“ ଏ ଟୋକା ଟା କିଏ କି ସାର୍ ? “

Share it

ମୁଁ ମୋର ଏ ଫଟୋଟା ଅପ୍ ଲୋଡ୍ କରିଥିଲି, ଖୁସିରେ । ଏଟା ମୋ କଲେଜ ପଢାସରିବାର ଅନେକ ବର୍ଷ ପରର ଫଟୋ ।

ଜଣେ ଫେସ୍ ବୁକ୍ ବଂଧୁ ମୁକୁନ୍ଦ ଚିନାଗୁନ୍ ଏ ଫଟୋ ଉପରେ ମନ୍ତବ୍ଯ ରଖିଲେ –
“ ଏ ଟୋକା ଟା କିଏ କି ସାର୍ ? “

ତାଂକୁ ଉତ୍ତର ଦେବାକୁ ଯାଇ ମୋ ସମ୍ପର୍କରେ ମୁଁ ଯାହା ଲେଖିଥିଲି, ତାହାକୁ ତଳେ ଅବିକଳ ଥୋଇଛି । ସମସ୍ତଂକ ଜାଣିବା ପାଇଁ ।

“ କହିହେବନି, କହିବାକୁ ହଜାରେ ପୃଷ୍ଠା ଦରକାର । ଠିକେ ଠିକେ ଦି ଚାରିପଦ କହୁଚି ।

ଏ ଟୋକା ପିଲାବେଳେ ଦୁଧ ସରକୁ ଥୁ ଥୁ କରୁଥିଲା, ବୁଢି ମା ଅଧ ବେଲାଏ ସର ଧରି ପଛରେ ଗୋଡାଇ ଥିବ, ଖାଇବ ତ ପିଲାଟା କେତେ ଖାଇବ !

ବୁଢି ମା ଦହି ମନ୍ଥୁ ଥିବ, ଏ ପିଲା ଲହୁଣି ମାଗୁଥିବ, ବୁଢି ମା ଲୁଚେଇ ଲୁଚେଇ ମରୁକି ହସି କହିବ, ରତାଏ ନେ, ବେଶୀ ଦେବିନି, ଘିଅ ହବ, ଏଇଆ କହି ସେ ରତାଏ ବୋଲି ଯେତିକି ଦେବ ସେତେକରେ ଏ ପିଲାର ଆଂଜୁଳା ଫୁଲ୍, ଆଂଜୁଳାଏ ଲହୁଣି ଚାଟି ଖାଇଲେ ନାକ ଗାଲ ପାଟିର ରୂପ ଯାହା ହେଉଥିବ ଆପଣମାନେ ଜାଣିପାରୁଥିବେ – ଏ ଘଟଣା ଏ ଟୋକାର ପିଲାବେଳର, ବାପା ସେତେବେଳେ ଗାଁରେ ରହୁଥିଲେ, ଚାଷବାସ ଦେଖୁଥିଲେ ।

କୈଶୋର କହୁଛି ଶୁଣନ୍ତୁ,
ବାପା ତାଳଚେରରେ, ଟଂକା ରୋଜଗାର ପାଇଁ, ବେଶୀ ସୁଖ ଆଶାରେ । ୧୯୭୧ ବାତ୍ଯା ପରେ ଗଛ ବୃଛ ଜମିବାଡି ଭବିକି ଗଲେ, ବେଡି ଉପରେ କୋରଡା ପରି ୧୯୭୨, ୧୯୭୪, ୧୯୭୫, ୧୯୭୭ରେ ବ୍ରାହ୍ମଣୀର ଭୟଂକର ବନ୍ୟା ଧାନ ଜମି ସବୁକୁ ଲଗାତର ବାଲିଚର କରି ଚାଲଲା, କିଛି ଫଳିଲାନି ।

ଘୋର ଅଭାବ ଗ୍ରାସିଲା ମୋ ଗାଁ ଭୁଇଁ କି । ଘୋର ଖାଦ୍ଯ ଅଭାବ । ଅନେକ ବେଳେ ଅଧ ଥାଳିଏ କୋଳଥ ଜାଉ ଉପରେ ଅଧ ମୁଠାଏ ହବ କି ନହବ ଭାତ, ଦିନେ ଦିନେ ଅଧ ବେଲାଏ ତୁଚ୍ଛା ତୋରାଣି ସହ ମେଂଚାଏ କଖାରୁ ଶାଗ,

ଭୋଦୁଅ ମାସ, ଭଲ ମନ୍ଦ ହେଇ ଧାନ ପାଚିଛି, ଶୁକ୍ରବାର ( ଅନୁକୁଳ ଓ ନୂଆଖିଆ ) ହେଇନି,
ବୁଢୀ ମା କସ୍ମୀନ କାଳେ ଧାନ କଟେଇ ଦେବନି ,
ଗାଁ ଲୋକ ବାରିବେ, କହିବେ ୟାଂକ ଘରେ ଖାଇବାକୁ ନାହିଁ, ସାହାଣୀ ଘର ଝିଅ, ଏକଥା ଶୁଣିପାରନ୍ତା କି !

ତେଣୁ ଦିନେ ଦିନେ ଭାତ ନାହିଁ କି କୋଳଥ ଜାଉ ମଧ୍ଯ ନାହିଁ, କେବଳ ନଳିତା ପତ୍ର ଶାଗ, ତେଲର ବିନ୍ଦୁ ବିସର୍ଗ ଥିବ କି ନଥିବ, ସେଇ ବୁଢୀ ମା ଖୋଇ ଦେଉ ଥିବ ଛାତିକୁ ପଥର କରି ,

ଯିଏ ଦିନେ ଏ ପିଲାର ଲହୁଣୀ ମାଗିବାପଣକୁ ଦେଖି ମୁହଁ ଲୁଚେଇ ମୁରୁକି ହସି ଦେଉଥିବା ରତାଏ ଲହୁଣିରେ ଆଂଜୁଳା ପୁରୁଥିଲା, ସେଇ ହାତରେ ଲୁଚେଇ ଲୁଚେଇ ଆଖି ପୋଛି ମେଂଚାଏ ନଳିତା ପତ୍ର ସିଝା ଖୋଇ ଦେଲେ ବି ଖାଇ ହେଇ ନ ଯାଆନ୍ତା କେମିତି !

ଗାଁ ମାନଂକରେ ନୁଆକରି ଡାଲି ଚାଉଳ ଦୋକାନ ଖୋଲିଲା, ଦୋକାନରେ ଚାଉଳ ବିକ୍ରୀ ହେବା ଲୋକେ ପ୍ରଥମ ଦେଖିଲେ, ଆମ ଗାଁରେ ଡାଲି ଚାଉଳ ଦୋକାନ ନଥିଲା,
ଗୋଟିଏ ଦୋକାନ ଖୋଲା ହେଇଥିଲା ଆମ ପାଖ ଗାଁ କୁଶବଟରେ, ଦିନରେ ଚାଉଳ କିଣିବା ସମ୍ଭବ ନଥିଲା, କିଣିଲେ ଲାଜ,
ସହଜେ ବୁଢୀ ମା ତିରିଲା ଲୋକକୁ ଆମେ ଛୋଟପିଲା, ପଡୋଶୀ ଗାଁକୁ ସଂଜ ମୁହଁ ଅନ୍ଧାରରେ ମୁଁ ଓ ମୋର ଛୋଟଭାଇ କୁଶବଟ ଗଣେଶ ଜେନାଂକ ଦୋକାନରୁ ଯାଇ ଦି ପାଂଚ କିଲେ ଚାଉଳ ଲୁଚେଇ ଲୁଚେଇ କିଣି ଆଣିବା ଗଡ ଜିତିବା ପରିକା କଥା ହୁଏ , ଚାଉଳ କିଲୋ 75 ପଇସା, ଅଟା କିଲୋ 85 ପଇସା,

ଦୋକାନରେ ବହୁତ ଭିଡ, ବେଳେେଳେ ମିଳେନି, ଆଜିକାଲିକା ପରି ସେତେବେଳେ ଗାଁ ଲୋକଂକ ହାତକୁ କଂଚା ପଇସା ଆସିବା ବାଟ ବି ନଥାଏ, ଏବେ ଏ କଥା ବୁଝି ହେଉ ନଥିବ, କିନ୍ତୁ ସେତେବେଳେ ଏହା ପାହାଡ ପରି ବଡ ସମସ୍ୟା |

ବାପା ଫେରି ଆସିଲେ ଗାଁ କୁ । ଆମର ସର୍ବସ୍ୱ ବିକ୍ରୀ ହେଲା ପଛେ ବୁଢୀ ମା ଆଉ ବାପାଂକୁ ବିଦେଶ ଛାଡିଲା ନି ।
ଜମି ବିକ୍ରୀ ହେଲା, ବାଡି ବିକ୍ରୀ ହେଲା, ବୁଢୀ ମା ର ତାବିଜ, ନୋଳି, ଖଡୁ, ବାଂକିଆ ସବୁ ବିକ୍ରୀ ହେଲା, ପ୍ରଧାନ ଝିଅର ( ମୋ ବୋଉ ) ଅଧ ବେତୁଲିଏ ସୁନା ଗହଣା, ରୂପା ଗହଣା, ରୂପା ମୁଣ୍ଡ କଣ୍ଟା ପର୍ଯ୍ଯନ୍ତ, ସବୁ ବିକ୍ରୀ ହେଲା,

ଭାତ ନ ମିଳିଲେ କଟକରୁ , ନହେଲେ ସୁଜନପୁର ହାଡିଆ ମାହୁନ୍ତଂକ ( ସେ ଜଣେ ମାନ୍ଯ ଗଣ୍ଯ ବ୍ଯକ୍ତି ) ଦୋକାନରୁ ରୁଟି ଅଣା ହୋଇ କ୍ଷୀରକୁ ଖୁଆ କରି ଖିଆଗଲା- ଅଭାବରୁ।

ମୋ ବୋଉ ପ୍ରଥମେ ପ୍ରଥମେ ରୁଟି କରି ଶିଖିଲା, କିଲେ ଅଟାରେ ଚାରି ଖଣ୍ଡ ।

ମୋ ବୋଉ ଯେଉଁଦିନ କିଲେ ଅଟାରେ ସାତ ଖଣ୍ଡ ରୁଟି କରିଦେଲା, ସେଦିନ ମୋ ଗାଁରେ ହୁରୀ ପଡିଗଲା, ଗାଁ ଝିଅ ନେଉଳି ଦେଇ, ଶଜିଆ ଦେଇ ହସି ହସି ଗଡିଗଲେ, କହିଲେ – ଦେଖିବ ଆସ ଲୋ ! ଶୋଭା ଦେଇ ରୁଟି କରିଛି , ଫୁଙ୍କିଦେଲେ ପବନରେ ଉଡିଯିବ ।

ଅନେକ କଷ୍ଟ କାର୍ଯ୍ଯ କରାଗଲା, ଯେମିତି କି ୨୦ କିଲୋମିଟର ଦୂର କପାସୀ ପର ଗାଁ ପର୍ଯ୍ଯନ୍ତ ଚାଲି ଚାଲି ଯାଇ ଦଶ ଗୌଣି ଧାନ କିଣି, ତାକୁ ମୁଣ୍ଡରେ ବୋହି ଆଣି,ଉଁସେଇ ଶୁଖେଇ ଖାଇବା,

ପଇସା ଆବଶ୍ଯକ ହେଲେ ଗାଁ ଗାଁ ବୁଲି ସେ ଚାଉଳ ବସ୍ତାକୁ ମୁଣ୍ଡେଇ ବିକିବା, ବାକି ପଡିଥିବା ଇସ୍କୁଲ ଦରମା ଦେବା,

ସ୍କୁଲ ଯିବା ପୂର୍ବରୁ ଓ ପରେ ଜମିରେ ପନିପରିବା ଚାଷ କରି ବୋଝ ବୋଝ ପରିବା ମୁଣ୍ଡରେ ବୋହି ହାଟରେ ବିକିବା ଇତ୍ଯାଦି ଇତ୍ଯାଦି ।

ଅର୍ଥାତ ଚୋରି ନ କରି, ଭିକ ନ ମାଗି , ଦୁଃଖ ଗାଲରେ ଚଟକଣା ମାରିବା ପାଇଁ ଏବଂ ସେହି ସ୍ଥିତିରେ ଥାଇ ମଧ୍ୟ ଅନ୍ୟ ଦୁଃଖୀ ରଙ୍କିଙ୍କୁ ସାହାଯ୍ଯ କରିବାପାଇଁ ଯାହା ଯାହା ଦରକାର ,
ସ୍ୱାଭୀମାନର ସହ ସବୁ କରିଛି ଏ ଟୋକା , ତା’ର ବାପା, ତା’ର ପରିବାର – ଏ ଟୋକାର କୈଶୋରରେ ।

ଏ ଫଟୋ ଟି କିନ୍ତୁ ଯୌବନର ।
ଘର ଚାରିକୋଣ ବାହାରର କଥା ।
ଯୌବନଠୁ ଆଜି ଯାଏ ସମସ୍ତ କଥା ଘର ବାହାରର କଥା ହୋଇଥିବାରୁ ଏବଂ ମୋ ଜୀବନ ଟା ଖୋଲାବହିର ଅଣ ସିଆଁ ଅବନ୍ଧା ପୃଷ୍ଠା ପରି ଏଣେ ତେଣେ ବିକ୍ଷିପ୍ତ ହୋଇ ପଡିଥିବାରୁ ସେ କଥା ଊଣା ଅଧିକେ କେହି ନା କେହି କିଛି ନା କିଛି ପୃଷ୍ଠାଏ ଅଧେ ନିଶ୍ଚୟ ପଢିଥିବେ ବା ଜାଣନ୍ତି, ଲେଖିବା ଆବଶ୍ଯକ ନାହିଁ । ନିଜ ଢୋଲ ନିଜେ ବାଡେଇଲା ପରି କଥା ହେବ । କଥାଟା ଅହଂକାରରେ ଗଣା ହୋଇଯାଇପାରେ ମଧ୍ୟ ।

ଯେଉଁମାନେ ଜାଣିଛନ୍ତି ଇଚ୍ଛା କଲେ ସେମାନେ ଲେଖି ପାରନ୍ତି ।”

– ଲକ୍ଷ୍ମୀଧର ନାୟକ
My Facebook Post:28th July 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights