ସ୍ମାର୍ଟ ନାରଦ

Share it

କଥା ସରିତ
8th August 2024

ସବିତା ଦେବୀ ଆଜି ବହେ ଗାଳି ଦେଇ ସାରିଲେଣି, ସେ ପୁଣି କୌଣସି ମଣିଷ କି ଜୀବକୁ ନୁହେଁ ମ ଏଇ ସ୍ମାର୍ଟ ଫୋନକୁ । ଗାଳିଟା ଧୀରେ ଧୀରେ ସ୍ମାର୍ଟ ଫୋନରୁ ତାକୁ ଯିଏ ତିଆରି କରିଛି, ଆଉ ତା ଠୁ ପୁଣି ତାର ସପ୍ତ ପୁରୁଷ ପର୍ଯ୍ୟନ୍ତ ବ୍ୟାପି ଗଲାଣି ।

କଥା କଣ କି, ଆଜି ସନ୍ଧ୍ୟାରେ ବୋହୂ ମିନୁ ତା ଫୋନଟି ଆଣି ଗେହ୍ଲେଇ ହୋଇ କହିଲା, ମା, ମାଉସୀ ଲାଇନ୍‌ରେ ଅଛନ୍ତି, ତାଙ୍କ ସଂଗେ କଥା ହେବ କି ? ମାଉସୀ ମାନେ, ସବିତା ଦେବୀଙ୍କ ସାନ ଭଉଣୀ, ଅର୍ଥାତ୍ ମିନୁର ମାଉସୀ ଶାଶୁ । ଭଉଣୀ ସଙ୍ଗେ କଥା ହେବାକୁ କିଏ ବା ମନା କରିବ ।

ସବିତା ଦେବୀ ଏଣୁ ତେଣୁ ଗପୁ ଗପୁ ଛାତ ଉପରକୁ ଚାଲିଗଲେ ।ସେଇଠି କେହି ବି ନ ଥାନ୍ତି, ତେଣୁ ଦି ଭଉଣୀ ବିନା ଦ୍ବିଧାରେ ଗପି ଚାଲିଥାନ୍ତି । ଆଜି ଘରେ କଣ ରନ୍ଧା ହୋଇଥିଲା ଠୁ ଆରମ୍ଭ କରି କେମିତି ରନ୍ଧା ହୋଇଥିଲା । ପଡ଼ିଶା ଘର ଝିଅ କାହା ସଂଗେ ବୁଲୁଛି, ସାମନା ଘର ପୁଅ କେତେ ସମୟ ପାଠ ପଢୁଛି, ଏମିତି କେତେ କଣ । ଗପ ହାଣ୍ଡି ଶାଳରୁ ଆରମ୍ଭ ହୋଇ କଳାହାଣ୍ଡି ଯାଏ, ମାନେ ବୋହୁ ମିନୁର ହାତ ରନ୍ଧା ଠୁ ଆରମ୍ଭ କରି ତା ବାପଘର ଗୁମର କଥା ପର୍ଯ୍ୟନ୍ତ ଆଲୋଚନାର ପରିସରଭୁକ୍ତ ଥିଲା । ଗପ ସରିବା ପରେ ସବିତା ଦେବୀ ଫୋନ ନେଇ ବୋହୁକୁ ଦେଇ ଆସିଲେ ।

ତାପରେ ବୋହୂ ତା କାମ ଆରମ୍ଭ କଲା । ମାନେ ଆଧୁନିକ ବୋହୁ , ରେକଡିଂ ବୋତାମକୁ ଅନ୍ କରି ଶାଶୁଙ୍କୁ ଫୋନ ଧରେଇ ଦେଇଥିଲା । ଶାଶୁ ବା ଏସବୁ କେମିତି ଜାଣିବେ, ତେଣୁ ସେ ମନ ଇଚ୍ଛା ଭଉଣୀ ସଂଗେ ଗପିଛନ୍ତି ।

ଏବେ ବୋହୂ ରେକଡିଂ ଶୁଣି ଘରେ ମହାଭାରତ ଆରମ୍ଭ କରି ଦେଲା ।ଆଉ ଏଇ ମହାଭାରତ ନାଟିକାର ନାୟକ ସ୍ମାର୍ଟ ଫୋନକୁ ଗାଳି ଦେଇ ଦେଇ ଶାଶୁଙ୍କ ତଣ୍ଟି ଶୁଖି ଗଲାଣି । ସେପଟେ ବୋହୂ ମିନୁ ତ ଛାଡିବା ପିଲା ନୁହଁ , ସେ ମାଉସୀ ଶାଶୁଙ୍କୁ ଯାହା ଶୁଣେଇବା କଥା ଭଲ ରକମ ଶୁଣେଇ ସାରିଲାଣି । ଘରେ ଏଵେ ମହାଭାରତ ସାଙ୍ଗେ ଲଙ୍କାପୋଡ଼ି ।

ଏଇ ଡ୍ରାମାରେ ସବୁଠୁ ବେଶି ଅନୁତପ୍ତ ସବିତା ଦେବୀଙ୍କ ପୁଅ ମାନେ ମିନୁର ସ୍ୱାମୀ । ଯେ କି ବିବାହ ବାର୍ଷିକୀରେ ନାରଦ ରୂପକ ଏଇ ସ୍ମାର୍ଟ ଫୋନଟିକୁ ସ୍ତ୍ରୀ କୁ ଅତି ସରାଗରେ ଉପହାର ଦେଇଥିଲେ ।

ପୁଅ ଏବେ ସମ୍ଭାଳ, ଅଖା ଧୋଉଥା ଗୁଣ ଗାଉଥା ।


ସଞ୍ଜୁକ୍ତା , ସମ୍ବଲପୁର


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights