ପୌଣ୍ଡ୍ରକ ବାସୁଦେବ ଉପାଖ୍ୟାନ

Share it

1st August 2024

==================
ବ୍ରହ୍ମଜ୍ଞାନୀ ଶୁକ, ରାଜା ପରିକ୍ଷିତଙ୍କୁ ଭାଗବତ କଥା ଶୁଣାଉଥିଲା ବେଳେ କହିଲେ, ପରିକ୍ଷିତ ! ଆଜି ମୁଁ ତୁମକୁ ଏକ ସୁନ୍ଦର କଥା କହୁଛି, ତୁମେ ମନଦେଇ ଶୁଣ l ଶୁକ କଥା ଆରମ୍ଭ କଲେ l

କରୁଷ ଦେଶରେ ଜଣେ ରାଜା ଥିଲେ l ତାଙ୍କ ନାମ ପୌଣ୍ଡ୍ରକ l ଦିନେ ତାଙ୍କ ମୁଣ୍ଡକୁ ଏକ ଅଜବ ଖିଆଲ ପଶିଲା l ସେ ନିଜକୁ କୃଷ୍ଣଙ୍କ ଭଳି ସଜାଇ ପ୍ରଜାଙ୍କୁ କହିଲା, ମୁଁ ହେଉଛି ପ୍ରକୃତ ବାସୁଦେବ l ଧରାଭାର ଉଶ୍ୱାସ ପାଇଁ, ମୁଁ ଅବତାର ନେଇଛି l ସେ ଶ୍ରୀକୃଷ୍ଣ ମିଛଟାରେ ନିଜକୁ ବାସୁଦେବ ବୋଲାଉଛି l ତୁମେ ମାନେ ମୋତେ ବାସୁଦେବ ମାନି ମୋ ସେବାକର l ଯିଏ ମୋତେ ହରି ବୋଲି ନ କହିବ ମୁଁ ତାକୁ ମାରି ପକାଇବି l ପ୍ରଜାମାନେ ଡରି ମରି କହିଲେ, ତୁମ୍ଭେ ସାକ୍ଷାତ ନାରାୟଣ, ଅନାଦି ପରମକାରଣ l

ନିଜକୁ ବାସୁଦେବ କହି ଦିନେ ପୌଣ୍ଡ୍ରକ ଦ୍ୱାରକାକୁ ଦୂତ ପଠାଇଲା l ଶ୍ରୀକୃଷ୍ଣଙ୍କ ପାଖକୁ ଦୂତ ହାତରେ ସେ ବାର୍ତ୍ତାଦେଲା, ପ୍ରାଣୀମାନଙ୍କୁ କୃପା କରିବାପାଇଁ ମୁଁ ବାସୁଦେବ ରୂପରେ ଅବତୀର୍ଣ୍ଣ ହୋଇଛି l ତୁମେ ତୁମର ମିଥ୍ୟା ବାସୁଦେବ ନାମକୁ ପରିତ୍ୟାଗ କର l ଯାଦବ ମାନେ ମୂଢ଼ତା ବଶତଃ ତୁମକୁ ବାସୁଦେବ ବୋଲି ମାନ୍ୟ କରୁଛନ୍ତି l ତୁମେ ମୋର ଯେଉଁ ସବୁ ଚିହ୍ନ ଧାରଣ କରିଛ ତାକୁ ଶୀଘ୍ର ପରିତ୍ୟାଗ ପୂର୍ବକ ମୋର ଶରଣ ପଶ l ନଚେତ୍ ମୋ ସହ ଆସି ଯୁଦ୍ଧ କର l

ଦୂତର ବାର୍ତ୍ତା ଶୁଣି, ରାଜା ଉଗ୍ରସେନଙ୍କ ସହ ସମସ୍ତ ସଭାସଦ ହସି ଉଠିଲେ l ଉଚ୍ଚସ୍ବରରେ ହସି ଶ୍ରୀକୃଷ୍ଣ କହିଲେ, ରେ ଦୂତ ! ମନ୍ଦବୁଦ୍ଧି ପୌଣ୍ଡ୍ରକକୁ ତୁ ଯାଇ କହ, କୃତ୍ରିମ ଚିହ୍ନ ସବୁ ଧାରଣ କରି ତାର ବହୁତ ଆତ୍ମଗର୍ବ ବଢ଼ିଯାଇଛି l ମୁଁ ତାକୁ ଅବିଳମ୍ବେ ଛଡ଼ାଇ ଦେଉଛି l ଯେଉଁ ମୁହଁରେ ସେ ବାହାସ୍ଫୋଟ ମାରୁଛି ସେହି ମୁହଁରେ ସେ ଶୀଘ୍ର ଧୂଳି ଚାଟିବ l

ଦୂତ ଫେରି ଯାଇ, ନିଜ ରାଜାଙ୍କ ପାଖରେ କୃଷ୍ଣଙ୍କ ଏହି ତିରସ୍କାରପୁର୍ଣ୍ଣ ଉକ୍ତି ଜଣାଇ ଦେଲା l ପୌଣ୍ଡ୍ରକ ଦୂତ ଠାରୁ ଖବର ପାଇଛନ୍ତି କି ନାହିଁ ଇଆଡ଼ୁ କୃଷ୍ଣ ଯାଇ ତା’ ଉପରେ ଚଢ଼ାଉ କରିଦେଲେ l ପୌଣ୍ଡ୍ରକ
ସେତେବେଳେ ତା ମିତ୍ରରାଜ୍ୟ କାଶିରେ ରହୁଥିଲା l ଯୁଦ୍ଧ ପାଇଁ ଶ୍ରୀକୃଷ୍ଣ ଆସି ଗଲେଣି ଦେଖି ପୌଣ୍ଡ୍ରକ ତାର ଦୁଇ ଆକ୍ଷୋହିଣୀ ସେନା ଧରି କୃଷ୍ଣଙ୍କ ସହିତ ଯୁଝିବା ପାଇଁ ବାହାରି ଆସିଲା l ସହାୟତା କରିବା ପାଇଁ ତା’ ମିତ୍ର କାଶିରାଜା ମଧ୍ୟ୍ୟ ତିନି ଅକ୍ଷୋହିଣୀ ସେନା ଧରି ବାହାରି ଆସିଲେ l

ଶ୍ରୀକୃଷ୍ଣ ଦେଖିଲେ ପୌଣ୍ଡ୍ରକ ତା ଗଳାରେ ଗୋଟିଏ କୃତ୍ରିମ କୌସ୍ତୁଭ ମଣି ପିନ୍ଧିଛି l ପୀତ ବସ୍ତ୍ର ପିନ୍ଧିଛି l ଗରୁଡ଼ଧ୍ଵଜ ରଥ ଆରୋହଣ କରିଛି l ତା କାନରେ ଶୋଭା ପାଉଛି ମକର କୁଣ୍ଡଳ l ଶିରରେ ରତ୍ନମୟ ମୁକୁଟ l ତା ବେଶ ଲାଗୁଥାଏ ଯେପରି ଅଭିନେତା ଜଣେ ଅଭିନୟ ପାଇଁ ମଞ୍ଚ ଉପରକୁ ଉଠିଆସିଛି l କୃଷ୍ଣ ତାକୁ ଦେଖି ହସିବାକୁ ଲାଗିଲେ l ପୌଣ୍ଡ୍ରକର ଓ ମିତ୍ର କାଶୀ ରାଜଙ୍କ ସମସ୍ତ ସେନା ମିଶି କୃଷ୍ଣଙ୍କ ଉପରେ ତୀବ୍ର ବେଗରେ ଆକ୍ରମଣ ଆରମ୍ଭ କଲେl ଦୁହିଁଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଗଲା l

ଶ୍ରୀକୃଷ୍ଣ ପୌଣ୍ଡ୍ରକକୁ ତାରି ଭାଷାରେ ତିରସ୍କାର କରି ତାର ଏବଂ କାଶୀ ରାଜଙ୍କ ସେନାକୁ ମାରି ଚ୍ଛିନ୍ନଛତ୍ର କରି ପକାଇଲେ l କ୍ଷଣିକମଧ୍ୟରେ ରଣଭୂମି ଯୋଦ୍ଧା ମାନଙ୍କ ମୃତ ପିଣ୍ଡରେ ଛାଇ ହୋଇ ଗଲା l ଶ୍ରୀକୃଷ୍ଣ କାଳ ବିଳମ୍ବ ନ କରି ସୁଦର୍ଶନ ଚକ୍ରରେ ପୌଣ୍ଡ୍ରକର ମସ୍ତକ ଛେଦନ କଲେ ଓ କାଶୀ ରାଜାଙ୍କ ମସ୍ତକକୁ କାଟି ନଗର ମଧ୍ୟରେ ପକାଇ ଦେଲେ l

ଶ୍ରୀକୃଷ୍ଣ ପୌଣ୍ଡ୍ରକ ଏବଂ କାଶୀ ରାଜଙ୍କୁ ନିଧନକରି ଦ୍ଵାରକା ଫେରିଆସିଲେ l ପୌଣ୍ଡ୍ରକ ସର୍ବଦା କୃଷ୍ଣଙ୍କ ଚିନ୍ତାରେ ତନ୍ମୟରହିବା ଯୋଗୁଁ ସାଯୁଜ୍ୟ ମୁକ୍ତିଲାଭ କଲା l ଏଣେ ନଗର ଭିତରେ କାଶୀ ରାଜଙ୍କ କଟା ମୁଣ୍ଡ ଦେଖି ପ୍ରଜା ମାନଙ୍କ ମଧ୍ୟରେ ହାହାକାର ପଡ଼ି ଗଲାl ତାଙ୍କ ରାଣୀମାନେ ଓ ପରିବାରର ସମସ୍ତେ ରୋଦନ କରିବାରେ ଲାଗିଲେ l ପିତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମାପ୍ତ କରି, କାଶୀ ରାଜାଙ୍କ ପୁତ୍ର ସୁଦକ୍ଷିଣ ପ୍ରତିଜ୍ଞା କଲେ, ମୁଁ ପିତୃହନ୍ତାକୁ ନିଶ୍ଚୟ ନିହତ କରି ପିତୃ ଋଣରୁ ମୁକ୍ତ ହେବି l

ସୁଦକ୍ଷିଣ, ଅଭୀଷ୍ଠ ସିଦ୍ଧି ପାଇଁ ଅତି ନିଷ୍ଠାରେ ଦେବ ଦେବ ମହାଦେବଙ୍କ ଆରାଧନା କଲେ l ମହାଦେବ ତା’ ପୂଜାରେ ସନ୍ତୁଷ୍ଟ ହୋଇ, ଆସି ବର ଯାଚିଲେ l ମହାଦେବଙ୍କୁ ସୁଦକ୍ଷିଣ ତାଙ୍କ ଅଭିଳଷିତ ବରକଥା କହିଲାରୁ ମହାଦେବ କହିଲେ, ତୁମେ ଅଭୀଷ୍ଠ ସିଦ୍ଧି ପାଇଁ, ଦକ୍ଷିଣାଗ୍ନିଙ୍କୁ ଆରାଧନା କର l ଶିବଙ୍କ ଦ୍ୱାରା ଆଦିଷ୍ଟ ହୋଇ ସୁଦକ୍ଷୀଣ ଦକ୍ଷିଣାଗ୍ନିଙ୍କ ସନ୍ତୁଷ୍ଟି ପାଇଁ ଏକ ଅଭିଚାର ଯଜ୍ଞ ଆରମ୍ଭ କଲେ l

ଅଭିଚାର ଶେଷ ହେବା ମାତ୍ରେ ଅଗ୍ନି କୁଣ୍ଡରୁ ଜଣେ ଭୟଙ୍କର ତାମ୍ର ବର୍ଣ୍ଣର ଉଲଗ୍ନ ଅଗ୍ନି ମୂର୍ତ୍ତି ଆବିର୍ଭୁତ ହେଲେ l ସେ ହସ୍ତରେ ଏକ ଜଳନ୍ତା ତ୍ରିଶୁଳ ଧାରଣ କରିଥିଲେ l ଲାଲ ଲାଲ ଚକ୍ଷୁରୁ ତାଙ୍କର ଅଗ୍ନି ବର୍ଷା ହେଉଥିଲା l କାଳାନ୍ତକ ଯମପରି ଦେଖାଯାଉଥିବା ସେହି ଜ୍ଵାଳାମୟ ପୁରୁଷ ଲମ୍ବା ଲମ୍ବା ପାଦ ପକାଇ ଦଶ ଦିଗକୁ ଦଗ୍ଧ କରି, ପୃଥିବୀକୁ କମ୍ପାଇ ଦ୍ଵାରକା ଆଡ଼େ ଧାବିତ ହେଲା l ଦ୍ୱାରକାବାସୀ ତାକୁ ଦେଖି ଭୟରେ “ରକ୍ଷାକର, ରକ୍ଷାକର” ଡାକ ଛାଡ଼ି ଯାଇ ଶ୍ରୀକୃଷ୍ଣଙ୍କ ଶରଣ ପଶିଲେ l ବଳରାମ ଦ୍ଵାରକାରେ ନଥାନ୍ତି l ସେ ଗୋପିମାନଙ୍କୁ ଦେଖିବାପାଇଁ ଗୋପ ପୁରକୁ ଯାଇଥାନ୍ତି l କୃଷ୍ଣ ଦ୍ୱାରକା ବାସୀଙ୍କୁ ଆଶ୍ବସ୍ତ କରି କହିଲେ, ତୁମେ ମାନେ ଭୟ କର ନାହିଁ l ମୁଁ ତୁମକୁ ନିଶ୍ଚୟ ରକ୍ଷା କରିବି l

ଶ୍ରୀକୃଷ୍ଣ ଜାଣି ପାରିଲେ, ସେହି ଭୟଙ୍କର ପୁରୁଷଟି ହେଉଛି, ଭଗବାନ ଶିବଙ୍କ ସୃଷ୍ଟ, ଜଣେ ଦେବତା l ପ୍ରଭୁ ସୁଦର୍ଶନଚକ୍ରକୁ ଆଦେଶ ଦେଲେ, ଅବିଳମ୍ବେ ଯାଇ ତାକୁ ପ୍ରତିହତକର l ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ କୋଟି ସୂର୍ଯ୍ୟ ସମ ତେଜ ଧାରୀ ସୁଦର୍ଶନ ପ୍ରଜ୍ବଳିତ ପ୍ରଳୟାଗ୍ନି ପରି ଯାଇ, ସେହି ମାରକ ଅଗ୍ନିକୁ ପୀଡ଼ା ଦେବାରେ ଲାଗିଲେ l ସୁଦର୍ଶନଙ୍କ ମହା ତେଜରେ ପ୍ରତିହତ ହୋଇ, ସେହି ଜ୍ଵାଳାଗ୍ନି କାଶୀକୁ ପଳାଇ ଆସି, ଯଜ୍ଞକାରୀ ବ୍ରାହ୍ମଣ ମାନଙ୍କ ସହ ସୁଦକ୍ଷିଣକୁ ଭସ୍ମ କରିଦେଲା l ଜ୍ୱାଳାଗ୍ନି ପଛେ ପଛେ ଗୋଡ଼ାଇ ସୁଦର୍ଶନ ଯାଇ ସମ୍ପୂର୍ଣ୍ଣ କାଶୀନଗରକୁ ଜାଳିପୋଡ଼ି ଧ୍ଵଂସ କରିଦେଇ ଦ୍ଵାରକା ଫେରି ଆସିଲେ l

କଥା ଶେଷକରି ଶୁକମୁନି କହିଲେ, ହେ ଅଭିମନ୍ୟୁ ସୁତ ! ଦେଖ, ପୌଣ୍ଡ୍ରକ କୃଷ୍ଣଙ୍କ ସହ ବୈରତା କରି ମଧ୍ୟ କୃଷ୍ଣ ଭାବରେ ମନ ଲଗାଇ ଥିବାରୁ ଶେଷରେ ତାଙ୍କ ସ୍ଵରୂପ ଧରି ମୁକ୍ତି ପାଇଗଲା l ଶ୍ରୀମଦ୍ଭାଗବତ ଦଶମ ସ୍କନ୍ଧ ଏକସ୍ତରି ଅଧ୍ୟାୟରେ ଏହା ବର୍ଣ୍ଣନା କରି ଅତିବଡ଼ି ଜଗନ୍ନାଥ ଦାସ କହିଲେ :-
ପୌଣ୍ଡ୍ରକ ଗୋବିନ୍ଦର ଭାବ l
ନିରତେ କରି ଅନୁଭବ ll
ମରଣେ ଚାହିଁ ପଦ୍ମମୁଖ l
ଲଭିଲା କୃଷ୍ଣର ସ୍ୱରୂପ ll

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights