ମୋ ଲେଖା – ୨ : ସନ୍ଥ ଭୀମଭୋଇ

Share it

22nd July 2024

ସନ୍ଥ ଭୀମଭୋଇ

କେହି କେହି କୁହନ୍ତି ଭୀମଭୋଇ ରେଢ଼ାଖୋଲ ଅନ୍ତର୍ଗତ ଗ୍ରାମଡିହା ନାମକ ଗ୍ରାମରେ ଏକ ଦରୀଦ୍ର କନ୍ଧ ପରିବାରରେ 1847 ମସିହାରେ ଜନ୍ମ ଗ୍ରହଣ କରିଥିଲେ ।

କେହି କୁହନ୍ତି ଯେ ବଲାଙ୍ଗୀରର ଜଟାସିଙ୍ଗା ଗ୍ରାମର ଅଦୂରବର୍ତ୍ତୀ ଏକ ତାଳବନରୁ ଦାନରା ଓ ଗୁରୁବାରୀ ନାମକ ଏକ କନ୍ଧ ଦମ୍ପତ୍ତି ଯେଉଁ ଅନାଥ ଅନ୍ଧ ପିଲାଟିକୁ ଗୋଟାଇ ଆଣି ଲାଳନ ପାଳନ କରି ରଖିଥିଲେ ସେ ହେଉଛନ୍ତି ଭୀମ ଭୋଇ ।

ଆଉ କେହି କୁହନ୍ତି ଯେ ଢେଙ୍କାନାଳର ଯୋରନ୍ଦା ନାମକ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ନାମ ଥିଲା ଭୀମସେନଭୋଇ ଅରକ୍ଷିତ ଦାସ ।

ଆଉ କେହି କେହି କୁହନ୍ତି ଭୀମଭୋଇ 1855 ମସିହାରେ ରେଢ଼ାଖୋଲରେ ଏକ ଓଡିଆ କନ୍ଧଗୃହରେ ଜନ୍ମଗ୍ରହଣ କରିଥିଲେ ।

କନ୍ଧ ଓ ଓଡିଆକନ୍ଧ ଏପରି ଦୁଇ ଜାତିର କନ୍ଧ ଥାଆନ୍ତି କି ନାହିଁ ସେ କଥା ମଧ୍ୟ ଜାଣିବାକୁ ହେବ ।

ଦୁଃଖର କଥା ମାତ୍ର ଦେଢଶ‌ହ ବର୍ଷ ପୁର୍ବେ ଓଡିଶାମାଟିରେ ଜନ୍ମଗ୍ରହଣ କରିଥିବା ଜଣେ ମହାନ ସନ୍ଥଙ୍କର କଥା ବି ଆମ ଇତିହାସକାରମାନେ ଲେଖି ପାରି ନାହାନ୍ତି ।

କିନ୍ତୁ ଆମ ଦୂରଦର୍ଶନ ଘୋଷକମାନେ ଟିଭି ଚାନେଲରେ ବସି ସତେ ଯେମିତି ତାଙ୍କ ଆଁଖୋ ଦେଖା ହାଲ୍ ପରି ଆମ ଓଡିଆ ସଂସ୍କୃତି ସମ୍ପର୍କରେ ଗୁଡାଏ ଭୁଲ ତଥ୍ୟକୁ ବଡ ପାଟିରେ ଅନର୍ଗଳ କହି ଚାଲନ୍ତି ଏବଂ କୋଟି କୋଟି ଓଡିଆ ସେସବୁକୁ ବେଦବାକ୍ୟ ପରି ବିନା ପ୍ରତିବାଦରେ ଶୁଣି କୃତ୍ୟ କୃତ୍ୟ ହୁଅନ୍ତି ।

ଶୂରବଂଶୀ କପିଳେନ୍ଦ୍ର ଦେବ କୁହାଯିବ କି ସୂର୍ଯ୍ୟବଂଶୀ କପିଳେନ୍ଦ୍ର ଦେବ କୁହାଯିବ ତାହା ସ୍ଥିର ନୁହେଁ କିନ୍ତୁ ଭଣ୍ଡ ସାରଥୀ ଜଗନ୍ନାଥଙ୍କ ଭଗବାନ ଅବତାର ବି ହୋଇଯାଆନ୍ତି କାହା କାହା ତୁଣ୍ଡରେ, ଏମିତି ଓଡିଶାର ବହୁ ବରପୁତ୍ର ଓ ମହାନ ସଂସ୍କୃତିକୁ ନିଜରୁଚି , ଅଜ୍ଞତା ଓ ସ୍ୱାର୍ଥ ଅନୁରୂପ ନାନାଦି ମନଗଢା କଥା ଆକାରରେ ବାରମ୍ୱାର ଏମାନେ ଉପସ୍ଥାପନା କରିଚାଲିଥିଲେ ମଧ୍ୟ କୌଣସି ଇତିହାସ ଛାତ୍ର ତାହାର ପ୍ରତିବାଦ କରିବା ପ୍ରାୟ ନଜରରେ ପଡେ ନାହିଁ,

ଫଳରେ ତିନି ତୁଣ୍ଡରେ ଛେଳି କୁକୁର ହେବା ପରିକା ଏମାନଙ୍କ କଥା ଲୋକମୁଖରେ ଇତିହାସ ହୋଇଯାଏ , ଅବଶ୍ୟ ପ୍ରତିବର୍ଷ ଆମ ବିଭିନ୍ନ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଛାତ୍ରମାନେ ଦି ପାଞ୍ଚଟା ଡକ୍ଟରେଟ୍ ଉପାଧି ମଧ୍ୟ ପାଆନ୍ତି,

ସେମାନେ ଓଡିଶାର କେଉଁ ଇତିହାସ ଉପରେ ଗବେଷଣା କରି ପିଏଚଡି ପାଆନ୍ତି ଓ ସେ ନିଷ୍କର୍ଷ ଆମ ଘୋଷକ ମାନଙ୍କ ପାଖରେ କାହିଁକି ପହଞ୍ଚେ ନାହିଁ,

ସେଥିରେ କି ପ୍ରକାର ବାଧକ କିଏ ସୃଷ୍ଟି କରନ୍ତି ଏବଂ ଟିଭି ମାଲିକମାନେ, ଇତିହାସକୁ ବିକୃତକରି ଉପସ୍ଥାପିତ କରୁଥିବା ଏଭଳି ପ୍ରବଚକମାନଙ୍କୁ କାହିଁକି ଗଣମାଧ୍ୟମରେ ଗୁଡାଏ ଭୁଲ ଭାଲ୍ କଥା କହିବାକୁ ଡାକନ୍ତି,ଏଭଳି ଅକ୍ଷମଣୀୟ ଭୁଲ୍ ପାଇଁ ଆମ ଆଇନ କାନୁନରେ କିଛି ଦଣ୍ଡବିଧାନ ଅଛିକି ନାହିଁ ?

ଏ ସବୁ ସମ୍ପର୍କରେ ଇତିହାସକାରମାନେ ସଜାଗ ନହେଲେ,ଏ ପ୍ରବଚକ ଓ ଗୀତିକାର ଇତ୍ୟାଦିମାନେ କେତେବେଳେ ରାଧାକୁ ଆଇନାଦେଖି ସିନ୍ଦୂର ପିନ୍ଧେଇ ଦେବାଠୁ ଆରମ୍ଭକରି କେତେବେଳେ ରଥ ଚକ ତଳେ ମୋକ୍ଷ ବାଣ୍ଟିବା, ସ୍ୱର୍ଗଦ୍ୱାରରେ ସରଗକୁ ପାହାଚ ମଧ୍ୟ ତିଆରି କରିଦେଇ ଛାଡିଦେବେ

ହଁ ଆମେ ସନ୍ଥକବି ଭୀମଭୋଇଙ୍କ କଥା ହେଉଥିଲେ

ଏ ସନ୍ଥକବିଙ୍କ ବାଣୀ ଜାତିସଂଘରେ ଉପସ୍ଥାପିତ ହୋଇ ତାହା ଓଡିଆକୁ ବିଶ୍ୱ ଗୌରବ ପ୍ରାପ୍ତ କରାଇ ସାରିଲାଣି
ଅଥଚ ତାଙ୍କ ସମ୍ପର୍କୀତ ଏକ ସର୍ବମାନ୍ୟ ଇତିହାସ ସାଧାରଣ ଓଡିଆଟିଏ ଏପର୍ଯ୍ୟନ୍ତ ଠିକ୍ ଠିକ୍ ଜାଣି ପାରିଲା ନାହିଁ ।

ପଞ୍ଚଦଶ ଶତାବ୍ଦୀର ମହାପୁରୁଷ ଅଚ୍ୟୁତାନନ୍ଦ ଭୀମ ଭୋଇଙ୍କ ଜନ୍ମର ତିନିଶହ ବର୍ଷ ପୂର୍ବରୁ ଭୀମଙ୍କ ସମ୍ପର୍କରେ କୁଆଡେ ନିମ୍ନୋକ୍ତ ଭବିଷ୍ୟବାଣୀ ଲେଖିଥିଲେ ବୋଲି କେହି କେହି କୁହନ୍ତି

ଭ୍ରମି ଏକାନ୍ତ ଗ୍ରାମପୁରେ
ସେ ଜମ୍ୱୁଦ୍ୱୀପ ଧରିତ୍ରୀରେ

ଯେ ନିତ୍ୟ ରାଧା ମୋ ଭଗତ
ସେ ମର୍ତ୍ତ୍ୟେ ହୋଇଥିବ ଜାତ

ତା ଦ୍ୱାରେ ପ୍ରବେଶିବୁ ଯାଇ
ତା ନାମ ଅଟେ ଭୀମଭୋଇ

ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ବିରଚିତ କିମ୍ୱା ତାଙ୍କ ନାମରେ ଭଣିତ ଆଦିସଂହିତାରେ ଭୀମଭୋଇଙ୍କ ଜନ୍ମ ସମ୍ପର୍କରେ ନିମ୍ନୋକ୍ତ କଥା ମଧ୍ୟ ଲେଖିଛନ୍ତି

ଏ ନିତ୍ୟ ରାଧା ମହାସତୀ
ମର୍ତ୍ତ୍ୟେ ହୋଇବ ଉତପତି

ପୁଲିଙ୍ଗେ ପ୍ରକାଶ ତା କାୟ
ଅତି ଦରିଦ୍ରାବସ୍ଥା ଦେହ

କୁଳଶୀଳ ତା ଅଟେ କନ୍ଧ
ସେ ଭକ୍ତକୁଳେ ଦୁତୀଚାନ୍ଦ

ଜନୈକ କବି ଶ୍ରୀଧର ଦାସ ତାଙ୍କ ରଚିତ ସିଦ୍ଧଚନ୍ଦ୍ରିକାରେ ଭୀମଭୋଇଙ୍କ ଜନ୍ମ ସମ୍ପର୍କରେ ନିମ୍ନୋକ୍ତ ବର୍ଣ୍ଣନା କରିଛନ୍ତି

ବଉଦ ରେଢ଼ାଖୋଲ ଠାରେ
ପ୍ରଭୁ ବିଜୟ ଏକାନ୍ତରେ

କନ୍ଧ ଅଂଶରେ ଜନ୍ମ ହୋଇ
ନିତ୍ୟ ରାଧିକା ଥିବ ତହିଁ

ପୁଲିଙ୍ଗେ ହୋଇଥିବ ଜାତ
ଜନ୍ମରୁ ନେତ୍ର ତା ମୁଦିତ

ଅନ୍ତେ ତା ସ୍ଫୁରୁଥିବ ନାମ
ବାଛୁରୀ ରଖୁଆଳ କର୍ମ

ପୁଣି ଆମେ ପ୍ରଖ୍ୟାତ କବି ଯଦୁମଣିଙ୍କ କଥାକୁ ଜପାମାଳି କଲା ପରି କଥା କଥାକେ କହୁ

ଅନ୍ଧ ରାଇଜେ ଗଲି ଦର୍ପଣ ବିକି
କନ୍ଧ ହସ୍ତରେ ଦେଲି ଗୋଧନ ଟେକି

ଜଡା ସଙ୍ଗତେ ଖଡା କଲି ରନ୍ଧନ
କାମୁଡା ଘୋଡାମୁଖେ ଦେଲି ଚୁମ୍ୱନ

ହେ ରାଜା କି କଲ
ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ

ଅର୍ଥାତ୍ କୌଣସି କାରଣରୁ କନ୍ଧ ସମ୍ପ୍ରଦାୟର ଲୋକେ
ଗୋପାଳନରେ ବୋଧହୁଏ ବିଶେଷ ଆଗ୍ରହ ପ୍ରକାଶ କରନ୍ତି ନାହିଁ

ଏସବୁକୁ ମିଶେଇ ଫେଡି ଦେଖିଲେ କଥାଟା
ଏଣୁ ବୋଇଲେ ଗୋ ବାଧା
ତେଣୁ ବୋଇଲେ ନିତ୍ୟରାଧା ପରିକା କଥା ହେଉଛି

ସନ୍ଥକବି ଭୀମଭୋଇ ତାଙ୍କ ସ୍ତୁତି ଚିନ୍ତାମଣିରେ ଗାଇଛନ୍ତି

ବୁଲୁଥାଇ ବନେ ନିତି ପ୍ରତିଦିନେ
ବତ୍ସାଙ୍କୁ ସଙ୍ଗତେ ଘେନି
କ୍ଷୁଧା ତୃଷା କଲେ ଜୀବନ ବିକଳେ
ପିଉଥାଇ ଝର ପାଣି

ମୋତେ ଜଣେ ଫେସବୁକ୍ ବନ୍ଧୁ ବହୁଦିନ ତଳେ ଅନୁରୋଧ କରିଥିଲେ ଯେ ଆପଣ ଭୀମଭୋଇଙ୍କ ସମ୍ପର୍କରେ କିଛି ଲେଖନ୍ତୁ

ବନ୍ଧୁଙ୍କ କଥା ରକ୍ଷା କରିବାକୁ ଯାଇ
ଯଥା ତଥା ଏପରି ଦି ଧାଡି ଲେଖିଦେଲି

ମୋ ସହ ତାଙ୍କର କଣ ସବୁ ସମ୍ପର୍କ ମନେପଡିଲେ ସିନା ଲେଖନ୍ତି

ପ୍ରିୟଜନ କଥା
ନଜାଣିବା ବ୍ୟଥା
ଯେ ଜାଣେ ସେ ଅବା କହୁ

କାଳ ଯାଏ ବହି
ମନେ ପଡେ ନାହିଁ
ବନ୍ଧୁ ଭୀମଭୋଇ
ଗାଁ ଆଡେ ଥରେ ଯାଉଁ

ଫେରିଲେ ଲେଖିବି
ଯାହା ମୁଁ ଦେଖିବି
ଆଜି ଏତିକିରେ ଥାଉ

ଲକ୍ଷ୍ମୀଧର ନାୟକ

– ଲକ୍ଷ୍ମୀଧର ନାୟକ
My Facebook Post:22nd July 2020


Share it

Leave a comment

Your email address will not be published. Required fields are marked *