ଖୋଲା ବିଚାର
30th August 2024
– ଅଜିତ କୁମାର ଭୋଇ
[ବଣ୍ଡା ଆଦିବାସୀ ପିଲା ମଙ୍ଗଳା ମୁଦୁଲି MBBS ପାଇବା ଘଟଣା ]
ସତେ ଯେମିତି ପୃଥିବୀର ଖଣ୍ଡ ଖଣ୍ଡ ହୋଇଗଲା ଓ ପୁଣି ଯୋଡ଼ିଗଲା । ମଣିଷ ଦେହରୁ ଆଜିଠାରୁ ଲାଞ୍ଜ ବାହାରିବ ବୋଧେ । ପରମାଣୁ ବୋମାକୁ କିଏ ଜଣେ ପାନ ଖାଇଲା ଭଳି ଚୋବେଇ ଚୋବେଇ ଖାଇଗଲା ପରି ଆଶ୍ଚର୍ଯ୍ୟ ସହ ନିଉଜ ପ୍ରସାରଣ ଚାଲିଛି ।
ଏ ଆଶ୍ଚର୍ୟ୍ଯ କାହିଁକି:-
*ବଣ୍ଡା ପିଲା MBBS ପାଇବା ପାଇଁ କଣ ଯୋଗ୍ୟ ନୁହେଁ କି ?
*ବଣ୍ଡା ଆଦିବାସୀ ମାନେ ଉପଗ୍ରହର ଲୋକେ କି?
*ବଣ୍ଡା ଆଦିବାସୀଙ୍କର ଟେଲେଣ୍ଟ ନାହିଁ କି ?
ନା ମୂଲକଥା- ବଣ୍ଡା ଆଦିବାସୀ ମାନଙ୍କୁ ଶିକ୍ଷା ଓ ବିକାଶରୁ ଦୂରେ ରଖା ଯାଇଥିଲା ।
ପ୍ରକୃତ ସତ୍ୟରୁ ନଜର ଟିକେ ଉଜାଗର କରାଯାଉ ବଂଧୁ । ବଣ୍ଡା ପିଲା MBBS ପାଇବା ପୃଥିବୀ ଇତିହାସର ପ୍ରଥମ ଘଟଣା କାହିଁକି । କିଛି ଗୋଷ୍ଠି ଦାବା କରନ୍ତି ମୁଦୂଲି ପଡ଼ା ପାଖର ବଣ୍ଡାଘାଟି ନିକଟରେ ଏକ ଝରଣା ଅଛି “ସିତାକୁଣ୍ଡ” । ସେଠି ସୀତା ଗାଧେଇ ଥିଲେ । ସୀତା ମାତା MBBS ପାଇଥିବା ଗାଁରେ ଗାଧେଇବା ବଡ କଥା ନୁହେଁ । ସୀତା ଗାଧେଇଲା ପରେ ପରେ ଭାରତରେ ଲୋକେ ମଧ୍ୟ ଗଣତନ୍ତ୍ର ରୂପି ଝରଣାରେ ଗାଧୋଇଲେ । ଗଣତନ୍ତ୍ରର ନିର୍ମଳ ଜଳକୁ ପିଇଲେ । ଝରଣା ଆଜିଯାଏ ଖଳ ଖଳ ହୋଇ ନିର୍ମଳ ଜଳରେ ବୋହୂଛି ମଧ୍ୟ ।
ମୂଳ ପ୍ରଶ୍ନ : ସୀତାମାତା ଗାଧେଇଲା ପରେ, ଭାରତର ଗଣତନ୍ତ୍ରର ଝରଣାରେ ଦେଶର ସବୁ ଲୋକେ ଗାଧେଇଲା ପରେ MBBS ପାଇଥିବା ବଣ୍ଡା ପୁଅ ନିଜେ ଅଗାଧୂଆ ହୋଇ ରହିଥିଲା କେମିତି ??
ଏବେ ଗବେଷକ ମାନଙ୍କ ଭିତରେ ଛନକା ପଶିଛି- ସୀତା ମାତାଙ୍କ ପାଦ ପଡ଼ିଥିବା ପାହାଡ ପର୍ବତ ଠାରୁ ଦେଶ ଠାରୁ ରାଇଜ ଯାଏ ଅଯୋଧ୍ୟା ଠାରୁ ଶ୍ରୀଲଙ୍କା ଯାଏ ସବୁ ସ୍ଥାନ ବିକଶିତ । ହେଲେ ବଣ୍ଡା ଘାଟି କାହିଁକି ଟାଇଟନିକ ଜାହାଜ ପାରି ସାତ ପାତାଳ ପାଣିରେ ବୁଡି ରହିଛି ।
ଗବେଷକଙ୍କ ମତ ଅନୁଯାୟୀ ମହାକାନ୍ତାର (କଳାହାଣ୍ଡିରୁ କୋରାପୁଟ ବଣ୍ଡାଘାଟି ଯାଏ) ଅନେକ ରାଜ ବଂଶୀୟ ରାଜାମାନେ କୋଟାରେ ହଜାର ହଜାର ବର୍ଷ ଶାସନ କରୁଥିଲେ । ନଳ ଶାସନ ହଜାରେ ବର୍ଷରୁ ଅଧିକ, ସାତ ବାହନ ଶାସନ ଶତାଧିକ ବର୍ଷ, ମୋର୍ୟ୍ଯ ଶାସନ ଶତାଧିକ ବର୍ଷ, ସୋମ ବଂଶୀ ଶାସନ ଶତାଧିକ ବର୍ଷ, ଛିଣ୍ଡକ ନାଗ ,ନାଗ ବଂଶ ମଧ୍ୟ ଶତାଧିକ ବର୍ଷ ଏପରି ଅନେକ ଶାସନ ଅଧୁନା ୧୯୪୭ ଯାଏ ଶାସନ କଲେ ଆରକ୍ଷଣ ବଳରେ । ବିକଳାଙ୍ଗ, ଦୁର୍ବଳ, ନିର୍ବୁଧିଆ ହେଲେ ମଧ୍ୟ ରାଜାର ପୁଅ ରାଜା ହେଲେ । ରାଜକୀୟ ବ୍ୟବସ୍ଥା ଆଉ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ତୁଳନା କରିବା ଅବଶ୍ୟ ମୂର୍ଖାମି । ଏଠାରେ ଆରକ୍ଷଣର ଏକ ଅଦୃଶ୍ୟ ଛବିର ତୁଳନା କରାଯାଇ ପାରେ।
ଏବେ ପ୍ରଥମ ବଣ୍ଡା ପୁଅ ଯେହେତୁ ପ୍ରଥମ MBBS ପାଇଲା ଆଉ ତା’ର ପୁଅ-ଝିଅ ଓ ତା ପରିବାର ଆରକ୍ଷଣ ଆଉ ପାଇବା ନାହିଁ ଆରକ୍ଷଣ ନୀତି ଅନୁଯାୟୀ । ଏ ନିଉଜ ମଧ୍ୟ ପ୍ରସାରିତ ହେଉ । ଓଡ଼ିଶାର ମଧ୍ୟ ଭାରି ଖୁସି ବଣ୍ଡା ପିଲା MBBS ପାଇଲା ବୋଲି । ମୂଖ୍ୟମନ୍ତ୍ରୀଙ୍କ ଫୋଟୋ ସୁଟ ଭଲ ଲାଗିଲା ବଢିବାର ସମସ୍ତ ଖର୍ଚ୍ଚ ସରକାର ବହନ କଲେ ଆହୁରି ଖୁସି ଲାଗନ୍ତା ।
ଦେଶରେ କିଛି ବର୍ଷ ପୂର୍ବରୁ ମାଙ୍କେଡିଆ ଜନଜାତି ବିଲୁପ୍ତ ହୋଇଗଲେ । ଏବେ ପୃଥିବୀରୁ ବିଲୁପ୍ତ ହେବାକୁ ଯାଉଥିବା ଗୋଷ୍ଠୀ ମଧ୍ୟରୁ ପ୍ରଥମ ଧାଡିରେ ବଣ୍ଡା ଆଦିବାସୀ ମାନେ ଠିଆ ହୋଇଛନ୍ତି । ଏପରି ଅନେକ ପ୍ରାଚୀନ ଆଦିବାସୀ ଗୋଷ୍ଠି ଜୀବଜଗତରୁ ବିଲୁପ୍ତ ଜୀବ ପାଲଟି ସାରିଲେଣି ।
ସମୀକ୍ଷାର ବେଳ-
ସୀତାଙ୍କ ଯୁଗ ଠାରୁ ଆଧୁନିକ ଭାରତର ସ୍ଵାଧୀନତାର ଏତେ ବର୍ଷ ପରେ ଆଜି ପ୍ରଥମ ବଣ୍ଡା ଆଦିବାସୀ କାହିଁକି MBBS ପାଇଲା । ଏଥି ପାଇଁ ଦାୟୀ କିଏ । ରାଜତନ୍ତ୍ର, ଗଣତନ୍ତ୍ର, ପ୍ରଜାତନ୍ତ୍ର, ଶିଳ୍ପତନ୍ତ୍ର,ବଜାର ତନ୍ତ୍ର ସବୁ ପ୍ରାଚୀନ ଆଦିବାସୀକୁ ବିକାଶର ପ୍ରଥମ ପାହାଚ ଚଢ଼େଇବାରେ ସବୁ ଫେଲ କାହିଁକି ମାରିଲେ ।
ବଣ୍ଡା ଭାଇ ମଙ୍ଗଲା ମୁଦୁଲିକୁ ଢେର୍ ସାରା ଅଭିନନ୍ଦନ ଏହା କେବଳ ତୁମର ସଫଳତା ନୁହେଁ ପୁରା ବଣ୍ଡା ସମ୍ପ୍ରଦାୟ ପାଇଁ ସଂଜୀବନୀ ଅଟେ। ଫୋଟୋ ସୁଟ୍ ସରିଛି ସରକାର କ’ଣ କରିବେ ଆମକୁ ଜଣାନାହିଁ । ସରକାରଙ୍କୁ ଅନୁରୋଧ ବଣ୍ଡା ଆଦିବାସୀ ଭାଇକୁ ଯଥା ଶକ୍ତି ସାହାଯ୍ୟର ହାତ ବଢ଼ାନ୍ତୁ । ମୁଦୁଲି ବଣ୍ଡା ଆଦିବାସୀ ପାଇଁ ବିକାଶର ରାସ୍ତା ନୁହେଁ ବିଲୁପ୍ତ ସମ୍ପ୍ରଦାୟ ପାଇଁ ଏକ ସଞ୍ଜୀବନି ।
ଅଜିତ କୁମାର ଭୋଇ
ବଲାଙ୍ଗିର