ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୩୦
ଯୋଗ ସାଧନା
ନିଗମାନନ୍ଦ ସୁମେରୁଦାସଜୀଙ୍କ ଉପଦେଶ ଅନୁସାରେ ପ୍ରଥମେ ଶରୀରକୁ ସାଧନା ଉପଯୋଗୀ କରିବା ନିମିତ୍ତ ହଠଯୋଗର ଷଟ୍ – ସାଧନା ଦ୍ବାରା ଶରୀର ଶୋଧନର ଅଭ୍ୟାସ କରିବାକୁ ଲାଗିଲେ। ହଠଯୋଗ ଓ ଲୟ ଯୋଗ ସମ୍ପୂର୍ଣ୍ଣ ପୃଥକ୍ । ହଠଯୋଗ ଦ୍ଵାରା ଶରୀର ଚାରି ପାଞ୍ଚ ଶତ ବର୍ଷ ସ୍ଥାୟୀ ହୁଏ,ଲୟ ଯୋଗ ଦ୍ୱାରା ଜୀବାତ୍ମା ଓ ପରମାତ୍ମାଙ୍କର ଲୟ ହୁଏ । ହଠଯୋଗର ଷଟ୍ ସାଧନା ସାହାଯ୍ୟରେ ଶରୀର ଶୋଧନ କରିବାକୁ ହୁଏ । ଶରୀର ଶୋଧନ ନ ହେଲେ ଲୟ ଯୋଗର ଅପରାପର ସାଧନଗୁଡ଼ିକ କ୍ରିୟାଶୀଳ ହୁଏ ନାହିଁ ।
ସୁମେରୁଦାସଜୀ ଷଟ୍ ସାଧନାର ପ୍ରତ୍ୟେକ କ୍ରିୟାକୁ ଦୁଇ ମାସ କରି ଅଭ୍ୟାସ କରିବାକୁ ନିଗମାନନ୍ଦଙ୍କୁ ଉପଦେଶ ଦେଇଥିଲେ। ଧୌତ ପ୍ରକରଣ ଶେଷ କରିବାକୁ ବର୍ଷେ ଲାଗିବାର କଥା । ଏକ ବର୍ଷରୁ ଅଧିକ ସମୟ ଶୋଧନ ଅଭ୍ୟାସ କରିବା ଅନାବଶ୍ୟକ; କିନ୍ତୁ ଆସନ ଅଭ୍ୟାସ ଓ ଧୌତ ଏକା ସାଙ୍ଗରେ କରାଯାଇ ପାରେ । ନାସିକା ମଧ୍ୟରେ ସୂତ୍ର ଚାଳନା କରିବା , ଗରମ ଜଳ ସହିତ ତିନି ଆଙ୍ଗୁଳି ଚଉଡା କନା ଉଦରସ୍ଥ କରି ପୁନରାୟ ତାହା ଦମନ କରିବା , ପୁଷ୍କରିଣୀ ଜଳ ଭିତରେ ଅଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ଦେଇ ମଳଦ୍ଵାର ଓ ଲିଙ୍ଗଦ୍ବାର ଦ୍ଵାରା ମୁଦ୍ରା ବିଶେଷ ସାହାଯ୍ୟରେ ଜଳ ଗ୍ରହଣ ଓ ତ୍ୟାଗ କରିବା ଇତ୍ୟାଦି ଶୋଧନ ପ୍ରକ୍ରିୟା କରିବାରେ ଦିନ ଅତିବାହିତ ହେବାକୁ ଲାଗିଲା ।
ଯୋଗର ପ୍ରଥମ ଓ ପ୍ରଧାନ ସାଧନା ମେରୁଦଣ୍ଡ ସିଧା କରିବା । ଏହି ଉଦ୍ଦେଶ୍ୟରେ ନିଗମାନନ୍ଦ ଆସନ ଅଭ୍ୟାସ ଆରମ୍ଭ କଲେ । ଆସନରେ ବସିବା ସମୟରେ କାଳେ ନିଦ ଲାଗିଯିବ ,ତେଣୁ ସେ ପଛ ପଟେ ଗୋଟିଏ କାଠର ତକ୍ତା ପୋତି ରାତି ପରେ ରାତି ବିନିଦ୍ର ନୟନରେ ଆସନ ଅଭ୍ୟାସ କରିବାକୁ ଲାଗିଲେ । ଯୋଗ ଅଭ୍ୟାସ ସମୟରେ ଯୋଗ ସାଧନ ଜନିତ କ୍ଷୟ ପୂରଣ କରିବା ପାଇଁ ରାଜାଙ୍କ ପରି ଦୁଧ, ଘିଅ ଖାଇବା ଦରକାର । ସାରଦାବାବୁ ଅକୁଣ୍ଠିତ ଚିତ୍ତରେ ନିଗମାନନ୍ଦଙ୍କ ପାଇଁ ସେହିଭଳି ବ୍ୟବସ୍ଥା କରିଦେଲେ । ଏହି ପରି ପ୍ରାୟ ନଅ ମାସ ଗତ ହେଲା ।
ଯୋଗବିଘ୍ନ
ଜଣେ ସନ୍ନ୍ୟାସୀ ସାରଦାବାବୁଙ୍କ ଉଦ୍ୟାନରେ ଯୋଗ ସାଧନା କରୁଛନ୍ତି , ଏହା କ୍ରମେ ସର୍ବତ୍ର ରାଷ୍ଟ୍ର ହୋଇପଡ଼ିଲା । ନିଗମାନନ୍ଦଙ୍କ ନିକଟକୁ ଲୋକେ ବିଶେଷତଃ ସ୍କୁଲର ଛାତ୍ରମାନେ ଯାତାୟାତ କରିବାକୁ ଲାଗିଲେ। ଦିନେ ନିଗମାନନ୍ଦ ସେମାନଙ୍କୁ ପଚାରିଲେ , “ତୁମେମାନେ କାହିଁକି ଆସୁଛ ?” ସେମାନେ ଉତ୍ତର ଦେଲେ , “ବାବା, ଆମକୁ ଶିଷ୍ୟ କରି ଯୋଗ ଶିକ୍ଷା ଦିଅନ୍ତୁ ।” ନିଗମାନନ୍ଦ କହିଲେ, “ମୁଁ କଣ ଜାଣେ ଯେ ଶିକ୍ଷା ଦେବି ?” ସେମାନେ କହିଲେ, “ଆପଣ ଯାହା ଜାଣନ୍ତି ,ତାହା ହିଁ ଶିକ୍ଷା ଦିଅନ୍ତୁ ।” ଏହିପରି ଭାବରେ ପ୍ରତିଦିନ ଲୋକ ଆସି ନାନା ପ୍ରକାର ପ୍ରଶ୍ନ କରି ସନ୍ନ୍ୟାସୀଙ୍କର ସମୟ ନଷ୍ଟ କଲେ ଓ ଅଧିକ ବାକ୍ୟବ୍ୟୟ କରି ନିଗମାନନ୍ଦଙ୍କ ଶରୀରରେ ବାୟୁ ବୃଦ୍ଧି ହେଲା । ଉଦ୍ୟାନ ମଧ୍ୟସ୍ଥ ପୁଷ୍କରିଣୀକୁ ବାହାରର ସ୍ତ୍ରୀ ପୁରୁଷ ସ୍ନାନ କରିବାକୁ ଆସି ସନ୍ନ୍ୟାସୀଙ୍କର ମଳଦ୍ଵାର ଦ୍ଵାରା ଜଳ ଆକର୍ଷଣ ଓ ତ୍ୟାଗ ପ୍ରକ୍ରିୟା ଦେଖିବାକୁ ଲାଗିଲେ । ଏଥିରେ ନିଗମାନନ୍ଦ ବିରକ୍ତି ହୋଇ ଅସୁବିଧା ଗୁଡ଼ିକୁ ଦୂର କରିବା ନିମିତ୍ତ ସାରଦାବାବୁଙ୍କୁ କହିଲେ । ସାରଦାବାବୁ ଉପରବେଳା ଚାରିଟା ପର୍ଯ୍ୟନ୍ତ ତାଙ୍କ ନିକଟକୁ ଲୋକ ଯିବା ବନ୍ଦ କରିଦେଲେ ଓ ଧୌତ ନିମିତ୍ତ ଗୋଟିଏ ଇଟାକ କୁଣ୍ଡ ପ୍ରସ୍ତୁତ କରାଇ ସେଥିରେ ପାଣି ଭର୍ତ୍ତି କରି ରଖିବାର ବ୍ୟବସ୍ଥା କଲେ ।
ସ୍ଥାନ ତ୍ୟାଗ
ଏଥିରେ ବାହାର ଉପଦ୍ରବ କେତେକ ପରିମାଣର ପ୍ରଶମିତ ହେଲେ ମଧ୍ୟ ଆଉ ଗୋଟିଏ ନୂତନ ଉପଦ୍ରବ ଉପସ୍ଥିତ ହେଲା । କିନ୍ତୁ ସେ ପରେ ବୁଝିଲେ ଯେ, ମାୟା ତାଙ୍କର ଅନୁଚର ମାନଙ୍କ ସାହାଯ୍ୟରେ ଯୋଗରେ ବିଘ୍ନ ଘଟାଉଛନ୍ତି। ଯୋଗବିଘ୍ନ ରୂପ ଅନ୍ତରାୟ ଉପସ୍ଥିତ ହେଲେ ସାଧକଙ୍କର ଉତ୍କର୍ଷ ଲାଭ ସୁଦୂରପରାହତ । କିନ୍ତୁ ଏହି ଯୋଗବିଘ୍ନ ଦୂର କରିବା ସାରଦାବାବୁଙ୍କ ପକ୍ଷରେ ସାଧ୍ୟାତୀତ ମନେକରି ନିଗମାନନ୍ଦ ଗୋପନରେ ସେ ସ୍ଥାନ ତ୍ୟାଗ କରିବାର ସଂକଳ୍ପ କଲେ । କିନ୍ତୁ ସାରଦାବାବୁଙ୍କୁ ନ କହି ଚାଲି ଯିବାଟା ଅକୃତଜ୍ଞର କାର୍ଯ୍ୟ ହେବ ବୋଲି ବିଚାରି ” ସାଧନ କାର୍ଯ୍ୟର ନାନାରୂପ ଅସୁବିଧା ଓ କୌଣସି ଗୁରୁତର କାରଣ ହେତୁ ମୁଁ ଏ ସ୍ଥାନ ତ୍ୟାଗ କରି ଗୁରୁଦେବଙ୍କ ଆଦେଶରେ ଅନ୍ୟତ୍ର ଚାଲିଲି ” ବୋଲି ଖଣ୍ଡିଏ ପତ୍ର ସାରଦାବାବୁଙ୍କ ନିକଟକୁ ଲେଖିଦେଇ ନିଗମାନନ୍ଦ ରାତିରେ ଗୋପନରେ ସେ ସ୍ଥାନ ତ୍ୟାଗ କଲେ । ସେଠାରୁ ସିରାଜଗଞ୍ଜ ବାଟେ ଗୌହାଟୀ ଯାତ୍ରା କଲେ । ( କ୍ରମଶଃ )
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି