ଏକଲବ୍ୟର ଗୁରୁ ଦକ୍ଷିଣା

Share it

ଏକଲବ୍ୟର ଗୁରୁ ଦକ୍ଷିଣା
==============

ଏକଦା କୌରବ ଓ ପାଣ୍ଡଵ ରାଜ କୁମାର ମାନେ କନ୍ଦୁକ କ୍ରୀଡ଼ା କରୁଥାନ୍ତି । କନ୍ଦୁକଟି ଗଡ଼ାଇ ଖେଳୁ ଖେଳୁ ଏହା ଗଡ଼ିଯାଇ ନିକଟ କୂପମଧ୍ୟରେ ପତିତ ହେଲା। ଏହା ଦେଖିବାକୁ ଯାଇ ଯୁଧିଷ୍ଠିରଙ୍କ ହାତ ମୁଦିଟି ମଧ୍ୟ କୂଅରେ ପଡ଼ିଗଲା । କନ୍ଦୁକକୁ କୂଅରୁ ବାହାର କରିବା ପାଇଁ ରାଜ କୁମାରମାନେ ଚେଷ୍ଟା କରୁଥାନ୍ତି,ଏହି ସମୟରେ ସେ ବାଟ ଦେଇ ଜଣେ ତେଜସ୍ୱୀ ବ୍ରାହ୍ମଣ ଯାଉଥିଲେ। ତାଙ୍କ ଦେହର ବର୍ଣ୍ଣ ଶ୍ୟାମଳ ଥିଲା । ରାଜ କୁମାର ମାନଙ୍କ ନିକଟରେ ପହଞ୍ଚି ସେ ହସି ହସି କହିଲେ,”ରାଜ କୁମାରଗଣ ତୁମେ ବିଖ୍ୟାତ ଭରତବଂଶରେ ଜନ୍ମ ହୋଇ ସୁଦ୍ଧା ସାମାନ୍ୟ କନ୍ଦୁକଟିକୁ କୂପମଧ୍ୟରୁ ବାହାର କରିପାରୁ ନାହଁ, ତୁମେ ମାନେ କହିଲେ ମୁଁ ମୁହୂର୍ତ୍ତକ ମଧ୍ୟରେ ଏହା ବାହାର କରିଆଣିବି”।

ଏହା ଶୁଣି ଯୁଧିଷ୍ଠିର କହିଲେ,”ହେ ଦ୍ଵିଜଶ୍ରେଷ୍ଠ ! କନ୍ଦୁକଟିକୁ ଯଦି ଆପଣ ବାହାର କରିଦିଅନ୍ତି ତେବେ ଆମେ ଆପଣଙ୍କୁ ବହୁ ଭୋଜନ ଦେଇ ନିଶ୍ଚୟ ଆପ୍ୟାୟିତ କରିବୁ” ।

ବ୍ରାହ୍ମଣ ହସିହସି ଗୋଟିଏ କାଶତଣ୍ଡୀଗଛ ଉପାଡ଼ି ଆଣି କୂପ ମଧ୍ୟକୁ ନିକ୍ଷେପ କଲେ । ଏହାଯାଇ ସେ କନ୍ଦୁକକୁ ବିଦ୍ଧକଲା। ଏହିପରି ସେ ଗୋଟିକପରେ ଗୋଟିଏ କାଶ କାଣ୍ଡ ଯୋଡ଼ି କନ୍ଦୁକଟିକୁ କୂଅରୁ ଉଠାଇ ଆଣିଲେ । ରାଜକୁମାର ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଥାନ୍ତି।

ସେମାନେ ପୁଣି ଯୁଧିଷ୍ଠିରଙ୍କ ମୁଦିଟି ଉଠାଇ ଆଣିବାକୁ ବ୍ରାହ୍ମଣଙ୍କୁ କହିଲେ। ବ୍ରାହ୍ମଣ ରାଜକୁମାରଙ୍କ ଠାରୁ ଏକ ଧନୁ ଓ ଶର ମାଗିନେଇ ତୀରକୁ କୂପ ମଧ୍ୟକୁ ନିକ୍ଷେପ କଲେ । ଚାହୁଁ ଚାହୁଁ ସେ ମୁଦିଟି ଶରମୁନରେ ଲାଗି ତାଙ୍କ ପାଖକୁ ଚାଲି ଆସିଲା । ରାଜକୁମାର ମାନେ ଏ ଆଶ୍ଚର୍ଯ୍ୟକାଣ୍ଡ ଦେଖି ବ୍ରାହ୍ମଣଙ୍କୁ ପ୍ରଣିପାତ କରି ହସ୍ତିନା ରାଜପ୍ରାସାଦକୁ ଫେରିଗଲେ ।

ସେମାନେ ଯାଇ ପିତାମହ ଭୀଷ୍ମଙ୍କୁ ସମସ୍ତ କଥା କହିଲେ । ବ୍ରାହ୍ମଣଙ୍କ ରୂପ ଗୁଣର ବର୍ଣ୍ଣନାରୁ ଭୀଷ୍ମ ଜାଣି ପାରିଲେ ସେ ବ୍ରାହ୍ମଣ ହେଉଛନ୍ତି ଧନୁର୍ବିଦ୍ୟା ଏବଂ ସମର ଶାସ୍ତ୍ରରେ ନିପୁଣ ଆଚାର୍ଯ୍ୟ ଦ୍ରୋଣ । ବ୍ରାହ୍ମଣଙ୍କୁ ପିତାମହ ଭୀଷ୍ମ ରାଜ ପ୍ରାସାଦ ଡକାଇ ନେଇ ନାତି ରାଜପୁତ୍ର ମାନଙ୍କ ଶିକ୍ଷା ଭାର ନ୍ୟସ୍ତ କଲେ ।

ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଗୁରୁକୁଳରେ ହସ୍ତିନା ରାଜ ପୁତ୍ରମାନେ ସବୁ ପ୍ରକାର ଅସ୍ତ୍ର ଚାଳନା ଓ ସମର କଳା ଶିକ୍ଷା ଲାଭ କରୁଥାନ୍ତି । ଅର୍ଜୁନଙ୍କର ବିଦ୍ୟା ଶିକ୍ଷାରେ ଏକାଗ୍ରତା ଲକ୍ଷ୍ୟ କରି ସେ ତାଙ୍କୁ ମହା ଧନୁର୍ଦ୍ଧରରେ ପରିଣତ କରିବା ଇଚ୍ଛା ରଖିଥାନ୍ତି ।

ଏକଦା ତାଙ୍କ ଗୁରୁକୁଳରେ ନିଷାଦରାଜ ହିରଣ୍ୟ ଅନୁଙ୍କ ପୁତ୍ର ଏକଲବ୍ୟ ଧନୁର୍ବିଦ୍ୟା ଶିକ୍ଷା କରିବା ପାଇଁ ପ୍ରାର୍ଥୀ ହେଲେ । ଏକଲବ୍ୟ ନୀଚ୍ଚ ନିଷାଦ କୁଳର ଥିଲେ । ଏଣୁ ଦ୍ରୋଣାଚାର୍ଯ୍ୟ ‘ମୋର ଏହି ଗୁରୁକୁଳ କେବଳ ରାଜପୁତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ’ କହି ତାଙ୍କୁ ଫେରାଇ ଦେଲେ। ଦ୍ରୋଣାଚାର୍ଯ୍ୟଙ୍କୁ ଏକଲବ୍ୟ ଆଭୂମପ୍ରଣାମ କରି ବନକୁ ଚାଲିଗଲା।

ଧନୁର୍ବିଦ୍ୟା ଶିକ୍ଷା କରିବାକୁ ତାଙ୍କ ମନରେ ପ୍ରବଳ ଉତ୍କଣ୍ଠା । ଏଣୁ ସେ ଗୁରୁ ଦ୍ରୋଣଙ୍କର ଏକ ମୃଣ୍ମୟ ପ୍ରତିମା ସ୍ଥାପନ କଲେ ଓ ତାଙ୍କୁ ଆଚାର୍ଯ୍ୟ ରୂପେ ବରଣ କଲେ । ସେହି ପ୍ରତିମା ପାଦ ପଦ୍ମରେ ସେ ଏକ ଲୟରେ ଧ୍ୟାନ ଲଗାଇ ଧନୁର୍ବିଦ୍ୟା ଅଭ୍ୟାସ କଲେ । ଗୁରୁ କୃପାରୁ କ୍ରମେ ସେ ଧନୁର୍ବିଦ୍ୟା ଓ ଅସ୍ତ୍ରବିଦ୍ୟାରେ ନିପୁଣ ହୋଇ ଉଠିଲେ ।

ଦିନକର କଥା, ଗୁରୁଙ୍କ ଅନୁମତି ନେଇ କୌରବ ଓ ପାଣ୍ଡଵ ଭାଈମାନେ ମୃଗୟା ନିମନ୍ତେ ବନକୁ ଗଲେ । ତାଙ୍କ ସହ ଶିକାର ଉପକରଣ ଓ ଏକ କୁକୁରକୁ ଧରି ଜଣେ ଅନୁଚର ମଧ୍ୟ ଯାଉଥିଲା । କୁକୁରଟି ବୁଲୁ ବୁଲୁ ଯାଇ ଏକଲବ୍ୟ ଅସ୍ତ୍ର ଶିକ୍ଷା କରୁଥିବା ସ୍ଥାନରେ ପହଞ୍ଚିଲା । ମୁଣ୍ଡରେ ପକ୍ଷୀର ଟୋପୀ, ମୃଗଚର୍ମ ବସନ, କୃଷ୍ଣବର୍ଣ୍ଣ ଅପରଛନିଆ ଏକଲବ୍ୟକୁ ଦେଖି ସେ କୁକୁରଟି ବଡ଼ ପାଟିରେ ଭୁକିବାକୁ ଲାଗିଲା । ଏକଲବ୍ୟ ତତ୍କ୍ଷଣାତ ସାତ ଗୋଟି ଶର ନିକ୍ଷେପ କରି କୁକୁରର ମୁହଁକୁ ବାନ୍ଧି ଦେଲେ ।

ଶର ଜାଲରେ ମୁହଁ ବନ୍ଦ ହୋଇ ଥିବା କୁକୁରକୁ ଦେଖି ରାଜପୁତ୍ର ମାନେ ଆଶ୍ଚର୍ଯ୍ୟ ହୋଇଗଲେ । କିଏ ଏଭଳି ବିଦ୍ୟା ଜାଣିଛି ଜାଣିବାକୁ ଇଛାକରି ସେମାନେ ଏକଲବ୍ୟର ପର୍ଣ୍ଣ କୁଟୀର ପାଖରେ ଯାଇ ପହଞ୍ଚିଲେ । ସେମାନେ ଏକଲବ୍ୟକୁ ତାର ପରିଚୟ ମାଗିଲେ ଓ କିଏ ତା’ର ଗୁରୁ ବୋଲି ପଚାରିଲେ ।

ଏକଲବ୍ୟ କହିଲେ,”ମୁଁ ନିଷାଦରାଜ ହିରଣ୍ୟଅନୁ ପୁତ୍ର ଏକଲବ୍ୟ,ଏଠାରେ ଆଚାର୍ଯ୍ୟ ଦ୍ରୋଣଙ୍କୁ ଗୁରୁରୂପେ ବରଣକରି ମୁଁ ଏ ଧନୁର୍ବିଦ୍ୟା ଶିକ୍ଷା କରିଛି “।

ରାଜକୁମାର ମାନେ ଫେରି ଆସି ଆଚାର୍ଯ୍ୟଙ୍କୁ ସବୁ କଥା କହିଲେ। ଆଚାର୍ଯ୍ୟ ସେମାନଙ୍କୁ ଧରି ପୁଣି ଏକଲବ୍ୟ ନିକଟକୁ ଗଲେ । ଆଚାର୍ଯ୍ୟଙ୍କୁ ଦେଖି ଏକଲବ୍ୟ ତାଙ୍କ ପାଦତଳେ ପଡ଼ିଗଲେ ଓ ହାତ ଯୋଡ଼ି ଠିଆ ହୋଇ ରହିଲେ । ଗୁରୁଙ୍କୁ ପୂର୍ବକଥା ସ୍ମରଣ କରାଇ ଦେଇ ସେ କହିଲେ,”ମୁଁ ସେଦିନ ଆପଣଙ୍କ ପାଖରୁ ଫେରି ଆସି ଆପଣଙ୍କର ଏହି ପ୍ରତିମା ସ୍ଥାପନ କରି ଅସ୍ତ୍ର ବିଦ୍ୟା ଶିକ୍ଷା କରୁଛି । ଆପଣ ହିଁ ମୋର ଗୁରୁ “।

ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କୁ ଶ୍ରେଷ୍ଠ ଧନୁର୍ଦ୍ଧର ଭାବେ ଗଢ଼ିବାକୁ ଚାହୁଁ ଥିଲେ। ସେ ଦେଖିଲେ ମୋ ପ୍ରତିମା ପୂଜାକରି ଏ ନିଷାଦ ବାଳକ ଯେଉଁ ବିଦ୍ୟା ହାସଲ କଲାଣି ତାଙ୍କର ସ୍ବପ୍ନ କସ୍ମିନ କାଳେ ସାକାର ହେବନାହିଁ। ଦ୍ରୋଣାଚାର୍ଯ୍ୟ ମନେ ମନେ ଏହା ଚିନ୍ତାକରି ଶିଷ୍ୟ ଏକଲବ୍ୟକୁ କହିଲେ, “ଠିକଅଛି, ତେବେ ତୁମେ ଯଦି ମୋର ଅନୁଗତ ଶିଷ୍ୟ ତା’ ହେଲେ ମୋତେ ଗୁରୁ ଦକ୍ଷିଣା ଦିଅ “।

ଏକଲବ୍ୟ ତ୍ରିବାର ସତ୍ୟ କରି କହିଲା,”ନିଶ୍ଚୟ ଦେବି,ଆପଣ ଯାହା ମାଗିବେ ମୁଁ ତାହା ଦେବାକୁ ପ୍ରସ୍ତୁତ । ଆପଣଙ୍କୁ ମୋର କିଛି ଅଦେୟ ନାହିଁ ।”

ସରଳ, ସତ୍ୟଭାଷୀ ଓ ଧର୍ମନିଷ୍ଠ ଏକଲବ୍ୟଠାରୁ ଏହା ଶୁଣି ଆଚାର୍ଯ୍ୟ କହିଲେ :-
“ତ୍ବମ୍ ବ୍ରବୀତ ତ୍ବୟାଙ୍ଗୁଷ୍ଠଓ
ଦକ୍ଷିନୋଉ ଦିୟତାମିତି ”

ଅର୍ଥାତ ତୁମ ପ୍ରତିଜ୍ଞା ଅନୁସାରେ ମୁଁ ତୁମକୁ ତୁମର ଡାହାଣ ହସ୍ତର ବୃଦ୍ଧାଙ୍ଗୁଷ୍ଠିଟି ମାଗୁଛି ତାହା ତୁମେ ମୋତେ ଅର୍ପଣ କର । ଏକଲବ୍ୟ ଏହା ଶୁଣି ଆଉ କାଳ ବିଳମ୍ବ ନ କରି ଏକ ତୀକ୍ଷ୍ଣ ଶରରେ ନିଜର ଡାହାଣ ହାତ ବୃଦ୍ଧାଙ୍ଗୁଠି କର୍ତ୍ତନ କରି ଆଚାର୍ଯ୍ୟଙ୍କ ପାଦ ତଳେ ଥୋଇ ଦେଲେ । ହାତରୁ ଝର ଝର ରକ୍ତ ବୋହି ଯାଉଥାଏ । ଏକଲବ୍ୟ ଠିଆ ହୋଇ ଥାନ୍ତି ନିର୍ବିକାର ଚିତ୍ତରେ । ହସ୍ତିନା ରାଜ ପୁତ୍ରଗଣ ଠିଆ ହୋଇ ଦେଖୁଥାନ୍ତି ନିଷାଦ ଏକଲବ୍ୟର ସେ ଅପୂର୍ଵ ଗୁରୁଭକ୍ତିକୁ ।

ମହାକାବ୍ୟ ମହାଭାରତର ଏହି ଅମର କାହାଣୀ ଆମର ଭାରତୀୟ ଗୁରୁ ଶିଷ୍ୟ ପରମ୍ପରାର ଗାଥା ବଖାଣେ । ଏକଲବ୍ୟ ଥିଲା ନିଷ୍ଠାପର ଶିଷ୍ୟ କିନ୍ତୁ ଅର୍ଜୁନଙ୍କୁ ଶ୍ରେଷ୍ଠତ୍ବ ପ୍ରଦାନ ନିମନ୍ତେ ଦ୍ରୋଣାଚାର୍ଯ୍ୟ ଯାହା କଲେ, ତାହା ସମସ୍ତଙ୍କ ମନରେ ପ୍ରଶ୍ନଵାଚି ହୋଇ ରହିଛି ।

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights