3rd August 2024
ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୨୨
ଗୌରୀ ମା’ଙ୍କର ଆଦେଶ
ପୁଷ୍କର ଫେରିବା ବାଟରେ ସଚ୍ଚିଦାନନ୍ଦ ସ୍ଵାମୀ ପୁନରାୟ ଗୌରୀ ମା’ଙ୍କ ଆଶ୍ରମରେ ଉପନୀତ ହେଲେ। ଗୌରୀ ମାଆଙ୍କ ସହିତ ସାକ୍ଷାତ କରି ବିଦାୟ ନେଇ ଆସିବା ବେଳେ ଗୌରୀ ମା’ ହସ ହସ ବଦନରେ ନିଗମାନନ୍ଦଙ୍କ ପ୍ରତି ଦୃଷ୍ଟିପାତ କରି ସଚ୍ଚିଦାନନ୍ଦଙ୍କୁ କହିଲେ,” ତୁମ ସହିତ ଯେଉଁ ସନ୍ନ୍ୟାସୀ ଶିଷ୍ୟ ଆସିଛନ୍ତି , ସେ ଯଦି କେତେବେଳେ ନିର୍ବିକଳ୍ପ ସମାଧି ଲାଭ କରନ୍ତି , ତେବେ ତାଙ୍କୁ ମୋ ପାଖକୁ ପଠାଇଦେବ।” କଥାଟି ଗୌରୀ ମା ଏପରି ଭାବେ କହିଲେ ଯେ, ନିଗମାନନ୍ଦ ତାହା ପରିଷ୍କାର ଶୁଣି ପାରିଲେ । ତାହା ପରେ ଏହି ପ୍ରସଙ୍ଗ ଆଲୋଚନା କରି ଗୁରୁ ଶିଷ୍ୟ ଉଭୟ ସେଠାରୁ ପ୍ରସ୍ଥାନ କଲେ। ସଚ୍ଚିଦାନନ୍ଦ ସ୍ଵାମୀ ଶିଷ୍ୟ ନିଗମାନନ୍ଦଙ୍କୁ ଏକାକୀ ଅନ୍ୟ ଧାମମାନ ପରିଭ୍ରମଣ କରିବାକୁ ନିର୍ଦ୍ଦେଶ ଦେଇ ଏହିଠାରୁ ନିଜ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କଲେ। ତତ୍ପରେ ନିଗମାନନ୍ଦ ଦ୍ୱାରକା ଅଭିମୁଖେ ଯାତ୍ରା କଲେ।
ଦ୍ୱାରକା
ଦ୍ୱାରକା ଐଶ୍ୱର୍ଯ୍ୟ କ୍ଷେତ୍ର । ଏଠାରେ ଭଗବାନ ଶ୍ରୀକୃଷ୍ଣ ଐଶ୍ୱର୍ଯ୍ୟର ଲୀଳା ଦେଖାଇ ଯାଇଛନ୍ତି । ଭାରତର ଅନ୍ୟ କୌଣସିଠାରେ ଏପରି ଐଶ୍ୱର୍ଯ୍ୟ ଦେଖାଯାଇ ନାହିଁ । ଏହି ସ୍ଥାନରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସାରଦା ମଠ ଅବସ୍ଥିତ। ଏଠାରେ ସାମବେଦର ତତ୍ତ୍ଵମସି ମହାବାକ୍ୟ ଅର୍ଥାତ୍ ‘ସେ ଏବଂ ମୁଁ ଏକ’ ଏହି ଭାବ ହୃଦୟ ଭିତରେ ଫୁଟାଇବାକୁ ହେବ । ଭଗବାନ ଯେ ପ୍ରତି ଜୀବ ଭିତରେ ପ୍ରକାଶ ପାଉଛନ୍ତି, ଏହି ଭାବ କେବଳ ପୁସ୍ତକ ପାଠ ନକରି ଏହି କ୍ଷେତ୍ରରେ ରହି ବିଚାର କଲେ ପ୍ରତ୍ୟକ୍ଷ ଜ୍ଞାନ ଆସିବାରେ ସାହାଯ୍ୟ କରେ ; କାରଣ ବୈଦାନ୍ତିକ ସନ୍ନ୍ୟାସୀ ଜ୍ଞାନପନ୍ଥୀ।
କାମିନୀ କାଞ୍ଚନଙ୍କ ଆକର୍ଷଣ
ନିଗମାନନ୍ଦ ଦ୍ୱାରକା ମଠକୁ ଆସି ଦେଖିଲେ ଯେ, ଏହି ମଠରେ କୌଣସି ମହନ୍ତ ନାହାଁନ୍ତି। ଗୋଟିଏ ବୃଦ୍ଧାଙ୍କ ହାତରେ ମଠର ସମସ୍ତ କତୃତ୍ତ୍ଵ ନ୍ୟସ୍ତ । ନିଗମାନନ୍ଦ କିଛି ଦିନ ସେହିଠାରେ ଅବସ୍ଥାନ କରିବା ଫଳରେ ବୃଦ୍ଧା ତାଙ୍କ ପ୍ରତି ଆକୃଷ୍ଟ ହୋଇପଡିଲେ । ନିଗମାନନ୍ଦ ମଧ୍ୟ ତାଙ୍କୁ ମା’ ବୋଲି ଡାକିଲେ । ବୃଦ୍ଧା ନିଗମାନନ୍ଦଙ୍କୁ ସ୍ନେହ କରିବାର କାରଣ ହେଲା ଯେ, ସେତେବେଳେ ଦ୍ୱାରକା ମଠରେ କେହି ମହନ୍ତ ନଥିବାରୁ ବୃଦ୍ଧା ତାଙ୍କୁ ମଠର ମହନ୍ତ କରିବା ନିମିତ୍ତ ମନେ ମନେ ସ୍ଥିର କରିଥିଲେ ।
ନିଗମାନନ୍ଦ ଦ୍ୱାରକା ମଠରେ ସୁଖରେ କାଳ କାଟୁଥିବା ଅବସ୍ଥାରେ ଜଣେ ଭୈରବୀ ସେଠାରେ ଆସି ଉପସ୍ଥିତ ହେଲେ । ଭୈରବୀ ପୂର୍ଣ୍ଣଯୌବନା । ହାତରେ ତ୍ରିଶୂଳ। ନିଗମାନନ୍ଦ ସହିତ ଭୈରବୀଙ୍କର ସାକ୍ଷାତ୍ ହେବା ଦିନ ଠାରୁ ଭୈରବୀ ସେଠାକୁ ଯାତାୟାତ କରିବାକୁ ଲାଗିଲେ । କିଛି ଦିନ ପରେ ଜଣା ପଡିଲା ଯେ, ଭୈରବୀ ଯଶୋହର ଜିଲ୍ଲାର ଜଣେ ବ୍ରାହ୍ମଣ କନ୍ୟା। ନିଗମାନନ୍ଦଙ୍କ ସନ୍ନ୍ୟାସୀ ପନ୍ଥା ଯେ ଭୁଲ ଏବଂ କଳିକାଳରେ ଭୈରବୀ ଅବଲମ୍ୱିତ ତନ୍ତ୍ରୋକ୍ତ ବିଧି ଓ ନାନାପ୍ରକାର ଯୁକ୍ତିତର୍କର ଅବତାରଣା କରି ସେହି ଭୈରବୀ ନିଗମାନନ୍ଦଙ୍କୁ ବୁଝାଇବାକୁ ଲାଗିଲେ । ଭୈରବୀ ଏକେ ତ ସୁନ୍ଦରୀ, ଦ୍ଵିତୀୟରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ । ଏହା ଦେଖି ନିଗମାନନ୍ଦ କ୍ରମେ ଭୈରବୀଙ୍କ ଆଡ଼କୁ ଆକୃଷ୍ଟ ହୋଇପଡିଲେ । ଭୈରବୀ ନିଗମାନନ୍ଦଙ୍କୁ ଯୁକ୍ତି ଦେଖାଇଲେ ଯେ, ତନ୍ତ୍ରୋକ୍ତ ବିଧାନାନୁସାରେ ଉଭୟଙ୍କ ମଧ୍ୟରେ ବିବାହ ହୋଇପାରେ।
ନିଗମାନନ୍ଦ ଭୈରବୀଙ୍କର ନାରୀତ୍ୱରେ ମୁଗ୍ଧ ହୋଇ ବିବାହରେ ମତ ଦେଲେ । ଭାବିଲେ, ମନ୍ଦ କଣ ହେବ ? ଏ ମଠର ମହନ୍ତ ହେବାକୁ ପଡ଼ିବ । ପୁଣି ତନ୍ତ୍ରୋକ୍ତ ବିଧାନ ମତେ ବିବାହ କରି ଧର୍ମ ଜୀବନ ଯାପନ କରିବାକୁ ହେବ । ଏହିପରି ଭାବି ଶୈବବିଧାନ ମତେ ବିବାହ କରିବାର ଦିନ ପର୍ଯ୍ୟନ୍ତ ଠିକ୍ କରିଦେଲେ ।
ସଦଗୁରୁଙ୍କ ପ୍ରଭାବ
ବିବାହର ପୂର୍ବଦିନ ରାତିରେ ନିଗମାନନ୍ଦ ମନଦୃଢ଼ କରି ନିଦ୍ରିତ ହୋଇପଡିଲେ । ସ୍ଵପ୍ନରେ ଦେଖିଲେ, ଭୈରବୀଙ୍କ ସହିତ ତାଙ୍କର ବିବାହ ହୋଇଯାଇଛି। ଭୈରବୀ ତାଙ୍କ ନିକଟରେ ବସିଛନ୍ତି । ସ୍ଵପ୍ନରେ ନିଗମାନନ୍ଦଙ୍କ ମନରେ ଆନନ୍ଦ ଆସିବା ପରିବର୍ତ୍ତେ ନିରାନନ୍ଦ ଉପସ୍ଥିତ ହେଲା । ଗୁରୁ ସ୍ଵାମୀ ସଚ୍ଚିଦାନନ୍ଦଙ୍କ ସାଢେ଼ ଚାରି ସେର ଓଜନର ଚିମୁଟାର ଝଣ ଝଣ ଯେପରି ନିଗମାନନ୍ଦ ଶୁଣିବାକୁ ପାଇଲେ । ନିଗମାନନ୍ଦଙ୍କର ଭାବାନ୍ତର ହେବା ସଙ୍ଗେ ସଙ୍ଗେ ଭୈରବୀଙ୍କର ସୁନ୍ଦର ଶରୀର ଲହୁଣୀ ପରି ତରଳିଯାଇ ମାଂସପେଶୀ ସମୂହ ଖସିପଡ଼ିଲା । ଅବଶିଷ୍ଟ କଙ୍କାଳରାଶି ନିଗମାନନ୍ଦଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟତ ହେବା ସମୟରେ ସେ ଚିତ୍କାର କରି ଉଠିଲେ ଓ ତାଙ୍କ ନିଦ୍ରାଭଙ୍ଗ ହୋଇଗଲା। ସଙ୍ଗେ ସଙ୍ଗେ ଲୋଟା , କମ୍ବଳ ପ୍ରଭୃତି ନେଇ ନିଗମାନନ୍ଦ ସେଠାରୁ ଦୌଡ଼ି ପଳାଇଲେ । ଚିତ୍କାର ଶବ୍ଦରେ ମଠର ବୃଦ୍ଧା ଉଠି ନିଗମାନନ୍ଦଙ୍କ ପଥରୋଧ କଲେ। ନିଗମାନନ୍ଦ ବୃଦ୍ଧାଙ୍କୁ ଠେଲି ଦୌଡ଼ି ପଳାଇଯିବାକୁ ଲାଗିଲେ । କେଉଁଠାରେ ଯେ ତାଙ୍କ ଦୌଡିବା ବନ୍ଦ ହେଲା ସେ ଜାଣନ୍ତି ନାହିଁ।
ହିମଲାଜ ଗମନ
ଏହା ପରେ ନିଗମାନନ୍ଦ କରାଚୀ ବାଟ ଦେଇ କତିପୟ ସାଧୁ ସନ୍ନ୍ୟାସୀଙ୍କ ସହିତ ଓଟ ପିଠିରେ ବସି ଅନ୍ୟତମ ପୀଠସ୍ଥାନ ହିମଲାଜରେ ପହଞ୍ଚିଲେ। ସେଠାରେ ଦେବୀଙ୍କର ବ୍ରହ୍ମରନ୍ଧ୍ର ପତିତ ହୋଇଥିଲା ବୋଲି କଥିତ ଅଛି। ସମାଧି ଅବସ୍ଥାରେ ଯେଉଁ ଜ୍ୟୋତିଃଦର୍ଶନ ହୁଏ , ଏଠାରେ ଥିବା କୂପ ମଧ୍ୟରୁ ସେହିପରି ସ୍ନିଗ୍ଧ ଜ୍ୟୋତି ବାହାରୁଥିବାର ଦେଖାଯାଏ । ଏଠାରେ ବହୁ ହିନ୍ଦୁ ସାଧୁ ସନ୍ନ୍ୟାସୀ ଓ କେତେକ ମୁସଲମାନ ଫକୀରଙ୍କୁ ମଧ୍ୟ ସେ ଦେଖିଲେ । ଧର୍ମ ଲାଭ ନିମିତ୍ତ ଏଠାରେ ହିନ୍ଦୁ ମୁସଲମାନଙ୍କର ଭେଦଭାବ ନଥିବା ଦେଖି ନିଗମାନନ୍ଦ ବଡ଼ ତୃପ୍ତ ହେଲେ। ସେଠାରେ କିଛିଦିନ ଅବସ୍ଥାନ କରି ସେ ପୁନର୍ବାର କରାଚୀ ଫେରିଆସିଲେ । ( କ୍ରମଶଃ )
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି