24th July 2024
-ଘନଶ୍ୟାମ ପଲେଇ
କଲିଙ୍ଗ୍ ବେଲ ବାଜି ଉଠିଲା। ନିଶିକାନ୍ତ ବାବୁ ଚା’ ପିଉ ଥିଲେ। ଅଧା ପିଆ କପଟା ଟେବୁଲ ଉପରେ ଥୋଇ ଉଠିପଡିଲେ। କବାଟ ଖୋଲି ଦେଖନ୍ତି ତ ଗାଁରୁ ଆସିଛି ସମ୍ବାରୁ। ଡାକିଲେ ଭିତରକୁ। ପ୍ଲାଷ୍ଟିକ ଚେୟାର ଖଣ୍ଡିକ ଠେଲି ଦେଲେ ତା’ ଆଡକୁ। କହିଲେ – ବସ ! ପଚାରିଲେ — ଗାଁ’ ରେ ସବୁ ଭଲ ତ… ?
ସମ୍ବାରୁ ଏଣ୍ଡୁଅ ଭଳି ମୁଣ୍ଡ ଟୁଙ୍ଗାରି କହିଲା – ହଁ… ।
ସମ୍ବାରୁ କହିବାକୁ ଗଲେ ନିଶିକାନ୍ତ ବାବୁଙ୍କର କେହି ନୁହନ୍ତି। ହେଲେ ସମ୍ବାରୁ ନିଜର… ଅତି ନିଜର। ନିଶିକାନ୍ତବାବୁ ହେତୁ ପାଇଲା ଦିନୁ ଜାଣନ୍ତି, ତାଙ୍କ ବାପା ଜେଜେ ଅମଳରୁ ସମ୍ବାରରୁ ବାପା ତା’ଙ୍କ ଘରେ ବାରମାସିଆ ମୂଲିଆ ଥିଲା। ତା’ର ବାପାଙ୍କ ସହିତ ଆସୁଥିଲା ଘରକୁ ଛୋଟବେଳୁ। ବାପାଟା କାମ କରୁଥିଲା ବେଳେ ତାକୁ ସାହାଯ୍ୟ କରିବାକୁ ଯାଇ କେତେବେଳେ ଇଟା ଖଣ୍ଡେ ବୋହି ଦେଉଥିଲା ତ କେତେବେଳେ ବାପ ହଳ କଲାବେଳେ ଇଏ ଘୁରି ବୁଲୁଥିଲା ବିଲ ହୁଡାରେ। ସମ୍ବାରୁ ଛୋଟବେଳୁ ହିଁ ଭାରି ପରିଶ୍ରମୀ।
ପନ୍ଦର କୋଡିଏ ବର୍ଷ ହେବ ବାପା ଆରପୁରକୁ ଚାଲିଗଲା ପରେ, ଗାଁ ଘରଦ୍ୱାର ବିକି ନିଜ ଚାକିରୀ ସ୍ଥାନ ଅର୍ଥାତ୍ ପାଖ ସହରକୁ ଚାଲି ଆସିଲେ ନିଶିକାନ୍ତ। ଏଇଠି ରହିଗଲେ ଘରଦ୍ୱାର କରି। ସମ୍ବାରୁ କି ତା’ ପରିବାର କିନ୍ତୁ ତା’ ପୁରୁଣା ମାଲିକକୁ ପରିଲେନି ଛାଡି… ପାରିଲେନି ଭୁଲି। ଗାଁ’ରେ ଭଲ ମନ୍ଦ ଯାହା ହେଲେ ଆଗ ଭୋଗ ପହଞ୍ଚୁଥିଲା ନିଶିକାନ୍ତ ବାବୁଙ୍କ ଘରେ। ଏଇ ଯିମିତି ଆଜି କଦଳୀ କାନ୍ଧିଟେ ଆଣି ଥୋଇ ଦେଇଚି ଦାଣ୍ଡ ଦୁଆରେ।
ନିଶିକାନ୍ତ ଟିକିଏ ରହି ପୁଣି ପଚାରିଲେ — ତୋ ପୁଅର ଏଥର ଦ୍ୱିତୀୟ କ୍ଲାସ ହେଲା ନା… ? ଭଲ ପଢୁଛି ଶୁଣିଥିଲି । ଭଲ… ଭଲ.. ! ଭଲ ପଢା ପଢି କରୁ। ଯେତେ ପଢିବ କହୁଛି ପଢୁ। ସୁବିଧା ଅସୁବିଧାକୁ ମୁଁ ଅଛି।
ଖୁସି ହୋଇଗଲା ସମ୍ବାରୁ ତା’ର ଗୋଟିଏ ବୋଲି ପିଲାର ପ୍ରଶଂସା ଶୁଣି। ତା’ ପଛରେ ମାଲିକ ଅଛି ଜାଣି।
— ହଁ ବାବୁ! ଦୁଇ କ୍ଲାସକୁ ଗଲା। ଟିକିଏ ଚଗଲାଟା। ଦେଖିବା ତା’ ଭାଗ୍ୟ କେଉଁ ଆଡକୁ କଢାଉଚି। ତୋ ଭଳି ବାବୁ ହେବ କି ମୋ ଭଳି ସମ୍ବାରୁ ମୂଲିଆଟେ ହେବ ଦେଖିବା ଆଗକୁ।
ଟିକିଏ ହସି ନିଶିକାନ୍ତ କହିଲେ —- ହଉ… ହଉ… ! ଆଛା ସମ୍ବାରୁ। ଖରା ଦିନ ତ ଅଧାଅଧି ଗଲାଣି। କାଇଁ ଜଙ୍ଗଲ ମାଉଁସ ତ ଟିକିଏ ପାଟିରେ ବାଜିଲା ନାଇଁ। ଜଙ୍ଗଲରେ ଆଉ ନିଆଁ ଲାଗୁନି କିରେ?
— ବାବୁ ! କି କହିବି। କଡା କଡି ହେଲାଣି ସରକାର। ଫରେଷ୍ଟବାଲାଏ ପଇଁତରା ମାରୁଛନ୍ତି। କହିଛନ୍ତି ଜଙ୍ଗଲରେ ନିଆଁ ଲଗେଇଲା ବେଳେ ଧରା ପଡିଲେ ସିଧା ଜେଲ। ଲାଗିବାକୁ ଦେବେନି ନିଆଁ ଗାଁ ଜଙ୍ଗଲରେ। ନିଆଁ ନ ଲାଗିଲେ ଏଡେ ବଡ ଜଙ୍ଗଲରେ ପଶି ହେବନି…. କି କରି ହେବେନି ଶିକାର।
—- ହେସ୍…. ବେକାର କଥା। ସରକାର ନା ଫରେଷ୍ଟ ବାଲା। କ’ଣ ଚବିଶ ଘଣ୍ଟା ଜଗି ପାରିବେ? ଏଡେ ବଡ ଜଙ୍ଗଲକୁ ….ନା ତମ ମାନଙ୍କୁ। ଚୁପ୍ କିନା ସଞ୍ଜ ସଞ୍ଜ ଦେଖି ମାରିଦେବୁ ମାଚିସ୍ଟା। ଜଳୁ ଥିବ ଗୋଟା ରାତି। ସକାଳକୁ ସବୁ ଫରଚା। ତା’ ପରେ ଗାଁ ଲୋକେ ମିଶି କରିବ ଆରାମରେ ପାରିଧି।
ମନେ ମନେ ବିରକ୍ତ ହେଲା ସମ୍ବାରୁ— ତମ ଭଳି ସହରୀବାବୁଙ୍କ ଲାଳସାରେ ତ ବେଶି ହେଉଛି ଜଙ୍ଗଲ ନଷ୍ଟ। ମନକଥାକୁ ମନରେ ଚାପି କହିଲା — — ହଉ ବାବୁ!
ଉଠି ପଡିଲା ଘରକୁ ଯିବାକୁ। ନିଶିକାନ୍ତ ବାବୁ ଟଙ୍କା ପଚାଶଟା ବଢେଇ ଦେଇ କହିଲେ— ଖରା ବେଶୀ ହେଲାଣି ସାଇକେଲ ଦେଖିକି ଚଲେଇବୁ। ଆଉ ହଁ… ବାଟରେ କ’ଣ ଟିକିଏ ଖାଇନେବୁ।
— ଏଇଟା କେତେ ବାଟ ବାବୁ। ମାତ୍ର ଛଅ କିଲୋମିଟର ତ..। ଦେଖୁ ଦେଖୁ ପହଞ୍ଚି ଯିବି।
ଦିନେ ଦ୍ୱିପହର ବେଳା ବାପପୁଅ ଚାଲିଲେ ଜଙ୍ଗଲ। ଜଙ୍ଗଲ ମଝା ମଝି ହେଲେଣି। ସମ୍ବାରୁ ଦେଖିଲା କାମ ଦେଇଛି। ସବୁ ଶୁଖିଲା ଡାଳପତ୍ର ଯାଇଛି ଜଳି। ଦିଶୁଛି ଫର୍ଚା। କାଁ ଭାଁ ଟିକିଏ ଟିକିଏ ବାହାରୁଛି ସଜ ସଜ ଲିଭିଥିବା ନିଆଁରୁ ଧୁଆଁ। ଭାବିଲା କାଲି ଗାଁ ବାଲାକୁ କହିବ। ମିଶି କି କରିବେ ପାରଧି। ଯାହା ମିଳିବ ଶିକାରରୁ ସହର ଯାଇ ବାବୁକୁ ଦେଇ ଆସିବ ପୁଳେ।
ସମ୍ବାରୁର ପୁଅ ଡାକ ଛାଡିଲା — ଦେଖ ତ ବାପା! ଏଇଟା କି’ ଟା? କୁଟୁରାଟା ଭଳି ଦୁଉଚି।
ଜୀବଟା ଫସିଯାଇ ଥିଲା ନିଆଁ ମଝିରେ। ଯାଇଛି ପୋଡି। ଭଲ କି ଦେଖିଲେ ବାପ ପୁଅ। ମୁଣ୍ଡ ଯାଇଛି ପୁରାପୁରି ପୋଡି। ଜଣାପଡୁନି କ’ଣ! ବାରାହା ନା କୁଟୁରା ।
ବିନା ପରିଶ୍ରମରେ ଶୀକାର ଦେଖି ଖୁସି ହୋଇଗଲେ ବାପ ପୁଅ। ଟେକି ଆଣିଲେ ଗୋଟାପଣେ। ସଫା ସଫି କରି କାଟିଲାରୁ ଦଶ ବାର କିଲୋ ହେଲା ଗୋଡ,ମୁଣ୍ଡ ପୋଚୁନି ଛାଡି।
ଗାମୁଛାରେ ବାନ୍ଧିଲା ପାଞ୍ଚ ଛଅ କିଲୋ ଆଗ। ଆଉ ଚାଲିଲା ସହର ମୁହାଁ –ବାବୁକୁ ଦେବ ଆଗ। ତା’ ପରେ ଯାଇ ଗାଁର ସାଇ ଭାଇ କଥା।
ରାତିକୁ ସହରରୁ ଫେରି ବାକିତକ ବାଣ୍ଟିକୁଣ୍ଟି ଦେଲା ଗାଁ ଲୋକଙ୍କୁ। ଶେଷକୁ ତା’ ଭାଗକୁ ବଳିଲା ନାଇଁ ବେଶୀ। କୁନି ପୁଅଟା ବିଦ୍ରୋହ କରି ଉଠିଲା — ବାପା! ଆମର କାଇଁ? ସବୁ ତ ବାଣ୍ଟି ଦେଲ। ଆମ ଭାଗକୁ ଏତିକି ଟିକିଏ… ! ! !
ସମ୍ବାରୁ ଆଶ୍ୱାସନା ଦେଇ କହିଲା — ଆଜି ରାତିକ ଏତିକି ଚଳେଇ ନେବା। କାଲି ପାଇଁ ଅଛି ଅବକାରୀ। ମାନେ ମୁଣ୍ଡି ପୋଚୁନି।
ସକାଳୁ ଉଠୁ ଉଠୁ ଲାଗିପଡିଥିଲା ସମ୍ବାରୁ ମୁଣ୍ଡ ଗୋଡ ଆଉ ପୁଟା ସଫା କରିବାରେ। ସମ୍ବାରୁର ପୁଅ ପଛ ଆଡିକି କେତେବେଳୁ ଛିଡା ହେଲାଣି ଜଣା ନାଇଁ। ପୁଟା ସଫା କଲା ବେଳେ ବାହାରିଲା ଭାତ। ଦେଖି ଦେଇ ପାଟି କରି ଉଠିଲା ପିଲାଟି —ବାପା ଭାତ!
ମୁଣ୍ଡ କାମ କଲା ନି ସମ୍ବାରୁର। ଆଶ୍ଚର୍ଯ୍ୟ ଆଉ ଭୟ ମିଶା ସ୍ୱରରେ କହିଲା— ବାବୁ ରେ! କାହାକୁ କହିବୁ ନାଇଁ ଏଇ କଥା। ତୋତେ ଗୋଟେ ନୂଆ ଗାମୁଛା କିଣିଦେବି।
ପିଲାଟି କହିଲା– ଆଜି ବସିବ ଗାଁ ହାଟ। କିଣି ଦେବୁ ହଁ!
ଗାଁ ଗହଳି କଥା। କିଏ ନୂଆ ପିନ୍ଧିଲା କି ଘୋଡିଲା ସଭିଁଙ୍କ ନଜର। ଛୋଟ ପିଲାଟି ନୂଆ ଗାମୁଛାଟେ କାନ୍ଧରେ ପକାଇ ଗାଁ ସାରା ବୁଲିଲା ଘିରି ଘିରି। ସମସ୍ତେ ପଚାରିଲେ — ନୁଆ ଗାମୁଛା କିରେ। କେବେ ଆଣିଲୁ? କିଏ ଦେଲା ??
ପିଲାଟି ବାଟୁଳି ନ ବାଜିଲା ପରି କହୁଥାଏ — “କାହାକୁ କିଛି କହିବୁନି” କହି ଖୁସିରେ କିଣି ଦେଇଛି ମୋର ବାପା।
ଧିରେ ଧିରେ କଥାଟା ଗାଁ ସାରା ପ୍ରଘଟ ହେଲା। ଧିରେ ଧିରେ ରହସ୍ୟମୟ ହେଇ ଉଠିଲା ଛୋଟିଆ କଥାଟି। ସମ୍ବାରୁ କିଛି ଲୁଚାଉଛି। ତା ପୁଅକୁ କିଛି ନ କହିବାକୁ କରିଛି ଆକଟ। କିଏ କିଏ ତ କହୁଥାନ୍ତି… ସିଏ ପକା ଚୋରି କରିଛି… କେଉଁଠୁ? ଲୁଚାଉଛି କଥା।
କିଏ ତ ପୁଣି କହି ଉଠିଲା — କାଲି ସନ୍ଧ୍ୟାରେ ପରା ମୁଁ ସହରରୁ ଫେରୁ ଥିବାର ନିଜ ଆଖିରେ ଦେଖିଚି। ପକା ତା’ ମାଲିକ ଘରୁ କିଛି ତ କରିଛି ଚୋରି।
ବିଭିନ୍ନ କଳ୍ପନାଜଳ୍ପନାକୁ ଅନ୍ତ ଘଟାଇ ଗାଁ ବରଗଛ ମୂଳେ ସେଦିନ ଅପରାହ୍ନକୁ ବସିଲା ମିଟିଙ୍ଗ୍। ନିଶିକାନ୍ତ ବାବୁକୁ ବି ଡକାହେଲା।
ସଭାପତି ସିଧାସିଧା ପ୍ରଶ୍ନ ରଖିଲେ ସମ୍ବାରକୁ — କହ କ’ଣ ଲୁଚାଉଛୁ ଗାଁ ବାଲାଙ୍କୁ? କାହିଁକି ତୋ ପୁଅକୁ ନାଲି ଗାମୁଛା କିଣି ଦେଲୁ କହ? – କାହାରିକି କିଛି ନ କହିବାକୁ କାହିଁକି କହିଲୁ? ସଫା ସଫା କହ, ନହେଲେ ପୋଲିସ ଯାଏଁ କଥା ଯିବ।
ପୋଲିସ ନାଁ ଶୁଣି ବିଚରା କାନମୁଣ୍ଡ ଭାଁ ଭାଁ ହେଇଗଲା। ସବୁ କଥା ଦେଲା କହି…।
କହିଲା — ସଫାକଲା ବେଳେ ଭାତ ବାହାରିଲାରୁ ଜାଣିଗଲି,ଏଇଟା କୁଟୁରା ନୁହେଁ। ଖାଇ ତ ସାରିଲେଣି ସବୁ। ଆଉ କଥା ନ ବଢେଇବାକୁ, କାହାରିକୁ ନ କହିବାକୁ କହିଥିଲି ପୁଅକୁ।
ଜଣେ କିଏ ପାଟି କରି କହିଲା — ଆମ ଗାଁର ଲୋମ ନ ଥିବା ସେ ପାଗାଳା କୁକୁରଟା କାଇଁ ଦି’ ଦିନ ହେଲା ଆଉ ଦେଖା ଯାଉନି ତ ? ତାହାଲେ ….
କଥାଟା ଆଉ ରହିଲାନି ଅବୁଝା। ଗାଁ ସାରା ହେଉଥିଲେ ଥୁ ଥୁ। ନିଶିକାନ୍ତ ବାବୁ ବି ପାଟିରେ ଆଙ୍ଗୁଠି ପୁରେଇ କୁକୁର ମାଂସ ସବୁକୁ ବାନ୍ତି କରିବାକୁ କରୁଥିଲେ ଚେଷ୍ଟା। ଭାବୁଥିଲେ—ଆଉ ଜୀବନେ କେବେ ଜଙ୍ଗଲରେ ନିଆଁ ଲଗାଇବାକୁ କହିବେନି କି ଶୀକାର କରିବାକୁ ଉସୁକେଇବେ ନି ନିରୀହ ସମ୍ବାରୁ ମାନଙ୍କୁ…
ଘନଶ୍ଯାମ ପଲେଇ
ଟେନସା, ସୁନ୍ଦରଗଡ଼-୪୨, ମୋ: ୯୪୩୭୭୧୮୫୦୦