ଭୌତିକ କାଣ୍ଡ : କାହାକୁ ଭୂତ ଲାଗୁଥିଲେ ସେଇ ସ୍ଥାନରେ ଏ ଭୂତ କାହାଣୀ ପଢିଲେ ସବୁଦିନ ପାଇଁ ଭୁତ ଛାଡିଯାଏ
ଆଗେ ରାଗ ଲାଗୁଥିଲା । ଏବେ ଲଜ୍ଜା ଲାଗୁଚି । ଏଣେ ଚନ୍ଦ୍ରରେ ମଙ୍ଗଳରେ ଘର କରିବି ବୋଲି ଶିଙ୍ଗ ଉଞ୍ଚେଇଚି । ତେଣେ ଭୂତ ଭୟରେ ପଛରୁ ବହିଯାଉଚି । ଭାରତୀୟ ହିସାବରେ କୋଉ ପଟକୁ ଦେଖିବି ଜାଣି ପାରୁନି । ଆମ ଅତୀତରେ ସବୁ ଜ୍ଞାନ ଥିଲା । ଆମେ ସବୁ ମୁର୍ଖ । ଖାଲି ମିଛ ପାଶ୍ଚାତ୍ଯ ଚାକଚକ୍ୟକୁ ଭାସି ଯାଉଚୁ । ଅବଶ୍ଯ ଯିଏ ଏ କଥା କହୁଚି ତା ପୁଅ ଝିଅଙ୍କୁ ଈଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢେଇ ପାଶ୍ଚାତ୍ଯ ଦେଶମାନଙ୍କରେ ଖଣ୍ଡେ ଚାକିରୀ କରି ରହିବାର ସ୍ବପ୍ନ ଦେଖୁଚି ଆଉ ତାର ବ୍ଯବସ୍ଥା କରୁଚି । ମୁଁ ବୁଝି ପାରୁନି। ଆଖି ଆଗରେ ଦିଶୁଚି ଆମ ପିଲା ଆଉ ପିଲାମାନଙ୍କ ପିଲାମାନେ ଆମଠୁ କେତେ ଆଗରେ । ଆମେ କାହିଁକି ଆମ ପୂର୍ବପୁରୁଷଙ୍କ ପଛରେ ? ବିଜ୍ଞାନ ମାନେ ରକେଟ କି ଡାକ୍ତରଖାନା ନୁହଁ। ଏହା ମଣିଷର ପ୍ରକୃତିକୁ ବୁଝି ତାକୁ ନିୟନ୍ତ୍ରଣ କରିବା କିମ୍ବା ତାର ପ୍ରକୋପରୁ ନିଜକୁ ରକ୍ଷା କରିବା ସହ ନିଜକୁ ଆହୁରି ବିସ୍ତାର କରିବାର ନୀରବଚ୍ଛିନ୍ନ ଚେଷ୍ଟା ହିଁ ବିଜ୍ଞାନ । ମଣିଷର ସୃଷ୍ଟି ସହିତ ବିଜ୍ଞାନର ସୃଷ୍ଟି।
ବିଜ୍ଞାନର ପିଲାବେଳେ ଆମେ ଏତେ ଶକ୍ତିଶାଳୀ ଥିଲୁ । ବିଜ୍ଞାନର କୈଶୋର ଅବସ୍ଥାରେ ଆମେ କାହିଁକି ଶକ୍ତି ହରେଇଲୁ ? ସିଟ୍ ବେଲ୍ଟ ହେଲମେଟ କାହିଁକି ଦରକାର? ଆମର କଣ ଖଣ୍ଡିଆ ଚପଲ ଲଙ୍କା ଲେମ୍ବୁ ଆଉ 10 ଟଙ୍କିଆ (ଟ୍ରାଫିକ ଛକରେ) ପୂଜାର ଅଭାବ ? ଏତିକି ହଜାର ହଜାର କୋଟି ଖର୍ଚ୍ଚ କରି ଗାଡିରେ ଯିବା କଣ ଦରକାର ? ଆଗେ କଣ ବଳଦ ଗାଡିରେ ଏତେ ଦୁର୍ଘଟଣା ହଉଥିଲା ? ଛାଡ ବିଜ୍ଞାନକୁ ନିନ୍ଦିବା ଲୋକ କମ୍ ନାହାନ୍ତି । କିନ୍ତୁ ବିଜ୍ଞାନରସୁଖ ନେବାରେ କାହାର ହେଳା ନାହିଁ ।
ବିଜ୍ଞାନ ଆଉ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି ଆରମ୍ଭରୁ ଅଛି । ଏକାଠି ହୋଇ ନିଜକୁ ରକ୍ଷା କରିବା ପାଇଁ । ଧର୍ମ ନାମକ ଜିନିଷ ସବୁ ବହୁ ପରେ ଆସିଲା ମଣିଷକୁ ଭୟଭୀତ କରି ଖଣ୍ଡିଆ କରିବା ପାଇଁ । ଆଉ ଭୂତ ତିଆରି ହେଲା ନିଜ ସୀମିତ ଚିନ୍ତାଧାରା ବ୍ଯବହାର କରି ଲୋକଙ୍କୁ ଆହୁରି ଖଣ୍ଡିଆ କରିବା ପାଇଁ । କଜଳପାତିଆ ଭଦ୍ରଲୋକ କିଛି କହିବେ ଭୂତ ବୋଲିକରି ଗୋଟେ ଅଛି ନା । ହଁ ସମସ୍ତଙ୍କର ତ ଗୋଟେ ଅଛି । କଣ ଅଛି କହୁ ନ । ଓହୋ ଆତ୍ମା ଅଛି ପରା । ହଉ ତମ କଥା ରହିଲା । ଆତ୍ମା ଅଛି । ସେଇଟା କେମିତି ? ସବୁ ଧର୍ମରେ ଆତ୍ମା ସବୁ ତାଙ୍କ ଈଶ୍ବରଙ୍କ ଅଂଶ । ମରିଗଲେ ସେ ତାଙ୍କ ଈଶ୍ୱରଙ୍କ ନିୟନ୍ତ୍ରଣକୁ ଚାଲିଯିବ। ହିନ୍ଦୁ ଭୂତକୁ ଆଲ୍ହା ମଧ୍ଯ କିଛି କରିପାରିବେ ନି । ସେମିତି ମୁସଲିମ୍ ଭୂତକୁ ହିନ୍ଦୁ ମନ୍ତ୍ର କାମ କରିବ ନି । ଏ ଚିନ୍ତାଧାରାର ଅସୁବିଧା ହେଲା 120 କୋଟି ଯିଏ କୌଣସି ଧର୍ମରେ ବିଶ୍ବାସ କରନ୍ତି ନାହିଁ ବା ତାଙ୍କ ଧର୍ମ କଣ ଜଣା ନାହିଁ ସେମାନଙ୍କ ଆତ୍ମା କୁଆଡେ ଯିବ? ତାପରେ ପୁଣି ସବୁ ଧର୍ମର ଠିକାଦାର ନିଜ ପତିଆରା ପାଇଁ (ବା ସୁବିଧା ପାଇଁ) ଧର୍ମ ପରିବର୍ତ୍ତନ କରିଥାଆନ୍ତି । ସେତେବେଳେ ଆତ୍ମାର ସ୍ବତ୍ତ୍ବ ବଦଳେ କି?
ତାପର କଥା ହେଲା ପରମାତ୍ମାଙ୍କ ସହ ଆତ୍ମାର ମିଳନ । ଆହା ହା । କି ସୁଖ । ସବୁ ମିଳନର ସୁଖ ଭଳିଆ । ମଲେ ସବୁ ସୁଖ । ହିନ୍ଦୁମାନଙ୍କର ତ ରମ୍ଭା ମେନକାଙ୍କ cabaret ଥୟ । ତଥାପି ଭକ୍ତମାନଙ୍କ ମରଣକୁ ଏତେ ଭୟ କାହିଁକି?
ସେ ବି ଅଲଗା କଥା । ଟିକେ ଭୂତ କଥା ବୁଝିବା । ଭୂତର ଜନ୍ମ କଥା । ଭୂତ ଆସେ କୋଉଠୁ ? କୁଆଡେ ଅତୃପ୍ତ ଆତ୍ମା ସବୁ ଭୂତ ହୁଅନ୍ତି । ତେଣୁ ଓଡିଆ ହିନ୍ଦୁମାନଙ୍କ ସଂସ୍କାର ହେଲା କାଳେ ବାପା ମାଆମାନେ ମଲା ପରେ ପାର୍ଥିବ ଜଗତର ସୁଖ ଛାଡି ନ ପାରି ଯମଦୂତଙ୍କୁ ଭଣ୍ଡେଇ ରହିଯିବେ ତେବେ ଭୂତ ହିଁ ହେବେ । ତେଣୁ ପୁଅଝିଅମାନେ “କାନ୍ଦୁଥିବ ଏଣେ ବାନ୍ଧୁଥିବ” ଅବସ୍ଥାରେ କାନ୍ଦୁକାନ୍ଦୁ ସେଇ ବାପାମାଙ୍କ ଆତ୍ମାମାନଙ୍କୁ ବାଡେଇ ବାହାରକରିବା ବ୍ଯବସ୍ଥା ବାର ଦିନ ଧରି କରନ୍ତି । ଏଣେ କିନ୍ତୁ କହୁ ଯେ ତାଙ୍କ ଆତ୍ମାର ଶାନ୍ତି ପାଇଁ ସବୁ କରା ଯାଏ । ହଉ, କଥା ହେଲା ଭୂତ ଯଦି ଅତୃପ୍ତ ଆତ୍ମାର ଚିହ୍ନ ତେବେ ପୃଥିବୀର ସର୍ବମୋଟ ଭୂତ ସଂଖ୍ଯା କଳ୍ପନା କରି ହବ ? କିଏ ତୃପ୍ତ ହେଇ ମରୁଚି? ଆତ୍ମା ଯାହାର ଶରୀର ନାହିଁ ସେ ମନ୍ତ୍ରରେ ତୃପ୍ତ ହେବ କେମିତି ?
ତାପରେ ଦେଖିବା ଭୂତର ଶକ୍ତି କେତେ । ଆତ୍ମାକୁ ଦେଖି ହବ ନି । କିନ୍ତୁ ଭୂତକୁ ଦେଖି ହବ । ଅତୃପ୍ତ ହେଲେ ଆତ୍ମା ଉପରେ ଧୂଳିବସି ଯାଏ କି ? ଭୂତ ପୁଣି ସାଟ୍ ପେଣ୍ଟ ଶାଢୀ ପିନ୍ଧି ବାହାରେ । ଆମର ସିନା ଘୋଡାଇବା ପାଇଁ ସେଗୁଡିକ ଦରକାର । ଭୂତର କଣ ଘୋଡେଇବ? ଭୂତର ପ୍ରବେଶ କେହି ଅଟକାଇ ପାରିବେ ନି । ସେ ତ ଅଶରୀରୀ ନା । ତେବେ ସେ ସବୁ ଆଡେ ମାଡି ନ ଯାଇ କୋଉ ଗାଁରେ (ସହରରେ କାହିଁକି ପ୍ରବେଶ ନିଷେଧ? ) ଅନ୍ଧାରିଆ ଲୁଚିଛପି ତା କାରସାଦୀ କରେ ? ତାପରେ ଏଇ ଗରିବ ଗୁରୁବା ଘରେ କୋଉ ପିଲାର ଜାମାପଟା କାଟିବା ଚାଳରେ ନିଆ ଲଗେଇବା (ଦମ୍ ଅଛି ତ କଂକ୍ରିଟ ନିଆ ଲଗେଇ ଦେଖା) ଅତି low level ଭୂତର କାମ ପରିକା ଜଣାପଡେ । ତାର ପ୍ରାଦୁର୍ଭାବ ମିଡିଆ ସାଙ୍ଗେ ଜଡିତ । ଭୂତ ଜନ୍ମ ହୁଏ । ଶୀଘ୍ର ବଢି ଯାଏ ଆଉ ମିଡିଆ ଆଗ୍ରହ କମିଗଲେ ସାର ନ ପାଇ ଶୁଖି ଶୁଖି ମରି ଯାଏ । ତେଣୁ ମିଡିଆ ଭାଇ ଓ ଭଉଣୀମାନେ ଏ ଲେଖା ପଢି ନିଜର ଅବଦାନ ଆଉ ବୈଜ୍ଞାନିକ ଚିନ୍ତାଧାରାର ବିକାଶ ଦିଗରେ ସଚେତନ ହୁଅନ୍ତୁ ।
କାହାକୁ ଭୂତ ଲାଗୁଥିଲେ ସେଇ ସ୍ଥାନରେ ଏ ଭୂତ କାହାଣୀ ପଢିବାକୁ ଓ ପଢେଇବାକୁ ଅନୁରୋଧ ।
– ପ୍ରତାପ କୁମାର ରଥ