ଯାହା ଲେଖିଦେଲେ ଗପ ..

Share it

– ହରପ୍ରିୟା ନାୟକ

ଜୀବନ ଗୋଟେ ଏମିତି ସିଲଟ,
ସେଥିରେ ଯାହା ଲେଖିଦେଲେ ତାହା ଗପ ପରି ଦିଶେ ..

ଦିନଟିଏ ବାପା ମାଆଙ୍କ ପାଇଁ

ଅଫିସରେ ଏତେ କାମ ଯେ କାର୍ଯ୍ୟବ୍ୟସ୍ତତା ଭିତରେ କୃଷ୍ଣା ଭୁଲି ଯାଇଛି ତାକୁ ଶୀଘ୍ର ଘରକୁ ଯିବାର ଥିଲା ବୋଲି । କାରଣ ତିନି କି ଚାରି ମାସ ହେବ ଦିଲ୍ଲୀର ଗୋଟେ ସରକାରୀ କାର୍ଯ୍ୟାଳୟରେ କୃଷ୍ଣାର ଚାକିରୀ ହେଇଯାଇଛି।ସୁଦୂର ବଲାଙ୍ଗୀରର ଗୋଟେ ଛୋଟ ଗାଁରେ ଘର ହେଇଥିଲେ ବି ଭଲ ଚାକିରୀଟିଏ ମିଳି ଯାଇଥିବାରୁ ସେ ଆଉ ଚାକିରୀ କରିବାକୁ ମନା କରିପାରିଲାନି। ବର୍ତ୍ତମାନ ସମୟରେ ସରକାରୀ ଚାକିରୀଟିଏ ମିଳିବା କେତେ କଷ୍ଟ। ମାଆଙ୍କ ସମର୍ଥନ ପାଇଁ ସେ ଦିଲ୍ଲୀ ଯିବାକୁ ରାଜି ହେଇଗଲା।

ଆଜିର ଦିନ…..

କୃଷ୍ଣା ଦିଲ୍ଲୀ ଯିବା ପରେ ପ୍ରଥମ ଥର ପାଇଁ କୃଷ୍ଣାର ମାଆ ବାପା ତା ପାଖକୁ ଯାଇଛନ୍ତି। ସେମାନଙ୍କର ସବୁ ସମୟ ଘରେ ବସି ବସି ବିତୁଥିବାରୁ କୃଷ୍ଣା ସକାଳେ ଅଫିସ୍ ଗଲା ବେଳେ କହିକି ଯାଇଥିଲା ଯେ ସେ ଅଫିସରୁ ଶୀଘ୍ର ଚାଲିଆସିବ । ତାପରେ ସମସ୍ତେ ମିଶି ବଜାର ବୁଲିବାକୁ ଯିବେ, ଆଉ ରେସ୍ତୋରାଁ ରେ ଖାଇକି ଆସିବେ।

କୃଷ୍ଣା:-ହେ ଭଗବାନ ସାତଟା ହେଇଗଲାଣି ମାଆ,ବାପାଙ୍କୁ କହିକି ଆସିଥିଲି ଘରକୁ ଶୀଘ୍ର ଫେରିଯିବି। ସେମାନେ ମତେ ଅପେକ୍ଷା କରିଥିବେ। ୟେ କାମ ଯେତିକି ହେଲା ହଉ , ମୁଁ ଘରକୁ ଚାଲିଲି।

୭:୩୦….

କୃଷ୍ଣା ଘରେ ପହଞ୍ଚିକି କଲିଂ ବେଲ୍ ମାରିଲା।

କୃଷ୍ଣା:- ସରି ମାଆ ମୋର ଟିକେ ଡେରି ହେଇଗଲା। ତମେ ଆଉ ବାପା ରେଡି ହେଇସାରିଛ ତ?

ଲଳିତା ଦେବୀ :-କିଛି କଥା ନାହିଁ କୃଷ୍ଣା, ଅଫିସରେ ବହୁତ କାମ ଥିବ ସେଥିପାଇଁ ଡେରି ହେଇଗଲା। ଆମେ ବି ଯିବାକୁ ପୁରା ପ୍ରସ୍ତୁତ ଅଛୁ। ନେ ପାଣି ପିଇଦେ ବହୁତ ଥକି ଯାଇଛୁ। କୃଷ୍ଣା ପାଣି ପିଇସାରିବା ପରେ ସମସ୍ତେ ବଜାରକୁ ବାହାରି ଗଲେ। ଲଳିତା ଦେବୀ, ଆଉ ଗିରିଶ୍ ବାବୁ ଟିକେ କୃଷ୍ଣ ପ୍ରେମୀ ହେଇଥିବାରୁ କୃଷ୍ଣା ପ୍ରଥମେ ରାଧାକୃଷ୍ଣ ମନ୍ଦିରକୁ ନେଇଗଲା। ମନ୍ଦିରରେ ପହଞ୍ଚିବା ପରେ ଲଳିତା ଦେବୀ ବହୁତ ଖୁସି ହୋଇଗଲେ।

ଲଳିତା ଦେବୀ :-ଆରେ ମାଆ ତୁ କେମିତି ଜାଣିଲୁ ମୁଁ ଏଇ ମନ୍ଦିରକୁ ଆସିବାକୁ ଚାହୁଁଥିଲି ବୋଲି।

କୃଷ୍ଣା:-ମୁଁ ତମ ଝିଅ ମାଆ ତମ ମନର କଥା ମୁଁ ଜାଣିପାରିବିନି ତ ଆଉ କିଏ ଜାଣିବ? ସେଥିପାଇଁ ତ ମୋ ନାଁ କୃଷ୍ଣା ରଖିଛ।
ଠାକୁରଙ୍କୁ ଦର୍ଶନ କରି ମନ୍ଦିରରେ କିଛି ସମୟ ବସିବା ପରେ ଚାଲିଲେ ସପିଂମଲ୍। ଦିଲ୍ଲୀର ଜନଗହଳି ରାସ୍ତା ଦେଖି ଗିରୀଶ ବାବୁ ଆଉ ଲଳିତା ଦେବୀ ଟିକେ ଅସ୍ତବ୍ୟସ୍ତ ହେଇପଡୁଥାନ୍ତି।

କୃଷ୍ଣା:-ମାଆ,ବାପା ତମେ ଦିଲ୍ଲୀ ସହରକୁ ଯଦି ଅତି ପାଖରୁ ଦେଖିବାକୁ ଚାହୁଁଛ ଆଉ ତାକୁ ଅନୁଭବ କରିବାକୁ ବି ଚାହୁଁଥାଅ ତାହାଲେ ଏମିତି ଗାଡିରେ ନୁହେଁ ଚାଲିକି ଗଲେ ଜାଣିପାରିବ। କୃଷ୍ଣାର କଥା ଶୁଣି ମାଆ, ବାପା ଦୁଇଜଣ ଚାଲିକି ଯିବାପାଇଁ ଆଗ୍ରହ ପ୍ରକାଶ କଲେ। ସପିଂମଲ ଠାରୁ ଶହେ ମିଟର ଦୂରରେ ଗାଡିକୁ ରଖିଦେଇ ଆଗକୁ ଅଗ୍ରସର ହେଲେ। ବାଟରେ ଗଲା ବେଳେ ବିଶାଳକାୟ ଦୋକାନ୍, ଜନ ଗହଳିରେ ଲୋକ ମାନଙ୍କ ଆୱାଜ୍ ,ଦୃତ ଗତିରେ ଯାନର ଆୱାଜରେ ଯେମିତି ଲଳିତା ଦେବୀ ଚମକି ପଡୁଥାନ୍ତି। କୃଷ୍ଣାର ହାତକୁ ଜୋରରେ ଧରି ମଧ୍ୟ ଚାଲିଥାନ୍ତି। ଅଚାନକ୍ କୃଷ୍ଣା ଗୋଟେ ଠେଲା ଗୁପଚୁପ୍ ପାଖରେ ରହିଗଲା।
କୃଷ୍ଣା:-ବାପା, ମାଆ ଜାଣିଛ ଏଇ ମଉସାଙ୍କ ହାତ ତିଆରି ଗୁପଚୁପ୍ ବହୁତ ଟେଷ୍ଟି ଆଉ ପରିସ୍କାର ବି। ମୋର ଯେତେବେଳେ ଇଚ୍ଛା ହୁଏ ମୁଁ ଏଇ ମଉସାଙ୍କ ପାଖକୁ ଚାଲିଆସେ ଗୁପଚୁପ୍ ଖାଇବାକୁ।

ତାପରେ କୃଷ୍ଣା,ବାପା,ମାଆ ତିନି ଜଣ ମନଭରି ଗୁପଚୁପ୍ ଖାଇଲେ ଆଉ ତାର ମଜା ଉଠେଇଲେ। ଖାଇସାରିଲା ପରେ ତିନି ଜଣ ଚାଲିଲେ ସପିଂମଲକୁ ।
ଲଳିତା ଦେବୀ, ଗିରୀଶ୍ ବାବୁ ପ୍ରଥମ ଥର ପାଇଁ ଏତେ ବଡ ସପିଂମଲକୁ ଯାଇଥିବାରୁ ତାଙ୍କୁ ସବୁକିଛି ଆଶ୍ଚର୍ଯ୍ୟ ଲାଗୁଥାଏ।

କୃଷ୍ଣା:-ମାଆ,…. ବାପା …..ଦେଖ ଏଇଟା ଚଳନ୍ତା ସିଡ଼ି। ତମେ ଏଇ ସିଡ଼ିରେ ଠିଆହେଲେ ଚାଲିବା କିଛି ଦରକାର ପଡିବନି।କେବଳ ପ୍ରଥମ ସିଡ଼ିରେ ଠିଆ ହୋଇ ଉପରେ ପହଁଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରିବ। ଯେତେବେଳେ ପହଞ୍ଚି ଯିବ ଆଉ ସିଡ଼ିରେ ଠିଆ ନହେଇ ଶୀଘ୍ର ସିଡ଼ିରୁ ଚଟାଣ ଉପରକୁ ପଳେଇବ। ନହଲେ ସିଡ଼ିରେ ପଡିଯିବାର ଆଶଙ୍କା ବି ଅଛି। ଏବେ ଯିବା ?

ଗିରୀଶ ବାବୁ :-ହଁ ରେ ମା, ଚାଲ୍ ତୋ କଥା ଶୁଣିକି ମତେ ତ ଏଇ ସିଡ଼ିରେ ଯିବାକୁ ଇଚ୍ଛା ହେଲାଣି।

ତାପରେ ସମସ୍ତେ ଚାଲିଲେ ସିଡ଼ି ପାଖକୁ। କୃଷ୍ଣା ବାପା ମା ଦୁଇଜଣଙ୍କୁ ଦୁଇ ହାତରେ ଧରି ସିଡ଼ି ଉପରେ ଏକା ସାଙ୍ଗରେ ଚଢ଼ିଲେ। ବାସ୍ କିଛି ସେକେଣ୍ଡ ଭିତରେ ସେମାନେ ଉପରେ ପହଁଚି ଗଲେ। ଲଳିତା ଦେବୀ ଆଉ ଗିରୀଶ୍ ବାବୁଙ୍କୁ ଭାରି ଖୁସି ଲାଗୁଥାଏ।ଓଠରେ ତାଙ୍କର ହସର ଅସରନ୍ତି ଲହଡ଼ି ଭାଙ୍ଗି ଯାଉଥାଏ। ଯାହା କୃଷ୍ଣାର ମନକୁ ଖୁବ୍ ଆନନ୍ଦ ପ୍ରଦାନ କରୁଥାଏ।
ତାପରେ କୃଷ୍ଣା ମାଆଙ୍କ ପାଇଁ କିଛି ସୁନ୍ଦର ଶାଢ଼ୀ ଆଉ ବାପାଙ୍କୁ ମାନିଲା ପରି କିଛି ସୁନ୍ଦର ପୋଷାକ କିଣିଲା। ତାପରେ ଘର ପାଇଁ ଅନ୍ୟାନ୍ୟ ଦରକାରୀ ଜିନିଷ ପତ୍ର କିଣିଲେ। ସବୁ ଜିନିଷ ପତ୍ର କିଣାକିଣି କରିବା ପରେ ଚାଲିଲେ ରେସ୍ତୋରାଁକୁ।।କିଛି ସମୟ ଭିତରେ ଚାଲି ଚାଲି ଯାଇ ରେସ୍ତୋରାଁରେ ପହଁଚି ଗଲେ।
ଗିରୀଶ୍ ବାବୁ ଆଉ ଲଳିତା ଦେବୀ କିଛି ଜଣାଶୁଣା ଖାଦ୍ୟ ଖାଇବା ପରେ କୃଷ୍ଣା ବହୁତ ବାଧ୍ୟ କରିବାରୁ ଖାଦ୍ୟର ଟେଷ୍ଟ ଜାଣିବା ପାଇଁ କିଛି ବିଦେଶୀ ଖାଦ୍ୟ ଖାଇଲେ। ଖାଇବା ସରିବା ବେଳକୁ ରାତି ୧୦ଟା ବାଜିଯାଇଥାଏ।
ଲଳିତା ଦେବୀ :-କୃଷ୍ଣା ଚାଲ୍ ମା ଘରକୁ ଯିବା ୧୦ଟା ହେଲାଣି ଆଉ କୁଆଡେ ଯିବାକୁ ବାଧ୍ୟ କରନି ମତେ ବହୁତ ଥକା ଲାଗିଲାଣି।

କୃଷ୍ଣା:-ନାଇଁ ମା ଆମେ ଆଉ କୁଆଡ଼େ ନଯାଇ ସିଧା ଘରକୁ ଯାଉଛେ।

ତାପରେ କୃଷ୍ଣା,ଆଉ ବାପା, ମାଆ ତିନିଜଣ ଗାଡ଼ିରେ ଘରକୁ ଫେରି ଆସିଲେ।

କୃଷ୍ଣା:-ବାପା, ମାଆ ତମେ ମାନେ ଏବେ ଥକି ପଡ଼ିଛ ସେଥିପାଇଁ ଆମେ ସିଡ଼ିରେ ନଯାଇ ଲିଫ୍ଟରେ ଯିବା।

ଲଳିତା ଦେବୀ, ଗିରୀଶ ବାବୁ ଏକା ସାଙ୍ଗରେ କହିଲେ….
ଲିଫ୍ଟ କଣ?
ଲଳିତା ଦେବୀ :-ଦେଖ୍ ମୁଁ ଆଉ ଚାଲିପାରିବିନି।

କୃଷ୍ଣା:-ମାଆ ତମେ ମୋ ସାଙ୍ଗରେ ଚାଲ ଟିକେ ବି ଚାଲିବାକୁ ପଡିବନି ତମକୁ।

କୃଷ୍ଣା ସାଙ୍ଗେ ସାଙ୍ଗେ ବାପା ମାଆଙ୍କୁ ନେଇ ଲିଫ୍ଟ ଭିତରକୁ ଯାଇ ତା ରୁମ୍ ପାଖକୁ ପହଁଚିବାର ସୁଇଚ୍ ମାରିଦେଲା।
ଲଳିତା ଦେବୀ ଆଉ ଗିରୀଶ୍ ବାବୁ ୟେ ସବୁ ଦେଖି ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଏ।

ଲଳିତା ଦେବୀ :-କୃଷ୍ଣା ଏଇଟା ତ ଘର ପରିକା ହେଇଛି ଆମେ ଏଠି ଠିଆ ହେଇଛେ ୟେ ତ କାଇଁ କିଛି ଚାଲୁନି।

କୃଷ୍ଣା:-ମାଆ ଏଇଟା ଚାଲୁଛି କିନ୍ତୁ କିଛି ବି ଜଣା ପଡ଼ିବନି। ଆମେ ଏଇଠି ଠିଆ ହୋଇକି ବି ମୋ ରୁମ୍ ପାଖରେ ପହଞ୍ଚି ଯିବା।

ଗିରୀଶ୍ ବାବୁ :-ଏବେ କେତେ କଣ ସବୁ ତିଆରି ହେଇଗଲାଣି। ଆମେ ଘରେ ପହଞ୍ଚିବାକୁ କେତେ ବାଟ ଚାଲିବାକୁ ପଡୁଥିଲା। କେତେ ପାହାଚ ଚଢ଼ିବାକୁ ପଡ଼ୁଥିଲା। କିନ୍ତୁ ଏଠି ଆଉ ପରିଶ୍ରମ କରିବାକୁ ପଡ଼ିଲାନି। ଏଇଠି ଆମେ ଠିଆହେଇ ଘରେ ପହଞ୍ଚି ପାରୁଛେ।

ଏମିତି କଥାବାର୍ତ୍ତା ଭିତରେ ତିନିଜଣ ଯାଇ ଆପାର୍ଟମେଣ୍ଟ ପାଖରେ ପହଞ୍ଚି ଗଲେ।
ରୁମକୁ ଯାଇ କିଛି ସମୟ ବିଶ୍ରାମ ନେବାପରେ ଲଳିତା ଦେବୀ ଆଉ ଗିରୀଶ୍ ବାବୁ ଚାଲିଲେ କୃଷ୍ଣା ପାଖକୁ।କୃଷ୍ଣା ନଶୋଇ ଲାପଟପ୍ ରେ ବସିକି ଅଫିସର କିଛି କାମ କରୁଥାଏ। ବାପା ,ମା’ ଙ୍କୁ ଦେଖିବାରୁ କାମ ବନ୍ଦ କରି ତାଙ୍କ ପାଖରେ ବସିଲା।

ଲଳିତା ଦେବୀ :-ଏଠି ଦଶଟା ରାତି ହେଲେ ବି ରାସ୍ତା କେତେ ଜନଗହଳି। ନାଇଁ?

କୃଷ୍ଣା:-ହଁ ମାଆ ଏଠି ରାତି ବାରଟା ପର୍ଯ୍ୟନ୍ତ ବି ଲୋକ ରାସ୍ତାରେ ଯିବା ଆସିବା କରୁଥିବେ ଯେ ଲାଗିବନି ବାରଟା ବାଜିଲାଣି ବୋଲି। ମତେ ତ ଆଜି ବହୁତ୍ ଖୁସି ଲାଗୁଛି ଦିନଟିଏ ବାପା ମାଆଙ୍କ ପାଇଁ ସମୟ ବାହାର କରି ପାରିଲି।ଏଠିକି ଆସିବା ଦିନଠୁ ମୋର ଗୋଟେ ବହୁତ ବଡ଼ ଇଚ୍ଛା ଥିଲା ତୁମ ଦୁଇଜଣଙ୍କୁ ସାଙ୍ଗରେ ଦିଲ୍ଲୀ ନେଇକି ଆସିବି ଆଉ ଦିଲ୍ଲୀ ସହର ବୁଲେଇବି। ଆଉ ଆଜି ଅଧା ଇଚ୍ଛା ପୂରଣ ହେଇଗଲା।

ଗିରୀଶ୍ ବାବୁ :-କୃଷ୍ଣା ମା ରେ ତୁ ତ ଜାଣିଛୁ ଗାଁରେ ଘର କଥା ବୁଝିବାକୁ କେହି ବି ନାହାନ୍ତି। ପୋଷା କୁକୁରଟାକୁ ବି ପଡ଼ିଶା ଘରେ ଛାଡ଼ିଦେଇ ଆସିଛୁ। ସେମାନେ କଣ ଆମ ପରି ତାର ଠିକରେ ଯତ୍ନ ନେଇପାରିବେ? ତୁ କାଲି ଯଦି ଟିକେଟ୍ କରିଦିଅନ୍ତୁ ଆମେ ଘରକୁ ପଳେଇବୁ।

କୃଷ୍ଣା:-କଣ କହିଲ ଟିକେଟ୍ କରିଦେବି ତମେ ଘରକୁ ପଳେଇବ? କୁଆଡ଼େ ଯାଇପାରିବନି। ବହୁତ ହେଇଗଲା ଜମିବାଡ଼ି କାମ। ଏବେ ଏଇଠି ରୁହ ଆହୁରି ବୁଲିବା ବାକି ଅଛି। ପଳେଇବ ବୋଲି କଣ କହୁଛ? ଆଗ୍ରାର ତାଜମହଲ, ଲୋଟସ୍ ଟେମ୍ପୁଲ୍, ଚାନ୍ଦିନୀଚୌକ୍, ଗାନ୍ଧୀ ସ୍ମୃତି ଏମିତି କେତେ ଯାଗା ବୁଲିବାକୁ ଅଛି। ଦିଲ୍ଲୀ ଆସିକି କୌଣସି ଯାଗା ବୁଲିକି ଯିବନି ସେକଥା ହେଇପାରିବନି। କିଛି ଦିନ ରୁହ ମୁଁ ଦିନେ ଅଫିସରୁ ଗୋଟେ ଦିନ ଛୁଟି ନେଇଯିବି ଆମେ ବୁଲିବାକୁ ଯିବା। ବହୁତ ମଜା ମସ୍ତି କରିବା। ବାପା, ମାଆ ରହିବ କି ନାହିଁ କୁହ?

କୃଷ୍ଣା ବାପା, ମାଆଙ୍କ ମୁହଁକୁ କିଛି ସମୟ ଚାହିଁ ରହିଲା ପରେ ଗିରୀଶ୍ ବାବୁ, ଆଉ ଲଳିତା ଦେବୀ କୃଷ୍ଣା ପାଖରେ ରହିବାକୁ ରାଜି ହେଇଗଲେ।

କୃଷ୍ଣା:-ଧନ୍ୟବାଦ ବାପା, ଧନ୍ୟବାଦ୍ ମାଆ। ତୁମ ଦୁଇଜଣଙ୍କ ପାଇଁ ମତେ ବହୁତ କିଛି କରିବାର ଅଛି ଯୋଉଦିନ ମୁଁ ଭାବିଥିବା କଥା ସବୁ ଠିକରେ ହେଇଯିବ ସେଇଦିନ ଜାଣିବି ଯେ ମୋର ସବୁ ଇଚ୍ଛା ପୂରଣ ହେଇଗଲା।

ଗିରୀଶ୍ ବାବୁ :-ତୋ ଖୁସିରେ ତ ଆମ ଖୁସି ତେବେ ତାଜ୍ ମହଲ କେବେ ବୁଲିବାକୁ ଯାଉଛେ? ହା…. ହା…. ହା…..

କୃଷ୍ଣା:- ଖୁବ୍ ଶୀଘ୍ର ଯିବା ବାପା।

   ଏଇ କାହାଣୀ ଲେଖିବାର ତାପ୍ତର୍ଯ୍ୟ ହେଉଛି ସମୟ ବଦଳିବା ସାଙ୍ଗକୁ ପିଲା ମାନଙ୍କ ଚିନ୍ତାଧାରା ବି ବଦଳି ଯାଉଛି। ବାପା, ମାଆ ଙ୍କ ପ୍ରତି ପିଲା ମାନଙ୍କର ଦାୟିତ୍ବବୋଧ ହ୍ରାସ ପାଇବା ସହ ନିଜ କାମରେ ବ୍ୟସ୍ତ ରହି ବାପା, ମା’ ଙ୍କ ସହ ସମୟ ବିତେଇବାକୁ ଭୁଲି ଯାଉଛନ୍ତି। ପିଲାଟିଏ ଛୋଟରୁ ବଡ ହେବା ପର୍ଯ୍ୟନ୍ତ ବାପା, ମା’ ପିଲା ପ୍ରତି ତାଙ୍କ କର୍ତବ୍ୟ କରିଚାଲିଛନ୍ତି। କିନ୍ତୁ ପିଲାଟି ଯେତେବେଳେ ବଡ଼ ହେଇଯାଏ ନିଜ ଜୀବନରୁ ପ୍ରଥମେ ବାପା, ମା’ ଙ୍କୁ ହିଁ ପର କରିଦିଏ। ତେଣୁ ବ୍ୟସ୍ତ ବହୁଳ ଜୀବନକୁ ଟିକେ ବିରତି ନେଇ ବାପା, ମାଆଙ୍କ ସହ କିଛି ସମୟ ବିତେଇପାରିଲେ ଜୀବନ ସାର୍ଥକ ହେଇଯିବ।

ହରପ୍ରିୟା ନାୟକ
ଯାଜପୁର


Share it

Join the Conversation

1 Comment

  1. ଖୁବ୍ ସୁନ୍ଦର ସନ୍ଦେଶ। ସୁନ୍ଦର ବାର୍ତ୍ତା ବହନ କରୁଛି

Leave a comment

Your email address will not be published. Required fields are marked *

Verified by MonsterInsights