ଜୀବନ ବେଦ – ୨୫ : ଯୋଗିନୀ କୁଟୀରରେ ରାତିଏ

Share it

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୨୫

ଯୋଗିନୀ କୁଟୀର

ନିଗମାନନ୍ଦ ମନେ ମନେ ନାନା ଚିନ୍ତା କରି କିଛି ଦୂର ଯିବାପରେ ଗୋଟିଏ ପର୍ଣ୍ଣ କୁଟୀର ଦେଖିବାକୁ ପାଇଲେ। ସେଠାରେ ସେ ଦେଖିଲେ, ପୂର୍ବର ସେ ଜ୍ୟୋତିର୍ମୟୀ ଭୈରବୀ ଯୁବତୀ କୁଟୀର ସମ୍ମୁଖରେ ଦଣ୍ତାୟମାନ। ପ୍ରଥମେ ନାମ ଧରି ଡାକି ପରେ ହାତ ଧରି କୁଟୀର ଭିତରକୁ ସେ ତାଙ୍କୁ ନେଇଗଲେ ଓ ଲୋଟାଏ ଜଳ ଦେଇ କହିଲେ, “ଗୋଡ଼ ହାତ ଧୁଅ, ତୁମ ପାଇଁ କୁଟୀର ଭିତରେ ସାମାନ୍ୟ ଜଳଯୋଗର ବ୍ୟବସ୍ଥା ହୋଇଛି । ତାହା ଶେଷ କରି ଏଠାରେ ବିଶ୍ରାମ କର ।”

ନିଗମାନନ୍ଦ ଭୈରବୀଙ୍କ ପ୍ରଦତ୍ତ ଜଳରେ ଗୋଡ଼ ଧୋଇବେ କି ନାହିଁ, ଇତସ୍ତତଃ ହେବାରୁ ଭୈରବୀ ନିଜେ ତାଙ୍କ ଗୋଡ଼ରେ ଜଳ ଢାଳି ଦେଲେ। ନିଗମାନନ୍ଦ ଅପ୍ରତିଭ ହୋଇ କୁଟୀର ଭିତରକୁ ଯାଇ ଦେଖିଲେ, ଗୋଟିଏ ରେକାବିରେ ଚିନି ସନ୍ଦେଶ, ଫଳ ଓ କନ୍ଦମୂଳ ରହିଛି। ସମ୍ମୁଖରେ ଖଣ୍ଡିଏ କୁଶାସନ ପଡ଼ିଛି । ନିଗମାନନ୍ଦ ଭୈରବୀଙ୍କ ରୀତି ନୀତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଆହାର ପରେ ସ୍ଵାମୀ ନିଗମାନନ୍ଦ ଏତେ ରାତ୍ରିରେ କେଉଁଆଡ଼କୁ ଯିବେ ଭାବୁଛନ୍ତି, ଏହି ସମୟରେ ଯୁବତୀ ଭୈରବୀ କହିଲେ, “ଏହିଠାରେ ରାତ୍ରି ଯାପନ କର, ପ୍ରତ୍ୟୁଷରୁ ଚାଲିଯିବ; ଏ ବଣରେ ବ୍ୟାଘ୍ର , ଭଲ୍ଲୁକଙ୍କର ବଡ଼ ଉତ୍ପାତ। ତୁମେ ମଧ୍ୟ ବାଟ ଚିହ୍ନି ନାହଁ।” ନିଗମାନନ୍ଦ ଅନ୍ୟ ଉପାୟ ନଦେଖି ସେଥିରେ ସମ୍ମତ ହୋଇଗଲେ ।

ଯୁବତୀ କୁଟୀର ଭିତରେ ଦୁଇଟି ବଡ଼ କୁଶାସନ ପକାଇ ଗୋଟିକରେ ନିଜେ ଶୋଇଲେ ଓ ଅନ୍ୟଟିରେ ନିଗମାନନ୍ଦଙ୍କୁ ଶୋଇବାକୁ ନିର୍ଦ୍ଦେଶ ଦେଲେ। ଉଭୟଙ୍କର ଶଯ୍ୟା ଭିତରେ ପ୍ରାୟ ଏକହାତ ଭୂମିର ପାର୍ଥକ୍ୟ ରହିଲା । ଏକେ ତ ବିସ୍ତୀର୍ଣ୍ଣ ଗଭୀର ଅରଣ୍ୟ ଭିତରେ ପର୍ଣ୍ଣ କୁଟୀର, ସେଥିରେ ପୁଣି ପାର୍ବତ୍ୟ ଅନ୍ଧକାର, ଭୀଷଣ ନିସ୍ତବ୍ଧତା ଭିତରେ ଦଣ୍ଡୀ ସନ୍ନ୍ୟାସୀଙ୍କ ନିକଟରେ ଯୁବତୀ ଭୈରବୀଙ୍କର ଶଯ୍ୟା । ଏଥିରେ ନିଗମାନନ୍ଦଙ୍କୁ ନିଦ୍ରା ହେଲା ନାହିଁ । ମନ ଭିତରେ ନାନା ଭାବ ଉଦୟ ହେବାକୁ ଲାଗିଲା । ଭୈରବୀ ଏହା ଜାଣିପାରି ନିଗମାନନ୍ଦଙ୍କୁ ପଚାରିଲେ, “କିହେ, ବର୍ତ୍ତମାନ ସୁଦ୍ଧା ନିଦ୍ରା ଆସିନାହିଁ ?”

ନିଗମାନନ୍ଦ — ବହୁ ଚେଷ୍ଟାସତ୍ତ୍ଵେ ନିଦ୍ରା ଆସୁନାହିଁ ।

ଭୈରବୀ — ଓହୋ, ବୋଧହୁଏ ନଖାଇ ନପିଇ ଏଣେ ତେଣେ ବୁଲିବାରୁ ବାୟୁ ଚଞ୍ଚଳ ହୋଇଯାଇଛି; ତେଣୁ ନିଦ୍ରା ହେଉନାହିଁ । ଆଚ୍ଛା………………

ଏହା କହି ଯୁବତୀ ନିଗମାନନ୍ଦଙ୍କ ମସ୍ତକ ଉପରେ ବସି ତାଙ୍କ ମସ୍ତକ ଓ ପିଠିରେ ହାତ ବୁଲେଇବାକୁ ଲାଗିଲେ । ଏଥିରେ ନିଗମାନନ୍ଦଙ୍କର ମନ ବଡ଼ ଚଞ୍ଚଳ ହୋଇ ଉଠିଲା । ତାଙ୍କର ଭାବଭଙ୍ଗୀ ଦେଖି ଭୈରବୀ କହିଲେ, “ନିଗମାନନ୍ଦ, ତୁମ ମନରେ କଣ ସନ୍ଦେହ ହେଉଛି ?”

ନିଗମାନନ୍ଦ — ଏପରି କରିବା ସନ୍ନ୍ୟାସୀ ନିୟମର ବହିର୍ଭୂତ।

ଭୈରବୀ — ତେବେ ଉପାୟ କଣ ? ତୁମକୁ ଯେ ନିଦ ହେଉ ନାହିଁ?

ନିଗମାନନ୍ଦ — ଗୋଟିଏ ରାତ୍ରି ନିଦ୍ରା ନହେଲା ନାହିଁ, ମୁଁ କୁଟୀର ବାହାରେ ଶୟନ କରୁଛି। ତୁମେ କୁଟୀର ମଧ୍ୟରେ ଶୟନ କର ।

ଭୈରବୀ — ନା, ନା, ତା ହେବ ନାହିଁ । ବାହାର ହିଂସ୍ରଜନ୍ତୁ ମାନଙ୍କର ଆବାସସ୍ଥଳ। ବରଂ ମୁଁ ବାହାରେ ଯାଇ ଶୟନ କରୁଛି, ତୁମେ କୁଟୀରରେ ନିଶ୍ଚିନ୍ତରେ ନିଦ୍ରା ଯାଅ।

ନିଗମାନନ୍ଦ ଏଥିରେ ସମ୍ମତ ହୋଇପାରିଲେ ନାହିଁ । ଭାବିଲେ, ଏହି ଦୁର୍ଭେଦ୍ୟ ଅନ୍ଧକାର ରାତ୍ରିରେ ବ୍ୟାଘ୍ର – ଭଲ୍ଲୁକ ପୂର୍ଣ୍ଣ ଭୀଷଣ ଅରଣ୍ୟରେ ଭୈରବୀ ତାଙ୍କର ନିଜ କୁଟୀର ଛାଡି ବାହାରେ ରହିବେ, ଆଉ ମୁଁ ଅତିଥି ହୋଇ ଗୃହସ୍ବାମୀଙ୍କୁ ବହିଷ୍କାର କରି ସୁଖରେ ନିଦ୍ରା ଯିବି — ଏହା ବଡ଼ ଅଶୋଭନୀୟ । ଏହା ଭାବି ନିଗମାନନ୍ଦ ସରଳ ଭାବରେ କେତେକ ପ୍ରଶ୍ନ ଭୈରବୀଙ୍କୁ ପଚାରିଲେ।

ନିଗମାନନ୍ଦ — କେତୋଟି ବିଷୟରେ ମୋ ମନରେ ସନ୍ଦେହ ହେଉଛି, ସେସବୁ ବିଷୟରେ ମୁଁ ତୁମ ଠାରୁ ଜାଣିପାରିଲେ ସୁଖରେ ଶୋଇ ପାରିବି ।

ଭୈରବୀ — ବେଶ୍ ସ୍ୱଚ୍ଛନ୍ଦରେ ପଚାରିପାର ।

ନିଗମାନନ୍ଦ — ତୁମେ କିପରି ଏଠାକୁ ଆସିଲ ? କିପରି ବା ମୋ ନାମ ଜାଣିଲ ? ତୁମେ କାହିଁକି ଏଠାରେ ଅଛ? ଏସବୁ ବିଷୟରେ ମୁଁ ଜାଣିବାକୁ ଚାହେଁ ।

ଭୈରବୀ — ତୁମେ ପୂର୍ବରୁ ଯେଉଁ ଯୁବତୀ ଭୈରବୀଙ୍କୁ ଦେଖିଥିଲ, ସେ ମୋ ସଙ୍ଗୀ । ଉଭୟ ଗୋଟିଏ କୁଟୀରରେ ବାସ କରୁ । ଆମ୍ଭେ ଦୁହେଁ କାଶ୍ମୀର ଦେଶର ବ୍ରାହ୍ମଣ କନ୍ୟା। ବୈରାଗ୍ୟ ଉଦୟ ହେବାରୁ ସଂସାର ତ୍ୟାଗ କରି ଜଣେ ଯୋଗୀଙ୍କ ଠାରୁ ସାଧନାଦି ଶିକ୍ଷା କରିଅଛୁ। ଉକ୍ତ ଯୋଗୀଙ୍କ କୃପାରୁ ଆମେ ଦୁଇଜଣ ଯୋଗସିଦ୍ଧି ଲାଭ କରି ଏଠାରେ ଅବସ୍ଥାନ କରୁଛୁ ।

ଭୈରବୀଙ୍କ ସହିତ ଆଲୋଚନା କରି ନିଗମାନନ୍ଦ ବୁଝିଲେ ଯେ, ଏହି ଯୁବତୀ ଭୈରବୀ ଭୂତ – ଭବିଷ୍ୟତଜ୍ଞାତା, ପରଲୋକସାମାନ୍ୟା ଯୋଗ ସିଦ୍ଧା। ସେ ଭୈରବୀଙ୍କୁ ଯୋଗୀଗୁରୁ କରିବାକୁ ଇଚ୍ଛା ପ୍ରକାଶ କଲେ । ଭୈରବୀ ଅନିଚ୍ଛୁକ ହେବାରୁ ନିଗମାନନ୍ଦ ଅନିଚ୍ଛାର କାରଣ ପଚାରିଲେ ।

ଭୈରବୀ କହିଲେ — “ମୁଁ ସ୍ତ୍ରୀ ଲୋକ, ଯୁବତୀ ପୁଣି ସୁନ୍ଦରୀ ।

ନିଗମାନନ୍ଦ — ସେଥିରେ କଣ ଅଛି ? ମୁଁ ତ ଗୁରୁ ବୋଲି ଭାବିବି । ଗୁରୁ ବୋଲି ଭାବିଲେ ମନ ଚଞ୍ଚଳ ହେବ ନାହିଁ ।

ଭୈରବୀ — ତୁମେ କୌଣସି ଭାବରେ ଭାବିଲେ ମଧ୍ୟ ପାରିବ ନାହିଁ । ତୁମର ନବୀନ ବୟସ । ଗୋଟିଏ ରାତ୍ରି ମୋ ପାଖରେ ରହି ତୁମ ମନ ଚଞ୍ଚଳ ହୋଇ ଉଠିଲା। ସେଥିରେ ପୁଣି ଦୀର୍ଘଦିନ ଧରି ମୋ ପାଖରେ ରହି କିପରି ଯୋଗ ଶିକ୍ଷା କରିବ ? ତାପରେ ମୋର ବୟସ ଷାଠିଏ ବର୍ଷ ହେଲେ ମଧ୍ୟ ମୋର ତ ଗୋଟିଏ ଦେହଧର୍ମ ଅଛି ?

ନିଗମାନନ୍ଦ ବୟସ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ । ଏତେ ବୟସ ଅଥଚ ଭୈରବୀଙ୍କୁ ଷୋଡ଼ଶୀ ଭିନ୍ନ କେହି ଅଧିକ ବୟସ ବୋଲି ଭାବିବେ ନାହିଁ । କିଛିକ୍ଷଣ ପରେ ଭୈରବୀ କହିଲେ,” ମୁଁ ତୁମର ଗୁରୁ ନୁହେଁ। ଯାଅ, ଗୁରୁଙ୍କ ସନ୍ଧାନ କର, ପାଇବ ।”

ନିଗମାନନ୍ଦ — କେଉଁଠାରେ ପାଇବି ?

ଭୈରବୀ — ଏହିଠାରୁ କଲିକତା ଯାଅ। ସେଠାରେ ଯୋଗସିଦ୍ଧ ଗୁରୁ ପାଇବ। ଏସବୁ ଅଞ୍ଚଳରେ ବୃଥା ଖୋଜି ବୁଲ ନାହିଁ ।

ନିଗମାନନ୍ଦ — କଲିକତା କିପରି ଯିବି ? ହାତରେ ଟଙ୍କା ପଇସା କିଛି ନାହିଁ।

ଭୈରବୀ — ଆଚ୍ଛା, ଦେଖାଯିବ ।

ଏହାପରେ ଉଭୟ ସୁଖରେ ରାତ୍ରି ଯାପନ କଲେ । ପ୍ରଭାତ ହେବାରୁ ଭୈରବୀ ନିଗମାନନ୍ଦଙ୍କୁ ସଙ୍ଗରେ ନେଇ ଚାଲିବାକୁ ଲାଗିଲେ । ନିଗମାନନ୍ଦଙ୍କର ମନ ଭୈରବୀଙ୍କ ପ୍ରତି ଏତେ ଆକୃଷ୍ଟ ହୋଇ ପଡ଼ିଥିଲା ଯେ,ସେଠାକୁ ଛାଡି ଚାଲିଯିବାକୁ ତାଙ୍କୁ ଆଦୌ ଇଚ୍ଛା ହେଉନଥାଏ। ତଥାପି ଉଭୟ ଜଙ୍ଗଲ ବାହାରକୁ ଆସି ଦେଖିଲେ , ସମ୍ମୁଖରେ ଗ୍ରେଟ୍ ଇଣ୍ଡିଆନ ପେନିନସୁଲାର (G.I.P) ରେଳ ଲାଇନ୍ । ଭୈରବୀ ଏହି ଲାଇନ୍ ରେ କିଛି ଦୂର ଆସି କହିଲେ ,” ହେଇଟି ଟଙ୍କା ନିଅ,ଷ୍ଟେସନ ଦେଖା ଯାଉଛି , ସେଠାକୁ ଯାଇ ଟିକଟ କରି କଲିକତା ଯାଅ ।”

ନିଗମାନନ୍ଦ ନିତାନ୍ତ ଅନିଚ୍ଛା ସତ୍ତ୍ବେ ଚାଲିବାକୁ ଲାଗିଲେ । କିଛି ଦୂର ଯାଇ ପଛକୁ ଚାହିଁ ଦେଖିଲେ ଯେ ଭୈରବୀ ପୂର୍ବପରି ଦଣ୍ତାୟମାନ । ଷ୍ଟେସନ ନିକଟକୁ ଯାଇ ଦେଖିଲେ, ଭୈରବୀ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି । ଭୈରବୀଙ୍କର ଆକସ୍ମିକ ଅନ୍ତର୍ଦ୍ଧାନରେ ତାଙ୍କ ମନ ବଡ଼ କ୍ଷୁର୍ଣ୍ଣ ହୋଇଗଲା । ମନେ ହେଲା, ମୁଁ କଣ କଲି ? ଏପରି ଗୁରୁ ପାଇ ଛାଡି ଦେଲି !

ଏହା ଭାବି ପୁଣି ଜଙ୍ଗଲ ଆଡ଼କୁ ଦୌଡିଲେ । ଯାଇ ଦେଖିଲେ, କୁଟୀର ନାହିଁ କି ଭୈରବୀ ନାହାଁନ୍ତି । ନିଗମାନନ୍ଦ ଅଧିକ ବିସ୍ମିତ ହୋଇଗଲେ । ନିଗମାନନ୍ଦ ପୁନରାୟ ଭାବିଲେ, ଭୈରବୀ ସମ୍ଭବତଃ କୌଣସି ଉର୍ଦ୍ଧ୍ବ ଜଗତର ପ୍ରାଣୀ ଯୋଗିନୀ, ଯକ୍ଷିଣୀ ଦଳର ହେବେ । ଅନ୍ୟଥା ମନୁଷ୍ୟ ଏପରି ଉନ୍ନତ ହେବା ତ ସମ୍ଭବ ନୁହେଁ । ନିଗମାନନ୍ଦ ମନେ ମନେ ଭାବିଲେ, କିପରି ଏହା ସମ୍ଭବ ହେଲା ? ଶେଷରେ ନାନା ସ୍ଥାନ ବୁଲି ପୁଣି ଷ୍ଟେସନକୁ ଫେରି ଆସିଲେ ।

ଷ୍ଟେସନମାଷ୍ଟରଙ୍କୁ କଲିକତା ଯିବା ଭଡା ପଚାରିବାରୁ ସେ କହିଲେ, “ଅଠର ଟଙ୍କା ଦଶ ଅଣା।” ନିଗମାନନ୍ଦ ଦେଖିଲେ ଯେ, ଭୈରବୀ ତାଙ୍କୁ ଯେଉଁ ଟଙ୍କା ଦେଇଛନ୍ତି, ସେଥିରେ ଭଡା ଦେଇ ଆଉ ଚାରି ଅଣା ବଳୁଛି । ସେଥିରେ ତାଙ୍କର କଲିକତା ଯିବା ପର୍ଯ୍ୟନ୍ତ ଖର୍ଚ୍ଚ ଚଳିଯିବ । ସେଠାରୁ ସେ ଟିକଟ କରି କଲିକତା ଯାତ୍ରା କଲେ । ( କ୍ରମଶଃ )


ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights