9th August 2024
ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୨୬
ଡାକ୍ତର ଆନିବେସାନ୍ତଙ୍କ ସହିତ ଆଲୋଚନା
ନିଗମାନନ୍ଦ କଲିକତା ଆସି ପୂର୍ବେ ଯେଉଁଠି ଥିଲେ, ସେଠାରେ ରହିବାକୁ ଠିକ୍ ମନେ କଲେ ନାହିଁ। କାରଣ ସେ ଯେ ବର୍ତ୍ତମାନ ସନ୍ନ୍ୟାସୀ; ସନ୍ନ୍ୟାସୀଙ୍କ ପୂର୍ବ ପରିଚୟ ବାଞ୍ଛନୀୟ ନୁହେଁ । ତେଣୁ ସେ ଧର୍ମଶାଳାରେ ଅବସ୍ଥାନ କରିବାକୁ ଲାଗିଲେ । ଦୁଇ ଚାରିଦିନ ପରେ ସମ୍ବାଦପତ୍ରରେ ଦେଖିଲେ, ଥିଓସଫିଷ୍ଟ ଆନିବେସାନ୍ତ କୃଷ୍ଣନଗରରେ ପରଲୋକ ସମ୍ବନ୍ଧରେ ବକ୍ତୃତା ଦେବେ । କୌଣସି ନୂଆ କଥା ପ୍ରକାଶ କରିବେ କି ନାହିଁ ଏବଂ ବେଦାନ୍ତ ଦର୍ଶନ ଠାରୁ ତାଙ୍କ ତତ୍ତ୍ଵ କେତେ ପୃଥକ୍, ଲେଡିବିଟର ସାହେବଙ୍କଠାରୁ ସେ ଅଧିକ ଜାଣିଛନ୍ତି କି ନାହିଁ , ଏସବୁ ଜାଣିବା ପାଇଁ ନିଗମାନନ୍ଦଙ୍କର ବଡ଼ କୌଶଳ ଜାତ ହେଲା ।
ସେ ତାଙ୍କର ଲୋଟା କମ୍ୱଳ ପ୍ରଭୃତି ନେଇ ସିଆଲଦା ଷ୍ଟେସନରେ ପହଞ୍ଚିଗଲେ । ହାତରେ ପଇସା ନାହିଁ, ଅଥଚ ଟ୍ରେନରେ ଯିବାକୁ ଇଚ୍ଛା। ମାତ୍ର ବିନା ଟିକଟରେ ଟ୍ରେନରେ ବସିବାକୁ ମନ ନ ହେବାରୁ ସେ ଇତସ୍ତତଃ ବୁଲିବାକୁ ଲାଗିଲେ । ବର୍ତ୍ତମାନ ସମୟ ପରି ସାଧୁ ସନ୍ନ୍ୟାସୀ ମାନଙ୍କର ଟ୍ରେନରେ ଯିବା ନିମିତ୍ତ ସେତେବେଳେ ଏତେ କଡ଼ା ନିୟମ ନଥିଲା ; କିନ୍ତୁ ଉପଯାଚକ ହୋଇ ପ୍ରାର୍ଥୀ ହେବାକୁ ହେବ, ଏହା ତାଙ୍କୁ ଭଲ ଲାଗିଲା ନାହିଁ।
ଏହି ସମୟରେ କୃଷ୍ଣନଗର ଯାତ୍ରୀ ଜଣେ ଭଦ୍ର ଲୋକ ଆପଣା ମନକୁ ପଚାରି ବୁଝିଲେ ଯେ, ସ୍ବାମୀଜୀ କୃଷ୍ଣନଗର ଯିବେ । ଭାଦ୍ର ଲୋକ ଗାର୍ଡଙ୍କୁ କହି ଟ୍ରେନରେ ବସାଇଦେବାରୁ ନିଗମାନନ୍ଦ କୃଷ୍ଣନଗରରେ ଉପସ୍ଥିତ ହୋଇ ପରମେଶ୍ବର ଲାହିଡି ନାମକ ଜଣେ ଓକିଲଙ୍କ ବସାରେ ରହିଲେ । ଯଥା ସମୟରେ ଉକ୍ତ ଓକିଲ ଓ ନିଗମାନନ୍ଦ ସଭା ସ୍ଥଳରେ ଉପସ୍ଥିତ ହେଲେ । ସେଠାରେ ଯାଇ ଦେଖିଲେ ସଭାସ୍ଥଳ ଲୋକାରଣ୍ୟ। ବେସାନ୍ତଙ୍କ ଅଦ୍ଭୁତ ବକ୍ତୃତା ଶକ୍ତି ଓ ଶାସ୍ତ୍ରଗତ ବିଦ୍ୟାରେ ଅଗାଧ ପାଣ୍ଡିତ୍ୟ ଦେଖି ନିଗମାନନ୍ଦ ଚମତ୍କୃତ ହେଲେ । କିନ୍ତୁ ବେସାନ୍ତଙ୍କ ସାମ୍ପ୍ରଦାୟିକ ମତ ହିନ୍ଦୁ ଶାସ୍ତ୍ରର ବହିର୍ଭୂତ ବୋଲି ତାଙ୍କର ଧାରଣା ହେବାକୁ ଲାଗିଲା । ବେସାନ୍ତ ବକ୍ତୃତା ଶେଷରେ କହିଲେ ଯେ, ଯଦି କାହାର ତାଙ୍କ ବକ୍ତୃତାରେ କିଛି ଆପତ୍ତି କରିବାର ଥାଏ କିମ୍ବା କୌଣସି ଅଂଶ ସମ୍ବନ୍ଧରେ କିଛି ସମାଲୋଚନା କରିବାର ଥାଏ, ତେବେ ତାଙ୍କ ବସାକୁ ଗଲେ ସେ ତାହା ଶୁଣିବେ ଏବଂ ମୀମାଂସା କରିବେ ।
ପରଦିନ ନିଗମାନନ୍ଦ ପୂର୍ବୋକ୍ତ ଓକିଲ ମହାଶୟଙ୍କୁ ସଙ୍ଗରେ ନେଇ ବେସାନ୍ତଙ୍କ ବସାକୁ ଯାଇ କହିଲେ, ” ଆପଣ ବକ୍ତୃତାର କୌଣସି ଅଂଶରେ କହିଛନ୍ତି କି, ମୃତ୍ୟୁ ପରେ ପ୍ରତ୍ୟେକ ବ୍ୟକ୍ତିଙ୍କର ପୃଥିବୀରେ ଜୀବିତାବସ୍ଥାରେ ଘଟିଥିବା ସମସ୍ତ ଘଟଣା ମନେଥାଏ — ଏହା କିପରି ବା ସମ୍ଭବ ହୋଇପାରିବ ?”
ବେସାନ୍ତ — କାହିଁକି ସମ୍ଭବ ହୋଇ ପାରିବ ନାହିଁ ? ପ୍ରତ୍ୟେକ ଘଟଣା ମୃତ ବ୍ୟକ୍ତିଙ୍କର ମନରେ ଥାଏ ।
ନିଗମାନନ୍ଦ — ମୃତ୍ୟୁ ପରେ ଯଦି ପ୍ରତ୍ୟେକ ଘଟଣା ଜୀବର ମନେ ରହିବ, ତେବେ ଆଉ ପୁନର୍ଜନ୍ମ ହେବ ନାହିଁ ।
ବେସାନ୍ତ — କାହିଁକି ହେବ ନାହିଁ ? ନିଶ୍ଚୟ ହେବ ।
ନିଗମାନନ୍ଦ — ସତ୍ ଅସତ୍ ଘଟଣା ସବୁ ଯଦି ପରକାଳରେ ସ୍ମରଣ ହୁଏ ଏବଂ ସେସବୁର ଫଳାଫଳ ଯଦି ସ୍ମୃତିପଟରେ ଉଦୟ ହୁଏ , ତେବେ ମନ୍ଦ ପଥ ତ୍ୟାଗ କରି ପ୍ରତ୍ୟେକ ଲୋକ କ୍ରମେ ମୁକ୍ତି ପଥରେ ଉପରକୁ ଉଠିଯିବେ, ଆଉ ଜନ୍ମ ହେବେନାହିଁ । କୁକାର୍ଯ୍ୟର କୁଫଳରେ ସେମାନେ ଏତେ ବିରକ୍ତି ହୋଇଯିବେ ଯେ, ସେମାନେ ମନ୍ଦପଥ କୌଣସି ପ୍ରକାରେ ଗ୍ରହଣ କରିପାରିବେ ନାହିଁ; ସୁତରାଂ ସେମାନେ ସୁପଥ ବାଛିନେଇ ଦେବଯାନରେ ଗତି କରିବେ।
ବେସାନ୍ତ — (ରାଗି ଉଠି) ତେବେ ଆପଣ କଣ କହିବାକୁ ଚାହାନ୍ତି?
ନିଗମାନନ୍ଦ — ମୃତ ବ୍ୟକ୍ତିଙ୍କର କେବଳ ପ୍ରବଳ ଆସକ୍ତିର କଥା ସ୍ମରଣ ହୁଏ । ମନୁଷ୍ୟ ଯେଉଁ ବିଶିଷ୍ଟ ବସ୍ତୁ ପ୍ରତି ଆକୃଷ୍ଟ ଥାଏ, ସେହି ବସ୍ତୁର ଆକର୍ଷଣରେ ପ୍ରବୃତ୍ତି ପଥରେ ପୁନର୍ଜନ୍ମ ଗ୍ରହଣ କରେ । ଯେଉଁ ବ୍ୟକ୍ତି ସତ୍ ଅର୍ଥାତ୍ ଭଗବତ୍ ଆରାଧନା କରନ୍ତି, ତାଙ୍କର ସେହି ଆରାଧନାରେ ପ୍ରବଳ ଆସକ୍ତି ଥାଏ । ସୁତରାଂ ସେ ସୁପଥରେ ଗମନ କରିବେ, ଆଉ ଫେରିବେ ନାହିଁ । ଆପଣଙ୍କର ଯୁକ୍ତି ଯେ, ପ୍ରତ୍ୟେକ ଘଟଣା ସ୍ମରଣ ରହିବ; ଏହା ଭ୍ରମପୂର୍ଣ୍ଣ, ଅବୈଜ୍ଞାନିକ, ଓ ଯୁକ୍ତି ବିରୁଦ୍ଧ । ମନୁଷ୍ୟ ଜୀବିତ ଅବସ୍ଥାରେ ଅନେକ କଥା ଭୁଲି ଯାଉଛି । ମୃତ୍ୟୁ ଏକ ଭୀଷଣ ପରିବର୍ତ୍ତନ । ମୃତ୍ୟୁ ପରେ ଯେ ସେ ପ୍ରତ୍ୟେକ ଘଟଣା ମନେ ରଖିବ ତାହା ଆପଣ କିପରି ଜାଣିଲେ ?
ବେସାନ୍ତଙ୍କ ମୁଖ ଲାଲ ହୋଇଆସିଲା । ସେ ରୁକ୍ଷ ସ୍ଵରରେ କହିଲେ, ” ମୋର ଜ୍ଞାନ ଦ୍ଵାରା ଜାଣିଲି, ମୋର ଜ୍ଞାନ ଦ୍ଵାରା ଜାଣିଲି। ( My knowledge, My knowledge) ।”
ବାଦାନୁବାଦରେ ବେସାନ୍ତ କେବଳ ଚିତ୍କାର କରିବାକୁ ଲାଗିଲେ । ଏହା ଦେଖି ପରମେଶ୍ବର ବାବୁ କହିଲେ, ” ମହାଶୟ; ଆପଣ ଯାହାଙ୍କ ସହିତ ତର୍କ କରୁଛନ୍ତି, ସେ ଆପଣଙ୍କ ଚକ୍ଷୁରେ ବାଳକ ଥିଲେ ମଧ୍ୟ ବୈଦାନ୍ତିକ ସନ୍ନ୍ୟାସୀ ଏବଂ କିଛି ଦିନ ଲେଡିବିଟରଙ୍କ ନିକଟରେ ରହି ପରଲୋକ ତତ୍ତ୍ଵର ଅନୁସନ୍ଧାନ କରିଛନ୍ତି । ଏହାଙ୍କ କଥା ଶୁଣି ଆପଣଙ୍କର ଯୁକ୍ତି ଥିଲେ କୁହନ୍ତୁ ।
ବେସାନ୍ତ ଟିକିଏ ପ୍ରକୃତିସ୍ଥ ହୋଇ ଈଷିତ୍ ହାସ୍ୟ କରି କହିଲେ ” ବେଶ୍ କହନ୍ତୁ।”
ନିଗମାନନ୍ଦ — ଜ୍ଞାନ କହିଲେ ନାନା ପ୍ରକାର ଜ୍ଞାନ ବୁଝାଏ । କାହାଠାରୁ ଶୁଣି ଜ୍ଞାନ ଲାଭ ହୁଏ, ପୁସ୍ତକ ପାଠକରି ଜ୍ଞାନ ଲାଭ ହୁଏ କିମ୍ବା ନିଜେ ସାଧନ କରି ଜ୍ଞାନ ଲାଭ ହୁଏ । ଏହି ତିନି ପ୍ରକାର ଜ୍ଞାନ ଭିତରୁ ଆପଣ କି ଭାବରେ ପରଲୋକ ସମ୍ବନ୍ଧୀୟ ଜ୍ଞାନ ଲାଭ କରିଛନ୍ତି?
ବେସାନ୍ତ — ଆମ ସମିତିର ଶୀର୍ଷାଦେଶରେ ଯେଉଁମାନେ ଅଛନ୍ତି, ସେମାନଙ୍କୁ ମାଷ୍ଟର କୁହାଯାଏ । ସେମାନେ ତ୍ରିକାଳଜ୍ଞ ମହାପୁରୁଷ। ହିମାଳୟର ନିଭୃତ କନ୍ଦରରେ ରହି ସେମାନେ ଲୋକହିତକର ଚିନ୍ତା କରୁଛନ୍ତି । ସେମାନଙ୍କ ଇଙ୍ଗିତରେ ଆମର ଏହି ପ୍ରତିଷ୍ଠାନ ଚଳୁଛି । ଆମ ଭିତରେ ଯେଉଁମାନେ ଶୁଦ୍ଧାତ୍ମା, ସେମାନେ ମଝିରେ ମଝିରେ ମାଷ୍ଟରଙ୍କ ସହିତ ସାକ୍ଷାତ୍ ପାଆନ୍ତି ଓ ତାଙ୍କ ଠାରୁ ସବୁ ଶୁଣନ୍ତି । ଆମର ଜ୍ଞାନ ସେମାନଙ୍କ ଠାରୁ ଶ୍ରୁତ।
କଲିକତା ତ୍ୟାଗ
ବେସାନ୍ତଙ୍କ ସହିତ ଆଲୋଚନା ପରେ ନିଗମାନନ୍ଦ ତାଙ୍କ ନିକଟରୁ ବିଦାୟ ନେଇ କଲିକତା ଚାଲିଆସିଲେ ; କିନ୍ତୁ କେଉଁଠାରେ ଯୋଗୀ ଗୁରୁଙ୍କ ସନ୍ଧାନ ପାଇଲେ ନାହିଁ । ଭାବିଲେ, ଭୈରବୀଙ୍କ କଥା ତାହେଲେ କଣ ମିଥ୍ୟା ହେବ ? ନା ତା ତ ହୋଇନପାରେ।
ଏହି ସମୟରେ କାମାକ୍ଷାରେ ‘ଅମ୍ବୁବାଚୀ’ ପର୍ବ ଆସନ୍ନ। ନିଗମାନନ୍ଦ କାମାକ୍ଷା ଗମନକାରୀ କେତେଜଣ ସାଧୁଙ୍କ ସହିତ ଯିବେ ବୋଲି ଭାବିଲେ । ପୁଣି ଯିବେ କି ନ ଯିବେ — ଏହା ଭାବି ଭାବି ବହୁବଜାର ଠାରୁ ମେଡିକାଲ କଲେଜ ଆଡ଼କୁ ଯାଉଛନ୍ତି, କଲେଜ ନିକଟସ୍ଥ ଶିବ ମନ୍ଦିର ପାହାଚ ଉପରେ ଜଣେ ଭୈରବୀଙ୍କୁ ଦେଖିବାକୁ ପାଇଲେ । ତାହାଙ୍କର ଆଖିରେ ସ୍ୱାମୀଜୀଙ୍କ ଆଖି ପଡ଼ିବା ମାତ୍ରେ ଭୈରବୀ ସ୍ବାମୀଜୀଙ୍କୁ ସମ୍ମୋହିତ କରିବାକୁ ଲାଗିଲେ । ନିଗମାନନ୍ଦ ଭୈରବୀଙ୍କ ସମ୍ବନ୍ଧରେ ଚିନ୍ତା କରି କିଛି ଦୂର ଯାଇ ପୁନର୍ବାର ଶିବ ମନ୍ଦିର ସମ୍ମୁଖ ଦେଇ ଦୁଇ ଚାରି ଥର ଯାତାୟାତ କରିବାକୁ ଲାଗିଲେ ଓ ଭୈରବୀଙ୍କ ଆଡ଼କୁ ଚାହିଁ ରହିଲେ । ଭୈରବୀ ଦାନ୍ତ ଚିପି ହସୁଥାଆନ୍ତି ।
ସେତେବେଳେ ହଠାତ୍ ନିଗମାନନ୍ଦଙ୍କର ମନେହେଲା, ଏ କଣ ? ମୁଁ କଣ ସମ୍ମୋହିତ ହୋଇଯାଇଛି ? ମୁଁ ଯାତାୟାତ କରୁଛି କାହିଁକି ? ସେ କିଛି କ୍ଷଣ ଚକ୍ଷୁ ମୁଦ୍ରିତ କରି ଭାବି ସ୍ଥିର କଲେ ଯେ, ସେ ସର୍ବଦା ଆତ୍ମଭାବସ୍ଥ ନଥିବାରୁ ଓ ଅନ୍ୟମନସ୍କ ଥିବାରୁ ଏହି ସୁଯୋଗରେ ଭୈରବୀ ତାଙ୍କୁ ସମ୍ମୋହିତ କରି ପାରିଛି । କାଳ ବିଳମ୍ବ ନ କରି ସେ ସେହି ସ୍ଥାନ ତ୍ୟାଗ କରି ଧର୍ମଶାଳାରେ ଉପସ୍ଥିତ ହୋଇ ନିଗମାନନ୍ଦ ସ୍ଥିର କଲେ ଯେ, ଆତ୍ମଦର୍ଶନ ପର୍ଯ୍ୟନ୍ତ ଅର୍ଥାତ୍ ସାଧକ ଅବସ୍ଥାରେ ଦାରୁମୟୀ ସ୍ତ୍ରୀମୂର୍ତ୍ତି ମଧ୍ୟ ସେ ଆଉ ଦେଖିବେ ନାହିଁ । ସାଧିକାମାନଙ୍କ ପକ୍ଷରେ ମଧ୍ୟ ତଦ୍ରୂପ । ସାଧକମାନଙ୍କର ଲୋକାଳୟରେ ବିଶେଷତଃ କଲିକତା ପରି ଜନାକୀର୍ଣ୍ଣ ସ୍ଥାନରେ ରହିବା ଠିକ୍ ନୁହେଁ । ଏହା ଭାବି କାମାକ୍ଷା ଯାତ୍ରୀ କତିପୟ ସାଧୁଙ୍କ ସହିତ ସେ କାମାକ୍ଷା ଯାତ୍ରା କଲେ ।
( କ୍ରମଶଃ )
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି