ଉର୍ମିମାଳା ଉର୍ମିଳା
===========
ପିତୃସତ୍ୟ ପାଳନ କରି ପ୍ରଭୁ ଶ୍ରୀରାମ ବନବାସକୁ ବାହାରିଲେ l ତାଙ୍କ ସହ ସଙ୍ଗୀ ହେଲେ, ଧର୍ମପତ୍ନୀ ମାଆ ଜାନକୀ l ବାଲ୍ୟ କାଳରୁ ଅଗ୍ରଜଙ୍କ ପଛରେ ଦୌଡୁ ଥିବା ଲକ୍ଷ୍ମଣ, କେମିତି ତାଙ୍କ ଠାରୁ ଦୁରେଇ ରହିଥାନ୍ତେ, ତେଣୁ ସେ ମଧ୍ୟ ତାଙ୍କ ସାଙ୍ଗରେ ବଣକୁ ଗଲେ l ମାତା ସୁମିତ୍ରା ଲକ୍ଷ୍ମଣଙ୍କୁ ଆଶୀର୍ବାଦ ଦେଇ କହିଲେ, ବାବୁରେ,ତୁ ଯେଉଁ ବଣକୁ ଯାଉଛୁ ସେହି ଵଣକୁ ଅଯୋଧ୍ୟା ମନେ କରି, ରାମ ସୀତାଙ୍କୁ ପିତା ମାତା ତୁଲ୍ୟ ସେବା କରିବୁ l
ରାମଂ ଦଶରଥଂ ବିଦ୍ଧି
ମାଂ ବିଦ୍ଧି ଜନକାତ୍ମଜାମ୍ l
ଅଯୋଧ୍ୟାମଟବୀଂ ବିଦ୍ଧି
ଗଚ୍ଛ ତାତ ଯଥା ସୁଖମ୍ ll
ମାଆଙ୍କ ଠାରୁ ଆଶୀର୍ବାଦ ଘେନି, ଲକ୍ଷ୍ମଣ ଚାଲିଲେ ପତ୍ନୀ ଉର୍ମିଳାଙ୍କ କକ୍ଷଆଡ଼େ l ମନରେ ଭାବନା ମା’ ତ ଆଜ୍ଞା ଦେଇ ଦେଲେ l ମାତ୍ର ଉର୍ମିଳାଙ୍କୁ କେମିତି ବୁଝେଇବି, କଅଣ କହିବି ! ସେ ଏମିତି ଭାବୁ ଭାବୁ ଉର୍ମିଳାଙ୍କ କକ୍ଷରେ ପହଞ୍ଚିଯାଇ ଦେଖନ୍ତି ତ ଉର୍ମିଳା ହାତରେ ଅର୍ଘ୍ୟ ଥାଳି ଧରି ଦଣ୍ଡାୟମାନ l
ଲକ୍ଷ୍ମଣଙ୍କୁ ଦେଖି ସେ କହିଲେ, ” ଆପଣ ମୋ ଚିନ୍ତା ଛାଡ଼ନ୍ତୁ l ପ୍ରଭୁଙ୍କ ସେବା ପାଇଁ ଆପଣ ବଣକୁ ଯାଆନ୍ତୁ l ମୋ ପାଇଁ ଆପଣଙ୍କ ସେବାରେ କୌଣସି ବାଧା ନଆସୁ l ମୁଁ ଆପଣଙ୍କ ସାଥିରେ ବନକୁ ଯିବାକୁ ଆଦୌ ଜିଦ୍ କରିବି ନାହିଁ l ମୁଁ ଏହିଠାରେ ରହି ସମସ୍ତଙ୍କ ସେବା କରିବି”l ଉର୍ମିଳାଙ୍କ ଠାରୁ ବିଦାୟ ଘେନି ସୌମିତ୍ରୀ ଅଗ୍ରଜଙ୍କ ସହ ଚାଲିଲେ ବନବାସକୁ l
ବନ ବାସର ପ୍ରଥମ ରାତ୍ରୀ l ପର୍ଣ୍ଣ କୁଟୀରରେ ପ୍ରଭୁ ଶ୍ରୀରାମ ଜାନକୀ ବିଶ୍ରାମକଲେ l ତାଙ୍କ ବିଶ୍ରାମରେ ଯେପରି କୌଣସି ବ୍ୟାଘାତ ନଉପୁଜେ ସେଥିପାଇଁ ଲକ୍ଷ୍ମଣ ମାତାଙ୍କ କଥାକୁ ସ୍ମରଣ କରି ଧନୁ ହସ୍ତରେ ପର୍ଣ୍ଣକୁଟୀରକୁ ଜଗିରହିଲେ l ରାତ୍ରି କ୍ରମେ ଗଭୀର ହେଉଥାଏ l ନିସ୍ତବ୍ଧରାତ୍ରିରେ ଅରଣ୍ୟରୁ ଭାସି ଆସୁ ଥାଏ ହିଂସ୍ର ଜନ୍ତୁ ଓ ଅଶରୀରୀ ମାନଙ୍କ ଭୟଂକର ଶବ୍ଦ l ଉନ୍ନିଦ୍ର ଲକ୍ଷ୍ମଣ ଦେଖିଲେ ତାଙ୍କ ଆଡ଼କୁ ଏକ ଛାୟାମୂର୍ତ୍ତୀ ଧିର ପଦ ପାତରେ ଅଗ୍ରସର ହେଇଛି l ଚମକି ପଡ଼ିଲେ ଲକ୍ଷ୍ମଣ l ଛାୟାମୂର୍ତ୍ତି କହିଲେ, ଭୟ କର ନାହିଁ ଲକ୍ଷ୍ମଣ ! ମୁଁ ନିଦ୍ରାଦେବୀ, ରାତ୍ରି କାଳରେ ମୁଁ ସମସ୍ତଙ୍କୁ ନିଦ୍ରାମୋହିତ କରେ l ତୁମେ ଉଜାଗର ଦେଖି ମୁଁ ତୁମ ପାଖକୁ ଆସିଥିଲି l ଧନୁ ଉତ୍ତୋଳନ କରି ଲକ୍ଷ୍ମଣ କହିଲେ, ତୁମେ ଶୀଘ୍ର ଏଠାରୁ ପଳାଇ ଯାଅ l ମୁଁ ପ୍ରଭୁ ଶ୍ରୀରାମଙ୍କ ସେବକ, ଚୋଉଦ ବର୍ଷ କାଳ ମୁଁ ଅନିଦ୍ର, ଅଭୁକ୍ତ ରହି ତାଙ୍କ ସେବା କରିବି l ତୁମେ ଏ ଚୋଉଦ ବର୍ଷ ଧରି, ମୋ ପାଖକୁ ଆସିବ ନାହିଁ l ବୃଥା ବାକ୍ୟାଳାପ ନ କରି ଏଠାରୁ ପଳାଅ l ନୋହିଲେ ଦେଖ ମୋ ହସ୍ତରେ ଏ ଧନୁର୍ବାଣକୁ l
ନିଦ୍ରାଦେବୀ କହିଲେ, ହେ ଲକ୍ଷ୍ମଣ,ପ୍ରକୃତିର ନିୟମ ତ ମୋତେ ପାଳନକରିବାକୁ ହେବ, ତୁମକୁ କିପରି ମୁଁ ତ୍ୟାଗ କରି ପାରିବି l ଲକ୍ଷ୍ମଣ କହିଲେ, ତେବେ ତୁମେ ଅଯୋଧ୍ୟା ଯାଅ l ସେଠାରେ ଦେବୀ ଉର୍ମିଳା ଅଛନ୍ତି l ତୁମେ ତାଙ୍କୁହିଁ ମୋର ଏ ଚୋଉଦ ବର୍ଷର ନିଦ୍ରା ଅର୍ପଣ କର l ସେ ନିଶ୍ଚିନ୍ତ ତୁମକୁ ସହଯୋଗ କରିବେ l ତାହା ହିଁ ହେଲା l ଲକ୍ଷ୍ମଣଙ୍କର ଚୋଉଦ ବର୍ଷ ନିଦ୍ରାକୁ ଭୋଗ କଲେ ପତ୍ନୀ ଉର୍ମିଳା l ଲକ୍ଷ୍ମଣ ଚୋଉଦବର୍ଷ ଅନିଦ୍ରା ରହି ରାମ ଜାନକୀଙ୍କ ସେବା କରିବାକୁ ଲାଗିଲେ l
ଘଟଣା କ୍ରମେ ପଞ୍ଚବଟୀରୁ ମାଆ ସୀତାଙ୍କ ହରଣ ହେଲା ଓ ରାମ ରାବଣଙ୍କ ମଧ୍ୟରେ ଯୁଦ୍ଧ ଲାଗିଲା l ରାବଣପୁତ୍ର ପ୍ରବଳ ପ୍ରତାପୀ ମେଘନାଦର ରାମଙ୍କ ସହ ଭୀଷଣ ଯୁଦ୍ଧ ହେଉଥାଏ କିନ୍ତୁ ତାକୁ ଶ୍ରୀରାମ ନିଧନ କରିବା ସମ୍ଭବ ହେଉ ନ ଥାଏ l ମେଘନାଦ ଶେଷକୁ ଲକ୍ଷ୍ମଣଙ୍କ ହସ୍ତରେ ନିହତହେଲା l କାରଣ ସେ ବର ପାଇଥିଲା ଜଣେ ଅନିଦ୍ର ଅଭୂକ୍ତ ରହିଥିବା ବ୍ୟକ୍ତି ହାତରେ ହିଁ ସେ ନିହତ ହେବ l
ରାବଣ ନିଧନକରି ମାତା ଜାନକୀଙ୍କୁ ଉଦ୍ଧାର କରି, ପ୍ରଭୁ ଶ୍ରୀରାମ ଅଯୋଧ୍ୟାକୁ ଫେରିଆସିଲେ l ପୌଷ ପୂର୍ଣ୍ଣିମା ତିଥିରେ ତାଙ୍କର ରାଜ୍ୟାଭିଷେକ ଆଡମ୍ବର ସହ ଶେଷ ହେଲା l ପ୍ରଭୁ ସୁଖରେ ପ୍ରଜା ପାଳିବାକୁ ଲାଗିଲେ l ରାମରାଜ୍ୟରେ ସର୍ବ ଶାନ୍ତି ବିରାଜମାନ କରୁଥାଏ l ପ୍ରଜାମାନେ ଅତି ସୁଖରେ ଥାନ୍ତି l
ଏହି ସମୟରେ ଦିନେ ମହର୍ଷି ଅଗସ୍ତ୍ୟ ଆସି ରାମ ଦରବାରରେ ଉପସ୍ଥିତ ହେଲେ l ପଦ ବନ୍ଦନା କରି ପ୍ରଭୁ ତାଙ୍କୁ ସ୍ୱାଗତକଲେ l ପରସ୍ପର କୁଶଳ ଜିଜ୍ଞାସା ପରେ ମହର୍ଷି କହିଲେ, ରାମ ! ମୁଁ ଲଙ୍କାରେ ରାବଣ ସହ ତୁମର ଭୀଷଣସଂଗ୍ରାମ କଥା ଶୁଣିଛି l ଏହାକୁ ମୁଁ ଟିକିଏ ବିସ୍ତାର ପୂର୍ବକ ଶୁଣିବାକୁ ଚାହେଁ l ତୁମେ କିପରି ସେହି ଭୟଙ୍କର ରାକ୍ଷସ ମାନଙ୍କୁ ବଧ କଲ ତାହା ଜାଣିବାକୁ ମୁଁ ବଡ଼ କୌତୁହଳି ହୋଇପଡ଼ିଛି l ବିଶେଷ କରି, କେଉଁ କେଉଁ ରାକ୍ଷସ ମାନଙ୍କୁ ତୁମେ ସଂହାର କଲ ଏବଂ କେଉଁ ରାକ୍ଷସ ମାନଙ୍କୁ ଲକ୍ଷ୍ମଣ ସଂହାର କଲେ ତାହା ମୁଁ ଜାଣିବାକୁ ଚାହେଁ l
ଶ୍ରୀରାମ କହିଲେ, ହଁ ମହର୍ଷି ! ଭୀଷଣକାୟ ସେହି ରାକ୍ଷସ ମାନଙ୍କ ନିଧନ ପାଇଁ ଆମକୁ ଅନେକ କଷ୍ଟ କରିବାକୁ ପଡ଼ିଛି l ସେଠାରେ ଆମେ ବହୁ ରାକ୍ଷସ ମାରିଛୁ l ମୁଁ ରାବଣ ଓ କୁମ୍ଭକର୍ଣ୍ଣକୁ ମାରିଛି l ପ୍ରବଳ ପ୍ରତାପୀ ମେଘନାଦ ଭାଇ ଲକ୍ଷ୍ମଣ ହସ୍ତରେ ମରିଛି l ସେ ଏକଦା ଇନ୍ଦ୍ରଙ୍କୁ ଜୟ କରି, ଇନ୍ଦ୍ରଜିତ ନାମରେ ପରିଚିତ ହୋଇଥିଲା l
ମହର୍ଷି ଅଗସ୍ତ୍ୟ କହିଲେ, ‘ହଁ ରାମ, ମୁଁ ମେଘନାଦ ବିଷୟରେ ଜାଣେ l ମହା ବଳଶାଳୀ ମହାଯୋଦ୍ଧା ଇନ୍ଦ୍ରଜିତକୁ ଲକ୍ଷ୍ମଣ ବଧ କରିଛନ୍ତି ଏହାହିଁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି l ଏଣୁ ମୁଁ ନିର୍ଦ୍ବନ୍ଦ୍ବରେ କହିପାରେ, ଲକ୍ଷ୍ମଣଙ୍କ ସମକକ୍ଷ ବୀର, ଏହି ତ୍ରିଜଗତରେ ଆଉ କେହି ନାହିଁ ‘ l
ଶ୍ରୀରାମ ଆଶ୍ଚର୍ଯ୍ୟ ହୋଇ କହିଲେ, ହେ ମହର୍ଷି ! ରାବଣ ଓ କୁମ୍ଭକର୍ଣ୍ଣଠାରୁ ଇନ୍ଦ୍ରଜିତକୁ କଅଣ ଆପଣ ଆହୁରି ଅଧିକ କ୍ଷମତାଶାଳୀ ବୋଲି ମନେ କରୁଛନ୍ତି l
ଅଗସ୍ତ୍ୟ କହିଲେ,’ ହଁ ମୁଁ ଜାଣେ, ଇନ୍ଦ୍ରଜିତକୁ ବଧ କଲାଭଳି ବୀର, ଏ ତ୍ରିଭୁବନରେ କେହି ନଥିଲେ l କେବଳ ଯିଏ ଚଉଦ ବର୍ଷ କାଳ ଆହାର ନିଦ୍ରା ପରିତ୍ୟାଗ କରି ଥିବ ଓ ନାରୀ ମୁଖ ଦର୍ଶନ କରି ନ ଥିବ, ସେହି ତାକୁ ବଧ କରିବାରେ କେବଳ ସମର୍ଥ ହେବ l
ମହର୍ଷି ଅଗସ୍ତ୍ୟଙ୍କ ସହ କଥୋପକଥନରୁ ଶ୍ରୀରାମ ସବୁକଥା ଜାଣିପାରିଲେl ସବୁ ରହସ୍ୟ ଉନ୍ମୋଚନ ହେଲା l ସେ ମଧ୍ୟ ଜାଣିପାରିଲେ ଦେବୀ ଉର୍ମିଳାଙ୍କ ତ୍ୟାଗ ବିଷୟରେ l ଶ୍ରୀରାମ ଆନନ୍ଦ ଗଦ୍ଗଦ ହୋଇ କହିଲେ, ଆଜି ଅଯୋଧ୍ୟା ରାଜ ଦରବାରରେ ଚାରି ଗୋଟି ସିଂହାସନ ପଡୁ, ରାମ ସୀତାଙ୍କ ପାଇଁ ଦୁଇଟି ଓ ଲକ୍ଷ୍ମଣ ଉର୍ମିଳାଙ୍କ ପାଇଁ ଦୁଇଟି l
ଦେବୀ ଉର୍ମିଳା ଯୋଡ଼ହସ୍ତ ହୋଇ କହିଲେ, ପ୍ରଭୁ ! ମୋର କୌଣସି ସିଂହାସନ ଲୋଡ଼ାନାହିଁ l ମୋତେ ଏତିକି ଅନୁଗ୍ରହ କରନ୍ତୁ, ଯୁଗ ଯୁଗ ପାଇଁ ଆପଣଙ୍କ ଚରଣରେ ମୁଁ ସେବକୀ ହୋଇ ରହିଥାଏ l ଶ୍ରୀରାମ ଅତ୍ୟନ୍ତ ପ୍ରୀତହୋଇ କହିଲେ, ହେ ଦେବୀ ! ତୁମେ ଯେଉଁ ବର ଚାହୁଁଛ ମୋ ଠାରୁ ମାଗି ନିଅ l
ଉର୍ମିଳା ହାତଯୋଡ଼ି କହିଲେ,ହେ ପ୍ରଭୁ ! ମୋତେ ଏହି ବର ଦିଅନ୍ତୁ, ମୋର କେଉଁଠାରେ ମନ୍ଦିର ନରହୁ l କେହି ମୋର ପୁଜା ନକରନ୍ତୁ l ଆଉ ଆପଣ ମୋତେ ଏକ ସୁଗନ୍ଧିତ ନୈବେଦ୍ୟରେ ରୂପାନ୍ତରିତ କରିଦିଅନ୍ତୁ ମୁଁ ଯେପରି ଆପଣଙ୍କୁ ତଥା ଅନ୍ୟ ମାନଙ୍କୁ ଅମୋଦିତ କରି ପାରିବି l ପ୍ରଭୁ କହିଲେ, ତାହାହିଁ ହେବ l କଳି କାଳରେ ମୁଁ ଜଗନ୍ନାଥ ରୂପେ ନୀଳାଚଳରେ ଲୀଳା କରିବି, ମୋର ପ୍ରସାଦ ହେବ ମହାପ୍ରସାଦ l ତୁମେ ସେ ମହାପ୍ରସାଦର ସୁବାସ ରୂପେ ଜନମନ ହରଣ କରିବ l ଆଉ ଭକ୍ତମାନେ ମହାପ୍ରସାଦକୁ ଅନ୍ନବ୍ରହ୍ମ କୈବଲ୍ୟ ରୂପେ ପୂଜା କରିବେ l
ଉର୍ମିଳା ପୁଣି ପ୍ରାର୍ଥନା କଲେ,ପ୍ରଭୁ ! ଆଉ ଗୋଟିଏ ଅନୁରୋଧ l ମୋତେ ଆଶୀର୍ବାଦ କରନ୍ତୁ l ଯେତେ ବେଳେ ଆପଣ ରତ୍ନ ବେଦୀରେ ବିଜେ କରିଥିବେ, ମୁଁ ମହୋଦଧିର ଉର୍ମିମାଳା ହୋଇ ଆସି ଆପଣଙ୍କ ଚରଣ କମଳକୁ ସ୍ପର୍ଶ କରି ଯାଉ ଥିବି l ଉର୍ମିଳାଙ୍କୁ ଏହି ବରଦେଇ ପ୍ରଭୁ କହିଲେ, ହେ ଦେବୀ ! ତୁମେ ତୁମର ନିଃସ୍ଵାର୍ଥ ସେବା ଓ ନିର୍ମଳଭକ୍ତି ପାଇଁ ଯୁଗେ ଯୁଗେ ଅମର ହୋଇ ରହିଥିବ l
ବାସ୍ତବିକ୍ ରାମାୟଣ ମହା କାବ୍ୟରେ ଉର୍ମିଳା ଏକ ତ୍ୟାଗପୂତ ଚରିତ୍ର l ସେ ପୂର୍ବଜନ୍ମରେ ଥିଲେ ଶେଷ ଦେବ ଲକ୍ଷ୍ମଣଙ୍କ ପତ୍ନୀ ନାଗଲକ୍ଷ୍ମୀ l କ୍ଷୀରସମୂଦ୍ର ହିଁ ନାଗଲକ୍ଷ୍ମୀ l କ୍ଷୀର ସାଗର କୋଳରେ ଶେଷ ନାଗ ଲକ୍ଷ୍ମଣ ଅନନ୍ତ ରୁପେ ଅନନ୍ତଶୟନରେ ମହାବିଷ୍ଣୁଙ୍କୁ ଧାରଣକରିଥିଲେ l ମହାବିଷ୍ଣୁ ଯେତେବେଳେ ରାମ ଅବତାର ନେଲେ ସେତେବେଳେ ଶେଷନାଗ ଏବଂ ନାଗଲକ୍ଷ୍ମୀ, ଲକ୍ଷ୍ମଣ ଓ ଉର୍ମିଳା ଭାବେ ଦେବକାର୍ଯ୍ୟ ନିମନ୍ତେ ଧରାରେ ଅବତୀର୍ଣ୍ଣ ହୋଇଥିଲେ l
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧