ସ୍ବାର୍ଥପର ଈଶ୍ୱର

Share it

କଥା ସରିତ
9th August 2024

ଆତ୍ମଘୋଷିତ ବାଦଶାହ୍
– ଶ୍ୱେତପଦ୍ମା ପାଢୀ ତ୍ରିପାଠୀ

ସକାଳୁ ସକାଳୁ ବାଲକୋନୀରେ ବସି ଖବରକାଗଜ ପଢୁଥିଲେ ବିଶ୍ବନାଥ ବାବୁ । ପାଖରେ ଥିବା ବେତ୍ ଚେୟାର ଟାରେ ଧର୍ମପତ୍ନୀ ଗୈାରୀପ୍ରିୟା ଦେବୀ ମୁହଁ ଫୁଲେଇ ବସିଥିଲେ । ତାଙ୍କର ଏତାଦୃଶ ରୂପ ଦେଖି ବିଶ୍ବନାଥ ବାବୁଙ୍କ ମୁହଁରେ ଖେଳିଗଲା ଧାରେ ରହସ୍ୟମୟ ହସ । ବୋହୂ ଚା ଦୁଇକପ୍ ଦେଇ ଆସିଲାବେଳେ ଦେଖି ଦେଇଥିଲା ଶଶୁରଙ୍କ ସେଇ ହସକୁ । ସବୁଥର ପରି ବୋହୂ ନଜାଣି ପାରିଲା ଭଳିଆ ଚାଲିଗଲା ନିଜ ଚା କପ୍ ଧରି ଡାଇନିଂ ଟେବୁଲ୍ ରେ ବସି ପିଇବାକୁ । ବିଶ୍ବନାଥ ବାବୁ ଅବୋଧ ଶିଶୁ ଭଳିଆ ମୁହଁ କରି ସ୍ବଧର୍ମିଣୀଙ୍କୁ ପଚାରିଲେ, ଏମିତି ମୁହଁ ଫୁଲେଇଛ କିଆଁ ! ଗୈାରୀପ୍ରିୟା ଦେବୀ ହାତରେ ଚା କପ ଧରି କହିଲେ, “ତମକୁ କ’ଣ ଫରକ ପଡୁଛି । ବାଥରୁମ୍ ରେ ପଡି ମୋ ଗୋଡ ଭାଙ୍ଗିଲା ଓ ଅଣ୍ଟାରେ ମାଡ ହେଲା । ଗୋଡର ଅସ୍ତ୍ରୋପଚାର ହେଲା । ଅଣ୍ଟା ମାଡ ପାଇଁ ଚାଲି ପାରୁ ନଥିଲି ବୋଲି ମୋ ପାଇଁ ହ୍ବିଲ୍ ଚେୟାର ଆସିଲା । ତିନିମାସ ହେଲାଣି ତଥାପି ପେଲଭିସ୍ ବୋନ୍ ଯନ୍ତ୍ରଣା ହେଉଛି । ଅଥଚ ହ୍ବିଲ୍ ଚେୟାର୍ ରେ ତୁମେ ବସିରହିଛ‌ ।” ବିଶ୍ବନାଥ ବାବୁ ହସିଲେ । କହିପାରନ୍ତି ହସି ଚାଲିଥିଲେ ଠିକ୍ ସର୍କସ ର ଜୋକର ପରି । ଇଲେକ୍ଟ୍ରି ମୋଟରାଇଜ୍ଡ ହ୍ବିଲ୍ ଚେୟାର ଟାକୁ ଡ୍ରଇଂ କମ୍ ଡାଇନିଂ ହଲ୍ ସାରା ଘୂରେଇ ଘୂରେଇ ହସୁଥିଲେ । ଚା କପ୍ ଟା ସେମିତି ଓଠ ପାଖରେ ଧରି ଭକୁଆଙ୍କ ଭଳିଆ ଚାହିଁ ରହିଥିଲେ ଗୈାରୀପ୍ରିୟା ଦେବୀ । ସେପଟେ ବୋହୂକୁ ଖୁବ୍ ଜୋରରେ ହସଟା ମାଡିଲା ବୋଲି ନିଜ ବେଡରୁମ୍ କୁ ଚାଲିଗଲା । ହସ ରୋକି ପାରୁ ନଥିଲା ବୋଲି ପାଟିକୁ ଦୁଇ ହାତ ପାପୁଲିରେ ଚାପି ଦେଇ ହସିଲା । ଯୋଗ ଭଲ ଥିଲା ବୋହୂର ସ୍ବାମୀ ବାହାରକୁ ଯାଇଥିଲା ପ୍ରାତଃ ଭ୍ରମଣରେ । ନିର୍ଧୁମ୍ ହସିଲା, ହସ ନସରିବା ଯାଏଁ ହସିଲା । ଆଖି ଭିଜଯିବା ଯାଏଁ ହସିଲା । ଯେତେବେଳେ ହସ ସରିଗଲା, ବୋହୂ ଲୁଗା କାନିରେ ଭିଜା ଆଖି ଦୁଇଟାକୁ ପୋଛିଲା । ମନେମନେ ଭାବିଲା କ’ଣ ପାଇଁ ହସୁଥିଲା, କାହା ପାଇଁ ହସୁଥିଲା ? ଶଶୁର ନିଜ ପାଇଁ ହସୁଥିଲେ ନା ଘରଲୋକଙ୍କ ପାଇଁ ହସୁଥିଲେ? ଏଇ ଘର ପରିବାରରେ ବୋହୂ ବି ତ ସଦସ୍ୟ । ତାହେଲେ ହସ ଟା ତା ପାଇଁ ବି ଉଦ୍ଧିଷ୍ଟ ଥାଇପାରେ । ବୋହୂକୁ ଟିକେ ଖରାପ ଲାଗିଲା । ଚୁପଚାପ ଗଲା ବାଲକୋନୀରେ ଥିବା ସେଣ୍ଟର୍ ଟେବୁଲ୍ ଉପରୁ ଚାହା ଟ୍ରେ ଉଠେଇ ଆଣିଲା । ବୁଲିପଡି ଗଲାବେଳକୁ ଶାଶୁ ଡାକି କହିଲେ, “ଶୁଣିଲୁ ବୋହୂ ! ବ୍ରେନ୍ ଷ୍ଟ୍ରୋକ୍ ରେ ଚିକିତ୍ସିତ ହେବା ପରେ ମଧ୍ୟ ତୋ ଶଶୁରଙ୍କ ମୁଣ୍ଡ ଆଉ କାମ କରୁନି ବୋଧେ । ଏମିତି ପାଗଳଙ୍କ ଭଳିଆ କ’ଣ ହସୁଥିଲେ? ମୁଁ ତ ସବୁବେଳେ ଏମିତି ମୁହଁ ଫୁଲେଇ କୁମ୍ଭୀର କାନ୍ଦଣା ଦିଏ ; କାଇଁ ଆଗରୁ ତ ଏମିତି ହସି ନାହାଁନ୍ତି ସେ?” “ମୁଁ କେମିତି ଜାଣିବି ଯେ ବୋଉ, ଆପଣଙ୍କ ପୁଅକୁ କହି ଆଉଥରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।” ଏତିକି କହି ବୋହୂ ଜଳଖିଆ ବନେଇବାକୁ ପଳେଇଲା ।

ହୁଡହୁଡ, ଫାଇଲିନ ପରି ଭୟଙ୍କର ବାତ୍ୟା ଆସିଲା । କୋରୋନା ର ଲହର ଦୁଇ ଦୁଇଥର ଆସିଲା । ମଣିଷ କିଛି ହଇରାଣ ହେଇ ନଥିଲା । କିନ୍ତୁ ସାମନ୍ୟ ବିଜୁଳି ଘଡ଼ଘଡ଼ିରେ ସର୍ଟ ସର୍କିଟ୍ ହେଇ କେମିତି ନିଆଁ ଲାଗିଗଲା । ଦୁର୍ଭାଗ୍ୟକୁ ସେଇଠି ରୋଷେଇଘର ପାଖରେ ଥିଲା । ନିଆଁ ଧରି ସିଲିଣ୍ଡର ଫାଟିଗଲା । ଦମକଳ ଆସି ନିଆଁ ଲିଭେଇଲା ବେଳକୁ ସାମ୍ନାରେ ଥିଲା ଅର୍ଦ୍ଧଦଗ୍ଧ ଗୃହ ଆଉ ବାଥରୁମ୍ ରେ ପଡି ଶାଶୁଙ୍କ ଦୁର୍ଘଟଣା ହେଇଯାଇଥିଲା । ନଣନ୍ଦଙ୍କ ଘରେ ରହିଲୁ । ପ୍ରଥମେ ଶାଶୁଙ୍କ ଗୋଡର ଅସ୍ତ୍ରୋପଚାର ହେଲା । ପେଲଭିସ୍ ବୋନ୍ ରେ ମାଡ ବସିଥିଲା । ପାଖାପାଖି ୪/୫ ମାସ ଲାଗିଗଲା ସୁସ୍ଥ ହେବାକୁ । ହ୍ଵିଲ୍ ଚେୟାରରେ ବସି ଏପଟ ସେପଟ ହେଉଥିଲେ । ତାଙ୍କ ଅସ୍ତ୍ରୋପଚାର ପରେ ପରେ ଆମେ ଛୋଟିଆ ଆପାର୍ଟମେଣ୍ଟରେ ଆସି ଭଡାରେ ରହିଲୁ । ଶଶୁରଙ୍କୁ କିନ୍ତୁ ଦିନରାତି ଘର ସଜାଡିବା ଚିନ୍ତା ଘାରି ଥିଲା । ସତେ ଯେମିତି ସେଇଟା ଘର ନୁହଁ ତାଙ୍କ ସିଂହାସନ ବତିଶି ଆଉ ସେ ମହାରାଜ ବିକ୍ରମାଦିତ୍ୟ । ସତେ ଯେମିତି ତାଙ୍କ ସିଂହାସନ ତାଙ୍କ ଠାରୁ କିଏ ଛଡେଇ ନେଇଛି ! ପାଣି ଭଳିଆ ଟଙ୍କା ଖର୍ଚ୍ଚ କରିଚାଲିଥାନ୍ତି । ଏସିଆନ୍ ପେଣ୍ଟସ୍ ରୁ ଆରମ୍ଭ କରି ନୂଆ ନୂଆ ଡିଜାଇନ୍ ର ଟାଇଲ୍, ଶାଗୁଆନ କାଠର କବାଟ ଆହୁରି କ’ଣ କ’ଣ । ଆସିକି ୮ ମାସ ହେଲାଣି ସବୁଦିନ କିଛି ନା କିଛି ନୂଆ କରିବାର ପାଗଳାମିରେ ଘର ତିଆରି ସରୁ ନଥାଏ । ଶେଷରେ ଏମିତି ହେଲା ରକ୍ତଚାପ ବଢି ମୁଣ୍ଡକୁ ଧରିଲା । ବ୍ରେନ୍ ଷ୍ଟ୍ରୋକରେ ଶଯ୍ୟାଶାୟୀ ହେଲେ । ଏଇ ଦୁଇ ମାସ ହେଲା ସୁସ୍ଥ ହେଇଛନ୍ତି । କିନ୍ତୁ ମୁଣ୍ଡ ବୁଲେଇ ଦେଉଛି କହି ହ୍ବିଲ୍ ଚେୟାରରେ ବସି ରହୁଛନ୍ତି । ପୁଅଝିଅ ବାକି ଘର ତିଆରି କାମ ଦେଖୁଛନ୍ତି ।

ରୋଷେଇଘରେ ବୋହୂ ଜଳଖିଆ ବନେଇବା ପାଇଁ ପରିବା କାଟୁଥାଏ । ଘରୁ କାମକରିବାର ସୁବିଧା ଥିବା ଯୋଗୁଁ ସ୍ବାମୀ ବେଡ଼ରୁମରେ ବସି କାମ କରୁଥିଲେ । ବିଶ୍ବନାଥ ବାବୁ ଆସିଲେ ହ୍ବିଲ ଚେୟାର୍ ଘୂରେଇ ଘୂରେଇ । ଡାଇନିଂ ଟେବୁଲ୍ ର ଗୋଟେ ଚେୟାର୍ କୁ ଆଡ କରିଦେଇ ସେଇଠି ହ୍ବିଲ୍ ଚେୟାର୍ ଲଗେଇ ବସିପଡିଲେ । ମୋବାଇଲ୍ ରିଙ୍ଗ୍ ହେଲା । ଫୋନ୍ ଉଠେଇ ବିଶ୍ବନାଥ ବାବୁ କଥା ହେଲେ । ତାଙ୍କ ପୁରୁଣା ବନ୍ଧୁ ଦୀନବନ୍ଧୁ ମହାପାତ୍ର ମଉସା ଫୋନ୍ କରିଥିଲେ । ସେପଟୁ ମଉସା କ’ଣ କହିଲେ ଜଣା ନାହିଁ; ଶଶୁର ହସୁଥିଲେ ମନଖୋଲା ହସ । ହସି ସାରିଲା ପରେ ଫୋନ୍ ରେ ମଉସାଙ୍କୁ କହିଲେ, “ମୂଳରୁ ସିନା ନିଜ ଅକ୍ତିଆରରେ ରଖିଥାଆନ୍ତୁ । ଆଜି କାହିଁକି ଏମିତି କାନ୍ଦିବାକୁ ପଡିଥାନ୍ତା ! ହଉ ଛାଡ, ଯାହା ହେବାର କଥା ହେଲାଣି ! ମୋର ଜଳଖିଆ ଖାଇବା ସମୟ ହେଇଗଲାଣି । ପରେ କଥା ହେବି ।”

ଜଳଖିଆ ଖାଇବାବେଳେ ଶାଶୁ ପଚାରିଲେ, “ମହାପାତ୍ର ବାବୁ ଏମିତି କ’ଣ କହିଲେ ଯେ, ତମେ ହସୁଥିଲ ।”
“କଷ୍ଟ …. ଆହେ କଷ୍ଟ … ବହୁତ କଷ୍ଟ ! ଘରକାମ ଭାରି କଷ୍ଟ ଲାଗୁଛି ତାକୁ । ସ୍କୁଟର ଦୁର୍ଘଟଣା ପରେ ତା’ ସ୍ତ୍ରୀ ବର୍ତ୍ତମାନ ଶଯ୍ୟାଶାୟୀ । ପୁଅବୋହୂ ଆମେରିକାରେ । ପୁଅକୁ ଆସିବାକୁ କହିଲା, ହେଲେ ସେ କହିଲା ପଇସା ପଠେଇ ଦେବି, ନର୍ସ ରଖିଦେବ ମାଆ ପାଇଁ । ମହାପାତ୍ରର ମୋ ଭଳିଆ ସୈାଭାଗ୍ୟ କାଇଁ ! ଆଗ ପଛରେ ଖଟିବାକୁ ସ୍ତ୍ରୀ, ପୁଅବୋହୂ ଝିଅ ସମସ୍ତେ ଅଛନ୍ତି ।” ପୁଣି ସେଇ ରହସ୍ୟମୟ ହସ ତାଙ୍କ ମୁଖମଣ୍ଡଳରେ ।

ଏଥର ବୋହୂକୁ ରାଗ ମାଡିଲା । ବିରକ୍ତିଭାବ ଉକୁଟୁଥିଲେ ବି ଦାନ୍ତ କଡମଡ କରି ଚୁପ୍ ରହିଲା । ତା’ର ଇଚ୍ଛା ହେଉଥିଲା ପନିକିଟାରେ ଶଶୁରଙ୍କ ମୁଣ୍ଡ ଦୁଇଗଡ କରି ଦେଇପାରନ୍ତା କି? କିଛି ସମୟ ପାଇଁ ଆଖିବୁଜି ଦେଲା । ପୁଣି ମୁଁହରେ ଧାରେ ହସ ଆସିଗଲା । ମନେ ମନେ ଭାବିଲା ସେ କ’ଣ ଜୋକର୍ ହେଇଗଲାଣି କି? ନାଟକ ମଞ୍ଚସ୍ଥ ହେଲେ ଜୋକର୍ ଏମିତି ପ୍ରଥମେ ଆଖି ବୁଜିଦିଏ । ତା’ପରେ ହସିଦିଏ । ପୁଣି କାନ୍ଦିଦିଏ । କେତେବେଳେ ପୁଣି ରାଗିଯାଏ ତ ପୁଣି ନିର୍ଧୁମ୍ ହସିଦିଏ । ଜୀବନ ତ ଗୋଟେ ନାଟକ ଆଉ ଆମେ ସମସ୍ତେ ଏଠି ଗୋଟେ ଗୋଟେ ଜୋକର୍ । ଭିତରଟା ଲୁହରେ ଭିଜୁଛି ଆଉ ମୁହଁଟା ମିଛହସରେ ଦାନ୍ତ ଦେଖାଉଛି । ମନର ଏମିତି ଅନାବନା ଭାବନାକୁ ନେଇ ବୋହୂ ତା କାମରେ ଲାଗିପଡିଲା । ସ୍ବାମୀଟି ଆସି ବେଳେବେଳେ ସାହାଯ୍ୟ କରିଦିଏ । ଶାଶୁଶଶୁର ବିରକ୍ତ ହୁଅନ୍ତି । ହେଲେ ସ୍ବାମୀଟି ସେସବୁକୁ କର୍ଣ୍ଣପାତ କରେ ନାହିଁ ।

ଗୃହ ନିର୍ମାଣ ସରିଲା । ଛୋଟିଆ ପୂଜାଟିଏ କରି ଭଡାଘର ଛାଡି ସେମାନେ ପୁଣି ଫେରିଲେ ନିଜ ନୀଡକୁ । ଦିନେ ସନ୍ଧ୍ୟାବେଳେ ସମ୍ପର୍କୀୟ ଜଣେ ଆସିଥାନ୍ତି ପୁଅ ବାହାଘର ନିମନ୍ତ୍ରଣ ଦେବାକୁ । ପାନଖିଆ ଦାନ୍ତ ଦେଖେଇ ହସିହସି ସେ କହୁଥାନ୍ତି, “ଯୋଉ ଅବସ୍ଥାରେ ଆପଣ ଦୁହେଁ ପଡିଥିଲେ, ବଞ୍ଚିବା ଆଶା ନଥିଲା । ଭଗବାନ ଆପଣ ଦୁଇଜଣଙ୍କୁ ରକ୍ଷା କଲେ । ନହେଲେ ଆମେ ତ ମୃତ ପ୍ରାୟ ବୋଲି ଧରି ନେଇଥିଲୁ !” ଶାଶୁ ହସ ହସ ମୁହଁ ନେଇ କହିଲେ, “ହଁ ଆମ ଭାଗ୍ୟ ! ପୁଅ ବୋହୂ ଝିଅ ସବୁଥିଲେ ବୋଲି ଆମେ ବଞ୍ଚିଗଲୁ ।” “ହଁ, ସତ କହିଲେ । ଲୋକଙ୍କ ଘରେ ତ ମରିଗଲେ ପଛେ, ପିଲାମାନେ ଆସୁ ନାହାଁନ୍ତି । ଆପଣଙ୍କ ପୁଅବୋହୂ ତ ସବୁ କଲେ ।” ଶାଶୁଙ୍କ ମୁହଁରେ ବିଜୟିନୀ ହସ ଦେଖି ଚା ପକୁଡି ଟ୍ରେ ନେଇ ଆସିଲାବେଳେ ବୋହୂ ଆଶ୍ଚର୍ଯ୍ୟ ହେଉଥିଲା । ସବୁଦିନ ନିନ୍ଦା କରୁଥିବା ଶାଶୁଙ୍କ ମୁହଁରୁ ଆଜି ମହୁ ଝରୁଛି । ଲୋକଙ୍କ ସାମ୍ନାରେ ଏଇ ହସର ମୂଲ୍ୟ ଭିନ୍ନ । ସବୁ ଏଠି ଅଭିନୟ କରୁଛନ୍ତି ଠିକ୍ ଜୋକର୍ ପରି ।

ହଠାତ୍ ଶଶୁର କହିବା ଆରମ୍ଭ କଲେ, “ସେଥିପାଇଁ ତ ଦେହ ଭଲ ହେଇଗଲେ ବି । ଦେହ ଭଲ ନହେବାର ମିଛ ନାଟକ କରି ହ୍ବିଲ୍ ଚେୟାରରେ ବସି ରହିଛି । ନହେଲେ ପୁଅବୋହୂ ନିଜ କର୍ମକ୍ଷେତ୍ରକୁ ପଳେଇବେ !” ରୋଷେଇ ଘରେ ଥାଇ ବୋହୂ ମୁହଁରୁ ହସ ଲିଭିଗଲା । କାନେଇଲା ସେ, ଶଶୁର ଆଉ କ’ଣ କହୁଛନ୍ତି । ସମ୍ପର୍କୀୟ ଜଣଙ୍କ ଚୁପ୍ ଥିଲେ । ବୋଧେ କିଛି ବୁଝିପାରିଲେ ଆଉ କିଛି ବୁଝିପାରିଲେ ନାହିଁ । ଶାଶୁ କଥା ସମ୍ଭାଳିବାକୁ ଯାଇ ହସି ହସି କହିଲେ, “ବ୍ରେନ୍ ଷ୍ଟ୍ରୋକ୍ ରୁ ଉଠିଲା ପରେ ଏମିତି ପାଗଳଙ୍କ ପରି କ’ଣ ସବୁ ବିଳ ବିଳେଇ ହେଉଛନ୍ତି ସେ !” ଶଶୁର ଚିଡି ଯାଇ କହିଲେ, “ହେ… ମାଇକିନା ବୁଦ୍ଧି ! ଗୋବର ଅଛି ତୁମ ମୁଣ୍ଡରେ ! ରାଜ୍ କରିବାର ନୀତିକୁ ହିଁ ରାଜନୀତି କୁହନ୍ତି । ଆଉ ରାଜନୀତି ମୋତେ ବେଶ୍ ଜଣା । ଚାକିରୀରେ ରାଜନୀତି କରି ତ ରାଜଧାନୀରେ ଏତେ ବଡ ଜାଗା ତ୍ରିତାଳ ପ୍ରସାଦ କରିଛି । ନିଜେ ମରିବା ପର୍ଯ୍ୟନ୍ତ ରାଜୁତି କରିବି । ମୁଁ ହେଉଛି ବାଦଶାହ୍ । ମୁଁ ଯାହା ଚାହିଁବି ସେୟା ହେବ । ମୋ ପରେ ଏଇ ସବୁ ମୋ ପୁଅଝିଅଙ୍କର ହେବ । କ’ଣ ମାଗଣାରେ ମାଗଣାରେ ପାଇଯିବେ ସମ୍ପତ୍ତି? ମୋ ଗୋଡ ତଳେ ଦବେଇ ରଖିବି ସମସ୍ତଙ୍କୁ । ଏଇ ଘରର କାହିଁକି ମୁଁ ହେଉଛି ଭୁବନେଶ୍ୱର ର ବାଦଶାହ୍ !” ଶାହାରୁଖ୍ ଖାଁ ଯେମିତି ସବୁ ଫିଲ୍ମରେ ଛାତି ଫୁଲେଇ ହାତ ଦିଟା ମେଲେଇ ଦିଏ, ଶଶୁର ସେମିତି ପୋଜ୍ ଦେଇ ହସୁଥିଲେ । ବୋହୂକୁ ବର୍ତ୍ତମାନ ଶଶୁର ଦିଶୁଥିଲେ, ଆଲାହୁଦ୍ଦିନ୍ ଖିଲଜୀ ପରି ଆତ୍ମଘୋଷିତ ବାଦଶାହ୍ ; ଯାହା ଇଚ୍ଛା ହେବ ସେୟା କରିବେ ! ଶାଶୁଙ୍କ ମୁହଁରେ ଶଶୁରଙ୍କ ପାଇଁ ପ୍ରଶଂସାର ହସ । ସମ୍ପର୍କୀୟ ଜଣକ ବି ହସୁଥିଲେ ; ଶଶୁରଙ୍କ ଉଦ୍ଦେଶ୍ୟରେ ନା ବଡ ଘର ବଡ ଗୁମର କଥା ଭାବି ହସୁଥିଲେ? ତାଙ୍କ ହସର ରହସ୍ୟ ସେ ହିଁ କେବଳ ଜାଣିଥିବେ !

ବୋହୂ ମୁହଁରେ ହସ ନଥିଲା । ଡାଇନିଂ ଟେବୁଲ୍ ପାଖରୁ ମୁହଁଟି ଶୁଖେଇ ବେଡ଼ରୁମକୁ ଚାଲିଗଲା । ଆଉ ମନେମନେ ଭାବୁଥିଲା ଏତିକିବେଳେ ସ୍ବାମୀ ଘରେ ଥିଲେ ସବୁ ଜାଣିଥାନ୍ତେ, କେମିତି ତାଙ୍କ ଈଶ୍ବର ବି ବେଳେବେଳେ ସ୍ବାର୍ଥପର ହେଇଯାଆନ୍ତି ! ଡ୍ରଇଂରୁମ୍ ରେ ଅଚାନକ ପୁଅକୁ ଦେଖି ଶାଶୁଶଶୁର ହଡବଡେଇ ଗଲେ । ସମ୍ପର୍କୀୟ ଅନ୍ୟତ୍ର ନିମନ୍ତ୍ରଣ ଦେବାର ଅଛି କହି ଖସିଗଲେ । ପୁଅ ହସି ହସି ଡାକପକେଇଲା ବୋହୂକୁ, “ଶୀଘ୍ର ପ୍ୟାକିଙ୍ଗ୍ କର । ଛୁଟି ସରିଲା । ଆଉ ଘରେ ବସି କାମ କରିବା ଧୀରେ ଧୀରେ ବନ୍ଦ ହେବ । ମ୍ୟାନେଜର୍ କହିଛି ଅଫିସରେ ଯୋଗଦେବା ପାଇଁ ।” ଶଶୁରଙ୍କ ରାବଣ ହସ ହଜିଯାଇଥିଲା । ଶାଶୁଙ୍କ ମୁହଁ ଶୁଖି ଯାଇଥିଲା । ବୋହୂ କିନ୍ତୁ ସ୍ବାମୀ ମୁହଁରେ ଦେଖୁଥିଲା ରହସ୍ୟମୟ ହସ ।


– ଶ୍ୱେତପଦ୍ମା ପାଢୀ ତ୍ରିପାଠୀ
ପୁନେ, ମହାରାଷ୍ଟ୍ର
ମୋବାଇଲ୍ – ୯୧୬୮୦୫୩୮୬୮


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights