କାହିଁ ଗଲା ସେଦିନ ?

Share it

4th August 2024
ଆମ ସଂସ୍କୃତି ଆମ ପରମ୍ପରା

~ଚିତଉ ଅମାବାସ୍ୟା ଓ ଗେଣ୍ଡା ପୂଜା ~
କାନନ ବାଳା ନାୟକ

ପିଲା ଦିନ ସତରେ କେତେ ନିଷ୍ପାପ, ପବିତ୍ର, ଶୁଦ୍ଧ ଅବିଳତା ଶୂନ୍ୟ।ନା ମନ ଭିତରେ ଥାଏ କିଛି ଈର୍ଷା, ହିଂସା,ନା ପର ଆପଣାର ପ୍ରଭେଦ। ମନ ଭିତରେ ଥାଏ ସାରା ପୃଥିବୀକୁ ଆପଣାର କରିବାର ଇଛା। ହେଲେ ପ୍ରଜାପତି ଧରୁ ଧରୁ କେତେ ବେଳେ ଶିଶୁଟି ଶୈଶବରୁ ଯାଇ କୈଶର ଓ କୈଶରରୁ ଯୌବନରେ ପଦାର୍ପଣ କରେ ସେକଥା ଅନୁଭବ କରିବା ବେଳକୁ ମଣିଷ ସଂସାରର ଜାବତୀୟ ଆବିଳତାକୁ ନିଜ ଇଚ୍ଛା ଓ ଅନିଚ୍ଛା ସତ୍ତ୍ବେ ବି ଆପଣାର କରି ସାରିଥାଏ । ଆଉ ପଛରେ ଛାଡି ଆସିଥାଏ ଅନେକ ସୁନ୍ଦର ସ୍ମୃତି। ଯାହାକୁ ମନେ ପକାଇ ସେ ବର୍ତ୍ତମାନ ଭିତରେ ବି ଅତୀତକୁ ବଞ୍ଚି ପାରେ ଓ କିଛି ସମୟ ଖୁସି ଅନୁଭବ କରେ।

ସେମିତି ଗୋଟେ ସ୍ମୃତି ଯାହା ସବୁ ଚିତାଲାଗି ଅମାବାସ୍ୟାରେ ମୋତେ ଆମୋଦିତ କରେ ତାହା ହେଲା ଗେଣ୍ଡେଇଶୁଣି ପୂଜା ବା ଗେଣ୍ଡା ପୂଜା। ଏହି ପୂଜା ଶ୍ରାବଣ ମାସ ଅମାବାସ୍ୟା ତିଥିରେ କରାଯାଏ। ଏହି ଦିନ ସକାଳୁ ଉଠି ଆମେ ସବୁ ଭଉଣୀ ମାନେ ଗାଁ ପିଲା ମାନଙ୍କ ସହ ମିଶି ବୁଢ଼ା ଗେଣ୍ଡା ଖୋଜୁଥିଲୁ। ଆମ ଅଞ୍ଚଳରେ ସେତେବେଳେ ପ୍ରାୟତଃ ଦୁଇ ପ୍ରକାର ଗେଣ୍ଡା ଦେଖା ଯାଉଥିଲା। ବୁଢ଼ା ଗେଣ୍ଡା ଓ ଜଳଘଟି। ବୁଢ଼ା ଗେଣ୍ଡା ପାଣି ଭିତରେ ରହିବା ସହିତ ଗଡିଆ ପୋଖରୀ ଆଡିରେ ଥିବା ମାଟି ଭିତରେ ପଶି ରହୁଥିଲେ। ତାକୁ ଆମ ଗାଁ ଲୋକେ ଦାଆ ସାହାଯ୍ୟରେ ଖୋଳି ଖୋଳି ବାହାର କରୁଥିଲେ। ଆମେ‌ ମଧ୍ୟ ପ୍ରଥମେ ଆମ ଘର ପଛପଟେ ଥିବା ଗଡିଆ ରେ ସାତଟି ବୁଢ଼ା ଗେଣ୍ଡା ଖୋଜୁଥିଲୁ। ଯଦି ପାଉ ନଥିଲୁ ତେବେ ଗାଁ ର ସ୍ତ୍ରୀ ଲୋକଙ୍କୁ କହି ଗଡିଆ ଆଡିରୁ ଗେଣ୍ଡା ତଡା କରାଉଥିଲେ। ଆଉ ସାତ ଟି ଗେଣ୍ଡା ସଂଗ୍ରହ କରୁଥିଲୁ। ତା ପରେ ଫୁଲ ଧୂପ ଦୀପ ଦୂବ ଓ ବରକୋଳି ପତ୍ର ଗୋଟେ ଥାଳିରେ ସଜାଡି ରଖୁଥିଲୁ।

ଘରେ ବଡ଼ମାଆ, ମାଆ, ଖୁଡ଼ି ପ୍ରଭୃତି ମିଶି ଅରୁଆ ଚାଉଳ ଚୁନା ରେ ଚିତଉପିଠା ଓ ଯଦି ତାଳ ପାଚୁଥିଲା ତେବେ ତାଳ ଚକୁଳି କରୁଥିଲେ।ପିଠା ହୋଇଗଲା ପରେ ସାତଟି ଗେଣ୍ଡାକୁ ଗଡିଆ ଆଡିରେ ପଡିଥିବା ପଥର ଉପରେ ଧାଡ଼ି କରି ସଜାଡୁ ରଖୁଥିଲୁ। ତାପରେ ତା ଉପରେ ସିନ୍ଦୂର, ଚନ୍ଦନ, ଫୁଲ ଓ ଦୁବ ଦେଉଥିଲୁ। ବରକୋଳି ପତ୍ରକୁ ଗେଣ୍ଡା ସାମ୍ନା ରେ ରଖି ବରକୋଳି ପତ୍ର ଉପରେ ପିଠା ଭୋଗ ଦେଉଥିଲୁ।

ଭୋଗ ଦେଇ ସାରି ଖଣ୍ଡେ ଖଣ୍ଡେ ପିଠା ଛିଣ୍ଡାଇ ପାଣିକୁ ପକାଉ ଥିଲୁ ଏବଂ କହୁଥିଲୁ ଗେଣ୍ଡା ମୋ ବାପା ଗୋଡ଼ କାଟିବୁ ନାହିଁ। ମୋ ଭାଇ ଗୋଡ଼ କାଟିବୁ ନାହିଁ, ମୋ‌ କକା ଗୋଡ଼ କାଟିବୁ ନାହିଁ ଏମିତି ପରିବାରର ସମସ୍ତଙ୍କ ନାମ ସହିତ ବିଲ (ଚାଷ ଜମି)ରେ କାମ କରୁଥିବା ଲୋକଙ୍କ ନାମ ନେଇ ମଧ୍ୟ ପିଠା ଛିଣ୍ଡାଇ ଗଡିଆକୁ ପକାଉଥିଲୁ।

ଯାହା ଉପରେ ରାଗ ଥିଲା ତା ନାଁ ନେଉ ନଥିଲୁ ଓ କହୁଥିଲୁ ତାକୁ ଗେଣ୍ଡା କାଟୁ। ସାଧାରଣତଃ ଶ୍ରାବଣ ମାସରେ ଚାଷ କାମ କରାଯାଏ। ସେ ସମୟରେ ବିଲ ବାଡ଼ିରେ ଗେଣ୍ଡାଙ୍କ ସଂଖ୍ୟା ବଢ଼ିଯାଏ। ଆଉ ବିଲ ବାଡ଼ିରେ‌ କାମ କରୁଥିବା ଲୋକ ମାନଙ୍କ ଗୋଡ଼ ଏଇ ଗେଣ୍ଡା ମାନଙ୍କ ଉପରେ ପଡ଼ିଲେ ଗେଣ୍ଡାର ଜିଭ ଲାଗି କିମ୍ବା ଗେଣ୍ଡାର ଖୋଳପା ଗୋଡ଼ରେ ପଶି ଗୋଡ଼ କଟି ଯାଏ। ସେଥିପାଇଁ ଗେଣ୍ଡା ମାନଙ୍କୁ ପୂଜା କରି ଗେଣ୍ଡା ଯେମିତି କାହା ଗୋଡ଼କୁ ନ କାଟେ ସେଥିପାଇଁ ପ୍ରାର୍ଥନା କରାଯାଏ।

ସମୟ ଆଗକୁ ଆଗେଇ ଚାଲିଛି। ଆଗ ଭଳି ଲୋକ ମାନେ ଆଉ ଚାଷ କରୁ ନାହାଁନ୍ତି। ଯିଏ ବି କରୁଛନ୍ତି ପାରମ୍ପରିକ କୃଷି ପରିବର୍ତ୍ତେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି କୃଷି କରୁଛନ୍ତି। ତେଣୁ ଚିତଉ ଅମାବାସ୍ୟାରେ ଆଉ କେହି ଗେଣ୍ଡା ପୂଜା କରିବାର ଦେଖା ଯାଉନି। ଯଦି ବା କିଛି କିଛି ଯାଗାରେ ପୂଜା କରାଯାଉଛି ସେଠି ପିଠା କରି ତାକୁ ଖଣ୍ଡ ଖଣ୍ଡ ଛିଣ୍ଡାଇ ପାଣିକୁ ପକାଇ ଦିଆ ଯାଇଛି। ଆଉ ଗେଣ୍ଡା ସଂଗ୍ରହ କରି ଧୂପ ଦୀପ ଦେଇ ପୂଜା କରିବା ପ୍ରାୟ ନାହିଁ କହିଲେ ଚଳେ।

ସମୟର ଗତି ସହିତ ତାଳ ଦେଇ ସବୁ ପର୍ବ ପର୍ବାଣୀରେ ମଧ୍ୟ ପରିବର୍ତ୍ତନ ଆସି ଗଲାଣି। ଏ ସବୁ ପର୍ବ ପର୍ବାଣୀ ମଣିଷକୁ ମଣିଷ କରୁଥିଲା ତା ଜୀବନକୁ ସରସ ସୁନ୍ଦର କରି ଗଢି ତୋଳୁଥିଲା। ଏବେ ମଣିଷ ଏସବୁ ଠାରୁ ଦୂରେଇ ଯାଉଛି ତା ସହ ମଣିଷ ନରହି କ୍ରମେ ଯନ୍ତ୍ର ମଣିଷ ପାଇଟି ଯାଉଛି। ତେଣୁ ଏ ସବୁ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଆମେ ସମସ୍ତେ ସଙ୍କଳ୍ପ ବଦ୍ଧ ହେବା ଉଚିତ୍। ତେବେ ଯାଇ ଏ ଦେଶର ସଂସ୍କୃତି ଓ ପରମ୍ପରା ଅକ୍ଷୁର୍ଣ୍ଣ ରହି ପାରିବ।

– କାନନ ବାଳା ନାୟକ


Share it

Leave a comment

Your email address will not be published. Required fields are marked *

Verified by MonsterInsights