Guru Purnima : 21st July 2024
ସତ୍ଯବାଣୀ : ଛତିଆବଟ କଥା – ୧ : ବଡମଣିମା ରାମଚନ୍ଦ୍ର ଦେବଙ୍କ ଶ୍ରୀମୁଖରୁ …..
ଯେଉଁ ଭୟଙ୍କର ଧୂମାଳ ଉଠେଇଥିଲା କୁଆଡେ ଉଭେଇଗଲା । ତେଣୁ ମନେରଖ, ପରିସ୍ଥିତି ଯେତେ ଯାହା ହେଉ ଭୟ କରିବ ନାହିଁ । ସମ୍ମୁଖୀନ ହେବ । ଅନ୍ଯକୁ ଅପଦସ୍ତ କରିବାକୁ ଚାହୁଁଥିବା ଲୋକେ ଆପେ ଆପେ ଭୁଲ ବୁଝିପାରିବେ ।
ଗୋଟିଏ ମଜା କଥା ଶୁଣ । ସେତେବେଳକୁ ମୋର ବୟସ କମ୍ ଥାଏ। ବାପା ଥାଆନ୍ତି । ମୁଁ ଯାଇଥାଏ ଭିକ୍ଷାକରି । ବାଲେଶ୍ବର ଜିଲ୍ଲା ଆଗରପଡାକୁ ମୁଁ ଯାଇଥାଏ । ସାଙ୍ଗରେ ଆମର କେତେଜଣ ଲୋକ ଥାଆନ୍ତି।
ଆମର କଥା ଥାଏ ଯେ ଆମେ ରଟିଣାରେ ଭିକ୍ଷା କରିବୁ, ଆଗରପଡାରେ ଖାଇବୁ ଏବଂ ଚାରିଗାଁ ରେ ଶୋଇବୁ । ରଟିଣାରୁ ଆମେ ଯାଇ ଆଗରପଡାରେ ପହଞ୍ଚିଲୁ । ସେଇଠି ତ ଆମର ନିତି କରିବା କଥା ।
ବାହାରେ ଲୋକେ ଆମକୁ ଦେଖେଇ ଶୁଣେଇ କେତେ କଣ କହୁଥାଆନ୍ତି। ସ୍ଥାନୀୟ ହେଡମାଷ୍ଟ୍ରେ ଏବଂ ଆଉ ପାଠୁଆ ଅପାଠୁଆ ଲୋକେ ଥଟ୍ଟା ତାମସା କରୁ ଥାଆନ୍ତି । ସେମାନେ ଡାକି ବଜେଇ କହୁଥାଆନ୍ତି ଆଜି ଏମିତିକା ପାନେ ଦେବେ ଯେ ଆଉ ଦିନେ ଏ ଅଞ୍ଚଳକୁ ଯେପରି ଆସିବି ନାହିଁ । ମୋତେ ନିଆଁରେ ଚଲେଇବାକୁ ବ୍ଯବସ୍ଥା କରୁଥାଆନ୍ତି।
ବାହାରେ ଗୋଟାଏ ବିରାଟ ଖଟ । ତା ଉପରେ ଚେୟାର ସଜା ହୋଇଥାଏ । ଲୋକେ ହାଉଜାଉ । କେତେ ହାସ ପରିହାସ ।
ଆମଲୋକେ ଏସବୁ କଥାରେ ଭୟ କରି ଯାଇଥାଆନ୍ତି। ମୋତେ ଖାଲି କହୁଥାନ୍ତି ଲୁଚିକରି ପଳେଇବା। ଏଠି ଆଉ ରକ୍ଷା ନାହିଁ । ସିଧା ସ୍ବର୍ଗକୂ ବାଟ ।
ମୁଁ ସବୁ ଶୁଣିଲି । ତା ପରେ ମୁଁ କଣ କହିଲି ଜାଣିଛ ନା ? ଶୁଣ ।
ମୁଁ କହିଲି ଲୋକେ ଅନ୍ଯକୁ ଥଟ୍ଟା ତାମସା କରି ଆନନ୍ଦ ପାଆନ୍ତି । ଅନ୍ଯକୁ ପରିହାସ କରି ବାହାଦୂରୀ ନିଅନ୍ତି । ସହଜରେ ଧର୍ମ କଥା, ଭଲ କଥା ଯିଏ କହନ୍ତି ତାକୁ ବହୁତ ଥଟ୍ଟା ପରିହାସ କରନ୍ତି । ନାନା କୁତ୍ସିତ ସମାଲୋଚନା କରନ୍ତି । କେତେ କଣ ମିଛ କଥା ମନରୁ ବାନ୍ଧି କହନ୍ତି । ସାଧାରଣ ଲୋକେ କଣ ଜାଣନ୍ତି ? ସେମାନେ କଣ ବୁଝନ୍ତି? ବୁଝିଲା ବେଳକୁ କୁମ୍ଭୀର ନେଇ ନଈ ମଝିରେ ରଖିଥାଏ ।
ଏଇ ଲୋକମାନେ ଯାହା କହୁଛନ୍ତି ବା କରୁଛନ୍ତି ସେମାନେ କିଛି ଜାଣନ୍ତି ନାହିଁ । ଆମେ ଯଦି ଡରି ପଳାଇବା ତେବେ ଲୋକଙ୍କୁ ସୁଯୋଗ ମିଳିଯିବ ନାନା କଥା କହିବାପାଇଁ । ପରିସ୍ଥିତିର ମୁକାବିଲା ଯିଏ କରିପାରେ ସେଇ ଧନ୍ଯ । କେହି ବ୍ଯସ୍ତ ହୁଅନା, ମୁଁ ବୁଝିବି ।
ଯଥା ସମୟରେ ଆମେ ଘର ଭିତରୁ ନିତି ସାରି ବାହାରିଲୁ । ସଙ୍ଗେ ସଙ୍ଗେ ମୋତେ କେତେଜଣ ହାତ ଦେଖେଇ ପାଛୋଟି ନେଲେ ମଞ୍ଚ ସ୍ଥାନକୁ । କି ଭକ୍ତି ! ଇଏ ଭକ୍ତି ନୁହେଁ । ଗୋଟେ ଦେଖେଇ ହେବାର ଗୁଣ ।
ମୁଁ ସବୁ ଜାଣୁଥାଏ । ମୁଁ କାହିଁକି ବା ବିଚଳିତ ହେବି ? କଂସାରି ଘର ପାରାକୁ କୁଲା ଢାଉଁ ଢାଉଁ ।
ମଞ୍ଚ ପାଖରେ ମୁଁ ପହଞ୍ଚିଲା କ୍ଷଣି ମୋତେ ହେଡମାଷ୍ଟ୍ରେ ଓ ଆଉ କେତେ ଜଣ ହାତ ଦେଖେଇ ଦେଲେ ମଞ୍ଚ ଉପରକୁ ଉଠିବା ପାଇଁ । ମୁଁ ଭାବିଲି ଏ କଣ କଂସାସୁର ମଞ୍ଚା କି ? ତା ଉପରକୁ ଯିବି କେମିତି?
ମୁଁ କହିଲି, ଆସ ଆମେ ସମସ୍ତେ ଯିବା ମଞ୍ଚା ଉପରକୁ । ମୁଁ ଏକାକୀ କାହିଁକି ଯିବି ? ମୁଁ କଣ ଅଲଗା ? ମୁଁ ତ ସମସ୍ତଙ୍କ ଭିତରେ ଜଣେ। ଆମେ ଏକତ୍ର ବସିବା, କଥାବାର୍ତ୍ତା ହେବା । ଯିଏ ଯାହା ପଚାରିବେ, ଯାହା ଆମେ ଜାଣିଥିବୁ ଉତ୍ତର ଦେବୁ । ଇମିତିକା ମଞ୍ଚା ତ ମୁଁ କେଉଁଠି ଦେଖିନାଇ। ଇଏ କଣ ? ମୋତେ ପରୀକ୍ଷା କରିବା ପାଇଁ ନା ପରିହାସ କରିବା ପାଇଁ ?
କଣ ହେଲା କେଜାଣି କେତେଜଣ ବାହାରିପଡି ମଞ୍ଚାଟାକୁ ଭାଙ୍ଗି ଦେଲେ। ଖଟ ଉପରେ ଆମେ ବସିଲୁ । ତା ପରେ ମୋତେ ହେଡମାଷ୍ଟ୍ରେ ପଚାରିଲେ ଛତିଆବଟ ସମ୍ପର୍କରେ କେତୋଟି ପ୍ରଶ୍ନ ।
ମୁଁ କହିବାକୁ ଯାଉଛି, ଏହି ସମୟରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ସାନଭାଇ ଗୋପୀନାଥ ଦାସ ଆସି ପହଞ୍ଚିଗଲେ । ସେ କେଉଁଠୁ ଶୁଣିଲେ ଯେ ମୋତେ ପରୀକ୍ଷା କରିବାପାଇଁ ଲୋକେ ଯୋଜନା କରୁଛନ୍ତି। ସେ ତ ରାଗି ନିଆଁ ବାଣ ।
ସେ ଆସି ମୋତେ ପ୍ରଣାମ କଲେ । ଯେତେ କହିଲେ ବି ସେ ମୋ ପାଖରେ ବସିଲେ ନାହିଁ । ସେ ଲୋକଙ୍କୁ ଭର୍ତ୍ସନା କଲେ । ଏପରି କାର୍ଯ୍ୟ ଶିଷ୍ଟାଚାର ବିରୋଧୀ ବୋଲି କହିଲେ ।
ମହତାବ ବାବୁ ତ ବାପାଙ୍କୁ ମାନନ୍ତି । ଗୋପୀନାଥ ବାବୁ ମଧ୍ଯ ମାନନ୍ତି। ସେମାନେ ଜାଣନ୍ତି ଛତିଆବଟ କଣ ? ଗୋପୀନାଥ ବାବୁ ଲୋକଙ୍କୁ ଇମିତି କହିଲେ ଯେ କାହାରି ପାଟିରୁ କଥା ବାହାରିଲା ନାହିଁ । ସମସ୍ତେ ନୀରବ ।
ତା ପରେ ଆମେ ବାହାରିଲୁ ଚାରିଗାଁ ଅଭିମୁଖେ । ଲୋକେ ସବାରୀରେ ମୋତେ କାନ୍ଧେଇ ନେଲେ । ବାଜା ବଜେଇ ରୋଷଣୀ କରି ନେଇ ପହଞ୍ଚେଇ ଦେଲେ ଚାରିଗାଁ ରେ ।
ଯେଉଁ ଭୟଙ୍କର ଧୂମାଳ ଉଠେଇଥିଲା କୁଆଡେ ଉଭେଇଗଲା । ତେଣୁ ମନେରଖ, ପରିସ୍ଥିତି ଯେତେ ଯାହା ହେଉ ଭୟ କରିବ ନାହିଁ । ସମ୍ମୁଖୀନ ହେବ । ଅନ୍ଯକୁ ଅପଦସ୍ତ କରିବାକୁ ଚାହୁଁଥିବା ଲୋକେ ଆପେ ଆପେ ଭୁଲ ବୁଝିପାରିବେ ।
ଆଉ ଗୋଟିଏ କଥା କହିବି । ଆମେ ଆଗରପଡାରୁ ଆସି ଚାରିଗାଁ ରେ ଜଣେ ବ୍ରାହ୍ମଣ ଘରେ ରହିଲୁ । ବ୍ରାହ୍ମଣଟି ବିଚରା ଗରିବ । ସେ ଛତିଆ ବଟକୁ ମାନେ । ସେ ଗାଁରେ ଆଉ କେହି ମାନନ୍ତି ନାହିଁ । ଆମର ରହିବା ପରଦିନ ସେ ଗାଁର ଲୋକେ ବିଚରା ବ୍ରାହ୍ମଣଟିକୁ ଘେରିଗଲେ । ନାନା ଧମକ ଚମକ ଦେଲେ । ତାକୁ ଚାନ୍ଦା ମାଗିଲେ ।
ସେମାନେ କହିଲେ ବାବୁ ମଣିମା ଆସିଛନ୍ତି । ତାଙ୍କୁ ଏତେ ଆଦର ଅଭ୍ଯର୍ଥନା କାହିଁକି ? ଆମ ଅଞ୍ଚଳରେ ବର୍ଷା ହେଉନାହିଁ । ସେ କଣ ବର୍ଷା କରେଇ ଦେବେ ? ଯଦି ସେ ବର୍ଷା କରେଇଦେବେ ତେବେ ତୁମକୁ ଆମେ ଛାଡିଦେବୁ । ନହେଲେ ତୁମକୁ ଆଉ ତୁମ ବାବୁ ମଣିମା ସମସ୍ତଙ୍କୁ ଆଜି ଆମେ ଦେଖିନେବୁ।
ବିଚରା ବ୍ରାହ୍ମଣ ଆସି ମୋ ଗୋଡଧରି ପଡିଗଲା । କାନ୍ଦ କାନ୍ଦ ହୋଇ ସବୁ କହିଲା । ମୁଁ କହିଲି ହଉ ବ୍ଯସ୍ତ ହୁଅନା । ବର୍ଷା ତ ହେବ, ଅଥୟ କାହିଁକି ?
ସତକୁ ସତ ଉପର ଓଳିକୁ ହେଲା ବର୍ଷା । ଗାଆଁ ଦାଣ୍ଡରେ ସୁଅ ଚାଲିଲା । ତାପରେ ମୁଁ ଆଉ ଯାଏ କୁଆଡେ ? ସେଇ କାଦୁଅ ପଚର ପଚର ଦାଣ୍ଡରେ ମୋତେ ତ ସମସ୍ତଙ୍କ ଘରକୁ ଯିବାକୁ ହେଲା । ସମସ୍ତେ କହିଲେ ମୋ ପାଦ ଧୋଇ ପାଣି ନେବାକୁ । ସେଇଠି ଆମେ ରହିଲୁ ଦିନେ ଦି ଦିନ ।
ଶେଷ ଦିନ ଆମ ସାଙ୍ଗରେ ଥିବା ଭାଣ୍ଡ ଗୋପାଳ ଗୋଟେ ବେହାଲି ଦେଖେଇଲା । ସେ ମରିଗଲା ଭଳିଆ ହେଇ ପଡି ରହିଲା । ତାକୁ ଆମ ଲୋକ କୋକେଇରେ ବାନ୍ଧି ନଈ କୂଳକୁ ନେଲେ । ସେଇଠି ପକେଇ ଦେଇ ଆସିଲେ । ଆମ ଲୋକେ କନ୍ଦାକଟା କଲେ । ଲୋକେ ଭାବିଲେ ସତକୁ ସତ ଲୋକଟା ମରିଗଲା । ଆମେ କିନ୍ତୁ କିଛି କହୁ ନ ଥାଉ ।
ନଈ ଘାଟରୁ ସ୍ତ୍ରୀ ଲୋକମାନେ ଗାଧୋଇ ଫେରୁ ଥାଆନ୍ତି । ଏତିକିବେଳେ ଭାଣ୍ଡ ଗୋପାଳ କୋକେଇରୁ ଉଠିଲା । ଭିଡିମୋଡି ହୋଇ ଚାଲିଲା । ସ୍ତ୍ରୀ ଲୋକମାନେ ଏ ଦୃଶ୍ଯ ଦେଖି ଆଶ୍ଚର୍ଯ୍ୟ । ମଲା ଲୋକ ପୁଣି ଜୀଇଁଲାଣି । କଥାଟା ଗାଆଁରେ ଖେଳିଗଲା ।
ତା ପରେ ଆଉ ଦେଖିବ କଣ ? ଖୋଳ କରତାଳ ବାଜିଲା । କେତେ ଯେ ଆମକୁ ଆଦର ଅଭ୍ୟର୍ଥନା କଣ କହିବି ?
ଲୋକମାନେ ଏଇଆ । ଟିକିଏ କିମିଆ ଦେଖେଇ ଦେଲେ, କଣ ଗୋଟେ ଭେଳିକି ଦେଖେଇ ଦେଲେ, ଲୋକେ ଭାବନ୍ତି ସ୍ବୟଂ ଭଗବାନ ଆସିଗଲେ । ଦେଖୁନା କେତେ ବାବାଜୀ ମାତାଜୀ ସବୁ କଣ କରୁଛନ୍ତି? ଟିକିଏ ଟିକିଏ କିମିଆ ଦେଖେଇ ପରା ଭଗବାନ ପାଲଟି ଯାଉଛନ୍ତି । ଆରେ ଭଗବାନ କଣ ଇମିତି ହୁଅନ୍ତି ? ଭଗବାନ କିମିଆ କିମ୍ବା ଭେଳିକି ଭିତରେ ନାହାନ୍ତିରେ । ଯିଏ ଏସବୁ ଦେଖାନ୍ତି ସେମାନେ ଠକ। ଅର୍ଜୁନଙ୍କ ଭଳିଆ ହୁଅ । ବିଭୁତିରେ ଭୁଲ ନାହିଁ । ବିଭୁତିକୁ କାଟି ପାରିଲେ ତାଙ୍କୁ ପାଇବୁ । ନିଶ୍ଚୟ ପାଇବୁ । ତାଙ୍କୁ ଧଅ, ଆଣ୍ଟ କରି ଧଅ । ତାପରେ ତୁ ଜାଣିଯିବୁ ଭଗବାନ କଣ ? ସେ କିଏ ?
( କ୍ରମଶଃ )
ସଂକଳକ : ପ୍ରଫେସର ବୈଷ୍ଣବ ଚରଣ ସାମଲ
ବିଶ୍ବଭାରତୀ, ଶାନ୍ତିନିକେତନ, ପଶ୍ଚିମବଙ୍ଗ
Satybani chhatiabata Katha bahut sundar hoichhi