20th July 2024
ସ୍ବପ୍ନ ଏକ ସ୍ବପ୍ନ କି ବିଶ୍ବାସ କି ଅନ୍ଧବିଶ୍ୱାସ କି ପରମସତ୍ତାଙ୍କ ନିର୍ଦ୍ଦେଶ ସେଇଟା ମୋ ଜାଣିବା ବାହାରର କଥା । କିନ୍ତୁ ଆଶ୍ଚର୍ଯ୍ଯଜନକଭାବେ ପୋଥିମାନଙ୍କକରୁ ଏ ନିର୍ଦେଶ ଓ ଅନୁମତି ମିଳୁଛି, କାକଟପୁର ପୋଥିରେ ଯାହା ଶୁଣିବାକୁ ମିଳୁଛି, ସୁନ୍ଦର ଗାଁ ପୋଥିରେ ଅବିକଳ ସେଇଆ ଶୁଣିବାକୁ ମିଳୁଛି ।
ବ୍ରାହ୍ମଣୀ କୂଳିଆ ଗାଁ । ମୋ ଗାଁ ନାଁ ଖରିପଡିଆ । ଆପଣ ଏ ଫଟୋରେ ଦେଖୁଛନ୍ତି ମୋ ଗାଆଁରେ ଅକ୍ଷର ବ୍ରହ୍ମଙ୍କ ଅକ୍ଷୟ ରଥ । ପ୍ରଭୁଙ୍କ ଯାତ୍ରାପାଇଁ ପ୍ରସ୍ତୁତ ହେଉଛନ୍ତି ରଥ । ସାଜ ସଜ୍ଜା ଆରମ୍ଭ କରୁଛନ୍ତି ଗାଁ ପିଲାଏ, ଅତି ପବିତ୍ର ଆତ୍ମା ସେମାନେ ।
ଅମରେଶ ମିଶ୍ରଙ୍କ କାକଟପୁର ପୋଥି ଓ ବିଷ୍ଣୁ ମିଶ୍ରଙ୍କ ସୁନ୍ଦର ଗାଁ (ଫୁଲ ନଖରା ପାଖରେ) ପୋଥିରେ ପଚାରିଲେ ସୁନ୍ଦର ଅପୁର୍ବ ବର୍ଣ୍ଣନା ଶୁଣିବାକୁ ମିଳେ ମୋ ଗାଁର ଶ୍ରୀରାଧାକୃଷ୍ଣ ଓ ଶ୍ରୀଜଗନ୍ନାଥଂକ ସଂପର୍କରେ। ପୋଥିକାର ପୋଥିର ପୃଷ୍ଠାଟିଏ ଓଲଟାଇ ଆରମ୍ଭ କରନ୍ତି – ଉତ୍ତର ଦେଉଛନ୍ତି ମହାପୁରୁଷ ଶ୍ରୀଅଚ୍ଯୁତାନନ୍ଦ ….., ତା ପରେ ସୁନ୍ଦର ଆଶ୍ଚର୍ଯଜନକ ବର୍ଣ୍ଣନା ।
ସବୁବେଳେ ମୋତେ ପୋଥି ନିର୍ଦେଶ କରନ୍ତି ରାଧାକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ପାଇଁ ମନ୍ଦିରଟିଏ ତୋଳି ଦେବାକୁ ।
ଯେତେବେଳେ ଓଡିଶା ଗାଁ ଲୋକେ ସିମେଣ୍ଟ କ’ଣ ଦେଖି ନଥିଲେ, ସେତେବେଳେ ମୋ ଗାଁରେ ‘୧୬ ହାତ x ୧୬ ହାତ’ ସୁନ୍ଦର ପକ୍କା ରାଧାମୋହନ ଚାନ୍ଦିନୀ ଟିଏ ଥିଲା, ଏକ ବିରାଟ କଦମ୍ୱ ମୂଳରେ । ପ୍ରତି ବର୍ଷ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, ବହୁ ପର୍ବପର୍ବାଣୀ ପାଳିତ ହେଉଥିଲା ସେଠାରେ ।
ବ୍ରାହ୍ମଣୀର କରାଳ ବନ୍ଯାରେ ସୃଷ୍ଟି ହେଲା ଘୁଙ୍ଗୁରୀ ଘାଇ, ୧୯୭୪ ରୁ ୧୯୭୭ ମଧ୍ଯରେ ସମ୍ପୁର୍ଣ୍ଣ ନିଶ୍ଚିହ୍ନ ହୋଇଗଲା ରାଧାମୋହନ ଚାନ୍ଦିନୀ । ପୁରୁଣା ହୋଇ ଧିରେଧିରେ ଛିଡି ନଷ୍ଟ ହୋଇଗଲା ୧୬ x ୧୬ ହାତ, ସିରାଜ ମିଆଁ ହାତ ତିଆରି କୂଟ କମଭରା ଅତି ସୁନ୍ଦର ଅତି ମନଲୋଭା ରାଧାମୋହନ ଚାନ୍ଦୁଆ । କୁଆଡେ ହଜିଗଲା ହଜାର ହଜାର ଲୋକଙ୍କ ରୋଷେଇ ପାଇଁ ନିର୍ମିତ ତିନି ଚାରିପୁଞ୍ଜା ବଡ ବଡ ପିତ୍ତଳ ହଣ୍ଡା । କୁଆଡେ ହଜିଗଲା ସେ ତୁରୀ, ପତାକା, ଝାଡବତୀ ।
ସେତେବେଳେ ଟେଣ୍ଟ ହାଉସ୍ ନଥିଲା । ମୋ ଜାଣିବାରେ ଆମ ଆଖ ପାଖରେ ଏମିତି କୌଣସି ଗାଁ ନାହିଁ, ଯେଉଁଠି ସେ ସମୟରେ ଅଷ୍ଟ ପ୍ରହରୀ ହୋଇଛି, ଆଉ ସେଠିକି ମୋ ଗାଁ ରାଧାମୋହନ ଚାନ୍ଦୁଆ ଯାଇନି କି ମୋ ଗାଁ ପତାକା, ଝାଡବତୀ, ପିତ୍ତଳ ହଣ୍ଡା ବ୍ଯବହାର ହୋଇନି ।
ଆଉ ଗୋଟିଏ ରୋଚକ କଥା କହୁଛି । ବିଦଗ୍ଧ କବି ଅଭିମନ୍ୟୁଙ୍କ ଇଷ୍ଟ ହେଉଛନ୍ତି ଶ୍ରୀରାଧାମୋହନ । ରାଧାମୋହନ ବର୍ଷକୁ ଥରେ ଦୋଳ ପୁର୍ଣିମା ଦିନ ବିମାନରେ ବସି ହୋଲି ଖେଳିବାକୁ କବି ଅଭିମନ୍ୟୁଙ୍କ ଗାଁ ବାଲିଆରୁ ବରୁଆଁ (ପ୍ରାୟ ୧୬ କିଲୋମିଟର) ମେଲଣକୁ ଯାଆନ୍ତି । ଯିବା ଆସିବା ରାସ୍ତାରେ ରାଧାମୋହନ କେଉଁଠାରେ ଅଟକନ୍ତି ନାହିଁ କି ରାଧାମୋହନଙ୍କ ବିମାନ କେଉଁଠାରେ ତଳେ ଥୁଆ ହୁଅନ୍ତି ନାହିଁ । ଫେରିଲା ବେଳକୁ ସେ କେବଳ ମୋ ଗାଁରେ ବସନ୍ତି, ସର, ଲବଣୀ, ଘିଅ ପିଠା, କଅଁଳିଆ ବର ପତ୍ରରେ ତିଆରି ଛେନାପୁର ଦିଆ ଏଣ୍ଡୁରୀ ପିଠା, ଖିରି ଭୋଗ ଖାଆନ୍ତି, ଖରା ନଇଁଲେ ବାଲିଆ ଯାଆନ୍ତି ।
ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କ ଆରାଧ୍ଯ ଶ୍ରୀ ଶ୍ରୀ ରାଧାମୋହନଙ୍କ ଦୋଳ ବିମାନରେ ବିଜେ ଶ୍ରୀ ରାଧାମୋହନ, ଦୋଳ ପୂର୍ଣ୍ଣମୀର ପାବନ ଅବସରରେ ଆମ ଗୋଠରେ । ଫଟୋ – 2024
ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କ ଆରାଧ୍ଯ ଶ୍ରୀ ଶ୍ରୀ ରାଧାମୋହନଙ୍କ ଦୋଳ ବିମାନରେ ବିଜେ ଶ୍ରୀ ରାଧାମୋହନ, ଦୋଳ ପୂର୍ଣ୍ଣମୀର ପାବନ ଅବସରରେ ଆମ ଗୋଠରେ । ଫଟୋ – 2023
ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କ ଆରାଧ୍ଯ ଶ୍ରୀ ଶ୍ରୀ ରାଧାମୋହନଙ୍କ ଦୋଳ ବିମାନରେ ବିଜେ ଶ୍ରୀ ରାଧାମୋହନ, ଦୋଳ ପୂର୍ଣ୍ଣମୀର ପାବନ ଅବସରରେ ଆମ ଗୋଠରେ । ଫଟୋ 1995
ଏବେ ମୋ ଗାଁର ସେହି ରାଧାମୋହନ ପୀଠର ପୁନରୋଦ୍ଧାର ଆବଶ୍ଯକ ହେଉଛି, ମନ୍ଦିର ଟିଏ ନିର୍ମାଣର ଆବଶ୍ଯକତା ହେଉଛି । 1979 ମସିହାରୁ ମୁଁ ରେଭେନ୍ସା କଲେଜରେ ପାଠ ପଢୁଥିବା ବେଳରୁ ମୋତେ ଏପରି ସ୍ବପ୍ନ ହୋଇ ଆସୁଛି । ଅବଶ୍ଯ ସ୍ବପ୍ନ ଏକ ସ୍ବପ୍ନ କି ବିଶ୍ବାସ କି ଅନ୍ଧବିଶ୍ୱାସ କି ପରମସତ୍ତାଙ୍କ ନିର୍ଦ୍ଦେଶ ସେଇଟା ମୋ ଜାଣିବା ବାହାରର କଥା ।
କିନ୍ତୁ ଆଶ୍ଚର୍ଯ୍ଯଜନକଭାବେ ପୋଥିମାନଙ୍କକରୁ ଏ ନିର୍ଦେଶ ଓ ଅନୁମତି ମିଳୁଛି, କାକଟପୁର ପୋଥିରେ ଯାହା ଶୁଣିବାକୁ ମିଳୁଛି, ସୁନ୍ଦର ଗାଁ ପୋଥିରେ ଅବିକଳ ସେଇଆ ଶୁଣିବାକୁ ମିଳୁଛି ।
ମୋ ଉଦ୍ଯମରେ ଏବେ କେବଳ ଘୁଙ୍ଗୁରୀ ଘାଇ ଗର୍ଭରେ ୧୯୭୪ରୁ ବିସ୍ମୃତ ସେ ପବିତ୍ର ପୀଠର ମାତ୍ର ଏକ ଚତୁର୍ଥାଂଶରେ କେବଳ ବ୍ରାହ୍ମଣୀ ବାଲି ପୂର୍ଣ୍ଣ କରା ଯାଇଛି, ପ୍ରାୟ 20 ଲକ୍ଷ ଟଂଟଙ୍କା ବ୍ଯୟରେ । ଯଦିଓ ଘାଇ ମୁହଁକୁ ପୁରା ପୋତିବା ଦାୟିତ୍ୱ ଜଳ ସମ୍ପଦ ବିଭାଗର ।
ବାକି ରହିଥିବା ମୋ ଦାୟିତ୍ୱ । ମୋତେ ଏବେ ଈଶ୍ୱର ବିପିଏଲ୍ କରିଦେଇ ଖୁସି ହେଉଛନ୍ତି । ବାର ଦୁଆର ତେର ଲୋକଙ୍କୁ ହାତ ପାତିବାକୁ ବାଧ୍ଯ କରୁଛନ୍ତି, ନ ମାଗିବାର ଅହଙ୍କାରକୁ ଭାଙ୍ଗୁଛନ୍ତି ବୋଧହୁଏ । କାରଣ ପୁରୁଖା ପୁରୁଖା ଲୋକ କହନ୍ତି ମାଗି ଯାଚି ମନ୍ଦିର କରାଯାଏ ।
କିନ୍ତୁ ପ୍ରଭୁଙ୍କୁ ମୋ ରାଗ ସମ୍ପର୍କରେ ଜଣା ନାହିଁ ବୋଧେ, ଯେଉଁଦିନ ମୋ ରାଗ ଚିଡିବ, ସେହିଦିନ ସେଠି ମନ୍ଦିର ହେବ, ସିଏ ମାଗିକି ହେଉ କି ଯାଚିକି ହେଉ ।
– ଲକ୍ଷ୍ମୀଧର ନାୟକ
My Facebook Post : 20th July 2018