ଚତୁରୀ
କ୍ଷୀରୋଦ ପରିଡା
ଭାବ ବିକଳ୍ପର ଅବହେଳାରେ
ଅତିକ୍ରମ କରିଦେଲି କାୟ ମନ ବାକ୍ୟର ତ୍ରିଭୁବନ
ଏବେ ମୁଁ ସୁପ୍ତ ମହାସୁଖ ଲୀଳାରେ
ଆଲୋ ଆଲୋ ଡୋମ୍ୱୀ !
କେତେ ଦେଖିଲି ତୋହରି ଚତୁରାଳି
ଏପଟେ ଯେ କେତେ ସାଧକ ଅବିଦ୍ୟା ମୋହିତ
ସେପଟେ ମହାସୁଖରେ ଲୀନ କାପାଳିକ
ମଝିରେ ତୁ ଦୁଷ୍ଟନାରୀ ଉଭୟଙ୍କୁ କରୁ ବିଚଳିତ
ବନ୍ଦୀ ଓ ମୁକ୍ତଙ୍କ ଭିତରେ ତୁ କରୁଥାଉ
ତୋ ଅଶୁଚିର ଖେଳ
କିଏ ସେ ବୁଝିବ ତୋ ମାୟା
ତୋ ଯେ ସ୍ଵୟଂ ଦେବୀ ନୈରତ୍ମା !
ଜାଗତିକ ସୁଖରେ ପ୍ରଲୁବ୍ଧ ଯିଏ
ନ ପାଇ ତୋହରି ସାନ୍ନିଧ୍ୟ
ବ୍ୟର୍ଥତାରେ କହଇ, ତୁ ଯେ ଅଳୀକ
କାହୁଁ ସେ ବୁଝିବ, କହ
ଏ ଯାତ୍ରା କେତେ ଯେ ପରମାର୍ଥିକ
ଆଲୋ ଡୋମ୍ୱୀ !
ତୋ ଚନ୍ଦ୍ରଠାରରେ ସମସ୍ତେ ବିଚଳିତ
କିଏ କହେ ତୁ ମନ୍ଦନାରୀ
ଆଉ କିଏ ତୋତେ ଜାବୋଡ଼ି କରେ କଣ୍ଠମାଳି
ତୋ ଛଳନାରେ ହତାଶ ପ୍ରେମିକ ଅଜ୍ଞାନ
ଏ କାହ୍ନୁ କହେ , କାମଚତୁରୀ ଡୋମ୍ୱୀଠାରୁ
ଏ ସଂସାରେ କିଏ ବା ଅଛି ଛଳନାମୟୀ,
ହେ ନୈରତ୍ମା ଦେବୀ ! ସନିଷ୍ଠ ସାଧନାରେ
ତୋ ଠାରୁ କେହି ବି ନାହିଁ ଏତେ ପ୍ରେମମୟୀ !!
( ଆଧାର : ଚ.ପ. – ୧୮ )
କ୍ଷୀରୋଦ ପରିଡା,
ଭୁବନେଶ୍ବର
ମୋ : +91 99374 96208
( ମୋର ଏକ ପ୍ରକାଶୋନ୍ମୁଖୀ କବିତା ସଂକଳନରୁ )