ଅନ୍ୟର ସ୍ବତ୍ତ୍ବ

Share it

ଅନ୍ୟ ମାନଙ୍କ ସ୍ବତ୍ତ୍ବ (ଧନ) ଯେପରି ଆମ ପାଖକୁ ନ ଆସିବ, ସେଥିପ୍ରତି ମନୁଷ୍ୟ ଅତ୍ୟନ୍ତ ସାବଧାନ ରହିବା ଉଚିତ। ନିଜ ଶୁଦ୍ଧ ଉପାର୍ଜନର ଅନ୍ନ ଭକ୍ଷଣ କଲେ ଅନ୍ତଃକରଣ ନିର୍ମଳ ହେବ ଏବଂ ଚୋରି, ଠକାମି, ବିଶ୍ଵାସଘାତକତା ଓ ଅନ୍ୟାୟରୁ ଉପାର୍ଜିତ ଅନ୍ନ ଭକ୍ଷଣ କଲେ ଅନ୍ତଃକରଣ ଅତ୍ୟନ୍ତ ଅଶୁଦ୍ଧ ହୋଇଯିବ।

ଆଜିକାଲି ଟ୍ୟାକ୍ସ (କର) ବହୁତ ବଢ଼ିଯିବାରୁ ବ୍ୟବସାୟ ଇତ୍ୟାଦିରେ ଲୋକେ ଚୋରି ଓ କପଟ କରୁଛନ୍ତି। ଓକିଲ ଯେପରି ଶିଖାଉଛି, ସେହିପରି କରି ଧନ ରକ୍ଷା ପାଇଁ ଚେଷ୍ଟା କରୁଛନ୍ତି। ଏପରି କରି ଧନ ରକ୍ଷା କଲେ ଅନ୍ତଃକରଣ କେତେ ଯେ ମଳିନ ହୋଇଯିବ, ତାହା ସେମାନେ ବିଚାର କରୁ ନାହାନ୍ତି !

ଜଣେ ସନ୍ଥ କହୁଥିଲେ— ଶୁଦ୍ଧ ଉପାର୍ଜନର ଧନରୁ ଅତ୍ୟନ୍ତ ପବିତ୍ରତା ଆସେ। ତାଙ୍କ ପାଖକୁ ଜଣେ ରାଜା ଆସୁଥିଲେ। ଥରେ ରାଜା ପଚାରିଲେ– ‘‘ଆଜ୍ଞା ! ଆପଣଙ୍କ ପାଖକୁ ବହୁତ ଲୋକ ଆସୁଛନ୍ତି ଏବଂ ଆପଣ ମଧ୍ୟ କେତେକ ଲୋକଙ୍କ ଘରକୁ ଭିକ୍ଷା କରିବା ପାଇଁ ଯାଉଛନ୍ତି । ଆପଣଙ୍କ ଦୃଷ୍ଟିରେ ଏପରି କେହି ଅଛନ୍ତି କି, ଯାହାଙ୍କର ଅନ୍ନ ଶୁଦ୍ଧ ଉପାର୍ଜନରୁ ପ୍ରସ୍ତୁତ ହୋଇଥିବ ? ଯଦି ଆପଣଙ୍କ ଦୃଷ୍ଟିରେ ଏପରି କେହି ଥାଆନ୍ତି, ତେବେ ଆପଣ ଦୟା କରି ମୋତେ କହିବେ?”

ସନ୍ଥ କହିଲେ—‘“ଅମୁକ ଜାଗାରେ ଜଣେ ବୁଢ଼ୀ ରହୁଛି, ତା’ ଘରର ଅନ୍ନ ଅତ୍ୟନ୍ତ ଶୁଦ୍ଧ। ସେ ସୂତାକାଟି ଚଳୁଛି। ତା’ ପାଖରେ ଧନ ନାହିଁ। ସାଧାରଣ ଚାଳଘର ଖଣ୍ଡିଏ; କିନ୍ତୁ ସେ ଅନ୍ୟର ସ୍ବତ୍ତ୍ବ ( ଧନ) ଗ୍ରହଣ କରୁନି।’’

ଏହା ଶୁଣି ରାଜା ମନରେ ଭାବିଲେ ଯେ, କୌଣସି ପ୍ରକାରେ ତାଙ୍କ ଘରର ଅନ୍ନ ମିଳିଗଲେ ବହୁତ ଭଲ ହୁଅନ୍ତା ! ରାଜା ନିଜେ ଭିକାରି ବେଶ ଧରି ସେହି ବୁଢ଼ୀ ଘରେ ପହଞ୍ଚିଲେ ଏବଂ କହିଲେ– ‘‘ମାଆ ! କିଛି ଭିକ୍ଷା ମିଳୁ ।’’

ବୁଢ଼ୀ ଘରୁ ଘରୁ ମୁଠିଏ ଆଣିଲା ଏବଂ କହିଲା— ‘‘ପୁଅରେ ! ଏଇ ନିଅ ତୁମ ଭିକ୍ଷା ।’’

ରାଜା ପଚାରିଲେ– ‘‘ମାଆ ! ଗୋଟିଏ କଥା ପଚାରିବି; ଏ ଭିକ୍ଷା ଶୁଦ୍ଧ ତ ? ଏଥିରେ କାହାରି ସ୍ବତ୍ତ୍ବ ନାହିଁ ତ ?

ବୁଢ଼ୀ କହିଲା— ‘“ପୁଅରେ ! ଏହା ପୂରାପୂରି ଶୁଦ୍ଧ ନୁହେଁ; ଏଥିରେ କିଛିଟା ଅନ୍ୟର ସ୍ବତ୍ତ୍ବ ରହିଛି ! ଦିନେ ରାତିରେ ବରଯାତ୍ରୀମାନେ ଯାଉଥିଲେ। ସେମାନେ ପେଟ୍ରୋମାକ୍ସଲାଇଟ୍ ଧରି ଯାଉଥିଲେ। ସେହି ଆଲୁଅରେ ମୁଁ ସୂତା କାଟିଥିଲି। କେବଳ ଏତିକି ଅନ୍ୟର ସ୍ବତ୍ତ୍ବ ରହିଯାଇଛି। ଏହା ଛଡ଼ା ମୋ ଉପାର୍ଜନରେ ଅନ୍ୟ କୌଣସି ଦୋଷ ନାହିଁ।’’

ରାଜା ବଡ଼ ଆଶ୍ଚର୍ଯ୍ୟ ହେଲେ ଯେ, ଏତିକି ଦୋଷ ପ୍ରତି ବି ବୁଢ଼ୀର ଲକ୍ଷ୍ୟ ରହିଛି !

ତେବେ ଅନ୍ୟମାନଙ୍କ ଆଲୁଅରେ ଆମର ସୂତା କାଟିବାର କି ଅଧିକାର? କହିବାର ତାତ୍ପର୍ଯ୍ୟ ହେଲା ଅନ୍ୟଠୁ ଧନ ଛଡ଼ାଇ ଆଣି ଜୀବନକୁ ଉପଭୋଗ କରିବା ଅଧିକାର ଆମର ନାହିଁ ।

ଦିଲ୍ଲୀପ କୁମାର ସାହୁ
କନ୍ଧମାଳ


Share it

Leave a comment

Your email address will not be published. Required fields are marked *

Verified by MonsterInsights