4th August 2024
ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୨୩
ଦାକ୍ଷିଣାତ୍ୟ ଭ୍ରମଣ
ଏହା ପରେ ନିଗମାନନ୍ଦ ବରୋଦା ରାଜ୍ୟ ଭିତର ଦେଇ ଦକ୍ଷିଣକୁ ଚାଲିଲେ । ଏହି ରାଜ୍ୟରେ ଲୋକେ ମଠ ଓ ମନ୍ଦିରକୁ ଖୁବ୍ ପବିତ୍ର ମନେ କରି ସମ୍ମାନ କରନ୍ତି । ଏଠାରେ ଥିବା ଧର୍ମଧ୍ଵଜାଧାରୀ ମହନ୍ତମାନଙ୍କର ଆଧ୍ୟାତ୍ମିକ ଦୈନ ଦର୍ଶନ କରି ନିଗମାନନ୍ଦ ବଡ଼ କଷ୍ଟ ଅନୁଭବ କଲେ । ବରୋଦା ରାଜ୍ୟର ଦକ୍ଷିଣକୁ ଗମନ କରିବା ସଙ୍ଗେ ସଙ୍ଗେ ସେ ଦାକ୍ଷିଣାତ୍ୟ ବାସୀଙ୍କ ତାମିଲ ଭାଷା ବୁଝିବାକୁ ଅକ୍ଷମ ହେଲେ । ଏଠାରେ ଲୋକମାନେ ସାଧୁ ଦେଖିଲେ ସମ୍ମାନ କରନ୍ତି , ଅଯାଚିତ ଭାବେ ଭିକ୍ଷା ଦାନ କରନ୍ତି । ତେଣୁ ନିଗମାନନ୍ଦ ଏଠାରେ ବେଶୀ କିଛି ଅସୁବିଧା ଅନୁଭବ କଲେ ନାହିଁ । ଦାକ୍ଷିଣାତ୍ୟ ଭ୍ରମଣ ସମୟରେ ଭିକ୍ଷା ଲବ୍ଧ ଚାଉଳ,ଡାଲି,ଲୁଣ,ପରିବା, ଯାହା କିଛି ପାଉଥିଲେ ,ସବୁ ଏକତ୍ର ସିଦ୍ଧ କରି ଉଦର ପୂର୍ତ୍ତି କରୁଥିଲେ । ଦେହର ସ୍ଥୂଳ ପ୍ରଭାବକୁ କ୍ଲିଷ୍ଟ କରି ଏହିପରି ଭାବରେ କିଛି ଦିନ ପରେ ସେ ରାମେଶ୍ବରରେ ଆସି ଉପସ୍ଥିତ ହେଲେ।
ରାମେଶ୍ବର
ରାମେଶ୍ବର କର୍ମକ୍ଷେତ୍ର । ଭଗବାନ ତ୍ରେତୟା ଯୁଗରେ ନରଲୀଳା କରିବା ସମୟରେ ଏହି ସ୍ଥାନକୁ କର୍ମକ୍ଷେତ୍ର ରୂପେ ବାଛିଥିଲେ ବୋଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରାମେଶ୍ବରଠାରେ ଶୃଙ୍ଗେରୀମଠ ସ୍ଥାପନ କରିଥିଲେ । ଏହି ମଠକୁ ଆସି ବୈଦିକ ସନ୍ନ୍ୟାସୀମଣ୍ଡଳୀ ଯଜୁର୍ବେଦର ‘ ଅହଂ ବ୍ରହ୍ମାସ୍ମି ‘ ଅର୍ଥାତ୍ ‘ ଏହି ଆତ୍ମା ହିଁ ଅନନ୍ତ ଅସୀମ ବ୍ରହ୍ମ ‘ ଏହି ମହାବାକ୍ୟ ଧ୍ୟାନ କରି ବ୍ରହ୍ମସତ୍ତାରେ ନିମଜ୍ଜିତ ହୁଅନ୍ତି । ନିଗମାନନ୍ଦ ଏହି ଭାବରେ କିଛି ଦିନ ଅତିବାହିତ କରି ମାନ୍ଦ୍ରାଜ୍ ବାଟେ ପଦବ୍ରଜରେ ଦିନରେ ପ୍ରାୟ ତେଇଶି ଚବିଶି କୋଶ ବାଟ ଚାଲି ଚାଲି ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମରେ ଉପନୀତ ହେଲେ।
ଶ୍ରୀକ୍ଷେତ୍ର
ଏହି କ୍ଷେତ୍ର ଭୋଗକ୍ଷେତ୍ର । ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥ ଦେବଙ୍କର ଯେଉଁ ବାହ୍ୟକ ଭୋଗର ଆବରଣ ସ୍ମରଣାତୀତ କାଳରୁ ଚଳି ଆସୁଛି , ତାହା ଅନ୍ୟ କେଉଁଠାରେ ଦେଖାଯାଏ ନାହିଁ। ଏହି କ୍ଷେତ୍ରରେ ଶଙ୍କରାଚାର୍ଯ୍ୟଙ୍କ କତ୍ତୃକ ଗୋବର୍ଦ୍ଧନ ମଠ ସ୍ଥାପିତ ହୋଇଅଛି । ଋକ୍ ବେଦର ମହାବାକ୍ୟ ” ପ୍ରଜ୍ଞାନାଂ ଆନନ୍ଦଂ ବ୍ରହ୍ମ ” ଏହି ସ୍ଥାନରେ ବିଚାର୍ଯ୍ୟ । ପୂର୍ବୋକ୍ତ ତିନି ମଠରେ ଆତ୍ମା ସହିତ ବ୍ରହ୍ମର ଐକ୍ୟ ବିଚାର୍ଯ୍ୟ ଥିଲା ; ବର୍ତ୍ତମାନ ବ୍ରହ୍ମର ସ୍ୱରୂପ ବିଚାର୍ଯ୍ୟ ଓ ବିଧେୟ । ବ୍ରହ୍ମ କିପରି ? ଆନନ୍ଦମୟ । ନିଗମାନନ୍ଦ ବୈଦିକ ସନ୍ନ୍ୟାସୀ । ସେ ଆଚାର୍ଯ୍ୟ ଶଙ୍କରଙ୍କ ପ୍ରତିଷ୍ଠିତ ମଠ ଚତୁଷ୍ଟୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଗାମ୍ଭୀର୍ଯ୍ୟ ଦର୍ଶନ କରି ମୁଗ୍ଧ ହେଲେ । ପୁରୀରେ ପ୍ରାୟ ଏକ ମାସ ଅବସ୍ଥାନ କରି ସମୁଦ୍ରତୀରବର୍ତ୍ତୀ ମଠତ୍ରୟର ଗୁରୁତ୍ଵର ଆଭାସ ପାଇ ପୁନରାୟ ସଚ୍ଚିଦାନନ୍ଦ ସ୍ଵାମୀଙ୍କ ଆଶ୍ରମକୁ ଫେରିଗଲେ । ସେ ପୁରୀ ଧାମରେ ପରିବ୍ରାଜକ ଅବସ୍ଥାରେ ଭ୍ରମଣ କରୁଥିବା ବେଳେ ବଗଲା ଧର୍ମଶାଳାରେ ( ବର୍ତ୍ତମାନ ତାହାର ନାମ ବଗଲା ହାଉସ୍) ଅବସ୍ଥାନ କରିଥିଲେ । ସେ ଯେଉଁ କୋଠରୀରେ ଥିଲେ , ତାହା ପରବର୍ତ୍ତୀ କାଳରେ ସେବକମାନଙ୍କୁ ଚିହ୍ନାଇ ଦେଇଥିଲେ ।
ଯୋଗସାଧନା ନିମିତ୍ତ ଆଦେଶ
ସ୍ଵାମୀ ନିଗମାନନ୍ଦ ଭାରତବର୍ଷର ଚାରିଧାମ ଓ ସପ୍ତଖଣ୍ଡ ଭ୍ରମଣ କରି ଗୁରୁ ଦେବଙ୍କ ଆଶ୍ରମକୁ ଫେରିଆସି କିଛି ଦିନ ଅବସ୍ଥାନ କଲା ପରେ ଦିନେ ଗୁରୁ ସଚ୍ଚିଦାନନ୍ଦ ନିଗମାନନ୍ଦଙ୍କୁ ଡାକି କହିଲେ, ” ଆରେ , ମୋ ନିକଟରେ ତୋର ଯାହା ହେବାର ଥିଲା ତାହା ସବୁ ଶେଷ ହୋଇଗଲାଣି । ଯୋଗ ବ୍ୟତୀତ ଆତ୍ମଜ୍ଞାନ ପୂର୍ଣ୍ଣତା ପ୍ରାପ୍ତ ହୁଏ ନାହିଁ। ତୁ ଯେଉଁ ସବୁ ତତ୍ତ୍ଵ ଶାସ୍ତ୍ରାଲୋଚନା କରି ଜାଣିଛୁ, ସେହିସବୁ ତତ୍ତ୍ଵ ପ୍ରତ୍ୟକ୍ଷ ଉପଲବ୍ଧି କରିବା ନିମିତ୍ତ ତୋତେ ଯୋଗୀଗୁରୁ ଅନୁସନ୍ଧାନ କରିବାକୁ ହେବ । ତାଙ୍କ ନିର୍ଦ୍ଦେଶମତେ ଯୋଗ ସାଧନ କରି ସିଦ୍ଧ ହେବାକୁ ପଡିବ । ଯୋଗବଳରେ ଏସବୁ ତତ୍ତ୍ଵର ପ୍ରତ୍ୟକ୍ଷ ଦର୍ଶନ ଲାଭ ହେବ । ତୁ ଯୋଗୀଗୁରୁ ଅନୁସନ୍ଧାନ କରି ଯୋଗ ସାଧନ କର ।” ଆବେଗର ସହିତ ନିଗମାନନ୍ଦ ଉତ୍ତର ଦେଲେ, ” ତୁମକୁ ଛାଡି ଆଉ କେଉଁ ଆଡେ ଯିବାକୁ ମୋର ଇଚ୍ଛା ନାହିଁ । ତୁମେ ମୋତେ ଯୋଗ ଶିକ୍ଷା ଦିଅ ।”
ସଚ୍ଚିଦାନନ୍ଦ କହିଲେ, ” ବତ୍ସ ନିଗମାନନ୍ଦ, ମୁଁ ଯୋଗ ପଥରେ ସିଦ୍ଧ ନୁହେଁ, ଜ୍ଞାନପଥରେ ସିଦ୍ଧ । କିନ୍ତୁ ଜ୍ଞାନପଥ ବଡ଼ କଠିନ । କୃଚ୍ଛ ସାଧନର କଷ୍ଟ ସହ୍ୟ କରିପାରିଲେ ମଧ୍ୟ ଏହି ପନ୍ଥାରେ ସତ୍ୟ ଲାଭ କରିବାପାଇଁ ବହୁ ସମୟ ଲାଗିବ । ଦିବ୍ୟ ଦୃଷ୍ଟିରେ ମୁଁ ଦେଖି ପାରୁଛି ଯେ, ଯୋଗୀ ଗୁରୁ ଅନୁସନ୍ଧାନ କରି ଯୋଗ ସାଧନ କଲେ ଅତି ଅଳ୍ପ ସମୟ ଭିତରେ ତୋର ପରମାତ୍ମତତ୍ତ୍ଵ ଉପଲବ୍ଧି ହୋଇପାରିବ । ସେତେବେଳେ ବିନା ଆୟାସରେ ନିର୍ବିକଳ୍ପ ସମାଧି ଭିତରେ ବ୍ରହ୍ମତତ୍ତ୍ଵ ଫୁଟି ଉଠିବ ।
ସଚ୍ଚିଦାନନ୍ଦଙ୍କର ବିଦ୍ୟାୟ ଆଶୀର୍ବାଦ
ପୁଣି ଗୁରୁ ଅନୁସନ୍ଧାନ କଥା ଶୁଣି ନିଗମାନନ୍ଦଙ୍କ ମୁଖ ମଳିନ ହୋଇପଡ଼ିଲା । ସାକ୍ଷାତ୍ ବ୍ରହ୍ମତତ୍ତ୍ଵବିତ୍ ପରମଜ୍ଞାନୀ ଗୁରୁ ଦେବଙ୍କର ଆଶ୍ରୟ ତ୍ୟାଗକରି ପୁନରାୟ ଗୁରୁ ଅନ୍ୱେଷଣ ଯେ ଏକ ଦୁରୁହ ବ୍ୟାପାର , ତାହା ମନେ ମନେ ଚିନ୍ତା କରି ହତାଶର ଛାୟା ତାଙ୍କ ମନରେ ଖେଳିଗଲା । ସ୍ଵାମୀ ସଚ୍ଚିଦାନନ୍ଦ ଶିଷ୍ୟଙ୍କର ଏପରି ବିଷର୍ଣ୍ଣ ଭାବ ଦେଖି କହିଲେ , ” ବତ୍ସ , ଭୟ କର ନାହିଁ ; ଯୋଗୀ ଗୁରୁ ତୁରନ୍ତ ମିଳିଯିବେ।” ଏହାପରେ ନିଗମାନନ୍ଦ ଯୋଗୀ ଗୁରୁ ଅନୁସନ୍ଧାନରେ ଦୃଢ଼ସଂକଳ୍ପ ହୋଇ ଆଉ କାଳବିଳମ୍ବ ନକରି ଗୁରୁ ଦେବଙ୍କର ଆଶୀର୍ବାଦ ଗ୍ରହଣ ପୂର୍ବକ ଆଶ୍ରମରୁ ବିଦାୟ ନେଲେ। ଗୁରୁ ସଚ୍ଚିଦାନନ୍ଦ ଏକାନ୍ତ ଦୁଃଖିତ ଅନ୍ତଃକରଣରେ ଶିଷ୍ୟ ନିଗମାନନ୍ଦଙ୍କୁ ବିଦାୟ ଦେଇ ଦୃଷ୍ଟି ପଥରୁ ଅନ୍ତର୍ନିହିତ ହେବା ପର୍ଯ୍ୟନ୍ତ ସତୃଷ୍ଣ ନୟନରେ ତାଙ୍କ ଯିବା ପଥକୁ ଅନାଇ ରହିଥାନ୍ତି। ( କ୍ରମଶଃ )
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି