୍କୁ ପଚାରିଲେ, ତୁମେମାନେ ଥାଉଁ ଥାଉଁ ମୋ ମୁରଲୀଟି କୁଆଡ଼େ ଗଲା l କିନ୍ତୁ ବ୍ରଜବାଳିମାନେ ସମସ୍ତେ ନିଜ ନିଜର ଅଜ୍ଞତା ପ୍ରକଟ କଲେ l କିଛି କ୍ଷଣ ପରେ ଶ୍ରୀକୃଷ୍ଣ ଦେଖିଲେ, ରାଧା ସେଠି ନାହାଁନ୍ତି l ସେ ପଚାରିଲେ ରାଧା କେଉଁଠି ଅଛନ୍ତି ? ଗୋପୀମାନେ କହିଲେ, “ଆମେ ଜାଣିନାହୁଁ “l

ରସିକେନ୍ଦ୍ରମୋୖଳି ନଟନାଗର ଶ୍ରୀକୃଷ୍ଣ ଗୀତ ଗାଇ ଗାଇ ଶ୍ରୀରାଧା ରାଣୀଙ୍କୁ ଖୋଜିବାରେ ଲାଗିଲେ l ଖୋଜି ଖୋଜି ସେ ଯାଇ ଦେଖିଲେ, ରାଧା ରାଣୀ କୁସୁମିତ ଗୋଟିଏ ବୃକ୍ଷ ଛାୟା ତଳେ ବସିଛନ୍ତି l କୃଷ୍ଣ ଟିକିଏ ଚାଟୁବାକ୍ୟ କରି କହିଲେ, “ହେ ପ୍ରିୟେ ! ମୁଁ ଟିକିଏ କ୍ଳାନ୍ତି ଅପନୋଦନ କରିବାକୁ ଚାହୁଁଥିଲି l କିନ୍ତୁ ତୁମେ ନିଜକୁ ହଠାତ୍ ଅଦୃଶ୍ୟ କରାଇ ଦେଇ ମୋତେ ଆହୁରି କ୍ଲାନ୍ତ କରାଇ ଦେଇଛ l”

ରାଧା କହିଲେ,”ମୁଁ ତ ସ୍ଵଇଛାରେ ବିହାର କରେ, ମୋତେ କାହିଁକି ଏ ପ୍ରଶ୍ନ କରୁଛ ?” କୃଷ୍ଣ ଉତ୍ତର ଦେଲେ,” କିନ୍ତୁ ହେ ରାଧେ ! ତୁମେ ଯେ ମୋତେ ନିୟନ୍ତ୍ରିତ କର l”

ରାଧା କହିଲେ,”ଏ ଚାଟୁକ୍ତି ବନ୍ଦ କର l ମୁଁ ଜାଣେ ତୁମର ଏ ଚାଟୁକ୍ତି ପଛରେ କିଛି ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଅଛି, ବିନା କୌଣସି ଅଭିପ୍ରାୟରେ ତୁମେ ଏପରି କଥା କୁହ ନାହିଁ l କୁହ କଣ ଚାହଁ ତୁମେ?”

କୃଷ୍ଣ କହିଲେ,” କହିଦିଅ ମୋ ବଂଶୀଟି କେଉଁଠି ଅଛି? ମୁଁ ଜାଣିଛି କେବଳ ତୁମେ ହିଁ ଜାଣ ବଂଶୀ କେଉଁଠି ଅଛି? ମୋର ହସ୍ତର କଙ୍କଣ ଗଳା ରତ୍ନ ହାର ଯାହା ଚାହୁଁଛ ତାହା, ନିଅ ମୋର ବଂଶୀଟି ଦେଇ ଦିଅ l ଏହା ମୋର ପ୍ରାଣ l ଅତି ଯତ୍ନରେ ସୁବର୍ଣ୍ଣ ବେଣ୍ଟ ଲଗାଇ, ଏ ବଂଶୀକୁ ତିଆରି କରି ମାଆ ମୋତେ କେଡ଼େ ଶ୍ରଦ୍ଧାରେ ଧରାଇ ଦିଅନ୍ତି l ତୁମେ ତାକୁ ଚୋରାଇ ନେଲ, ମୁଁ ଏବେ ମାତାଙ୍କୁ ଯାଇ କ’ଣ କହିବି, କେଉଁପରି ବୁଝାଇବି !!!

ଶ୍ରୀରାଧା କହିଲେ କି କଥା, ତୁମ ବଂଶୀ କଥା ମୁଁ କାହୁଁ ଜାଣିବି l ତୁମେ ସାମାନ୍ୟ ବାଉଁଶ ଖଣ୍ଡକ ପାଇଁ ଏତେ ବ୍ୟଥିତହେଉଛ କାହିଁକି!! ଦେଖୁନା ଆଗରେ ବାଉଁଶ ବଣ l ସେଇଠୁ ବାଉଁଶ ଖଣ୍ଡେ କାଟି ଆଣି ନୂଆ ବଂଶୀଟିଏ ତିଆରି କରିଦେଉ ନାଁ, ମୋତେ ଏତେ ଜଳାଉଛ କାହିଁକି?”

ରାଧା ଯେତେ ରାଣ ନିୟମ ପକାଇଲେ ମଧ୍ୟ କୃଷ୍ଣଙ୍କର ସେହି ଗୋଟିଏ କଥା, ତୁମେ ହିଁ ମୋର ବଂଶୀଟି ଚୋରାଇ ନେଇଛ l

କୃଷ୍ଣ ଶ୍ରୀରାଧାଙ୍କୁ କହିଲେ,”ରାଧିକେ ! ସେ ବଂଶୀ ସାମାନ୍ୟ ଏକ ବାଉଁଶଖଣ୍ଡ ନୁହେଁ l ସେହି ଅପୂର୍ଵ ବଂଶୀଦ୍ବାରା ମୁଁ ବିବିଧ କ୍ରିୟାକରେ। ବଂଶୀ ଦ୍ବାରା ମୁଁ ଗୋ ଗୋଷ୍ଠକୁ ଏକତ୍ରିତ କରେ l ମୋର ବଂଶୀ ସ୍ଵନ ବ୍ରଜବାସୀ ଏବଂ ଗୋପୀ ମାନଙ୍କୁ ଆହ୍ଳାଦିତ କରେ l ସେମାନଙ୍କ ହୃଦରେ ପ୍ରେମର ନିର୍ଝରିଣୀ ପ୍ରବାହିତ କରେ l ଜଡ଼ ଓ ଚେତନ ପ୍ରାଣୀ ମାନଙ୍କ ହୃଦୟକୁ ଦ୍ରବୀଭୂତ କରେ l ଗାଈମାନଙ୍କୁ ଏକତ୍ରକରିବା ପରି ମୋ ମୋହନ ବେଣୁସ୍ଵନ କୁଣ୍ଠିତ ଭକ୍ତ ମାନଙ୍କୁ ଏକତ୍ର କରାଏ ଏବଂ ସେମାନଙ୍କୁ ତାଙ୍କ କର୍ମପ୍ରେରଣା ଦେଇ ଯଥୋଚିତ ଫଳପ୍ରାପ୍ତ କରାଏ l ଏଇ ବଂଶୀଟି ଦ୍ବାରା ହିଁ ମୁଁ ସଚରାଚର ଜଗତର ପର୍ଯ୍ୟବେକ୍ଷଣ କରେl ଯଦି କେହି ମୋ ଅଧର ଅମୃତକୁ ପାନ କରିବାକୁ ଆଗ୍ରହୀ, ତେବେ ତାକୁ ନିଜ ଅହଂକାର ତ୍ୟାଗକରି ହୃଦୟକୁ ମୁକ୍ତ କରିବାକୁ ହେବ, ଯେପରି ମୋ ବଂଶୀଟି ନିଜକୁ ଶୁନ୍ୟ କରିଦିଏ, ଯଦ୍ବାରା ମୁଁ ତାକୁ ସର୍ବଦା ନିଜ ଅଧରକୁ ସ୍ପର୍ଶ କରାଇପାରିବି l ଆଉ ତୁମ କଥା ତ ତୁମକୁ ଜଣା l

ଏମିତି କଥୋପକଥନ ହେଉଥିଲା ବେଳେ କୃଷ୍ଣ ଟିକିଏ ଦୃଷ୍ଟି ଆଢୁଆଳକୁ ଚାଲି ଯାଆନ୍ତେ, ରାଧା ଏବଂ ଅନ୍ୟ ଗୋପୀମାନେ ମିଶି ବଂଶୀଟିକୁ ଭାଙ୍ଗି ଦେଲେ l ମାତ୍ର ଆଶ୍ଚର୍ଯ୍ୟ ଜନକ ଭାବେ ବଂଶୀର ଭଗ୍ନ ଅଂଶ ଗୁଡ଼ିକ ସୁନ୍ଦର ଗୀତ ଗାନ କରି ନୃତ୍ୟ କରିବାକୁ ଲାଗିଲେ ଓ ସେଠାରେ ବଂଶୀ ମାନଙ୍କ ଗୋଟିଏ ବଗିଚା ତିଆରି ହୋଇଗଲା l ହତବାକ୍ ଗୋପୀମାନେ ପରସ୍ପରକୁ ଚାହିଁ ରହିଥାନ୍ତି l ତାଙ୍କ ମୁଖରୁ ବାକ୍ୟ ସ୍ଫୁରୁ ନଥାଏ l ସେମାନେ ସମସ୍ତେ ନୃତ୍ୟରତ ବଂଶୀମାନଙ୍କୁ ଧରିବାକୁ ଚେଷ୍ଟାକଲେ l ମାତ୍ର ଏଥିରେ ମଧ୍ୟ ବିଫଳ ହେଲେ l

ଆଉ କୌଣସି ଉପାୟ ନଥିଲା l ଏଥର ରାଧିକା ଓ ଅନ୍ୟ ଗୋପୀମାନେ ତାଙ୍କ ପରାଜୟ ସ୍ୱୀକାର କଲେ ଅନନ୍ୟୋପାୟ ହୋଇ ସେମାନେ କୃଷ୍ଣଙ୍କୁ ଡାକିଲେ l ରାଧାରାଣୀ ତାଙ୍କୁ ଭଗ୍ନ ବଂଶୀ ଖଣ୍ଡେ ଆଣି ଦେଲେ l କୃଷ୍ଣ ବଂଶୀଟିକୁ ଗ୍ରହଣ କରନ୍ତେ, ତାହା ନିଜର ପୂର୍ଵ ସ୍ୱରୂପ ଧାରଣକଲା ଏବଂ ନୃତ୍ୟ ରତ ବଂଶୀମାନେ ଅପସରି ଗଲେ l

ରାସେଶ୍ୱରୀ ଶ୍ରୀମତୀ ରାଧାରାଣୀଙ୍କ ଏହି ବଂଶୀ ଚୋରି ଲୀଳାର ସ୍ମୃତି ସ୍ୱରୂପେ ବୃନ୍ଦାବନର ରାସ କୁଞ୍ଜ ନିଧିବନରେ ବିଜେ କରୁଛନ୍ତି, ବଂଶୀଚୋରି ଶ୍ରୀରାଧା ଓ ତାଙ୍କ ଦୁଇପାର୍ଶ୍ଵରେ ଅଛନ୍ତି ସଖିଦ୍ବୟ ବିଶାଖା ଓ ଲଳିତା l ବଂଶୀ ହସ୍ତରେ ଶ୍ରୀ ରାଧାଙ୍କ ବିଗ୍ରହ ଅତୀବ କମନୀୟ ଓ ଆକର୍ଷଣୀୟ l

ଭକ୍ତ ସାଲବେଗ ଶ୍ରୀରାଧା ରାଣୀଙ୍କ ଏହି ବଂଶୀଚୋରି ଲୀଳାକୁ ଉପଜୀବ୍ୟ କରି ଅତି ସୁନ୍ଦର ଭଜନଟିଏ ଲେଖିଛନ୍ତି :-

ଅତି ଯତନରେ ବଂଶୀ ଗଢାଇଲି
ସୁନାର ବେଣ୍ଟ ଲଗାଇ
କେ ଯାଇ କହିବ ମାତାଙ୍କୁ ବୁଝାଇ,
ବଂଶୀ ମୋ ନେଲ ଚୋରାଇ
ଗୋ ରାଧେ ବଂଶୀଟି ଆମ୍ଭର ଦିଅ
ହସ୍ତର କଙ୍କଣ, ଗଳା ମୋତିହାର
ଯାହା ଇଚ୍ଛା ତାହା ନିଅ ।।

🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights